କରୋନାକୁ ଭେଟିବା ପରେ…

ଶ୍ରୀ ସନ୍ନ୍ୟାସୀ

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ। ସମ୍ମୁଖରେ ହଠାତ୍‌ ଆବିର୍ଭୂତ ହୋଇଗଲା କିମ୍ଭୂତକିମାକାର କଦର୍ଯ୍ୟ ଜନ୍ତୁଟିଏ। କଳା ମଚମଚ ବିକଟାଳ ଚେହେରା। ଜନ୍ତୁଟି ଧୀରେ ଧୀରେ ମୋ ଆଡକୁ ମାଡ଼ି ଆସୁଥିବା ବେଳେ ଭୟରେ ମୁଣ୍ଡ ଉପରେ ରଖାଯାଇଥିବା ଭାଗବତ ବହିକୁ ବିକଳରେ ଧରିପକାଇଲି। କାହିଁକି କେଜାଣି ରାଣ ଦେଲାପରି ଜନ୍ତୁଟି ମୋଠୁ ଦୁଇହାତ ଦୂରକୁ ଘୁଞ୍ଚିଯାଇ ବିକଟ ଅଟହାସ୍ୟ କରିବାକୁ ଲାଗିଲା। ପଚାରିଲି, କିଏ ତୁମେ?। ‘ମୁଁ କରୋନା’। କରୋନା! ଚମକି ପଡ଼ିଲି ମୁଁ।
ହେଲେ ମୁଁ ତ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ମାନି ଘରେ ରହୁଛି। ତା ବାଦ୍‌ ବି ତୁମେ ଏଠି । ଏପରି ପ୍ରଶ୍ନରେ ବିଷଣ୍ଣ ଦେଖାଗଲା କରୋନା। କହିଲା, ମୁଁ ତୁମର କିଛି କ୍ଷତି କରିବାକୁ ଆସିନି। କେବଳ ମୋ ଦୁଃଖ କଥା କହିବାକୁ ଆସିଛି। ମୋ ଦୁଃଖକୁ ଲେଖା ମାଧ୍ୟମରେ ସମାଜକୁ ଜଣାଇବ ବୋଲି ମୋର ଆଶା। ମୁଁ କହିଲି, ହଉ କୁହ କ’ଣ ତୁମର ଦୁଃଖ?
କରୋନା କହିଲା। ଶୁଣ, ମୁଁ ଚାଇନାରେ ସୃଷ୍ଟି ହେବା ଦିନଠାରୁ ପୃଥିବୀରେ କେବଳ ମୋ ଦୁର୍ଗୁଣ ଚର୍ଚ୍ଚା ଚାଲିଛି। କୋଉଦିନ କେତେ ଆକ୍ରାନ୍ତ ହେଲେ, କେତେ ଲୋକଙ୍କୁ ମୁଁ ମାରିଲି- ଏହାକୁ ମୋ ଫଟୋ ସହ ବଡ଼ବଡ଼ ଅକ୍ଷରରେ ଛପା ହେଉଛି। ସାରାଂଶ ଗୋଟିଏ- ମୁଁ କୁଆଡେ ଏବେ ପୃଥିବୀର ସବୁଠାରୁ ବଡ଼ ବିପଦ। ମୋଠାରୁ ମାନବ କିପରି ଦୂରେଇ ରହିବ, ମୋର ନିଧନ କିପରି ହେବ- ଏହି ଚିନ୍ତା କରାଯାଉଛି। କିନ୍ତୁ ମୁଁ ଯେଉଁ ମହତ କାମ କରୁଛି ସେଆଡକୁ କାହାର ଆଖି ଯାଉନି।
ଦୈନନ୍ଦିନ ହଜାର ହଜାର ମୁଣ୍ଡ ନେଇ, ବିଶ୍ୱବାସୀଙ୍କୁ ଘର କୋଣକୁ ଠେଲି ଦେଇ ବହୁ ଲୋକଙ୍କ ବୃତ୍ତିରେ ବାଧକ ସାଜି କୋଟି କୋଟି ବେକାର ସୃଷ୍ଟି କରି ଏବଂ ପ୍ରତ୍ୟେକ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରି ହାହାକାର ସୃଷ୍ଟି କରୁଥିବା ତୁମେ ପୁଣି ମହତ କାମ କରୁଛ? ଏକଥା ଶୁଣିଲେ ଯେ କେହି ବି ହସିବ। ଏପରି ପ୍ରଶ୍ନରେ ଉତ୍ତେଜିତ ହୋଇ କରୋନା କହିଲା-ମୂର୍ଖ! ଈଶ୍ୱର ପ୍ରଦତ୍ତ ଏ ସୁନ୍ଦର ସୃଷ୍ଟିକୁ ପ୍ରତି ମୁହୂର୍ତ୍ତରେ ନଷ୍ଟ କରିସାରିବା ପରେ ତୁମମାନଙ୍କର ବୁଦ୍ଧି ବି ଭ୍ରଷ୍ଟ ହୋଇଯାଇଛି। ଦିନକୁ ଦିନ କଳକାରଖାନା, ଯାନବାହନ ବଢ଼ାଇ ପୃଥିବୀର ବାୟୁମଣ୍ଡଳକୁ ବେଶ୍‌ ପ୍ରଦୂଷିତ କରିସାରିଛ ତୁମେମାନେ। ଗଛ ଲଗାଅ, ଯାନବାହନରେ ରୋକ୍‌ ଲଗାଅ। ନଚେତ୍‌ ପୃଥିବୀର ତାପମାତ୍ର ବଢ଼ିଯିବ, ଗ୍ଲାସିୟର ତରଳିଯିବ, ପୃଥିବୀରେ ଜଳପ୍ରଳୟ ଘଟିବ-ବୈଜ୍ଞାନିକମାନଙ୍କ ଏହି ସମସ୍ତ ସତର୍କବାଣୀକୁ ଶୁଣି ନ ଶୁଣିଲା ପରି ରହିଛ ତୁମେମାନେ। ତୁମମାନଙ୍କ ଆଚରଣ ଏବଂ ବ୍ୟଭିଚାରରେ ପ୍ରକୃତି ମା’ ଏବେ ଅଣନିଃଶ୍ୱାସୀ। ତା’ ଦୁଃଖକୁ ସହି ନ ପାରି ମୁଁ ଏବେ ମଣିଷଙ୍କ ଶ୍ୱାସନଳୀକୁ ରୋଧ କରି ତଣ୍ଟିଚିପି ମାରୁଛି। ତୁମେ କୁହ ମୋ ଭୟରେ ଦେଶରେ ତାଲାବନ୍ଦ ହେଲା। ବାୟୁମଣ୍ଡଳର ପ୍ରଦୂଷଣ କମିଛି କି ନାହିଁ? ବିଗତ ତିନି ଦଶନ୍ଧି ଭିତରେ କେବେ ବି ଦେଖାଯାଉ ନ ଥିବା ପଞ୍ଜାବର ଜଳନ୍ଧରଠାରୁ ହିମାଳୟ, ଉତ୍ତର ପ୍ରଦେଶର ସାହାରନପୁରରୁ ଗଙ୍ଗୋତ୍ରି ଅବା ବିହାରର ସିଙ୍ଘ ବାହିନୀଠାରୁ ହିମାଦ୍ରୀ-ବର୍ତ୍ତମାନ କିନ୍ତୁ ଏ ସବୁ ସ୍ପଷ୍ଟ ଦେଖାଗଲାଣି। ଯେଉଁ କାମଟି ବିଶ୍ୱବାସୀଙ୍କ ଦ୍ୱାରା ହୋଇପାରୁ ନ ଥିଲା, ମୁଁ ଏହି ମାସକ ଭିତରେ ତାହା କରି ଦେଖାଇଛି। ମୋତେ ଡରି ଏବେ ସବୁଲୋକ ଘରେ ରହିବା ପରଠାରୁ ପରିବେଶରେ ପରିବର୍ତ୍ତନ ଆସିଛି ନା ନାହିଁ ଦେଖ। ଗଙ୍ଗା ପାଣି ଏବେ ସ୍ଫଷ୍ଟିକ ପରି ସ୍ବଚ୍ଛ ଏବଂ ପାନୀୟଯୋଗ୍ୟ। ବନ୍ୟ ପଶୁପକ୍ଷୀମାନେ ଏବେ ଆନନ୍ଦରେ ବାହାରେ ବୁଲୁଛନ୍ତି। ହରିଦ୍ୱାରର ଗଙ୍ଗାନଦୀରେ ବନ୍ୟ ହସ୍ତୀମାନେ ଏବେ ବେଶ୍‌ ଆରାମରେ ଜଳକ୍ରୀଡ଼ା କରୁଛନ୍ତି। ପୂର୍ବରୁ ଆଦୌ ଦେଖାଯାଉ ନ ଥିବା ଶାଳିଆପତନି ବେଶ୍‌ ନିର୍ଭୟରେ ବୁଲୁଛି କେରଳର କାଲିକଟ ରାସ୍ତାରେ। ମୁମ୍ବାଇ ମେରାଇନ୍‌ ଡ୍ରାଇଭ୍‌ର ଡଲଫିନ୍‌ ହେଉ ଅବା ଋଷିକୁଲ୍ୟା ମୁହାଣର ଅଲିଭ୍‌ ରିଡ୍‌ଲେ, ନଏଡା ଜିଆଇପି ମଲ୍‌ ବାହାରେ ବୁଲୁଥିବା ନୀଳଗାଈ ହେଉ ଅବା ଚଣ୍ଡିଗଡ଼ର ଜେବ୍ରା କ୍ରସିଂ ପାର ହେଉଥିବା ଶମ୍ବରଙ୍କ ଦଳ ହେଉ- ସମସ୍ତେ ଏବେ କେବଳ ମୋ ସକାଶେ ଖୁସି ମନାଇ ପ୍ରକୃତିକୁ ଭରପୂର ଉପଭୋଗ କରୁଛନ୍ତି। ଏହାର ବାହାଦୁରି ମୋ ଖାତାକୁ ଆସିବ ନା ନାହିଁ?
କରୋନା ଏବେ ପ୍ରଶ୍ନିଳ ଢଙ୍ଗରେ ପଚାରିଲା-ସତ୍ୟ ଯୁଗକୁ ତୁମେ ଦେଖିଛ? ‘ନା, ଉତ୍ତର ଦେଲି’। ବର୍ତ୍ତମାନ ମୋ ସକାଶେ ସତ୍ୟ ଯୁଗର ସାମାନ୍ୟ ଝଲକ ଦେଖିବାକୁ ମିଳୁଛି କି ନାହିଁ ଦେଖ। ଚୋରି, ଡକାୟତି, ରାହାଜାନି ଏବେ ନାହିଁ କହିଲେ ଚଳେ। ମଠ-ମନ୍ଦିର-ମସ୍‌ଜିଦ୍‌, ଯାହାକୁ ନେଇ ନିଜ ନିଜ ଭିତରେ ମଣିଷମାନେ ବାଡିଆପିଟା ହେଉଥିଲେ ସେଥିରେ ଏବେ ତାଲା ପଡିଛି। ଘର ପାଲଟିଛି ମନ୍ଦିର, ଯାହା ବାସ୍ତବିକ ହେବା କଥା। ପୂର୍ବରୁ ଚିହ୍ନୁ ନ ଥିବା ପାଖ ପଡ଼ିଶାଙ୍କୁ ଚିହ୍ନୁଛନ୍ତି। ଏବେ ନା ଅଛି ଭଲ ଖାଇବାର ଲୋଭ ନା ଅଛି ସୁନା ରୁପା ବା ଭଲ ଡ୍ରେସ୍‌ ପିନ୍ଧି ନିଜକୁ ସଜାଇ ହେବାର ମୋହ। କଡ଼ା ନାସ୍ତିକଟିଏ ବି ଏବେ ମୋ ଭୟରେ ସଭିଙ୍କ ଅଜାଣତରେ ଈଶ୍ୱରଙ୍କୁ ମୁଣ୍ଡିଆଟେ ମାରିବାକୁ ବାଧ୍ୟ ହେଉଛି। ହ୍ବାଇଟ୍‌ହାଉସ୍‌ରେ କି ସହଜରେ ବେଦପାଠ ହୁଅନ୍ତା। କରୋନା ମାଡ଼ରେ ଆଣ୍ଠୁଗଣ୍ଠି ଛିଡିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ‘ବେଦ’ର ଶରଣ ପଶିଛନ୍ତି। ହରିଶ ବ୍ରହ୍ମଭଟ୍ଟ ନାମକ ଏକ ସଂସ୍କୃତ ପଣ୍ଡିତଙ୍କୁ ନିମନ୍ତ୍ରଣ କରି ଏଇ ନିକଟରେ ଯଜୁର୍ବେଦର ଶାନ୍ତି ପାଠ ଶ୍ରବଣ କରିଛନ୍ତି। ମୁଁ ନ ଥିଲେ ଆମେରିକା ସମେତ ବିଶ୍ୱର ୫୫ଟି ରାଷ୍ଟ୍ର ଭାରତ ପାଖରେ ହାଇଡ୍ରୋକ୍ଲୋରୋକୁଇନ୍‌ ବଟିକା ପାଇଁ ହାତ ପତାଉ ନ ଥାନ୍ତେ କି ଚାଇନାରୁ ଗଣ୍ଠିଲିପତ୍ର ଧରି ଭାରତକୁ ଚାଲି ଆସିବା ପାଇଁ ଶତାଧିକ ନାମୀଦାମୀ କମ୍ପାନୀ ଏବେ ମସୁଧା କରୁ ନ ଥାନ୍ତେ।
ଏଇ ପରିସ୍ଥିତିରେ ବିଶ୍ୱରୁ କୋଟିଏ କି ଦି’କୋଟି ଲୋକଙ୍କ ଜୀବନ ବଦଳରେ ଯଦି ତୁମମାନଙ୍କୁ ସ୍ବଚ୍ଛ ବାୟୁମଣ୍ଡଳଯୁକ୍ତ ପୃଥିବୀ, ସୁନ୍ଦର ପର୍ଯ୍ୟାବରଣ ଏବଂ ଶୁଦ୍ଧ ଚେତନାର ଅଧିକାରୀ ଥିବା ବହେ ଲୋକ ପ୍ରାପ୍ତ ହୁଅନ୍ତି ତେବେ ଏଥିରେ ଦୁଃଖ କରିବାରେ କ’ଣ ଅଛି? କରୋନାର ଉଲ୍ଲସିତ ଅଟ୍ଟହାସ୍ୟରେ ମୋ ନିଦଟା ଭାଙ୍ଗିଗଲା। ସେତେବେଳକୁ ଭୋର ୫ଟା; ମୋ ପ୍ରାର୍ଥନାର ସମୟ। ପ୍ରାର୍ଥନା ପରେ ଏବେ ମୁଁ ଭାବୁଛି କୋଭିଡ୍‌-୧୯କୁ ନେଇ ବର୍ତ୍ତମାନ ଯେଉଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି, ତାହା ପ୍ରକୃତରେ କରୋନାର କୃପା ନା କୋପ??
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯
Email: srisanyasi123@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri