କରୋନା ଓ ମାଂସାହାର

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ ଏହାର ସୃଷ୍ଟି। ସାଧାରଣତଃ ଚାଇନା ଲୋକଙ୍କ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ ବିଭିନ୍ନ କିମ୍ଭୁତକିମାକାର ଜୀବଜନ୍ତୁଙ୍କ ମାଂସ ବା ଅଙ୍ଗ। ବିଶେଷ କରି ବାଦୁଡି ମାଂସ ହେଉଛି ସେମାନଙ୍କର ପ୍ରିୟ ଖାଦ୍ୟ। ସେହି ବାଦୁଡି ଦେହରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ପ୍ରଥମେ ଚାଇନାବାସୀଙ୍କ ଦେହରେ ବସା ବାନ୍ଧିଲା ଏବଂ ସାରା ବିଶ୍ବକୁ ବ୍ୟାପିଗଲା ବୋଲି ଚାଲିଛି ପ୍ରଚାର। ବାସ୍ତବରେ କରୋନା ଭୂତାଣୁ ବାଦୁଡ଼ି ଦେହରୁ ସୃଷ୍ଟି ହୋଇଛି କି ଅନ୍ୟ ଉପାୟରେ ଆସିଛି, ତାହା ଗବେଷଣାର ବିଷୟ। ମାତ୍ର ଏକଥା ସତ୍ୟ ଯେ ମଣିଷ ଉପରେ ଭୂତାଣୁ ଆକ୍ରମଣ କିଛି ନୂଆ କଥା ନୁହେଁ, ବରଂ ଯେବେଠାରୁ ମଣିଷ ପ୍ରାକୃତିକ ଜୀବନଚକ୍ର ପ୍ରତି ହିଂସ୍ର ଆଚରଣ କରି ଆସିଛି, ସେବେଠାରୁ ଆରମ୍ଭ ହୋଇଛି ଏ ବିଡମ୍ବନା।
ଇତିହାସ କହେ ଆଦିମ ମଣିଷ ଯେତେବେଳେ ବଣ ଜଙ୍ଗଲରେ ବାସ କରୁଥିଲା, ସେତେବେଳେ ପଶୁ ପକ୍ଷୀ ଶିକାର ଥିଲା ତା’ର କ୍ଷୁଧା ନିବାରଣର ପ୍ରଧାନ ଅବଲମ୍ବନ। ପଶୁ ପାଳନ ଶିଖିଲା ପରେ ତାକୁ ଆଉ ଶିକାର ଅନ୍ବେଷଣରେ ଦିନ ଦିନ ବୁଲିବାକୁ ପଡିଲାନି ଦୁର୍ଗମ ଅରଣ୍ୟରେ। ସମୟକ୍ରମେ କୃଷିର ବିକାଶ ହେବାରୁ ମଣିଷ ଏକ ବ୍ୟବସ୍ଥିତ ଜୀବନ ଜିଇଲା ଓ ମାଂସ ପରିବର୍ତ୍ତେ ଶସ୍ୟ ହେଲା ତା’ର ପ୍ରଧାନ ଖାଦ୍ୟ। ତଥାପି ମାଂସପ୍ରିୟ ମଣିଷ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ପଶୁପକ୍ଷୀ ହତ୍ୟା କରି ଚାଲିଲା ଅବିଚାରିତ ଭାବରେ। ଏହି ପଶୁପକ୍ଷୀ ଲବ୍ଧ କିଛି ଖାଦ୍ୟ ଓ ଦୂଷିତ ଜଳ ଯୋଗୁ ବଢିଲା ଜୀବାଣୁ ଓ ଭୂତାଣୁଜନିତ ସଂକ୍ରମଣ।
ଏହି କ୍ରମରେ ଶରୀର ବିଜ୍ଞାନର ଉନ୍ନତି ହେଲା ଏବଂ ମଣିଷ ଜାଣିଲା ନୀରୋଗ ରହିବା ପାଇଁ ଆମ ଶରୀର ଆବଶ୍ୟକ କରେ ସାତ୍ତ୍ୱିକ ଆହାର। ଅନ୍ୟ ପକ୍ଷରେ ଅପ୍ରାକୃତିକ ଆହାର ଶରୀର ଭିତରେ ସୃଷ୍ଟି କରେ ନାନା ବିଭ୍ରାଟ। ଏହାକୁ ଦୃଷ୍ଟିରେ ରଖି ଆମ ପୂର୍ବଜମାନେ ଶହ ଶହ ବର୍ଷର ପରୀକ୍ଷା ନିରୀକ୍ଷା ପରେ ନିର୍ଦ୍ଧାରଣ କଲେ ପରିବେଶ ଉପଯୋଗୀ ଖାଦ୍ୟ ଓ ତା’ର ପ୍ରସ୍ତୁତି ପ୍ରଣାଳୀ। ଜିହ୍ବା ଲାଳସାର ନିୟନ୍ତ୍ରଣ ପାଇଁ ଶାସ୍ତ୍ର, ପୁରାଣ ଓ ନୀତି କଥାରେ ନାନା ଉପାଦେୟ ପରାମର୍ଶ ସଂଯୋଜିତ କଲେ । ଖାଦ୍ୟ ଶୃଙ୍ଖଳା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆମ ଆଚାର୍ଯ୍ୟମାନେ ତାକୁ ଧର୍ମ ସହିତ ଯୋଡିଦେଲେ ଅତି ଚତୁରତାର ସହିତ। ଭାରତୀୟ ପ୍ରାଚୀନ ଚିକିତ୍ସା ବିଜ୍ଞାନୀମାନେ ଏହାକୁ ସମର୍ଥନ କରି କହିଲେ ସରଳ, ସାତ୍ତ୍ୱିକ ଓ ସତେଜ ଭୋଜନ ହିଁ ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ ଲୋକ ପାଇଁ ପ୍ରକୃଷ୍ଟ ଆହାର। କାରଣ ଆମ ଶରୀରକୁ ଶାକାହାରୀ କରି ଗଢିଛି ପ୍ରକୃତି। ମଣିଷ ଶରୀର ଗଠନ ପ୍ରଣାଳୀ ସଂପର୍କରେ ଅଧ୍ୟୟନ କରୁଥିବା ନୃତତ୍ତ୍ବ ବିଜ୍ଞାନୀମାନେ କହନ୍ତି, ମଣିଷର ଅନ୍ତନଳୀ ଓ ଆମାଶୟ କେବଳ ଶାକାହାର ଓ ଫଳାହାର ପାଇଁ ଉପଯୁକ୍ତ। ମଣିଷର ଦାନ୍ତ ବାଘ ଓ କୁକୁର ଆଦି ମାଂସାଶୀ ପ୍ରାଣୀଙ୍କ ଦାନ୍ତ ପରି ନୁହେଁ, ବରଂ ଏହା ତୃଣଜାତୀୟ ଖାଦ୍ୟ ଖାଉଥିବା ଗାଈ ବା ଘୋଡ଼ାର ଦାନ୍ତ ପରି। ଅର୍ଥାତ୍‌ ପ୍ରକୃତି ଆମକୁ ଦେଇନି ମାଂସକୁ ସହଜରେ ଚର୍ବଣ ଓ ଜୀର୍ଣ୍ଣ କରିବାର ଶକ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନୀ କହନ୍ତି, ମାଂସାହାର ଦ୍ବାରା ମଣିଷ ଶରୀର ଭିତରକୁ ପ୍ରବେଶ କରୁଥିବା କୋଷଗୁଡିକ ଭିତରର କୋଷ ପରି ସମ ଭାବରେ ସଂଜୀବିତ। ତେଣୁ ବାହାରର ଜୀବନ୍ତ କୋଷଗୁଡିକ ବଞ୍ଚି ରହିବା ପାଇଁ ଭିତରର କୋଷ ସହିତ ସଂଘର୍ଷ କରନ୍ତି, ଯାହା ଫଳରେ ଆମ ଶରୀର ଭିତରେ ସୃଷ୍ଟି ହୁଏ ଟକସିନ୍‌ ବା ବିଷ କ୍ରିୟା। ଏହାଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯିବା ସହିତ ଖର୍ବ ହୁଏ ଆୟୁଷ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ, ମାଂସାହାର ସବୁଠାରୁ ଘୃଣ୍ୟ ଓ ନିନ୍ଦନୀୟ। ଜୈନ ଓ ବୌଦ୍ଧ ଯୁଗରେ ଅହିଂସା ଏକ ଦିବ୍ୟ ନୀତିର ମାନ୍ୟତା ଲାଭ କରିବା ସହିତ ସାତ୍ତ୍ୱିକ ଆହାର ପ୍ରତି ପ୍ରକାଶ ପାଇଥିଲା ଆଦର ଓ ଆଗ୍ରହ। ଆମ ଧର୍ମ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି ସବୁ ଜୀବର ଆତ୍ମା ଏକ। ତେଣୁ ଗୋଟିଏ ଶରୀରକୁ କଷ୍ଟ ଦେଲେ କଷ୍ଟ ପାଏ ଆଉ ଗୋଟିଏ ଶରୀର। ସେଥିପାଇଁ ସନ୍ଥକବି ଭୀମ ଭୋଇ ଲେଖିଛନ୍ତି-”ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ।“ ବାସ୍ତବରେ ଯଦି କେହି ଅନ୍ୟର ପୀଡା ଅନୁଭବ କରିପାରୁନି, ତେବେ ବୁଝିବାକୁ ହେବ ସେ ଏକ ଆଧ୍ୟାତ୍ମିକ ଚେତନାହୀନ ମଣିଷ। ଶାସ୍ତ୍ର କହେ ଆମିଷ ଭକ୍ଷଣ ଯୋଗୁ କାମ, କ୍ରୋଧ, ଈର୍ଷା ଓ ଉତ୍ତେଜନାର ବଶବର୍ତ୍ତୀ ହୁଏ ମଣିଷ। ଇନ୍ଦ୍ରିୟମାନେ ଉଚ୍ଛୃଙ୍ଖଳ ହେବା ଫଳରେ ମନ ସଂଯମ ହରାଇ ବସେ । ଅନ୍ୟପକ୍ଷରେ ମଣିଷର ଆଧ୍ୟାତ୍ମିକ ଜୀବନକୁ ଅଧିକ ରୁଦ୍ଧିମନ୍ତ, ତାତ୍ପର୍ଯ୍ୟପୂର୍ଣ୍ଣ ଓ ସଫଳ କରିବା ସହ ସାଧନା ସିକ୍ତ ଜୀବନ ପ୍ରତି ସ୍ବତନ୍ତ୍ର ରୁଚି ବା ଆକର୍ଷଣ ସୃଷ୍ଟି କରେ ସାତ୍ତ୍ୱିକ ଆହାର। ପରିବେଶବିତ୍‌ଙ୍କ ମତରେ ଜୈବ ସନ୍ତୁଳନ ରକ୍ଷା ପାଇଁ ମାନବ ଓ ପଶୁପକ୍ଷୀଙ୍କ ସଂଖ୍ୟା ଏକ ନିର୍ଦ୍ଦିଷ୍ଟ ଅନୁପାତ ଭିତରେ ରହିବା ଜରୁରୀ। ମାତ୍ର ମଣିଷର ମାଂସ ଲାଳସା ଯୋଗୁଁ କ୍ରମାଗତ ଭାବରେ ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଲେଣି କେତେ ପ୍ରଜାତିର ଜୀବଜନ୍ତୁ। ଏହାଦ୍ବାରା ଗଭୀର ଭାବରେ ପ୍ରଭାବିତ ହେଲାଣି ପର୍ଯ୍ୟାବରଣ। ଗବେଷକମାନଙ୍କ ମତରେ ମାଂସ ଉତ୍ପାଦନ ପାଇଁ ବିପଦଗ୍ରସ୍ତ ହେଉଛି ପରିବେଶ। ବିଶେଷକରି ଗୋମାଂସ ଓ ଛେଳି ମେଣ୍ଢା ଜାତୀୟ ମାଂସର ଉତ୍ପାଦନ ପାଇଁ ଆବଶ୍ୟକ ହେଉଛି ବିସ୍ତୃତ ଚାରଣ ଭୂଇଁ ଓ ପର୍ଯାପ୍ତ ଜଳ। ଏସବୁ ଖାଦ୍ୟର ପ୍ରକ୍ରିୟାକରଣ ପାଇଁ ମଧ୍ୟ ଅଧିକ ଇନ୍ଧନ ଆବଶ୍ୟକ ହେଉଛି ଏବଂ ତଜ୍ଜନିତ ଅଙ୍ଗାରକାମ୍ଳ କ୍ରମାଗତ ବିଗିଡିବାରେ ଲାଗିଛି ପରିବେଶ।
ଈଶ୍ବରଙ୍କ ସୃଷ୍ଟିରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବରେ ମଣିଷ ଜାଣେ ଯେ ମାଂସାହାର ତା’ ଶରୀର ପାଇଁ ଆଦୌ ଉପଯୋଗୀ ନୁହେଁ, ଏହା ସତ୍ତ୍ୱେ ସେ ମାଂସ ଖାଇବାକୁ ଆଗ୍ରହ ପ୍ରକାଶ କରେ କେବଳ ଜିହ୍ବା ଲାଳସା ପାଇଁ। ଅର୍ଥାତ୍‌ ମାଂସ ତା’ ପାଇଁ ସ୍ବାଦିଷ୍ଟ। ମାତ୍ର ସ୍ବାଦ ମାଂସରେ ନ ଥାଏ, ଥାଏ ସେଥିରେ ପ୍ରୟୋଗ ହେଉଥିବା ବିଭିନ୍ନ ମସଲାରେ। ତେଣୁ ମାଂସାହାର ପ୍ରତି ମଣିଷର ଯେଉଁ ରୁଚି ରହିଛି, ତାହା ହେଉଛି ଏକ ବିକୃତ ରୁଚି। ସେହି କାରଣରୁ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ତଥା ବିପଜ୍ଜନକ ପଦ୍ଧତିରେ ଚାଷ କରା ଯାଉଥିବା ମାଛ, ଛେଳି ଓ କୁକୁଡା ଆଦିକୁ ସେ ଖାଉଛି ଅତି ଆଗ୍ରହର ସହିତ। ଏକ ଆକଳନ ଅନୁସାରେ ଏହି ବିକୃତ ରୁଚିଠାରୁ ଦୂରେଇ ଯାଇ ସବୁ ମାଂସାହାରୀ ଯଦି ଶାକାହାରୀ ପାଲଟି ଯିବେ, ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ ପାଇଯିବ ଅନାହାର। ଅନେକାଂଶରେ ଲାଘବ ହୋଇଯିବ ଜଳକଷ୍ଟ। ଉପରୋକ୍ତ ପ୍ରେକ୍ଷାପଟରେ ଆଲୋଚ୍ୟ ଆଧ୍ୟାତ୍ମିକ, ବୈଜ୍ଞାନିକ, ଶାରୀରିକ, ନୈତିକ ଓ ସାମାଜିକ ଆଦି ଯେ କୌଣସି ଦୃଷ୍ଟିରୁ ବି ଆଦୌ ଗ୍ରହଣୀୟ ମନେହୁଏନି ମାଂସାହାର। ଆମେ ଆମର ବିବେକକୁ ଅଗ୍ରାଧିକାର ଦେଇ ଭାବିଲେ ବି ଜାଣିପାରିବା ଗୋଟିଏ ଜୀବର ଚେତନା ଓ ପ୍ରଗତିକୁ ଅବରୁଦ୍ଧ କରି ଆମିଷ ଭକ୍ଷଣ କରିବା କି ବିକୃତ ରୁଚିର ପରିଚାୟକ। ଆମେ ଭାରତବାସୀ ଯଦି ଏହି ବିକୃତ ରୁଚିର ବଶବର୍ତ୍ତୀ ହୋଇ ଜୀବହତ୍ୟା କରିବା, ତେବେ ବିଶ୍ବକୁ କି ସଂଦେଶ ଦେବ ‘ବସୁଧୈବ କୁଟୁମ୍ବ କମ୍‌ ଭାବନା’ ପୋଷଣ କରି ଆସିଥିବା ଏ ଦେଶ ?

ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡା, ମୟୂରଭଞ୍ଜ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri