Posted inଫୁରସତ

କାଲି ଯାହା ସଙ୍ଗେ ଦେଖାହେଲା

ସାଧନାର ପଥ ବଡ଼ ଦୁର୍ଗମ। ସତର୍କତା ସତ୍ତ୍ୱେ ବାରବାର ପତନର ଆଶଙ୍କା ଥାଏ। ନାନା ବାଧାବିଘ୍ନ ଆସେ। ସମୟ ସମୟରେ ଏପରି ମନେହୁଏ ଯେ, ଆଉ ପାଦେ ବି ଏ ମାର୍ଗରେ ଆଗେଇବା ସମ୍ଭବ ନୁହେଁ। ପଶ୍ଚାତ୍‌ଗତି ହିଁ ଏକମାତ୍ର ବିକଳ୍ପ। କିନ୍ତୁ କେହି କେହି ଯୋଗଜନ୍ମା ଏପରି ଥା’ନ୍ତି, ଯେଉଁମାନେ ଦୃଢ଼ ସଙ୍କଳ୍ପ ହୋଇ ସକଳ ଅନତିକ୍ରମଣୀୟ ମନେ ହେଉଥିବା ବାଧାବିପତ୍ତିକୁ ଅତିକ୍ରମ କରି ଅନ୍ତିମ ଲକ୍ଷ୍ୟରେ ଉପନୀତ ହୋଇଥା’ନ୍ତି। ଏହିପରି ଜଣେ ମହାସାଧକ, ମହାଯୋଗୀ ଓ ମହାକବି ହେଉଛନ୍ତି ଶ୍ରୀଅରବିନ୍ଦ…

ଶ୍ରୀଅରବିନ୍ଦଙ୍କ ବ୍ୟକ୍ତିତ୍ୱରେ ଯେଉଁ ରୂପାନ୍ତର ସମ୍ଭବ ହୋଇଛି, କେବଳ ଭାରତ ନୁହେଁ, ବିଶ୍ୱର କ୍ୱଚିତ୍‌ ନେତା ବା ସନ୍ଥଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି।୨ ଡିସେମ୍ବର ୧୮୯୦ରେ ଶ୍ରୀଅରବିନ୍ଦଙ୍କ ପିତା କୃଷ୍ଣଧନ ତାଙ୍କ ବଡ଼ ଶଳା ଯୋଗେନ୍ଦ୍ରନାଥଙ୍କ ପାଖକୁ ଏକ ଚିଠି ଲେଖିଥିଲେ ଏହିପରି- ”ମୁଁ ହୁଏତ ଦେଖିବି ନାହିଁ, ତୁମେ କିନ୍ତୁ ଦେଖି ଗର୍ବବୋଧ କରିବ ଯେ ତୁମର ତିନି ଭଣଜା ଦେଶର ଶୋଭା ହେବେ ଓ ତୁମ ନାମ ଉଜ୍ଜ୍ୱଳ କରିବେ।“ ଏହି ଚିଠିରେ ସେ ଶ୍ରୀଅରବିନ୍ଦଙ୍କ ସଂପର୍କରେ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଥିଲା ଗୁରୁତ୍ୱପୂର୍ଣ୍ଣ। ସେ ଲେଖିଥିଲେ – ”ଅରୋ ତା’ର ସ୍ବଦେଶକୁ ମହିମା ମଣ୍ଡିତ କରିବ।“ ଧୀରେ ଧୀରେ ନିୟତି ଶ୍ରୀଅରବିନ୍ଦଙ୍କୁ ଏହି ଆଡ଼କୁ ନେଇଚାଲିଲା। ବରୋଦାରେ ଥିବା ବେଳେ ଶ୍ରୀଅରବିନ୍ଦଙ୍କ ପଠନସ୍ପୃହା ଛାତ୍ର ଓ ସହକର୍ମୀମାନଙ୍କୁ ବିସ୍ମିତ କରିଥିଲା।
