ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ

ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ ଆଞ୍ଚଳିକ ଦଳର ଏକ ଦୀର୍ଘ ଇତିହାସ ରହିଛି। ବିଜୁ ଜନତା ଦଳ ପୂର୍ବରୁ ରାଜ୍ୟରେ ଏକାଧିକ ଆଞ୍ଚଳିକ ଦଳ ଗଠନ କରାଯାଇଛି ଓ ପରେ ମଧ୍ୟ ଗଠିତ ହୋଇଛି। ତେବେ ବିଜୁ ଜନତା ଦଳର ସଫଳତାକୁ କୌଣସି ଦଳ ଅଦ୍ୟାବଧି ସ୍ପର୍ଶ କରିପାରିନାହଁି। ୧୯୯୭ ମସିହାରେ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ପ୍ରତିଷ୍ଠା ପୂର୍ବରୁ ୮୦ ଦଶକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଗଠନ କରିଥିଲେ ‘ଜାଗ୍ରତ ଓଡ଼ିଶା’ । ତେବେ ଏହା ପୂର୍ବରୁ ୫୦ ଦଶକରେ ଗଠିତ ଗଣତନ୍ତ୍ର ପରିଷଦ, ଉତ୍କଳ କଂଗ୍ରେସ, ଜନ କଂଗ୍ରେସ ଆଦି ଆଞ୍ଚଳିକ ଦଳ ଓଡ଼ିଶାର ଜନଜୀବନକୁ ପ୍ରାୟ ତିନି ଦଶନ୍ଧି ଧରି ଗଭୀର ଭାବେ ପ୍ରଭାବିତ କରିପାରିଥିଲା।
ସ୍ବାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା ୧୯୫୧ ଡିସେମ୍ବରରେ। ଏହି ନିର୍ବାଚନରେ ଜାତୀୟ ଦଳ ଭାବେ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ସୋସାଲିଷ୍ଟ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜ୍ୟରେ ଗଣତନ୍ତ୍ର ପରିଷଦ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ପୂର୍ବତନ ରାଜାରାଜୁଡ଼ାଙ୍କ ପୃଷ୍ଠପୋଷକତାରେ ଏହି ଦଳ ପ୍ରତିଷ୍ଠା ହୋଇଥିଲା। ବିଲୁପ୍ତ ଗଡ଼ଜାତ ପାଟଣା (ବର୍ତ୍ତମାନର ବଲାଙ୍ଗୀର)ର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ସହାୟତାରେ ଏହି ଦଳଟି ଆରମ୍ଭ ହୋଇଥିଲା। ରାଜତନ୍ତ୍ର ଉଚ୍ଛେଦ ପରେ ନୂଆ ଶାସନ ବ୍ୟବସ୍ଥାକୁ ବିରୋଧ କରି ଏହି ଦଳ ଆରମ୍ଭ ହୋଇଥିଲା। ପୂର୍ବରୁ ପାଟଣା ମହାରାଜା କୋଶଳ ଉତ୍କଳ ପ୍ରଜା ପରିଷଦ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଗଣତନ୍ତ୍ର ପରିଷଦ ଗଠନ ହେବା ସହ ଏହି ଦଳଟିର ବିଲୟ ଘଟିଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଗଣତନ୍ତ୍ର ପରିଷଦର ୫ ଜଣ ସଦସ୍ୟ ଲୋକ ସଭାକୁ ନିର୍ବାଚିତ ହୋଇଥିବାବେଳେ ୩୧ ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପରେ ଗଣତନ୍ତ୍ର ପରିଷଦ ଥିଲା ଦ୍ୱିତୀୟ ବୃହତ୍‌ ଦଳ। ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ଗଣତନ୍ତ୍ର ପରିଷଦର ୭ ଜଣ ସଦସ୍ୟ ଲୋକ ସଭାକୁ ଓ ୫୧ ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ କଂଗ୍ରେସ ପାଇଥିଲା ୫୬ ବିଧାନସଭା ଆସନ। ଏହି ନିର୍ବାଚନରେ ରାଜ୍ୟରେ ପ୍ରଥମେ କଂଗ୍ରେସର ଝୁଲା ସରକାର ହୋଇଥିଲା। ଏହାପରେ କଂଗ୍ରେସ- ଗଣତନ୍ତ୍ର ପରିଷଦର ମିଳିତ ସରକାର ହେଲା। ଏ ସରକାରର ପତନ ୧୯୬୧ରେ ଘଟିଥିଲା। ସେହି ବର୍ଷ ରାଜ୍ୟରେ ବିଧାନସଭା ପାଇଁ ଅନୁଷ୍ଠିତ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ତୃତୀୟ ବିଧାନସଭାକୁ ଗଣତନ୍ତ୍ର ପରିଷଦର ୩୫ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକ ହେଲେ ମୁଖ୍ୟମନ୍ତ୍ରୀ। ତେବେ ୧୯୬୨ରେ ଅନୁଷ୍ଠିତ ୩ୟ ଲୋକ ସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦ କୌଣସି ପ୍ରାର୍ଥୀ ସଫଳତା ପାଇପାରି ନ ଥିଲେ।
୧୯୬୭ରେ ଚତୁର୍ଥ ସାଧାରଣ ନିର୍ବାଚନ ବେଳକୁ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ‘ଜନ କଂଗ୍ରେସ’ ନାମରେ ଏକ ନୂତନ ଆଞ୍ଚଳିକ ଦଳର ଆବିର୍ଭାବ ଘଟିଲା। ଏହି ସମୟରେ ଗଣତନ୍ତ୍ର ପରିଷଦର ବିଲୟ ଘଟିଲା। କଂଗ୍ରେସର ଭିନ୍ନ ବିଚାରଧାରା ସମ୍ପନ୍ନ ନେତା ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଦ୍ୱାରା ନୂଆକରି ଗଠିତ ସ୍ବତନ୍ତ୍ର ପାର୍ଟି ନାମକ ଜାତୀୟ ଦଳରେ ଗଣତନ୍ତ୍ର ପରିଷଦର ବିଲୟ ଘଟିଥିଲା। ଏହି ନିର୍ବାଚନରେ ଜନ କଂଗ୍ରେସ ଓ ସ୍ବତନ୍ତ୍ର ପାର୍ଟି ମେଣ୍ଟ ହୋଇଥିଲା। ମିଳିତ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ପୂର୍ବତନ ଗଣତନ୍ତ୍ର ପରିଷଦ ତଥା ନୂତନ ସ୍ବତନ୍ତ୍ର ପାର୍ଟିର ନେତା ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଜନ କଂଗ୍ରେସ ନେତା ପବିତ୍ର ମୋହନ ପ୍ରଧାନ। ୧୯୬୯ ରେ କଂଗ୍ରେସ ବିଭାଜନ ସହ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ ହେଲା ‘ଉତ୍କଳ କଂଗ୍ରେସ’ ନାମରେ ନୂଆ ଆଞ୍ଚଳିକ ଦଳ। ଏହି ସମୟରେ କଂଗ୍ରେସ ଓ ସ୍ବତନ୍ତ୍ର ପାର୍ଟି ମେଣ୍ଟ ସରକାର ଭାଙ୍ଗିଗଲା। ଏଥିସହ ଜନ କଂଗ୍ରେସର ବିଲୟ ଶାସକ କଂଗ୍ରେସରେ ଘଟିଲା। ୧୯୭୧ ଲୋକ ସଭା ନିର୍ବାଚନରେ ଉତ୍କଳ କଂଗ୍ରେସର ଏକମାତ୍ର ପ୍ରାର୍ଥୀ ସୁରେନ୍ଦ୍ର ମହାନ୍ତି କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇଥିବାବେଳେ ବିଧାନସଭାକୁ ଉତ୍କଳ କଂଗ୍ରେସର ୩୩ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। କିନ୍ତୁ ଉତ୍କଳ କଂଗ୍ରେସ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ଏକାଦିକ୍ରମେ ୪ଟି ବିଧାନସଭା ଓ ଗୋଟିଏ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସବୁଥିରେ ହାରିଥିଲେ। ୧୯୭୨ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସରେ ଉତ୍କଳ କଂଗ୍ରେସର ବିଲୟ ଘଟିଥିଲା। ଏହାପରେ ‘ପ୍ରଗତି ବିଧାୟକ ଦଳ’ ନାମରେ ଏକ ଆଞ୍ଚଳିକ ଦଳ ଗଠନ ହୋଇଥିଲା। ଏହି ଦଳରୁ ବିଜୁ ପଟ୍ଟନାୟକ ବିରୋଧୀ ଦଳ ନେତା ହୋଇଥିଲେ। ୧୯୭୪ରେ ଉତ୍କଳ କଂଗ୍ରେସ, ପ୍ରଗତି ବିଧାୟକ ଦଳ ଓ ସ୍ବତନ୍ତ୍ର ପାର୍ଟିର ବିଲୟ ଭାରତୀୟ ଲୋକ ଦଳରେ ହୋଇଥିଲା। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ‘ଜାଗ୍ରତ ଓଡ଼ିଶା’ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ୧୯୮୪ରେ ଶ୍ରୀମତୀ ଶତପଥୀ ଏହି ଦଳରୁ ଢେଙ୍କାନାଳ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ପରେ ସେ ମୂଳ କଂଗ୍ରେସ ଦଳକୁ ଫେରିଯିବାରୁ ଜାଗ୍ରତ ଓଡ଼ିଶାର ବିଲୟ ଘଟିଥିଲା। ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ୧୯୯୭ ମସିହାରେ ‘ବିଜୁ ଜନତା ଦଳ’(ବିଜେଡି) ଆତ୍ମପ୍ରକାଶ କଲା। ୨୦୦୦ରେ ଦ୍ୱାଦଶ ବିଧାନସଭା ନିର୍ବାଚନରେ ବିଜୟ ମହାପାତ୍ରଙ୍କୁ ବିଜେଡି ଟିକେଟରୁ ବଞ୍ଚିତ କରାଗଲା ପରେ ସେ ‘ଓଡ଼ିଶା ଗଣ ପରିଷଦ’ ନାମରେ ନୂଆ ଆଞ୍ଚଳିକ ଦଳ ଗଠନ କରିଥିଲେ। ଏହି ଦଳରୁ ୨୦୦୪ରେ ଉତ୍କଳ କେଶରୀ ପରିଡ଼ା (କେନ୍ଦ୍ରାପଡ଼ା), ଅରୁଣ ଦେ ବିଧାୟକ (ବାଲେଶ୍ୱର) ହୋଇପାରିଥିଲେ। ପରବର୍ତ୍ତୀ ସମୟରେ ଦଳ ଆଉ ଗତିଶୀଳ ହୋଇପାରିନଥିଲା। ୨୦୦୯ ବିଧାନସଭା ନିର୍ବାଚନ ସମୟକୁ ‘ସମୃଦ୍ଧ ଓଡ଼ିଶା’ ଓ ‘କୋଶଳ କ୍ରାନ୍ତି ଦଳ’ ନାମକ ଆଞ୍ଚଳିକ ରାଜନୈତିକ ଦଳର ଆବିର୍ଭାବ ଘଟିଥିଲା। ସମୃଦ୍ଧ ଓଡ଼ିଶାର ପ୍ରତିଷ୍ଠାତା ଥିଲେ ପ୍ରଶାସନିକ ଅଧିକାରୀ ଯତୀଶ ଚନ୍ଦ୍ର ମହାନ୍ତି ଓ କୋଶଳ କ୍ରାନ୍ତି ଦଳର ପ୍ରତିଷ୍ଠାତା ଥିଲେ ବୈଦ୍ୟନାଥ ମିଶ୍ର। ଭାଜପା ପକ୍ଷରୁ ୨ ଥର ଲୋକ ସଭା ସାଂସଦ ହୋଇଥିବା ମହାମେଘବାହାନ ଐର ଖାରବେଳ ସ୍ବାଇଁ ମଧ୍ୟ ୨୦୧୦ ମସିହାରେ ଗଠନ କରିଥିଲେ ‘ଉତ୍କଳ ଭାରତ’ ନାମରେ ଏକ ରାଜନୈତିକ ଦଳ। ବିଜୁ ଜନତା ଦଳର ପରାମର୍ଶଦାତା ତଥା ବରିଷ୍ଠ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ବିଜେଡିରୁ ବହିଷ୍କୃତ ହେବା ପରେ ୨୦୧୩ ମସିହାରେ ‘ଓଡ଼ିଶା ଜନମୋର୍ଚ୍ଚା’ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଦଳ ପକ୍ଷରୁ ନିର୍ବାଚନରେ ପ୍ରାର୍ଥୀ ଦିଆଯାଇଥିଲେ ସୁଦ୍ଧା ସଫଳତା ମିଳିପାରି ନ ଥିଲା। ସେହିପରି କଂଗ୍ରେସ ଦଳରୁ ସମ୍ପର୍କ ଛିନ୍ନ ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା ପାର୍ଟି’ ନାମରେ ଏକ ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କର ‘ସମତା କ୍ରାନ୍ତି’ ଦଳ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ ରହିଛି। ଏହି ଦଳରୁ ଏକଦା ଜର୍ଜ ତିିର୍କୀ ବିଧାୟକ ହୋଇଥିଲେ। ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ‘ଜନ ସମୃଦ୍ଧି ପାର୍ଟି’ ନାମରେ ଏକ ଆଞ୍ଚଳିକ ଦଳ ୨୦୧୭ରେ ଗଠନ କରିବା ପରେ ଏବେ ସେଥିରୁ ଓହରିଯାଇଛନ୍ତି। ବିଜୁ ଜନତା ଦଳରୁ ସମ୍ପର୍କ ତୁଟାଇବା ପରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ‘ବିଜୁ ସମତା କ୍ରାନ୍ତି’ ଦଳ ନାମରେ ଏକ ରାଜନୈତିକ ଦଳ ଗଠନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ହିନ୍ଦୋଳର ପୂର୍ବତନ ରାଜା ଶୈଳେନ୍ଦ୍ର ନାରାୟଣ ସିଂଦେଓ ଗତ ନିର୍ବାଚନ ସମୟରେ ‘ଓଡ଼ିଶା ଲୋକତନ୍ତ୍ର ଦଳ’ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ରାଜ୍ୟର ଆଞ୍ଚଳିକ ଦଳ ମଧ୍ୟରେ ବିଜୁ ଜନତା ଦଳକୁ ବାଦ୍‌ ଦେଲେ ଅନ୍ୟାନ୍ୟ ରାଜନୈତିକ ଦଳର ସଫଳତା ଅପେକ୍ଷା ବିଫଳତା ଅଧିକ ରହିଥିବା ପରିଲକ୍ଷିତ ହେଉଛି।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri