Posted inଫୁରସତ

କାଲି ଯାହା ସଙ୍ଗେ ଦେଖାହେଲା

ସାଧନାର ପଥ ବଡ଼ ଦୁର୍ଗମ। ସତର୍କତା ସତ୍ତ୍ୱେ ବାରବାର ପତନର ଆଶଙ୍କା ଥାଏ। ନାନା ବାଧାବିଘ୍ନ ଆସେ। ସମୟ ସମୟରେ ଏପରି ମନେହୁଏ ଯେ, ଆଉ ପାଦେ ବି ଏ ମାର୍ଗରେ ଆଗେଇବା ସମ୍ଭବ ନୁହେଁ। ପଶ୍ଚାତ୍‌ଗତି ହିଁ ଏକମାତ୍ର ବିକଳ୍ପ। କିନ୍ତୁ କେହି କେହି ଯୋଗଜନ୍ମା ଏପରି ଥା’ନ୍ତି, ଯେଉଁମାନେ ଦୃଢ଼ ସଙ୍କଳ୍ପ ହୋଇ ସକଳ ଅନତିକ୍ରମଣୀୟ ମନେ ହେଉଥିବା ବାଧାବିପତ୍ତିକୁ ଅତିକ୍ରମ କରି ଅନ୍ତିମ ଲକ୍ଷ୍ୟରେ ଉପନୀତ ହୋଇଥା’ନ୍ତି। ଏହିପରି ଜଣେ ମହାସାଧକ, ମହାଯୋଗୀ ଓ ମହାକବି ହେଉଛନ୍ତି ଶ୍ରୀଅରବିନ୍ଦ…

ଶ୍ରୀଅରବିନ୍ଦଙ୍କ ବ୍ୟକ୍ତିତ୍ୱରେ ଯେଉଁ ରୂପାନ୍ତର ସମ୍ଭବ ହୋଇଛି, କେବଳ ଭାରତ ନୁହେଁ, ବିଶ୍ୱର କ୍ୱଚିତ୍‌ ନେତା ବା ସନ୍ଥଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି।୨ ଡିସେମ୍ବର ୧୮୯୦ରେ ଶ୍ରୀଅରବିନ୍ଦଙ୍କ ପିତା କୃଷ୍ଣଧନ ତାଙ୍କ ବଡ଼ ଶଳା ଯୋଗେନ୍ଦ୍ରନାଥଙ୍କ ପାଖକୁ ଏକ ଚିଠି ଲେଖିଥିଲେ ଏହିପରି- ”ମୁଁ ହୁଏତ ଦେଖିବି ନାହିଁ, ତୁମେ କିନ୍ତୁ ଦେଖି ଗର୍ବବୋଧ କରିବ ଯେ ତୁମର ତିନି ଭଣଜା ଦେଶର ଶୋଭା ହେବେ ଓ ତୁମ ନାମ ଉଜ୍ଜ୍ୱଳ କରିବେ।“ ଏହି ଚିଠିରେ ସେ ଶ୍ରୀଅରବିନ୍ଦଙ୍କ ସଂପର୍କରେ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଥିଲା ଗୁରୁତ୍ୱପୂର୍ଣ୍ଣ। ସେ ଲେଖିଥିଲେ – ”ଅରୋ ତା’ର ସ୍ବଦେଶକୁ ମହିମା ମଣ୍ଡିତ କରିବ।“ ଧୀରେ ଧୀରେ ନିୟତି ଶ୍ରୀଅରବିନ୍ଦଙ୍କୁ ଏହି ଆଡ଼କୁ ନେଇଚାଲିଲା। ବରୋଦାରେ ଥିବା ବେଳେ ଶ୍ରୀଅରବିନ୍ଦଙ୍କ ପଠନସ୍ପୃହା ଛାତ୍ର ଓ ସହକର୍ମୀମାନଙ୍କୁ ବିସ୍ମିତ କରିଥିଲା।
ଶ୍ରୀଅରବିନ୍ଦଙ୍କ ପଠନ ନିଷ୍ଠା ସମ୍ପର୍କରେ ତାଙ୍କ ବଙ୍ଗଳାଭାଷା-ଶିକ୍ଷକ ଦୀନେନ୍ଦ୍ର କୁମାର ରାୟ ‘ଅରବିନ୍ଦ ପ୍ରସଙ୍ଗେ’ ବହିରେ ଲେଖିଛନ୍ତି: ”ତାଙ୍କୁ ବହି ଉପରେ ବଦ୍ଧ-ଦୃଷ୍ଟି ଅବସ୍ଥାରେ ଏକାଦିକ୍ରମେ ଘଣ୍ଟା ପରେ ଘଣ୍ଟା ବସିଥିବାର ମୁଁ ଦେଖିଛି। ସେତେବେଳେ ସେ ଯୋଗମଗ୍ନ ତପସ୍ବୀ ପରି ବାହ୍ୟଜ୍ଞାନଶୂନ୍ୟ। ଘରେ ନିଆଁ ଲାଗି ଗଲେ ବି ସେ ଜାଣିବେନି।“
ବିଦ୍ୟା-ତପସ୍ବୀ ଶ୍ରୀଅରବିନ୍ଦ ଜୀବନରେ ଆରମ୍ଭରୁ ଥିଲେ କବି। କେମ୍ବ୍ରିଜ୍‌ରେ ଥିବା ବେଳେ ଲେଖୁଥିଲେ ଖୁବ୍‌ ଉଚ୍ଚକୋଟୀର ଇଂଲିଶ୍‌ କବିତା ଓ ବରୋଦା ଆସିବା ପରେ ରାମାୟଣ, ମହାଭାରତର କାହାଣୀକୁ ଭିତ୍ତିକରି ଲେଖିଲେ ଅନେକ କବିତା। ରାମାୟଣ, ମହାଭାରତ ଓ ଋକ୍‌ବେଦର ପ୍ରଖ୍ୟାତ ଅନୁବାଦକ ଲେଖକ ରମେଶ ଚନ୍ଦ୍ର ଦତ୍ତ ବରୋଦା ଗସ୍ତ କାଳରେ ଶ୍ରୀଅରବିନ୍ଦଙ୍କ କବିତା ପଢ଼ି ମନ୍ତବ୍ୟ କରିଥିଲେ- ”ତୁମର ଏସବୁ କବିତା ଦେଖି ରାମାୟଣ-ମହାଭାରତର ଅନୁବାଦ କରି ମୁଁ ପଣ୍ଡଶ୍ରମ କରିଛି ଭାବି ଦୁଃଖ ଲାଗୁଛି। ତୁମ କବିତା ଆଗରୁ ଦେଖିଥିଲେ ମୁଁ ମୋର ଲେଖା କଦାପି ଛପାଇ ନଥା’ନ୍ତି।“ କେବଳ କବିତା ନୁହେଁ, ରାଜନୀତି, ଧର୍ମ, ସ୍ବାଧୀନତା ଓ ଆଧ୍ୟାତ୍ମିକତାକୁ ନେଇ ଶ୍ରୀଅରବିନ୍ଦ ବହୁ ପ୍ରବନ୍ଧ ଇଂଲିଶ୍‌ରେ ଲେଖିଛନ୍ତି, ଯାହା ଦେଶ ବିଦେଶର ବହୁ ମହାମନା ନେତା ଓ ସାଧକଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଶ୍ରୀଅରବିନ୍ଦ ନିଜର ପାଣ୍ଡିତ୍ୟ ବିଜ୍ଞପିତ କରିବା ପାଇଁ ପ୍ରବନ୍ଧ ଲେଖୁ ନଥିଲେ। ଲେଖୁଥିଲେ ଦେଶର ବେଶୀ ଭାଗ ମଣିଷଙ୍କ ମନରେ ରାଜନୀତି ଓ ଆଧ୍ୟାମତ୍ିକ ଚେତନା ଜାଗ୍ରତ କରିବା ପାଇଁ। କାରଣ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଏହି ଅନଗ୍ରସର, ଅପାଠୁଆ ବା କମ୍‌ ପାଠୁଆ ଲୋକଙ୍କ ଉପରେ ଦେଶର ପ୍ରକୃତ ମଙ୍ଗଳ ଓ ଭବିଷ୍ୟତ ନିର୍ଭର କରେ। ତାଙ୍କର ଏହି ଦୃଷ୍ଟିଭଙ୍ଗୀ ପରେ ଗାନ୍ଧିଜୀଙ୍କ ଦେଶବ୍ରତରେ ପ୍ରତିଫଳିତ ହୋଇଥିଲା। ୧୯୨୧ରେ ଗାନ୍ଧିଜୀ ଏକଦା କହିଥିଲେ ”ଜନସାଧାରଣଙ୍କୁ ବାଦ୍‌ ଦେଲେ, ସେମାନଙ୍କ ମଧ୍ୟରେ ମୁକ୍ତିର ଅକାଂକ୍ଷା ଜାଗ୍ରତ ନକଲେ ସ୍ବରାଜ ଲାଭ ସମ୍ଭବ ନୁହେଁ।“
ବରୋଦାରେ ଥିଲା ବେଳେ ଶ୍ରୀଅରବିନ୍ଦ ତନ୍ତ୍ରସାଧନାରେ ଜଡ଼ିତ ହୋଇପଡ଼ିଥିଲେ। ସାନଭାଇ ବାରୀନ୍ଦ୍ର ‘ଭବାନୀ ମନ୍ଦିର’ ପ୍ରତିଷ୍ଠା ପାଇଁ ବିନ୍ଧ୍ୟ ପର୍ବତମାଳାରେ ଜାଗା ଖୋଜି ବୁଲୁଥିବା ବେଳେ ପାହାଡ଼ି ଜ୍ୱରରେ ଆକ୍ରାନ୍ତ ହୋଇ ବରୋଦା ଫେରିଲେ ଓ ଜଣେ ସନ୍ନ୍ୟାସୀ ତାଙ୍କୁ ମନ୍ତ୍ର-ଜଳ ଖୁଆଇ ଆରୋଗ୍ୟ କରାଇଦେଲେ। ଏହି ସନ୍ନ୍ୟାସୀଙ୍କଠାରୁ ଶ୍ରୀଅରବିନ୍ଦ ପାଇଲେ ଯୋଗଶକ୍ତିର ପ୍ରଥମ ପ୍ରମାଣ। ୧୯୦୬ରେ ନର୍ମଦା ନଦୀତୀରରେ ଯୋଗୀ ବ୍ରହ୍ମାନନ୍ଦଙ୍କ ସହ ତାଙ୍କର ସାକ୍ଷାତ୍‌ ହେଲା, ଯିଏ ତିନିଶହ ବର୍ଷ ଧରି ଜୀବିତ ଥିଲେ। କେହି ପ୍ରଣାମ କଲେ ଏହି ସନ୍ନ୍ୟାସୀ ତାଙ୍କୁ ଆଖିବୁଜି ଆଶୀର୍ବାଦ କରନ୍ତି। ମାତ୍ର ଶ୍ରୀଅରବିନ୍ଦ ପ୍ରଣାମ କଲାବେଳେ ତାଙ୍କର ଆଖି ଦୁଇଟି ଖୋଲିଗଲା। ସତେ ଯେମିତି ତାଙ୍କୁ ଦୃଶ୍ୟମାନ ହେଲା ଶ୍ରୀଅରବିନ୍ଦଙ୍କ ହୃଦୟତଳର ଜଗତ। ଚାନ୍ଦୋଦ କାଳୀମନ୍ଦିରରେ ସେ ବିଶ୍ୱଜନନୀଙ୍କୁ ପ୍ରତ୍ୟକ୍ଷ କଲେ। ବରୋଦାରୁ ଆରମ୍ଭ ହୋଇଥିଲା ତାଙ୍କର ଯୋଗାଭ୍ୟାସ। ଯୋଗୀ ବିଷ୍ଣୁ ଭାସ୍କର ଲେଲେ ଥିଲେ ତାଙ୍କ ସାଧନାର ସାଥୀ ଓ ଗୁରୁ। ଲେଲେ ତାଙ୍କୁ ଶିଖାଇଥିଲେ କିପରି ଅନ୍ୟ କିଛି ଚିନ୍ତା ନକରି ଧ୍ୟାନ ସାହାଯ୍ୟରେ ନିଜ ଭିତରେ ବୁଡ଼ି ଯାଇହୁଏ। ଲେଲେ ମଧ୍ୟ ତାଙ୍କୁ କହିଥିଲେ ଯେ, ସଭାସମିତିରେ ବକ୍ତୃତା ଦେବାବେଳେ ତାଙ୍କୁ ଭାଷା ଖୋଜିବାକୁ ପଡ଼ିବ ନାହିଁ। କହିବାର କଥା ଆପଣାଛାଏଁ ମନର ଉପର ସ୍ତରରୁ ତାଙ୍କ ମୁଖ ଦେଇ ବାହାରି ଆସିବ। ଏକଥା ସର୍ବଜନବିଦିତ ଯେ ଆଲିପୁର ଜେଲ୍‌ରେ ଶ୍ରୀଅରବିନ୍ଦ ଚୋର-ଡକାୟତଙ୍କ ଭିତରେ ଥାଇ ବି ଦର୍ଶନ କଲେ ଶ୍ରୀକୃଷ୍ଣଙ୍କୁ।
ଶ୍ରୀଅରବିନ୍ଦ ଥିଲେ ‘ଧର୍ମଚେତନା’ ଓ ‘ସ୍ବାଧୀନତାବୋଧ’ର ବିକଳ୍ପହୀନ ସଂଯୋଗ ସେତୁ। ଯେଉଁ ସ୍ବାଧୀନତା ଦେଶର ମଣିଷକୁ ବିଶ୍ୱ ସେବା ପାଇଁ ଯୋଗ୍ୟ କରାଇପାରିବ ନାହିଁ, ସେ ସ୍ବାଧୀନତାରେ ତାଙ୍କର ବିଶ୍ୱାସ ନଥିଲା। ସେ ତାଙ୍କ ଅନ୍ତର୍ଦୃଷ୍ଟିରେ ସ୍ଥିର ନିଶ୍ଚିତ ହୋଇ ସାରିଥିଲେ ଯେ, ଦେଶର ସ୍ବାଧୀନତା ଆନ୍ଦୋଳନ ପ୍ରେକ୍ଷାପଟରେ ଅବିଳମ୍ବେ ଆବିର୍ଭୂତ ହେବେ ଏପରି ଜଣେ ନେତା, ଯେ ବିପଦରେ ଭାଙ୍ଗି ପଡ଼ିବେ ନାହିଁ, ହତାଶା ଯାହାଙ୍କୁ ଗ୍ରାସ କରିବ ନାହିଁ। ଏଥିପାଇଁ ଜାତୀୟତାବାଦୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ‘କର୍ମଯୋଗୀନ୍‌’ ପତ୍ରିକାର ଏକ ‘ଖୋଲାଚିଠି’ରେ ଭବିଷ୍ୟବାଣୀ କରିଥିଲେ। ଏହି ନେତା ଯେ,ଅବିସଂବାଦିତ ଭାବେ ଗାନ୍ଧିଜୀ ତାହା ଉଲ୍ଲେଖର ଅପେକ୍ଷା ରଖେ ନାହିଁ। ପଣ୍ଡିଚେରୀରେ ଆରମ୍ଭ ହେଲା ଶ୍ରୀଅରବିନ୍ଦଙ୍କ ଜୀବନର ପରିଣତି ପର୍ବ। ତନ୍ତ୍ରରୁ ମନ ଫେରାଇ ସେ ବେଦାନ୍ତ ମନନରେ ନିଜର ଦୃଷ୍ଟି ନିବଦ୍ଧ କଲେ। ସେ ଏଥର ନିଶ୍ଚିତ ହେଲେ ଯେ ବେଦାନ୍ତ ହିଁ ହେବ ଭାବୀକାଳର ଧର୍ମ।
ପଣ୍ଡିଚେରୀରେ ନିଃସଙ୍ଗ ତପଶ୍ଚର୍ଯ୍ୟାରେ ନିମଗ୍ନ ଥାଇ ବି ଶ୍ରୀଅରବିନ୍ଦ ଭାରତର ରାଜନୈତିକ ଗତିବିଧି ପ୍ରତି ନିଜର ବହିର୍ଦୃଷ୍ଟିକୁ ତଥାପି ଉନ୍ମୁକ୍ତ ରଖିଥିଲେ- ଏକଥା ଲକ୍ଷ୍ୟ କରି ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଅବିନାଶ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଯେତେବେଳେ ଏହାର ରହସ୍ୟ ଜାଣିବାକୁ ଚାହିଁଲେ, ଶ୍ରୀଅରବିନ୍ଦ କହିଲେ, ”ମୁଁ ତ ନିଜର ମୁକ୍ତି ପାଇଁ ଜପତପ କରୁନାହିଁ। ସମସ୍ତ ପୃଥିବୀର ମଙ୍ଗଳ ପାଇଁ ମୋର ସାଧନା।“ ଲକ୍ଷ୍ନୌରେ ଯେତେବେଳେ ହିନ୍ଦୁ-ମୁସଲିମ୍‌ମାନଙ୍କ ବିଭେଦ ମୋଚନ ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେଲା, ଶ୍ରୀଅରବିନ୍ଦ ଏଥିରେ ନିଜର ଅସନ୍ତୋଷ ବ୍ୟକ୍ତ କଲେ। ତାଙ୍କ ମତରେ ଏପରି ଚୁକ୍ତି ଦ୍ୱାରା ହିନ୍ଦୁ ଓ ମୁସଲମାନ ଦୁଇଟି ଅଲଗା ଜାତି ବୋଲି ସ୍ବୀକାର କରିନିଆଗଲା। ତାଙ୍କ ମତରେ ଏହି ଦୁଇଜାତି ଏକ ଭାରତୀୟ। ଭାରତବର୍ଷରେ ସମସ୍ତେ ଏକ ଓ ଅଭିନ୍ନ। ଏଇଥିରୁ ବୁଝିହୁଏ ଶ୍ରୀଅରବିନ୍ଦଙ୍କ ରାଜନୈତିକ ଦୂରଦୃଷ୍ଟି କିପରି ଆଧ୍ୟାମତ୍ିକ ଅନୁଭବରେ ସମାହିତ ଓ ସନ୍ଦୀପିତ ଥିଲା। ଲକ୍ଷ୍ନୌ ଚୁକ୍ତିର ଐତିହାସିକ ଭୁଲ୍‌ଟି ହୋଇ ନ ଥିଲେ ଭାରତ ହୁଏତ ଆଜି ଅଖଣ୍ଡ ରହିଥା’ନ୍ତା, ଏ ଭାବନା ମନରେ ଉଦିତ ହୁଏ।
୨୪ ନଭେମ୍ବର ୧୯୨୬ରେ ଶ୍ରୀଅରବିନ୍ଦ ତାଙ୍କର ଅନୁଗାମୀମାନଙ୍କୁ ଶେଷ ଆଶୀର୍ବାଦ ଦେଇ ସବୁଦିନ ପାଇଁ ଅନ୍ତରାଳକୁ ଚାଲିଗଲେ। ଏହି ଦିନଟି ଥିଲା ଶ୍ରୀଅରବିନ୍ଦଙ୍କ ଦେହରେ ଶ୍ରୀକୃଷ୍ଣଙ୍କ ଅବତରଣର ଦିନ। ଏହାପରେ ଅନ୍ତରାଳରେ ତାଙ୍କର ଆରମ୍ଭ ହେଲା ଯେଉଁ ତପସ୍ୟା, ତାହା ଥିଲା ସମସ୍ତ ମଣିଷଙ୍କର ଦିବ୍ୟ ଜୀବନ ଲାଭ ନିମିତ୍ତ ଅଭିପ୍ରେତ। ଶ୍ରୀଅରବିନ୍ଦ ୧୫ ଅଗଷ୍ଟ ୧୯୪୭ ଭାରତର ସ୍ବାଧୀନତା ଦିବସରେ ଯେଉଁ ବିବୃତି ଦେଲେ, ସେଥିରେ ଉଲ୍ଲେଖ କଲେ ଯେ ତାଙ୍କ ଜୀବନର ତିନୋଟି ସ୍ବପ୍ନ- ପ୍ରଥମଟି ଭାରତର ସ୍ବାଧୀନତା ଲାଭ, ଦ୍ୱିତୀୟଟି ଏସିଆ ମହାଦେଶର ଜାଗରଣ ଓ ତୃତୀୟଟି ବିଶ୍ୱ-ମୈତ୍ରୀ ରଚନା। ୫ ଡିସେମ୍ବର ୧୯୫୦ରେ, ଯେଉଁଦିନ ଶରୀରରୁ ଶ୍ରୀଅରବିନ୍ଦ ବିଦାୟ ନେଲେ, ସେଦିନ ତାଙ୍କ ଅନୁଗାମୀଙ୍କ ମନଶ୍ଚକ୍ଷୁରେ ଦୃଶ୍ୟ ହେଲା ଶ୍ରୀଅରବିନ୍ଦଙ୍କ ପ୍ରଥମ ଦର୍ଶନ ପରେ ମା’ଙ୍କର ସେଇ ଅନୁଭବ: ”ଦିନେ ପୃଥିବୀରେ ଅନ୍ଧକାର ଜାଗାରେ ଆଲୁଅ ଦେଖାଦେବ ଏବଂ ପୃଥିବୀରେ ପ୍ରତିଷ୍ଠିତ ହେବ ଈଶ୍ୱରଙ୍କର ଜୟ। କାଲି ଯାହା ସଙ୍ଗେ ଦେଖା ହେଲା, ତାଙ୍କର ଉପସ୍ଥିତି ହିଁ ଏହାର ପ୍ରମାଣ।“

-ଡ. ହୃଷୀକେଶ ମଲ୍ଲିକ
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?