ଶ୍ରୀଅରବିନ୍ଦଙ୍କ ପଠନ ନିଷ୍ଠା ସମ୍ପର୍କରେ ତାଙ୍କ ବଙ୍ଗଳାଭାଷା-ଶିକ୍ଷକ ଦୀନେନ୍ଦ୍ର କୁମାର ରାୟ ‘ଅରବିନ୍ଦ ପ୍ରସଙ୍ଗେ’ ବହିରେ ଲେଖିଛନ୍ତି: ”ତାଙ୍କୁ ବହି ଉପରେ ବଦ୍ଧ-ଦୃଷ୍ଟି ଅବସ୍ଥାରେ ଏକାଦିକ୍ରମେ ଘଣ୍ଟା ପରେ ଘଣ୍ଟା ବସିଥିବାର ମୁଁ ଦେଖିଛି। ସେତେବେଳେ ସେ ଯୋଗମଗ୍ନ ତପସ୍ବୀ ପରି ବାହ୍ୟଜ୍ଞାନଶୂନ୍ୟ। ଘରେ ନିଆଁ ଲାଗି ଗଲେ ବି ସେ ଜାଣିବେନି।“
ବିଦ୍ୟା-ତପସ୍ବୀ ଶ୍ରୀଅରବିନ୍ଦ ଜୀବନରେ ଆରମ୍ଭରୁ ଥିଲେ କବି। କେମ୍ବ୍ରିଜ୍‌ରେ ଥିବା ବେଳେ ଲେଖୁଥିଲେ ଖୁବ୍‌ ଉଚ୍ଚକୋଟୀର ଇଂଲିଶ୍‌ କବିତା ଓ ବରୋଦା ଆସିବା ପରେ ରାମାୟଣ, ମହାଭାରତର କାହାଣୀକୁ ଭିତ୍ତିକରି ଲେଖିଲେ ଅନେକ କବିତା। ରାମାୟଣ, ମହାଭାରତ ଓ ଋକ୍‌ବେଦର ପ୍ରଖ୍ୟାତ ଅନୁବାଦକ ଲେଖକ ରମେଶ ଚନ୍ଦ୍ର ଦତ୍ତ ବରୋଦା ଗସ୍ତ କାଳରେ ଶ୍ରୀଅରବିନ୍ଦଙ୍କ କବିତା ପଢ଼ି ମନ୍ତବ୍ୟ କରିଥିଲେ- ”ତୁମର ଏସବୁ କବିତା ଦେଖି ରାମାୟଣ-ମହାଭାରତର ଅନୁବାଦ କରି ମୁଁ ପଣ୍ଡଶ୍ରମ କରିଛି ଭାବି ଦୁଃଖ ଲାଗୁଛି। ତୁମ କବିତା ଆଗରୁ ଦେଖିଥିଲେ ମୁଁ ମୋର ଲେଖା କଦାପି ଛପାଇ ନଥା’ନ୍ତି।“ କେବଳ କବିତା ନୁହେଁ, ରାଜନୀତି, ଧର୍ମ, ସ୍ବାଧୀନତା ଓ ଆଧ୍ୟାତ୍ମିକତାକୁ ନେଇ ଶ୍ରୀଅରବିନ୍ଦ ବହୁ ପ୍ରବନ୍ଧ ଇଂଲିଶ୍‌ରେ ଲେଖିଛନ୍ତି, ଯାହା ଦେଶ ବିଦେଶର ବହୁ ମହାମନା ନେତା ଓ ସାଧକଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଶ୍ରୀଅରବିନ୍ଦ ନିଜର ପାଣ୍ଡିତ୍ୟ ବିଜ୍ଞପିତ କରିବା ପାଇଁ ପ୍ରବନ୍ଧ ଲେଖୁ ନଥିଲେ। ଲେଖୁଥିଲେ ଦେଶର ବେଶୀ ଭାଗ ମଣିଷଙ୍କ ମନରେ ରାଜନୀତି ଓ ଆଧ୍ୟାମତ୍ିକ ଚେତନା ଜାଗ୍ରତ କରିବା ପାଇଁ। କାରଣ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଏହି ଅନଗ୍ରସର, ଅପାଠୁଆ ବା କମ୍‌ ପାଠୁଆ ଲୋକଙ୍କ ଉପରେ ଦେଶର ପ୍ରକୃତ ମଙ୍ଗଳ ଓ ଭବିଷ୍ୟତ ନିର୍ଭର କରେ। ତାଙ୍କର ଏହି ଦୃଷ୍ଟିଭଙ୍ଗୀ ପରେ ଗାନ୍ଧିଜୀଙ୍କ ଦେଶବ୍ରତରେ ପ୍ରତିଫଳିତ ହୋଇଥିଲା। ୧୯୨୧ରେ ଗାନ୍ଧିଜୀ ଏକଦା କହିଥିଲେ ”ଜନସାଧାରଣଙ୍କୁ ବାଦ୍‌ ଦେଲେ, ସେମାନଙ୍କ ମଧ୍ୟରେ ମୁକ୍ତିର ଅକାଂକ୍ଷା ଜାଗ୍ରତ ନକଲେ ସ୍ବରାଜ ଲାଭ ସମ୍ଭବ ନୁହେଁ।“
