ଓଡ଼ିଶାର ସ୍ବାର୍ଥ ସତରେ ରକ୍ଷା ହେବ କି

ଦିଲୀପ ଦାଶଶର୍ମା
ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପରସ୍ପରକୁ କିଏ କେତେ କଥା କହୁଥିଲେ। ନିର୍ବାଚନ ସରିଗଲା ପରେ ଦୁଇ ଦଳ ପରସ୍ପରକୁ ଭଲ ପାଇ ପ୍ରଶଂସା କରିବାରେ ଲାଗିଲେ। ଏତେ ଭଲ ପାଇଲେ ଯେ ରାଜ୍ୟର ଶାସକ ଦଳ କେନ୍ଦ୍ରରେ ଶାସନ କରୁଥିବା ଦଳକୁ ଏକ ରାଜ୍ୟସଭା ଆସନ ଦାନ କଲେ। ଯେଉଁ ପ୍ରାର୍ଥୀକୁ ବାଛିଲେ ସେ ହେଉଛନ୍ତି ଅନ୍ୟ ରାଜ୍ୟର ଜଣେ ଅଣଓଡିଆ। ଅନ୍ୟ ଦଳରୁ ଓ ଅନ୍ୟ ରାଜ୍ୟରୁ କାହିଁକି ପ୍ରାର୍ଥୀ ବାଛିଲେ ତା’ର ଉତ୍ତରରେ ରାଜ୍ୟ ଶାସକ ଦଳର ମୁଖିଆ କହିଲେ ଯେ, ତାଙ୍କୁ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ।
ଯେଉଁ ପ୍ରଧାନମନ୍ତ୍ରୀ ବିଧାନସଭା କମିଟିକୁ ଦେଖା କରିବା ପାଇଁ ସମୟ ଦେଉ ନ ଥିଲେ ଓ ଯେଉଁ ସ୍ବରାଷ୍ଟ୍ରମନ୍ତ୍ରୀ ରାଜ୍ୟ ଶାସକ ଦଳକୁ ପୋଡା ଟ୍ରାନ୍ସଫର୍ମର କହି ସମୁଦ୍ରକୁ ଫିଙ୍ଗି ଦେବାକୁ କହୁଥିଲେ ତାଙ୍କ କଥାରେ ରାଜ୍ୟସଭା ସଦସ୍ୟ ପଦ ଛାଡିଦେବା ସାଧାରଣ ଲୋକଙ୍କର ହଜମ ହେଲା ନାହିଁ। ଗଣମାଧ୍ୟମର ପ୍ରତିନିଧିମାନଙ୍କର ବାରମ୍ବାର ପ୍ରଶ୍ନର ଉତ୍ତରରେ ଦୁଇ ଦଳର ନେତା କେବଳ ଗୋଟିଏ କଥା କହିଲେ- ରାଜ୍ୟର ସ୍ବାର୍ଥ ଓ ମଙ୍ଗଳ ପାଇଁ ଏଭଳି ହେଲା। ରାଜ୍ୟର ସ୍ବାର୍ଥ କଥା କହିଲେ ତା’ ଭିତରେ କହୁ କଥା ଆସିବ। ଯେପରି ପୋଲାଭରମ୍‌ ପ୍ରକଳ୍ପରେ କେନ୍ଦ୍ର ସରକାର ମୁଣ୍ଡ ଭର୍ତ୍ତିକରି ଓଡ଼ିଶାକୁ ନ୍ୟାୟ ଦେଇ ପାରିବକି? କୋଟିଆ ଗ୍ରାମପଞ୍ଚାୟତ ମାମଲା ଯାହା ସଂସଦର ନିଷ୍ପତ୍ତି ପାଇଁ ବହୁବର୍ଷ ହେଲା ପଡି ରହିଛି ତାହା ସମାଧାନ ହେବକି? ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ହେବକି? ଆମ ରାଜ୍ୟକୁ ସ୍ବତନ୍ତ୍ରରାଜ୍ୟ ପାହ୍ୟା ମିଳିବକି? ଏହା ସହିତ ଅନେକ ଦାବି ରହିଛି, ଯେପରି କି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସଂସଦ ପରିସରରେ ସ୍ଥାପନା କରିବା, ଓଡ଼ିଶାକୁ ସ୍ପର୍ଶ କରିଥିବା ସମୁଦ୍ରର ନାମ କଳିଙ୍ଗସାଗର ରଖିବା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ କରିବା ଇତ୍ୟାଦି।
କୋଟିଆ ଗ୍ରାମପଞ୍ଚାୟତ ବିବାଦ ବହୁ ପୁରୁଣା। ୧୯୬୮ ମସିହାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ କୋଟିଆ ଗ୍ରାମପୁଞ୍ଜ ପାଇଁ ଓଡିଶା ସୁପ୍ରିମ୍‌କୋର୍ଟରେ ନ୍ୟାୟ ପାଇଁ ଆବେଦନ କରିଥିଲା। ଏହାର କେସ୍‌ ନମ୍ବର ଥିଲା ୧୦/୧୯୬୮। ଏହି କେସ୍‌ର ଶେଷ ଶୁଣାଣି ହୋଇଥିଲା ତା୩୦ା୦୩ା୨୦୦୬ରେ। ସୁପ୍ରିମକୋର୍ଟ କହିଥିଲେ ଯେ, ଧାରା-୧୩୧ ଅନୁଯାୟୀ ରାଜ୍ୟ ସୀମା ବିଷୟ ଆମ ବିଚାର କ୍ଷମତା ଭିତରକୁ ଆସୁନାହିଁ। ସୀମା ସଂକ୍ରାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ସଂସଦର ଅଛି। ଏହି ମାମଲା ଗତ ୧୨ ବର୍ଷ ହେଲା ସଂସଦୀୟ ନିଷ୍ପତ୍ତି ପାଇଁ ପଡି ରହିଛି। ଓଡ଼ିଶାକୁ ସାହାଯ୍ୟ କରିବା ପାଇଁ ଏହା ଏକ ମଉକା। କାରଣ ଭାରତ ସରକାରଙ୍କ ପକ୍ଷରୁ ତା୧୯ା୦୩ା୧୯୩୬ରେ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନ୍‌ ସଂଖ୍ୟା ୨୦/୩୫ ଜି(ବି) ଅନୁଯାୟୀ ଜୟପୁର ୧୯୩୬ରେ ଓଡିଶା ଗଠନରେ ଅନ୍ତର୍ଭୁକ୍ତ ହୋଇଥିଲା। କୋଟିଆ ଗ୍ରାମପୁଞ୍ଜ ଜୟପୁର ରାଜାଙ୍କ ଅଧୀନରେ ଏହା ପୂର୍ବରୁ ଥିଲା। ଜୟପୁର ରାଜା ଉକ୍ତ ଅଞ୍ଚଳରୁ ଖଜଣା ଆଦାୟ କରୁଥିଲେ।
ସେହିପରି ପୋଲାଭରମ୍‌ ପ୍ରକଳ୍ପର ଅବସ୍ଥା ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ସମାଧାନ ଅତି ସହଜ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ଓ ଛତିଶଗଡ ରାଜ୍ୟର ବହୁ ଅଞ୍ଚଳ ଜଳମଗ୍ନ ହେବ। ଯେଉଁ ଅଞ୍ଚଳ ଜଳମଗ୍ନ ହେବ ସେଠାରେ ଅତ୍ୟନ୍ତ ମୂଲ୍ୟବାନ କୋଇଲା, ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍‌, ଗ୍ରାଫାଇଟ୍‌ ପରି ଖଣିଜ ଦ୍ରବ୍ୟ ରହିଛି। ଏଥିସହିତ ଆଦିବାସୀଙ୍କର ସାମାଜିକ ଚଳଣି ନଷ୍ଟ ହେବ। ଏ ସମସ୍ତ କଥା ଆମେ କେବଳ କହୁନୁ, ନ୍ୟାଶ୍‌ନାଲ କାଉନ୍‌ସିଲ ଫର୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ଏଥିପାଇଁ ଅତ୍ୟନ୍ତ କଡ଼ା ଭାଷାରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଓ ଆନ୍ଧ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ତା’ ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ସାହାଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ଏଥିରୁ ନିବୃତ ରହି କିମ୍ବା ତିନୋଟି ରାଜ୍ୟର ଭୌଗୋଳିକ ସୀମାକୁ ଅନୁଧ୍ୟାନ କରି ଠିକ୍‌ ନିଷ୍ପତ୍ତି ନେଲେ ଓଡ଼ିଶାକୁ ସୁହାଇବ।
ମହାତ୍ମା ଗାନ୍ଧୀ ତା୧୨ା୦୮ା୧୯୨୫ରେ ମଧୁବାବୁଙ୍କୁ ଦେଇଥିବା ପତ୍ରରେ ଲେଖିଛନ୍ତି- ଉତ୍କଳରେ ଚରଖାର କିପରି ପ୍ରସାର ହୋଇପାରିବ ମୁଁ ଆପଣଙ୍କଠାରୁ ଅବଶ୍ୟ ଶିଖିବି। ଗ୍ରାମୀଣ ଚମଡା ଶିଳ୍ପ କ୍ଷେତ୍ରରେ ମଧୁସୂଦନ ଦାସ ମୋର ଆଖି ଖୋଲି ଦେଇଥିଲେ ବୋଲି ଗାନ୍ଧିଜୀ କହିଥିଲେ। ଗୋରକ୍ଷା କ୍ଷେତ୍ରରେ ମଧୁବାବୁ ବହୁ ଆଗରୁ ସଫଳତା ପାଇଛନ୍ତି ବୋଲି ଗାନ୍ଧିଜୀ ତାଙ୍କ ଭାଷଣରେ କହିଛନ୍ତି। କେବଳ ସେତିକି ନୁହେଁ, କୁଟୀର ଶିଳ୍ପ ହେଉକି ସ୍ବଦେଶୀ ଶିଳ୍ପ ହେଉ କିମ୍ବା ନାରୀମାନଙ୍କୁ ସ୍ବାତନ୍ତ୍ର୍ୟ ଓ କ୍ଷମତା ପ୍ରଦାନ କ୍ଷେତ୍ରରେ ହେଉ ସବୁଥିରେ ମହାତ୍ମା ଗାନ୍ଧୀଙ୍କଠାରୁ ମଧୁବାବୁ ବହୁ ଆଗରେ ଥିଲେ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ପ୍ରତିଷ୍ଠା ପାଇଁ ବହୁ ଦିନୁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। କେନ୍ଦ୍ର ସରକାର ସମୀକ୍ଷା କରିବା ଆବଶ୍ୟକ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ପ୍ରତିଷ୍ଠା ହୋଇଛି ଓ ମଧୁବାବୁଙ୍କ ବ୍ୟକ୍ତିତ୍ୱ ସେମାନଙ୍କଠାରୁ କେଉଁ ଗୁଣରେ କମ୍‌ ଅଛି।
ସେହିଭଳି ଆମରାଜ୍ୟ ସୀମାକୁ ଲାଗିଥିବା ସମୁଦ୍ରକୁ ବହୁ ପୂର୍ବରୁ କଳିଙ୍ଗସାଗର କୁହାଯାଉଥିଲା। ବର୍ତ୍ତମାନ ତା’ର ନାମ ବଙ୍ଗୋପସାଗର ଅଛି। ଏହାର ପରିବର୍ତ୍ତନ ଆବଶ୍ୟକ ଯାହା କେନ୍ଦ୍ର ସରକାର କରିପାରିବେ। ଓଡିଶାକୁ ସ୍ବତନ୍ତ୍ରରାଜ୍ୟ ପାହ୍ୟା ପ୍ରଦାନ ପାଇଁ ବହୁ ଦିନରୁ ଦାବି ହେଉଥିବା ବେଳେ ନିକଟରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଏଥିପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି। ଓଡ଼ିଶାର ଉନ୍ନତି ପାଇଁ ଏସବୁ ତ ବିଚାରକୁ ନେବାକୁ ପଡିବ। ସେହିଭଳି ଛତିଶଗଡ଼ ସହିତ ମହାନଦୀ ଜଳ ବିବାଦ ଓ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଭଳି ଅନେକ କାମ କଲେ କହିହେବ ଯେ ଓଡିଶାର ସ୍ବାର୍ଥ ପାଇଁ କେନ୍ଦ୍ର ସରକାର କିଛି କଲେ।
ଏଇ-୧୯୨, ବୀର ସୁରେନ୍ଦ୍ର ସାଏ ନଗର, ଭୁବନେଶ୍ୱର, ମୋ-୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri