Categories: ବାଣିଜ୍ୟ

ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦ ଦେଶ ବିଶିଷ୍ଟ ଆସିଆନ ଦେଶ ଭାରତ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି(ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ ବା ଏଫ୍‌ଟିଏ)ର ସମୀକ୍ଷା ଲାଗି ରାଜି ହୋଇଛନ୍ତି। ଏଫ୍‌ଟିଏକୁ ନେଇ ଭାରତ ସହ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଆସିଆନ ଦେଶ ଆଗ୍ରହ ଦେଖାଇଛନ୍ତି।
ଏଫ୍‌ଟିଏ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଭାରତ କ୍ରମାଗତ ଆସିଆନ ଦେଶକୁ ମନାଇବାକୁ ଚେଷ୍ଟା କରୁଥିଲା। ବର୍ତ୍ତମାନର ଏଫ୍‌ଟିଏରେ ଚୁକ୍ତିର ସମୀକ୍ଷା କରିବା ଅଥବା ଏଥିରୁ ବାହାରି ଆସିବା ଲାଗି କୌଣସି ବ୍ୟବସ୍ଥା ବା ଧାରା ଉଲ୍ଲେଖ କରାଯାଇନାହିଁ। ଆକଳନ ମୁତାବକ ଆସିଆନ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ସେମାନଙ୍କ ସହ ଭାରତର ବାଣିଜ୍ୟ ନିଅଣ୍ଟ ୨୫୦ ପ୍ରତିଶତ ବଢ଼ିଯାଇଛି। ଉପା ଶାସନ କାଳରେ ୨୦୧୦ ଜାନୁୟାରୀରେ ଆସିଆନ ଦେଶ ସହ ଭାରତର ଏଫ୍‌ଟିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।
ନୀତି ଆୟୋଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆସିଆନ ଦେଶ ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୨୦୧୧ରୁ ୨୦୧୭ ମଧ୍ୟରେ ଦୁଇଗୁଣା ବୃଦ୍ଧି ପାଇ ୧୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ୨୦୧୧ରେ ଏହା ୫ ବିଲିୟନ ଡଲାର ଥିଲା। ଏହି ତୁଳନାରେ ଆସିଆନ ଦେଶଗୁଡ଼ିକର ପ୍ରାରମ୍ଭିକ ତଥ୍ୟ କହୁଛି ଯେ, ୨୦୧୮ରେ ଭାରତ ସହିତ ଆସିଆନ ଦେଶଗୁଡ଼ିକର ଦ୍ୱିପାକ୍ଷିକ ବାଣିଜ୍ୟ ୯.୮% ବୃଦ୍ଧି ପାଇ ୮୦.୮ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଉଦ୍ୟୋଗ ସଂଗଠନ ଆସୋଚାମ ପକ୍ଷରୁ ଜୁଲାଇରେ ଜାରି ଏକ ସର୍ଭେରେ ଚେତାବନୀ ଦେଇ କୁହାଯାଇଛି ଯେ, ଆସିଆନ ଦେଶଗୁଡ଼ିକୁ ଭାରତରୁ ରପ୍ତାନି ୨୦୦୫-୦୬ର ୧୦.୪୧ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୧୫-୧୬ରେ ୨୫.୨୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ତେବେ ଏହି ଅବଧିରେ ଆମଦାନୀ ୪ଗୁଣା ବଢ଼ି ୩୯.୮୪ ବିଲିୟନ ଡଲାର ହୋଇଛି। ବ୍ୟାଙ୍କକ୍‌ରେ ଚଳିତ ସପ୍ତାହରେ ଆୟୋଜିତ ଆସିଆନ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପରାମର୍ଶ ବୈଠକ ପରେ ଯୁଗ୍ମ ରୂପରେ ଏକ ବୟାନ ଜାରି କରାଯାଇଥିଲା। ଏଫ୍‌ଟିଏ ଚୁକ୍ତିର ସମୀକ୍ଷା କିଭଳି ଭାବେ ହେବ ସେ ସମ୍ପର୍କରେ ଆସନ୍ତା ବୈଠକରେ ଉପସ୍ଥାପନ କରାଯିବ। ସୂଚନାଥାଉ କି, ଆସିଆନ ଦେଶଗୁଡ଼ିକ ସହ ଭାରତର ଏଫ୍‌ଟିଏର ସମୀକ୍ଷା ପାଇଁ ଭାଜପାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ଏହାର ସହଯୋଗୀ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ଏହି ଚୁକ୍ତିର ସମୀକ୍ଷା କରାଯିବା ଦ୍ୱାରା ଦେଶର ରପ୍ତାନିକାରୀଙ୍କୁ ଫାଇଦା ମିଳିବ ଏବଂ ଅନ୍ୟ ଦେଶରୁ ଆମଦାନୀ କମିବ।

Share