ବରୋଦାରେ ଥିଲା ବେଳେ ଶ୍ରୀଅରବିନ୍ଦ ତନ୍ତ୍ରସାଧନାରେ ଜଡ଼ିତ ହୋଇପଡ଼ିଥିଲେ। ସାନଭାଇ ବାରୀନ୍ଦ୍ର ‘ଭବାନୀ ମନ୍ଦିର’ ପ୍ରତିଷ୍ଠା ପାଇଁ ବିନ୍ଧ୍ୟ ପର୍ବତମାଳାରେ ଜାଗା ଖୋଜି ବୁଲୁଥିବା ବେଳେ ପାହାଡ଼ି ଜ୍ୱରରେ ଆକ୍ରାନ୍ତ ହୋଇ ବରୋଦା ଫେରିଲେ ଓ ଜଣେ ସନ୍ନ୍ୟାସୀ ତାଙ୍କୁ ମନ୍ତ୍ର-ଜଳ ଖୁଆଇ ଆରୋଗ୍ୟ କରାଇଦେଲେ। ଏହି ସନ୍ନ୍ୟାସୀଙ୍କଠାରୁ ଶ୍ରୀଅରବିନ୍ଦ ପାଇଲେ ଯୋଗଶକ୍ତିର ପ୍ରଥମ ପ୍ରମାଣ। ୧୯୦୬ରେ ନର୍ମଦା ନଦୀତୀରରେ ଯୋଗୀ ବ୍ରହ୍ମାନନ୍ଦଙ୍କ ସହ ତାଙ୍କର ସାକ୍ଷାତ୍‌ ହେଲା, ଯିଏ ତିନିଶହ ବର୍ଷ ଧରି ଜୀବିତ ଥିଲେ। କେହି ପ୍ରଣାମ କଲେ ଏହି ସନ୍ନ୍ୟାସୀ ତାଙ୍କୁ ଆଖିବୁଜି ଆଶୀର୍ବାଦ କରନ୍ତି। ମାତ୍ର ଶ୍ରୀଅରବିନ୍ଦ ପ୍ରଣାମ କଲାବେଳେ ତାଙ୍କର ଆଖି ଦୁଇଟି ଖୋଲିଗଲା। ସତେ ଯେମିତି ତାଙ୍କୁ ଦୃଶ୍ୟମାନ ହେଲା ଶ୍ରୀଅରବିନ୍ଦଙ୍କ ହୃଦୟତଳର ଜଗତ। ଚାନ୍ଦୋଦ କାଳୀମନ୍ଦିରରେ ସେ ବିଶ୍ୱଜନନୀଙ୍କୁ ପ୍ରତ୍ୟକ୍ଷ କଲେ। ବରୋଦାରୁ ଆରମ୍ଭ ହୋଇଥିଲା ତାଙ୍କର ଯୋଗାଭ୍ୟାସ। ଯୋଗୀ ବିଷ୍ଣୁ ଭାସ୍କର ଲେଲେ ଥିଲେ ତାଙ୍କ ସାଧନାର ସାଥୀ ଓ ଗୁରୁ। ଲେଲେ ତାଙ୍କୁ ଶିଖାଇଥିଲେ କିପରି ଅନ୍ୟ କିଛି ଚିନ୍ତା ନକରି ଧ୍ୟାନ ସାହାଯ୍ୟରେ ନିଜ ଭିତରେ ବୁଡ଼ି ଯାଇହୁଏ। ଲେଲେ ମଧ୍ୟ ତାଙ୍କୁ କହିଥିଲେ ଯେ, ସଭାସମିତିରେ ବକ୍ତୃତା ଦେବାବେଳେ ତାଙ୍କୁ ଭାଷା ଖୋଜିବାକୁ ପଡ଼ିବ ନାହିଁ। କହିବାର କଥା ଆପଣାଛାଏଁ ମନର ଉପର ସ୍ତରରୁ ତାଙ୍କ ମୁଖ ଦେଇ ବାହାରି ଆସିବ। ଏକଥା ସର୍ବଜନବିଦିତ ଯେ ଆଲିପୁର ଜେଲ୍‌ରେ ଶ୍ରୀଅରବିନ୍ଦ ଚୋର-ଡକାୟତଙ୍କ ଭିତରେ ଥାଇ ବି ଦର୍ଶନ କଲେ ଶ୍ରୀକୃଷ୍ଣଙ୍କୁ।
