ଈଶ୍ୱର ବିଶ୍ୱାସ ଓ ପ୍ଲାସେବୋ ପ୍ରଭାବ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଉଦ୍‌ଭାବନ ଶବ୍ଦଟି ବିଜ୍ଞାନ ସହିତ ଓତପ୍ରୋତ ଭାବେ ଜଡ଼ିତ। ତେବେ, କନ୍‌ଫ୍ୟୁସିୟସଙ୍କ ଭଳି ଜଣେ ଯୋଗଜନ୍ମା ଦାର୍ଶନିକ ଈଶ୍ୱରଙ୍କ ସହିତ ତାହାକୁ ସମ୍ପୃକ୍ତ କରି କହିଥିଲେ, ‘ଯଦି ଈଶ୍ୱର ନ ଥାନ୍ତି, ଚାଲ ଆମେ ତାଙ୍କୁ ଉଦ୍‌ଭାବନ କରିବା।’ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଈଶ୍ୱରଙ୍କ ସ୍ଥିତିକୁ ନେଇ ସେ ନିଶ୍ଚିତ ନ ଥିଲେ, କିନ୍ତୁ ମାନବ ସମାଜର ହିତ ପାଇଁ ତାଙ୍କ ପ୍ରତି ବିଶ୍ୱାସ ରଖିବା ଅପରିହାର୍ଯ୍ୟ ବୋଲି ମନେକରୁଥିଲେ। ସେଥିପାଇଁ ଜୀବନକୁ ସାବଲୀଳ କରିବା ସହିତ ଏହାର ମାନ ବୃଦ୍ଧି କରିଥିବା ବିବିଧ ଗୁରୁତ୍ୱପୂର୍ଣ୍ଣ ଉଦ୍‌ଭାବନ ଭଳି ତାଙ୍କୁ ମଧ୍ୟ ମାନସିକସ୍ତରରେ ଉଦ୍‌ଭାବନ କରିବା ଆମର ଅତ୍ୟାବଶ୍ୟକ, ଅର୍ଥାତ୍‌ ଆମେ ତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ପରିବର୍ତ୍ତେ ତାହାକୁ ସ୍ବୀକାର କରିନେବା ହିଁ ମଙ୍ଗଳକର ବୋଲି ଥିଲା ତାଙ୍କର ମତ।
ଆମଠାରେ ଈଶ୍ୱର ବିଶ୍ୱାସ ସୃଷ୍ଟି ହୋଇଛି ଏକ ପ୍ରାକୃତିକ ପ୍ରକ୍ରିୟାରେ। ତାହା କେବେ ଓ କିପରି ହେଲା ତା’ର ବିଧିବଦ୍ଧ ଇତିହାସ ନାହିଁ। ତେବେ, ଆଦିମ କାଳରେ ମଣିଷ ତା’ ଚତୁଃପାର୍ଶ୍ୱରେ ଘଟିଯାଉଥିବା ଅନେକ ଘଟଣାବଳୀର କାରଣ ଖୋଜି ନ ପାଇବାରୁ ସମ୍ଭବତଃ ତାହା ସବୁ ମୂଳରେ କୌଣସି ଅଲୌକିକ ଶକ୍ତିର ହାତ ଥିବାର ସେ ମନେ କରିବାକୁ ଲାଗିଲା ଏବଂ ତାହା ହିଁ ତା’ ମନରେ ଈଶ୍ୱର ବିଶ୍ୱାସର ବୀଜ ବପନ କଲା। ବର୍ତ୍ତମାନ ମଧ୍ୟ ତାଙ୍କ ସ୍ଥିତିକୁ ସାମଗ୍ରିକ ଭାବେ ସ୍ବୀକାର କରନ୍ତି ବିଶ୍ୱର ପ୍ରାୟ ୮୬ ଶତାଂଶ ଲୋକ। ଅବଶିଷ୍ଟ ୧୪ ଶତାଂଶ ମଧ୍ୟରୁ ୧୩ ଶତାଂଶରୁ ଅଧିକଙ୍କର ଏଥି ସମ୍ପର୍କରେ କୌଣସି ମତାମତ ନାହିଁ ଏବଂ ୦.୫ରୁ ୦.୭ ଶତାଂଶ ଲୋକ ଏହାକୁ ଅସ୍ବୀକାର କରନ୍ତି।
ଈଶ୍ୱରବିଶ୍ୱାସର ଆମ ଦେହ ଓ ମନ ଉପରେ ଅମାପ ସକାରାତ୍ମକ ପ୍ରଭାବ ଥିବାର ମତ ଦେଲେଣି ବହୁ ମନସ୍ତତ୍ତ୍ୱବିତ୍‌। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ସି.ଏସ୍‌. ଏଲିସନ୍‌ ଏବଂ ଜେ.ଏସ୍‌. ଲେଭିନ୍‌। ସେମାନେ ୧୯୯୮ରେ ”ହେଲ୍‌ଥ ଏଡୁକେଶନ ଏଣ୍ଡ ବିହେଭିୟର“ ପତ୍ରିକାରେ ପ୍ରକାଶ କରିଥିବା ତାଙ୍କର ଏକ ଅଧ୍ୟୟନର ଫଳାଫଳରେ ସୂଚିତ କରିଥିଲେ ଯେ, ଈଶ୍ୱରବିଶ୍ୱାସୀ ତଥା ଆଧ୍ୟାତ୍ମିକ ମନୋଭବ ସମ୍ପନ୍ନ ଲୋକେ ସାଧାରଣତଃ ଅଧିକ ସୁସ୍ଥ ଏବଂ ଦୀର୍ଘଜୀବୀ। ସେହିପରି ମନସ୍ତତ୍ତ୍ୱବିତ୍‌ କେ.ଏସ୍‌. ସେଇବୋଲ୍‌ ଏବଂ ପି.ସି. ହିଲ୍‌ ୨୦୦୧ଫେବୃୟାରୀ ସଂଖ୍ୟା ”କରେଣ୍ଟ ଡିରେକସନ୍‌ ଇନ୍‌ ସାଇକୋଲୋଜିକାଲ୍‌ ସାଇନ୍ସ“ରେ ଈଶ୍ୱରବିଶ୍ୱାସୀମାନଙ୍କ ଜୀବନଶୈଳୀ ଏଥିପାଇଁ ଦାୟୀ ବୋଲି ମତ ପ୍ରକାଶ କରିଛନ୍ତି। ତଦନୁଯାୟୀ, ସେମାନଙ୍କ ମଧ୍ୟରେ ମଦ୍ୟପାନ, ଧୂମପାନ ତଥା ଅନ୍ୟାନ୍ୟ ନକାରାତ୍ମକ ଜୀବନଶୈଳୀ ଅନୁସରଣ କମ୍‌ ହୋଇଥାଏ। ପୁନଶ୍ଚ ସେମାନଙ୍କ ମାନସିକଚାପ ମଧ୍ୟ କମ୍‌।
ଏହା ଉପରେ ଗଭୀରଭାବେ ଅନୁଧ୍ୟାନ କରିଥିବା ଅନ୍ୟତମ ମନସ୍ତତ୍ତ୍ୱବିତ୍‌ ହେଲେ ଆମେରିକାର କେନେଥ୍‌ ପାରଗାମେଣ୍ଟ। ସେ ୨୦୧୩ ଫେବୃୟାରୀ ସଂଖ୍ୟା ”ଓ୍ବାର୍ଲଡ୍‌ ସାଇକିଆଟ୍ର“ରେ ପ୍ରକାଶ କରିଛନ୍ତି ତାଙ୍କ ବିସ୍ତୃତ ଅଧ୍ୟୟନର ଫଳାଫଳ। ତଦନୁଯାୟୀ, ଈଶ୍ୱରବିଶ୍ୱାସୀମାନଙ୍କ କ୍ଷେତ୍ରରେ କେବଳ ମାନସିକ ଚାପ କମ୍‌ ରହେ ନାହିଁ, ସେଥିସହିତ ରକ୍ତଚାପ ନିୟନ୍ତ୍ରିତ ରହିବା ଫଳରେ ହୃଦ୍‌ରୋଗର ସମ୍ଭାବନା ମଧ୍ୟ ହ୍ରାସ ପାଏ। ସୂଚନାଯୋଗ୍ୟ ଯେ, ୧୯୯୯ରେ ଆମେରିକାରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ନିୟମିତ ଚର୍ଚ୍ଚ ଯାଉଥିବା ଲୋକେ ଅଧିକ ସୁସ୍ଥ ଏବଂ ସେମାନଙ୍କ ବଞ୍ଚି ରହିବାର ସମ୍ଭାବନା ୮୩ ବର୍ଷ ହେଲା ବେଳେ ସେଠାକୁ ନ ଯାଉଥିବା ଲୋକଙ୍କର ତାହା ୭୫ ବର୍ଷ।
ଇସ୍ରାଏଲରେ ଦୀର୍ଘ ୧୬ ବର୍ଷରୁ ଅଧିକ କାଳ ଧରି ଈଶ୍ୱର ବିଶ୍ୱାସୀ ଏବଂ ହେତୁବାଦୀଙ୍କ ଉପରେ ଅଧ୍ୟୟନ କରିଥିଲେ ଜେ.ଡି. କାର୍କ ଏବଂ ତାଙ୍କ ସହଯୋଗୀମାନେ। ଏଥିରେ ପ୍ରାୟ ୪୦୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ‘ଦ ଆମେରିକାନ ଜର୍ନାଲ ଅଫ୍‌ ପବ୍ଲିକ ହେଲ୍‌ଥ’ର ମାର୍ଚ୍ଚ ୧୯୯୬ ସଂଖ୍ୟାରେ ପ୍ରକାଶିତ ଏହାର ଫଳାଫଳରେ ସେମାନେ ଦର୍ଶାଇଥିଲେ ଯେ ଈଶ୍ୱର ବିଶ୍ୱାସୀ ଆଧ୍ୟାମତ୍ିକ ଲୋକମାନଙ୍କ ଜୀବନଶୈଳୀ ଅଧିକ ସକାରାମତ୍କ। ସେମାନଙ୍କ ଦୁଃଖ ସହ୍ୟ କରିବା ଶକ୍ତି ଅଧିକ ଏବଂ ସେମାନେ କମ୍‌ ମାନସିକ ଚାପଗ୍ରସ୍ତ। ଅପରପକ୍ଷରେ, ରୋଗୀମାନଙ୍କ ମଧ୍ୟରେ ଈଶ୍ୱର ବିଶ୍ୱାସୀ ହୋଇଥିଲେ ମଧ୍ୟ ଈଶ୍ୱର ତାଙ୍କୁ ଦଣ୍ଡ ସ୍ବରୂପ ରୋଗ ଦେଇଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କର ସେଥିଜନିତ ମୃତ୍ୟୁ ହୋଇ ୧୯ରୁ ୨୮ ଶତାଂଶ ଅଧିକ ବୋଲି ଅନ୍ୟ ଏକ ଅଧ୍ୟୟନରୁ ସୂଚନା ଦେଇଛନ୍ତି। ପାରଗାମେଣ୍ଟ ଓ ତାଙ୍କ ସହକର୍ମୀମାନେ (୨୦୦୧) ପୁନଶ୍ଚ ସେମାନଙ୍କ ମତରେ ପ୍ରାର୍ଥନା ସିଜୋଫ୍ରେନିଆ ସମେତ ବିବିଧ ମାନସିକ ବିକୃତର ଉପଶମ ଘଟାଇଥାଏ ସତ ହେଲେ ଅନ୍ୟକୁ ରୋଗମୁକ୍ତ କରିବା ଲାଗି ଏହା କରିବା ବିଶେଷ ଫଳପ୍ରଦ ନୁହେଁ।
ସୁସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଉପରେ ଈଶ୍ୱର ବିଶ୍ୱାସର ଏପ୍ରକାର ପ୍ରଭାବକୁ ‘ପ୍ଲାସେବୋପ୍ରଭାବ’ ସହିତ ତୁଳନା କରାଯାଇପାରେ ବୋଲି ମତ ଦେଇଛନ୍ତି ଚାଇନାର କେତେଜଣ ମନସ୍ତତ୍ତ୍ୱବିତ୍‌। ଏହା ଏକ ଲାଟିନ ଶବ୍ଦ, ଯାହାର ଅର୍ଥ ହେଲା ‘ଆଇ ସାଲ ପ୍ଲିଜ୍‌’ ଅର୍ଥାତ୍‌ ‘ମୁଁ ତୁମକୁ ଖୁସି କରିବି’। ଏହାକୁ ମନ ଭୁଲାଣିଆ ବା କୂଟ ଚିକିତ୍ସା ବୋଲି ମଧ୍ୟ କୁହାଯାଏ। କାରଣ, ସାଧାରଣତଃ ଏଥିରେ ବ୍ୟବହୃତ ଔଷଧ ହେଲା ଔଷଧୀୟ ଗୁଣ ନ ଥିବା ବଟିକା ବା ଇଞ୍ଜେକ୍ସନ। ବେଳେ ବେଳେ ମିଛି ମିଛିକା ଅସ୍ତ୍ର ଚିକିତ୍ସାକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଏ। ରୋଗ ଉପରେ ଏହାର ସିଧାସଳଖ ପ୍ରଭାବ କିଛି ନ ଥାଏ। ଏଣୁ ଏ ଚିକିତ୍ସାରେ ରୋଗୀଙ୍କୁ ଠକାଯାଏ ବୋଲି କହିଲେ ଚଳିବ। ତେବେ, ଏହାଦ୍ୱାରା ରୋଗ ଭଲ ହୋଇଯିବାର ବିଶ୍ୱାସ ତା’ ଠାରେ ଆସେ। ତେଣୁ ତା’ର ମନର ବଳ ବଢ଼ିଯାଏ। ଶାରୀରିକ କ୍ରିୟାପ୍ରକ୍ରିୟା ଉପରେ ଏଭଳି ମନୋଭାବର ସକାରାମତ୍କ ପ୍ରଭାବ ରହିଛି। ସେଇଥିପାଇଁ ଅଧିକାଂଶ ସମୟରେ ରୋଗୀ ସୁସ୍ଥ ଅନୁଭବ କରେ। ଉପରୋକ୍ତ ବୈଜ୍ଞାନିକମାନଙ୍କ ମତରେ ସମ୍ଭବତଃ ଈଶ୍ୱର ବିଶ୍ୱାସର ଆମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଉପରେ ଅନୁରୂପ ପ୍ରଭାବ ରହିଛି। ଏସବୁ କଥା ବିଚାରକୁ ନେଲେ ଗୋଟିଏ କଥା ସ୍ପଷ୍ଟ ହୋଇଥାଏ ଯେ ଈଶ୍ୱର ଆମ ସାଧାରଣ ମଣିଷ ପାଇଁ ଏକାନ୍ତ ଆବଶ୍ୟକ।
ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରିବିହାର, ଭୁବନେଶ୍ୱର, ମୋ:୯୯୩୭ ୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri