Categories: ବାଣିଜ୍ୟ

ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ଜାଣିହେବ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ କରିବା ଯୋଜନା ହେଉଛି। ଚାଇନା ସାମଗ୍ରୀ ଉପରେ ସୀମା ଟିକସ ବୃଦ୍ଧି କରାଯିବାକୁ ଥିବା ବେଳେ ଇ-କମର୍ସ କମ୍ପାନୀଗୁଡ଼ିକ ଲାଗି ନିୟମରେ ପରିବର୍ତ୍ତନ ହେବା ସମ୍ଭାବନା ରହିଥିବା ଜଣାପଡିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛି। ନୂଆ ନୀତି ମୁତାବକ ଇ-କସର୍ମ କମ୍ପାନୀଗୁଡିକୁ ପ୍ରଡକ୍ଟ କେଉଁଠାରେ ତିଆରି ହୋଇଛି ତା’ର ସବିଶେଷ ବିବରଣୀ ଦେବାକୁ ପଡିବ। ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ସେ ସମ୍ପର୍କରେ କମ୍ପାନୀ ତଥ୍ୟ ପ୍ରଦାନ କରିବେ।
ସରକାର ଇ-କମର୍ସ ଲାଗି ଯଦି ଏଭଳି ନୀତି ଆଣନ୍ତି ଏହା ଆତ୍ମନିର୍ଭର ଭାରତ ଯୋଜନା ଲାଗି ସହାୟକ ହେବ। ଚାଇନା ସାମଗ୍ରୀ ଭାରତ ଆସିବା କମ୍‌ କରିବା ସହ ସ୍ଥାନୀୟ ସାମଗ୍ରୀ କିଣିବାର ବିକଳ୍ପ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗତ ଆର୍ଥତ୍କ ବର୍ଷର ୧୧ ମାସରେ ଚାଇନାର ଭାରତ ସହ ବାଣିଜ୍ୟ ସରପ୍ଲସ୍‌ ବା ବଳକା ୪୭ ବିଲିୟନ ଡଲାର ରହିଛି। ଅର୍ଥାତ୍‌ ଚାଇନା ଭାରତକୁ ଅଧିକ ପରିମାଣର ସାମଗ୍ରୀ ବିକ୍ରି କରିଛି। ଭାରତ ୧୭ ବିଲିୟନ ଡଲାରର ରିଟେଲ ସାମଗ୍ରୀ ଚାଇନାରୁ ମଗାଉଛି। ଚାଇନାରୁ ଆସୁଥିବା ପ୍ରଡକ୍ଟ ମଧ୍ୟରେ ଖେଳନା, ଘରେଇ ଆସବାବପତ୍ର, ମୋବାଇଲ ଫୋନ, ଇଲେକ୍‌ଟ୍ରିକ ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଏବଂ ପ୍ରସାଧନ ସାମଗ୍ରୀର ଅଂଶ ଅଧିକ ରହିଛି। ଏହାର ବିକଳ୍ପ ଭାବେ ଭାରତୀୟ ପ୍ରଡକ୍ଟର ବ୍ୟବହାର କରାଯାଇ ପାରିବ।
ଭାରତର ମୋଟ ଆମଦାନୀ କ୍ଷେତ୍ରରେ ଚାଇନାର ଅଂଶ ୧୪% ରହିଛି। ଏପ୍ରିଲ ୨୦୧୯ ଠାରୁ ୨୦୨୦ ଫେବୃୟାରୀ ମଧ୍ୟରେ ଭାରତ ଚାଇନାଠାରୁ ୪.୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ମଗାଇଛି। ଏହି ସମୟରେ ଚାଇନା ଭାରତରୁ ୧.୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ନେଇଛି। ଚାଇନା ଭାରତକୁ ଘଣ୍ଟା, ମ୍ୟୁଜିକାଲ ଉପକରଣ, ଖେଳନା, ଖେଳ ସରଞ୍ଜାମ, ଫର୍ନିଚର, ମ୍ୟାଟ୍ରେସ, ପ୍ଲାଷ୍ଟିକ, ଇଲେକ୍‌ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ସ, ମେଶିନାରି, କେମିକାଲ, ଆଇରନ, ଷ୍ଟିଲ, ସାର, ମେଟାଲ ଭଳି ବିଭିନ୍ନ ବର୍ଗରେ ସାମଗ୍ରୀ ମଗାଉଛି।

Share