ଶ୍ରୀଅରବିନ୍ଦ ଥିଲେ ‘ଧର୍ମଚେତନା’ ଓ ‘ସ୍ବାଧୀନତାବୋଧ’ର ବିକଳ୍ପହୀନ ସଂଯୋଗ ସେତୁ। ଯେଉଁ ସ୍ବାଧୀନତା ଦେଶର ମଣିଷକୁ ବିଶ୍ୱ ସେବା ପାଇଁ ଯୋଗ୍ୟ କରାଇପାରିବ ନାହିଁ, ସେ ସ୍ବାଧୀନତାରେ ତାଙ୍କର ବିଶ୍ୱାସ ନଥିଲା। ସେ ତାଙ୍କ ଅନ୍ତର୍ଦୃଷ୍ଟିରେ ସ୍ଥିର ନିଶ୍ଚିତ ହୋଇ ସାରିଥିଲେ ଯେ, ଦେଶର ସ୍ବାଧୀନତା ଆନ୍ଦୋଳନ ପ୍ରେକ୍ଷାପଟରେ ଅବିଳମ୍ବେ ଆବିର୍ଭୂତ ହେବେ ଏପରି ଜଣେ ନେତା, ଯେ ବିପଦରେ ଭାଙ୍ଗି ପଡ଼ିବେ ନାହିଁ, ହତାଶା ଯାହାଙ୍କୁ ଗ୍ରାସ କରିବ ନାହିଁ। ଏଥିପାଇଁ ଜାତୀୟତାବାଦୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ‘କର୍ମଯୋଗୀନ୍‌’ ପତ୍ରିକାର ଏକ ‘ଖୋଲାଚିଠି’ରେ ଭବିଷ୍ୟବାଣୀ କରିଥିଲେ। ଏହି ନେତା ଯେ,ଅବିସଂବାଦିତ ଭାବେ ଗାନ୍ଧିଜୀ ତାହା ଉଲ୍ଲେଖର ଅପେକ୍ଷା ରଖେ ନାହିଁ। ପଣ୍ଡିଚେରୀରେ ଆରମ୍ଭ ହେଲା ଶ୍ରୀଅରବିନ୍ଦଙ୍କ ଜୀବନର ପରିଣତି ପର୍ବ। ତନ୍ତ୍ରରୁ ମନ ଫେରାଇ ସେ ବେଦାନ୍ତ ମନନରେ ନିଜର ଦୃଷ୍ଟି ନିବଦ୍ଧ କଲେ। ସେ ଏଥର ନିଶ୍ଚିତ ହେଲେ ଯେ ବେଦାନ୍ତ ହିଁ ହେବ ଭାବୀକାଳର ଧର୍ମ।
ପଣ୍ଡିଚେରୀରେ ନିଃସଙ୍ଗ ତପଶ୍ଚର୍ଯ୍ୟାରେ ନିମଗ୍ନ ଥାଇ ବି ଶ୍ରୀଅରବିନ୍ଦ ଭାରତର ରାଜନୈତିକ ଗତିବିଧି ପ୍ରତି ନିଜର ବହିର୍ଦୃଷ୍ଟିକୁ ତଥାପି ଉନ୍ମୁକ୍ତ ରଖିଥିଲେ- ଏକଥା ଲକ୍ଷ୍ୟ କରି ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଅବିନାଶ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଯେତେବେଳେ ଏହାର ରହସ୍ୟ ଜାଣିବାକୁ ଚାହିଁଲେ, ଶ୍ରୀଅରବିନ୍ଦ କହିଲେ, ”ମୁଁ ତ ନିଜର ମୁକ୍ତି ପାଇଁ ଜପତପ କରୁନାହିଁ। ସମସ୍ତ ପୃଥିବୀର ମଙ୍ଗଳ ପାଇଁ ମୋର ସାଧନା।“ ଲକ୍ଷ୍ନୌରେ ଯେତେବେଳେ ହିନ୍ଦୁ-ମୁସଲିମ୍‌ମାନଙ୍କ ବିଭେଦ ମୋଚନ ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେଲା, ଶ୍ରୀଅରବିନ୍ଦ ଏଥିରେ ନିଜର ଅସନ୍ତୋଷ ବ୍ୟକ୍ତ କଲେ। ତାଙ୍କ ମତରେ ଏପରି ଚୁକ୍ତି ଦ୍ୱାରା ହିନ୍ଦୁ ଓ ମୁସଲମାନ ଦୁଇଟି ଅଲଗା ଜାତି ବୋଲି ସ୍ବୀକାର କରିନିଆଗଲା। ତାଙ୍କ ମତରେ ଏହି ଦୁଇଜାତି ଏକ ଭାରତୀୟ। ଭାରତବର୍ଷରେ ସମସ୍ତେ ଏକ ଓ ଅଭିନ୍ନ। ଏଇଥିରୁ ବୁଝିହୁଏ ଶ୍ରୀଅରବିନ୍ଦଙ୍କ ରାଜନୈତିକ ଦୂରଦୃଷ୍ଟି କିପରି ଆଧ୍ୟାମତ୍ିକ ଅନୁଭବରେ ସମାହିତ ଓ ସନ୍ଦୀପିତ ଥିଲା। ଲକ୍ଷ୍ନୌ ଚୁକ୍ତିର ଐତିହାସିକ ଭୁଲ୍‌ଟି ହୋଇ ନ ଥିଲେ ଭାରତ ହୁଏତ ଆଜି ଅଖଣ୍ଡ ରହିଥା’ନ୍ତା, ଏ ଭାବନା ମନରେ ଉଦିତ ହୁଏ।
୨୪ ନଭେମ୍ବର ୧୯୨୬ରେ ଶ୍ରୀଅରବିନ୍ଦ ତାଙ୍କର ଅନୁଗାମୀମାନଙ୍କୁ ଶେଷ ଆଶୀର୍ବାଦ ଦେଇ ସବୁଦିନ ପାଇଁ ଅନ୍ତରାଳକୁ ଚାଲିଗଲେ। ଏହି ଦିନଟି ଥିଲା ଶ୍ରୀଅରବିନ୍ଦଙ୍କ ଦେହରେ ଶ୍ରୀକୃଷ୍ଣଙ୍କ ଅବତରଣର ଦିନ। ଏହାପରେ ଅନ୍ତରାଳରେ ତାଙ୍କର ଆରମ୍ଭ ହେଲା ଯେଉଁ ତପସ୍ୟା, ତାହା ଥିଲା ସମସ୍ତ ମଣିଷଙ୍କର ଦିବ୍ୟ ଜୀବନ ଲାଭ ନିମିତ୍ତ ଅଭିପ୍ରେତ। ଶ୍ରୀଅରବିନ୍ଦ ୧୫ ଅଗଷ୍ଟ ୧୯୪୭ ଭାରତର ସ୍ବାଧୀନତା ଦିବସରେ ଯେଉଁ ବିବୃତି ଦେଲେ, ସେଥିରେ ଉଲ୍ଲେଖ କଲେ ଯେ ତାଙ୍କ ଜୀବନର ତିନୋଟି ସ୍ବପ୍ନ- ପ୍ରଥମଟି ଭାରତର ସ୍ବାଧୀନତା ଲାଭ, ଦ୍ୱିତୀୟଟି ଏସିଆ ମହାଦେଶର ଜାଗରଣ ଓ ତୃତୀୟଟି ବିଶ୍ୱ-ମୈତ୍ରୀ ରଚନା। ୫ ଡିସେମ୍ବର ୧୯୫୦ରେ, ଯେଉଁଦିନ ଶରୀରରୁ ଶ୍ରୀଅରବିନ୍ଦ ବିଦାୟ ନେଲେ, ସେଦିନ ତାଙ୍କ ଅନୁଗାମୀଙ୍କ ମନଶ୍ଚକ୍ଷୁରେ ଦୃଶ୍ୟ ହେଲା ଶ୍ରୀଅରବିନ୍ଦଙ୍କ ପ୍ରଥମ ଦର୍ଶନ ପରେ ମା’ଙ୍କର ସେଇ ଅନୁଭବ: ”ଦିନେ ପୃଥିବୀରେ ଅନ୍ଧକାର ଜାଗାରେ ଆଲୁଅ ଦେଖାଦେବ ଏବଂ ପୃଥିବୀରେ ପ୍ରତିଷ୍ଠିତ ହେବ ଈଶ୍ୱରଙ୍କର ଜୟ। କାଲି ଯାହା ସଙ୍ଗେ ଦେଖା ହେଲା, ତାଙ୍କର ଉପସ୍ଥିତି ହିଁ ଏହାର ପ୍ରମାଣ।“

-ଡ. ହୃଷୀକେଶ ମଲ୍ଲିକ
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri