ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କର ଭୋଗ ସମ୍ପୂର୍ଣ୍ଣ ହୋଇନଥାଏ। ଏପରିକି ବାସି ହୋଇଯାଇଥିବା ତୁଳସୀ ପତ୍ର ମଧ୍ୟ ଠାକୁରଙ୍କ ଚରଣରେ ଅର୍ପଣ କରାଯାଇପାରେ ଯାହା ଏହାର ପବିତ୍ରତା ଓ ସ୍ୱତନ୍ତ୍ର ମହାତ୍ମ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଇଥାଏ । ତୁଳସୀ କାଠରୁ ପ୍ରସ୍ତୁତ କଣ୍ଠି ମାଳାକୁ ଶ୍ରଦ୍ଧାଳୁମାନେ ନିଜ ବେକରେ ଶ୍ରଦ୍ଧା ଓ ନିଷ୍ଠାର ସହ ଧାରଣ କରିଥା’ନ୍ତି । ଖାସ୍ କରି ବୈଷ୍ଣବ ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ପରମ ଭକ୍ତମାନଙ୍କ ପାଇଁ ଏହି କଣ୍ଠି ମାଳା ଧାରଣ କରିବା ଏକ ଅନିବାର୍ଯ୍ୟ ଆଧ୍ୟାତ୍ମିକ ନିୟମ ଓ ସଂସ୍କାର । କଣ୍ଠି ମାଳା କେବଳ ଏକ ବାହ୍ୟ ଧାର୍ମିକ ପ୍ରତୀକ ନୁହେଁ ବରଂ ଏହା ମାନବ ଶରୀର, ମନ ଓ ଆତ୍ମାକୁ ସାତ୍ତ୍ୱିକତା, ମାନସିକ ଶାନ୍ତି ଏବଂ ଈଶ୍ୱରୀୟ ଦିବ୍ୟ ଶକ୍ତି ପ୍ରଦାନ କରିଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି।
ତୁଳସୀ ମାଳା ଧାରଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ଯେତିକି ପୁଣ୍ୟଦାୟକ ଏହାର ନିୟମାବଳୀ ପାଳନ କରିବା ସେତିକି କଠୋର । ଏହି ମାଳା ପିନ୍ଧୁଥିବା ବ୍ୟକ୍ତିଙ୍କୁ ନିଜର ଆହାର, ବିଚାର ଓ ଆଚରଣରେ ପୂର୍ଣ୍ଣ ସାତ୍ତ୍ୱିକତା ବଜାୟ ରଖିବାକୁ ପଡ଼ିଥାଏ। ଏହାର ସବୁଠାରୁ ମୁଖ୍ୟ ନିୟମ ହେଉଛି ତୁଳସୀ କଣ୍ଠି ଧାରଣକାରୀ ବ୍ୟକ୍ତି କଦାପି ଆମିଶ ଆହାର କରିବେ ନାହିଁ । ଏହାସହିତ ରସୁଣ ଓ ପିଆଜ ସେବନରୁ ମଧ୍ୟ ସମ୍ପୂର୍ଣ୍ଣ ଦୂରେଇ ରହିବା ଆବଶ୍ୟକ କାରଣ ହିନ୍ଦୁ ଶାସ୍ତ୍ରରେ ରସୁଣ ଓ ପିଆଜକୁ ‘ତାମସିକ’ ଆହାର ଭାବେ ଗଣନା କରାଯାଇଛି। ତାମସିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ମନରେ ଅଶାନ୍ତି, କ୍ରୋଧ ସୃଷ୍ଟି ହୋଇଥାଏ, ଯାହା ଭଗବାନଙ୍କ ପ୍ରତି ଥିବା ନିଷ୍କାମ ଭକ୍ତି ମାର୍ଗରେ ବଡ଼ ବାଧା ଉପୁଜାଇଥାଏ। ତେଣୁ ଏହି ନିୟମଗୁଡ଼ିକର ଅବମାନନା କଲେ କଣ୍ଠି ମାଳାର ପବିତ୍ରତା ନଷ୍ଟ ହୋଇଥାଏ। ଏହାଛଡ଼ା ତୁଳସୀ ମାଳା ଦ୍ୱାରା ମନ୍ତ୍ର ଜପ କରିବା ନେଇ ମଧ୍ୟ ଶାସ୍ତ୍ରରେ ସ୍ୱତନ୍ତ୍ର ନିୟମ ରହିଛି। ଏହି ମାଳାରେ ଭଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ଦିବ୍ୟ ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭ ଓ ଫଳଦାୟୀ । ଭଗବାନ ଶିବ,ମା’ ଦୁର୍ଗା କିମ୍ବା ଭଗବତୀଙ୍କ ମନ୍ତ୍ର ଜପ ପାଇଁ ତୁଳସୀ ମାଳା ବ୍ୟବହାର ନକରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଯଦି ଜଣେ ବ୍ୟକ୍ତି ନିଜ ବେକରେ ତୁଳସୀ କଣ୍ଠି ମାଳା ଧାରଣ କରିବାକୁ ଚାହାନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ନିଷ୍ଠା, ଶୁଦ୍ଧତା ଓ ସାତ୍ତ୍ୱିକ ଜୀବନଶୈଳୀ ଆପଣାଇବାକୁ ପଡ଼ିବ। ନିୟମର ଅନାଦର କରି ଏହାକୁ ଧାରଣ କଲେ ଶୁଭଫଳ ବଦଳରେ ପାପର ଭାଗୀଦାର ହେବାକୁ ପଡ଼ିଥାଏ। ତେଣୁ କଣ୍ଠି ମାଳାର ମର୍ଯ୍ୟାଦା ଓ ପବିତ୍ରତା ରକ୍ଷା କରି ଭକ୍ତିପୂର୍ବକ ଏହାକୁ ଧାରଣ କଲେ ମାନବ ଜୀବନ ସାର୍ଥକ, ସୁଖମୟ ଓ ମଙ୍ଗଳମୟ ହୋଇଥାଏ।

