କରୋନା ଓ ମାଂସାହାର

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ ଏହାର ସୃଷ୍ଟି। ସାଧାରଣତଃ ଚାଇନା ଲୋକଙ୍କ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ ବିଭିନ୍ନ କିମ୍ଭୁତକିମାକାର ଜୀବଜନ୍ତୁଙ୍କ ମାଂସ ବା ଅଙ୍ଗ। ବିଶେଷ କରି ବାଦୁଡି ମାଂସ ହେଉଛି ସେମାନଙ୍କର ପ୍ରିୟ ଖାଦ୍ୟ। ସେହି ବାଦୁଡି ଦେହରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ପ୍ରଥମେ ଚାଇନାବାସୀଙ୍କ ଦେହରେ ବସା ବାନ୍ଧିଲା ଏବଂ ସାରା ବିଶ୍ବକୁ ବ୍ୟାପିଗଲା ବୋଲି ଚାଲିଛି ପ୍ରଚାର। ବାସ୍ତବରେ କରୋନା ଭୂତାଣୁ ବାଦୁଡ଼ି ଦେହରୁ ସୃଷ୍ଟି ହୋଇଛି କି ଅନ୍ୟ ଉପାୟରେ ଆସିଛି, ତାହା ଗବେଷଣାର ବିଷୟ। ମାତ୍ର ଏକଥା ସତ୍ୟ ଯେ ମଣିଷ ଉପରେ ଭୂତାଣୁ ଆକ୍ରମଣ କିଛି ନୂଆ କଥା ନୁହେଁ, ବରଂ ଯେବେଠାରୁ ମଣିଷ ପ୍ରାକୃତିକ ଜୀବନଚକ୍ର ପ୍ରତି ହିଂସ୍ର ଆଚରଣ କରି ଆସିଛି, ସେବେଠାରୁ ଆରମ୍ଭ ହୋଇଛି ଏ ବିଡମ୍ବନା।
ଇତିହାସ କହେ ଆଦିମ ମଣିଷ ଯେତେବେଳେ ବଣ ଜଙ୍ଗଲରେ ବାସ କରୁଥିଲା, ସେତେବେଳେ ପଶୁ ପକ୍ଷୀ ଶିକାର ଥିଲା ତା’ର କ୍ଷୁଧା ନିବାରଣର ପ୍ରଧାନ ଅବଲମ୍ବନ। ପଶୁ ପାଳନ ଶିଖିଲା ପରେ ତାକୁ ଆଉ ଶିକାର ଅନ୍ବେଷଣରେ ଦିନ ଦିନ ବୁଲିବାକୁ ପଡିଲାନି ଦୁର୍ଗମ ଅରଣ୍ୟରେ। ସମୟକ୍ରମେ କୃଷିର ବିକାଶ ହେବାରୁ ମଣିଷ ଏକ ବ୍ୟବସ୍ଥିତ ଜୀବନ ଜିଇଲା ଓ ମାଂସ ପରିବର୍ତ୍ତେ ଶସ୍ୟ ହେଲା ତା’ର ପ୍ରଧାନ ଖାଦ୍ୟ। ତଥାପି ମାଂସପ୍ରିୟ ମଣିଷ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ପଶୁପକ୍ଷୀ ହତ୍ୟା କରି ଚାଲିଲା ଅବିଚାରିତ ଭାବରେ। ଏହି ପଶୁପକ୍ଷୀ ଲବ୍ଧ କିଛି ଖାଦ୍ୟ ଓ ଦୂଷିତ ଜଳ ଯୋଗୁ ବଢିଲା ଜୀବାଣୁ ଓ ଭୂତାଣୁଜନିତ ସଂକ୍ରମଣ।
ଏହି କ୍ରମରେ ଶରୀର ବିଜ୍ଞାନର ଉନ୍ନତି ହେଲା ଏବଂ ମଣିଷ ଜାଣିଲା ନୀରୋଗ ରହିବା ପାଇଁ ଆମ ଶରୀର ଆବଶ୍ୟକ କରେ ସାତ୍ତ୍ୱିକ ଆହାର। ଅନ୍ୟ ପକ୍ଷରେ ଅପ୍ରାକୃତିକ ଆହାର ଶରୀର ଭିତରେ ସୃଷ୍ଟି କରେ ନାନା ବିଭ୍ରାଟ। ଏହାକୁ ଦୃଷ୍ଟିରେ ରଖି ଆମ ପୂର୍ବଜମାନେ ଶହ ଶହ ବର୍ଷର ପରୀକ୍ଷା ନିରୀକ୍ଷା ପରେ ନିର୍ଦ୍ଧାରଣ କଲେ ପରିବେଶ ଉପଯୋଗୀ ଖାଦ୍ୟ ଓ ତା’ର ପ୍ରସ୍ତୁତି ପ୍ରଣାଳୀ। ଜିହ୍ବା ଲାଳସାର ନିୟନ୍ତ୍ରଣ ପାଇଁ ଶାସ୍ତ୍ର, ପୁରାଣ ଓ ନୀତି କଥାରେ ନାନା ଉପାଦେୟ ପରାମର୍ଶ ସଂଯୋଜିତ କଲେ । ଖାଦ୍ୟ ଶୃଙ୍ଖଳା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆମ ଆଚାର୍ଯ୍ୟମାନେ ତାକୁ ଧର୍ମ ସହିତ ଯୋଡିଦେଲେ ଅତି ଚତୁରତାର ସହିତ। ଭାରତୀୟ ପ୍ରାଚୀନ ଚିକିତ୍ସା ବିଜ୍ଞାନୀମାନେ ଏହାକୁ ସମର୍ଥନ କରି କହିଲେ ସରଳ, ସାତ୍ତ୍ୱିକ ଓ ସତେଜ ଭୋଜନ ହିଁ ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ ଲୋକ ପାଇଁ ପ୍ରକୃଷ୍ଟ ଆହାର। କାରଣ ଆମ ଶରୀରକୁ ଶାକାହାରୀ କରି ଗଢିଛି ପ୍ରକୃତି। ମଣିଷ ଶରୀର ଗଠନ ପ୍ରଣାଳୀ ସଂପର୍କରେ ଅଧ୍ୟୟନ କରୁଥିବା ନୃତତ୍ତ୍ବ ବିଜ୍ଞାନୀମାନେ କହନ୍ତି, ମଣିଷର ଅନ୍ତନଳୀ ଓ ଆମାଶୟ କେବଳ ଶାକାହାର ଓ ଫଳାହାର ପାଇଁ ଉପଯୁକ୍ତ। ମଣିଷର ଦାନ୍ତ ବାଘ ଓ କୁକୁର ଆଦି ମାଂସାଶୀ ପ୍ରାଣୀଙ୍କ ଦାନ୍ତ ପରି ନୁହେଁ, ବରଂ ଏହା ତୃଣଜାତୀୟ ଖାଦ୍ୟ ଖାଉଥିବା ଗାଈ ବା ଘୋଡ଼ାର ଦାନ୍ତ ପରି। ଅର୍ଥାତ୍‌ ପ୍ରକୃତି ଆମକୁ ଦେଇନି ମାଂସକୁ ସହଜରେ ଚର୍ବଣ ଓ ଜୀର୍ଣ୍ଣ କରିବାର ଶକ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନୀ କହନ୍ତି, ମାଂସାହାର ଦ୍ବାରା ମଣିଷ ଶରୀର ଭିତରକୁ ପ୍ରବେଶ କରୁଥିବା କୋଷଗୁଡିକ ଭିତରର କୋଷ ପରି ସମ ଭାବରେ ସଂଜୀବିତ। ତେଣୁ ବାହାରର ଜୀବନ୍ତ କୋଷଗୁଡିକ ବଞ୍ଚି ରହିବା ପାଇଁ ଭିତରର କୋଷ ସହିତ ସଂଘର୍ଷ କରନ୍ତି, ଯାହା ଫଳରେ ଆମ ଶରୀର ଭିତରେ ସୃଷ୍ଟି ହୁଏ ଟକସିନ୍‌ ବା ବିଷ କ୍ରିୟା। ଏହାଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯିବା ସହିତ ଖର୍ବ ହୁଏ ଆୟୁଷ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ, ମାଂସାହାର ସବୁଠାରୁ ଘୃଣ୍ୟ ଓ ନିନ୍ଦନୀୟ। ଜୈନ ଓ ବୌଦ୍ଧ ଯୁଗରେ ଅହିଂସା ଏକ ଦିବ୍ୟ ନୀତିର ମାନ୍ୟତା ଲାଭ କରିବା ସହିତ ସାତ୍ତ୍ୱିକ ଆହାର ପ୍ରତି ପ୍ରକାଶ ପାଇଥିଲା ଆଦର ଓ ଆଗ୍ରହ। ଆମ ଧର୍ମ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି ସବୁ ଜୀବର ଆତ୍ମା ଏକ। ତେଣୁ ଗୋଟିଏ ଶରୀରକୁ କଷ୍ଟ ଦେଲେ କଷ୍ଟ ପାଏ ଆଉ ଗୋଟିଏ ଶରୀର। ସେଥିପାଇଁ ସନ୍ଥକବି ଭୀମ ଭୋଇ ଲେଖିଛନ୍ତି-”ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ।“ ବାସ୍ତବରେ ଯଦି କେହି ଅନ୍ୟର ପୀଡା ଅନୁଭବ କରିପାରୁନି, ତେବେ ବୁଝିବାକୁ ହେବ ସେ ଏକ ଆଧ୍ୟାତ୍ମିକ ଚେତନାହୀନ ମଣିଷ। ଶାସ୍ତ୍ର କହେ ଆମିଷ ଭକ୍ଷଣ ଯୋଗୁ କାମ, କ୍ରୋଧ, ଈର୍ଷା ଓ ଉତ୍ତେଜନାର ବଶବର୍ତ୍ତୀ ହୁଏ ମଣିଷ। ଇନ୍ଦ୍ରିୟମାନେ ଉଚ୍ଛୃଙ୍ଖଳ ହେବା ଫଳରେ ମନ ସଂଯମ ହରାଇ ବସେ । ଅନ୍ୟପକ୍ଷରେ ମଣିଷର ଆଧ୍ୟାତ୍ମିକ ଜୀବନକୁ ଅଧିକ ରୁଦ୍ଧିମନ୍ତ, ତାତ୍ପର୍ଯ୍ୟପୂର୍ଣ୍ଣ ଓ ସଫଳ କରିବା ସହ ସାଧନା ସିକ୍ତ ଜୀବନ ପ୍ରତି ସ୍ବତନ୍ତ୍ର ରୁଚି ବା ଆକର୍ଷଣ ସୃଷ୍ଟି କରେ ସାତ୍ତ୍ୱିକ ଆହାର। ପରିବେଶବିତ୍‌ଙ୍କ ମତରେ ଜୈବ ସନ୍ତୁଳନ ରକ୍ଷା ପାଇଁ ମାନବ ଓ ପଶୁପକ୍ଷୀଙ୍କ ସଂଖ୍ୟା ଏକ ନିର୍ଦ୍ଦିଷ୍ଟ ଅନୁପାତ ଭିତରେ ରହିବା ଜରୁରୀ। ମାତ୍ର ମଣିଷର ମାଂସ ଲାଳସା ଯୋଗୁଁ କ୍ରମାଗତ ଭାବରେ ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଲେଣି କେତେ ପ୍ରଜାତିର ଜୀବଜନ୍ତୁ। ଏହାଦ୍ବାରା ଗଭୀର ଭାବରେ ପ୍ରଭାବିତ ହେଲାଣି ପର୍ଯ୍ୟାବରଣ। ଗବେଷକମାନଙ୍କ ମତରେ ମାଂସ ଉତ୍ପାଦନ ପାଇଁ ବିପଦଗ୍ରସ୍ତ ହେଉଛି ପରିବେଶ। ବିଶେଷକରି ଗୋମାଂସ ଓ ଛେଳି ମେଣ୍ଢା ଜାତୀୟ ମାଂସର ଉତ୍ପାଦନ ପାଇଁ ଆବଶ୍ୟକ ହେଉଛି ବିସ୍ତୃତ ଚାରଣ ଭୂଇଁ ଓ ପର୍ଯାପ୍ତ ଜଳ। ଏସବୁ ଖାଦ୍ୟର ପ୍ରକ୍ରିୟାକରଣ ପାଇଁ ମଧ୍ୟ ଅଧିକ ଇନ୍ଧନ ଆବଶ୍ୟକ ହେଉଛି ଏବଂ ତଜ୍ଜନିତ ଅଙ୍ଗାରକାମ୍ଳ କ୍ରମାଗତ ବିଗିଡିବାରେ ଲାଗିଛି ପରିବେଶ।
ଈଶ୍ବରଙ୍କ ସୃଷ୍ଟିରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବରେ ମଣିଷ ଜାଣେ ଯେ ମାଂସାହାର ତା’ ଶରୀର ପାଇଁ ଆଦୌ ଉପଯୋଗୀ ନୁହେଁ, ଏହା ସତ୍ତ୍ୱେ ସେ ମାଂସ ଖାଇବାକୁ ଆଗ୍ରହ ପ୍ରକାଶ କରେ କେବଳ ଜିହ୍ବା ଲାଳସା ପାଇଁ। ଅର୍ଥାତ୍‌ ମାଂସ ତା’ ପାଇଁ ସ୍ବାଦିଷ୍ଟ। ମାତ୍ର ସ୍ବାଦ ମାଂସରେ ନ ଥାଏ, ଥାଏ ସେଥିରେ ପ୍ରୟୋଗ ହେଉଥିବା ବିଭିନ୍ନ ମସଲାରେ। ତେଣୁ ମାଂସାହାର ପ୍ରତି ମଣିଷର ଯେଉଁ ରୁଚି ରହିଛି, ତାହା ହେଉଛି ଏକ ବିକୃତ ରୁଚି। ସେହି କାରଣରୁ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ତଥା ବିପଜ୍ଜନକ ପଦ୍ଧତିରେ ଚାଷ କରା ଯାଉଥିବା ମାଛ, ଛେଳି ଓ କୁକୁଡା ଆଦିକୁ ସେ ଖାଉଛି ଅତି ଆଗ୍ରହର ସହିତ। ଏକ ଆକଳନ ଅନୁସାରେ ଏହି ବିକୃତ ରୁଚିଠାରୁ ଦୂରେଇ ଯାଇ ସବୁ ମାଂସାହାରୀ ଯଦି ଶାକାହାରୀ ପାଲଟି ଯିବେ, ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ ପାଇଯିବ ଅନାହାର। ଅନେକାଂଶରେ ଲାଘବ ହୋଇଯିବ ଜଳକଷ୍ଟ। ଉପରୋକ୍ତ ପ୍ରେକ୍ଷାପଟରେ ଆଲୋଚ୍ୟ ଆଧ୍ୟାତ୍ମିକ, ବୈଜ୍ଞାନିକ, ଶାରୀରିକ, ନୈତିକ ଓ ସାମାଜିକ ଆଦି ଯେ କୌଣସି ଦୃଷ୍ଟିରୁ ବି ଆଦୌ ଗ୍ରହଣୀୟ ମନେହୁଏନି ମାଂସାହାର। ଆମେ ଆମର ବିବେକକୁ ଅଗ୍ରାଧିକାର ଦେଇ ଭାବିଲେ ବି ଜାଣିପାରିବା ଗୋଟିଏ ଜୀବର ଚେତନା ଓ ପ୍ରଗତିକୁ ଅବରୁଦ୍ଧ କରି ଆମିଷ ଭକ୍ଷଣ କରିବା କି ବିକୃତ ରୁଚିର ପରିଚାୟକ। ଆମେ ଭାରତବାସୀ ଯଦି ଏହି ବିକୃତ ରୁଚିର ବଶବର୍ତ୍ତୀ ହୋଇ ଜୀବହତ୍ୟା କରିବା, ତେବେ ବିଶ୍ବକୁ କି ସଂଦେଶ ଦେବ ‘ବସୁଧୈବ କୁଟୁମ୍ବ କମ୍‌ ଭାବନା’ ପୋଷଣ କରି ଆସିଥିବା ଏ ଦେଶ ?

ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡା, ମୟୂରଭଞ୍ଜ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri