ଆମ ଉଚ୍ଚ ଶିକ୍ଷା: ନୂତନ ଲକ୍ଷ୍ୟ

ଡ. ରମେଶ ଚନ୍ଦ୍ର ପରିଡ଼ା
କୌଣସି ଦେଶର ସର୍ବାଙ୍ଗୀଣ ପ୍ରଗତି କେବଳ ତା’ର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ସାଧିତ ହୁଏ ନାହିଁ। ତାହାକୁ ନିରନ୍ତର ଏବଂ ସହନୀୟ କରିବା ଲାଗି ଉଚ୍ଚଶିକ୍ଷାର ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଆମ ଦେଶ ଖୁବ୍‌ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ଗୌରବ ହାସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କଲାବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ବେଶ୍‌ ପଛୁଆ ରହିଥିବା ପ୍ରକୃତରେ ଚିନ୍ତାଜନକ। ଏଠାରେ କଲେଜ ଯିବା ବୟସର (୧୮ରୁ ୨୩ ବର୍ଷ) ମାତ୍ର ୨୫.୮ ଶତାଂଶ ଯୁବତୀ-ଯୁବକ ଏଥିପାଇଁ ନାମ ଲେଖାଇଥାନ୍ତି। (ପୁରୁଷ-୨୬.୩% ଓ ନାରୀ-୨୫.୪%)। ସଂଖ୍ୟା ଦୃଷ୍ଟିରୁ ଏହା ୩୬.୬ ନିୟୁତ (ପୁରୁଷ-୧୯.୨ ନିୟୁତ ଏବଂ ନାରୀ-୧୭.୪ ନିୟୁତ)। ଅବଶ୍ୟ, ଦଶବର୍ଷ ତଳକୁ ଦୃଷ୍ଟି ଦେଲେ ଏହା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଜଣାଯାଏ- ୨୦୦୭ ମସିହା ବେଳକୁ ମାତ୍ର ୧୨.୪%। ଏପରିସ୍ଥଳେ, ଏ କ୍ଷେତ୍ରରେ ଆମର ଅନେକ ଅଗ୍ରଗତି ଘଟିଛି ବୋଲି କୁହାଯାଇପାରିବ। ତେବେ ଆମେରିକା, ରୁଷିଆ, ବ୍ରାଜିଲ ଓ ଚାଇନାରେ ଉଚ୍ଚଶିକ୍ଷାପ୍ରାପ୍ତ ଲୋକ ହେଲେ ଯଥାକ୍ରମେ ୮୫.୮%, ୮୧.୮%, ୫୦.୫% ଏବଂ ୫୦%। ଅତଏବ ସେମାନଙ୍କ ସହ ତୁଳନା କଲେ ଆମେ ଏବେବି ବେଶ୍‌ ପଛୁଆ। ଯାହାହେଉ, ସୁଖର କଥା ଯେ, ଏହା ଉପଲବ୍ଧି କରି ୨୦୨୪ ସୁଦ୍ଧା ଏହାକୁ ୪୦%କୁ ବୃଦ୍ଧି କରିବା ଲାଗି ନିକଟରେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ଆମ ସରକାର। ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆଗାମୀ ୫ ବର୍ଷ ପାଇଁ ୩୦,୩୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରିଛି। ଏହି କାର୍ଯ୍ୟକ୍ରମର ଏକ ପରିକଳ୍ପନା ଚିଠା ପ୍ରସ୍ତୁତ କରିଛନ୍ତି ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ହସ୍‌ମୁଖ ଆଧିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୦ ଜଣିଆ ବିଶେଷଜ୍ଞ ଦଳ। ଏହାକୁ କୁହାଯାଉଛି-The Education Quality upgradation and Inclusion Programme: Five year vision plan 2019-2024।
ଏହି ଚିଠା ପରିଯୋଜନାରେ ସୂଚିତ କରାଯାଇଛି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଆମ ଦେଶରେ ରହିଛି ବହୁ ଆଞ୍ଚଳିକ ଓ ସାମାଜିକ ବୈଷମ୍ୟ। ଅତଏବ ତହିଁରେ ସଂରକ୍ଷିତ ଜାତି ଓ ଉପଜାତିର ଯୋଗଦାନ ଯଥାକ୍ରମେ ମାତ୍ର ୨୧.୮ ଓ ୧୫.୯ ଶତାଂଶ (୨୦୦୭ରେ ତାହା ଥିଲା ୯.୪% ଏବଂ ୭.୫%)। ସେହିପରି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଯଥେଷ୍ଟ କମ୍‌। ଏହି ବୈଷମ୍ୟ ଦୂର କରିବା ଲାଗି ଉପରୋକ୍ତ ପରିଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ପଦକ୍ଷେପଗୁଡିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଲା- (୧) ଉଚ୍ଚଶିକ୍ଷା ଲାଗି ଯଥେଷ୍ଟ ସୁବିଧା ନ ଥିବା ଅଞ୍ଚଳର ୧୬ ଲକ୍ଷ ଛାତ୍ରୀଛାତ୍ରଙ୍କ ରହିବା ପାଇଁ ଖୋଲାଯିବ ୮୦୦୦ ହଷ୍ଟେଲ। ଦୁର୍ବଳ ସାମାଜିକ ତଥା ଅର୍ଥନୈତିକ ପୃଷ୍ଠଭୂମି ଥିବା ପିଲାମାନଙ୍କୁ ଏଥିରେ ରହିବା ପାଇଁ ଆବଶ୍ୟକ ଖର୍ଚ୍ଚକୁ ବୃତ୍ତି ଆକାରରେ ପ୍ରଦାନ କରାଯିବ। ଏ ଦିଗରେ ୧୯,୨୦୦ କୋଟି ଟଙ୍କା ବ୍ୟୟ ହେବାର ଅଟକଳ କରାଯାଇଛି। (୨) ଉଚ୍ଚଶିକ୍ଷାରେ ନାମ ଲେଖାଇବା ଆଗରୁ ସେଥିପାଇଁ ଯୋଗ୍ୟତା ଅର୍ଜନ ଲାଗି ପ୍ରତିବର୍ଷ ପ୍ରାୟ ୫ଲକ୍ଷ ସଂରକ୍ଷିତ ଜାତି ଓ ଉପଜାତିର ପିଲାମାନଙ୍କୁ ଭାଷା ଓ ଗଣିତରେ ଏକ ‘ବ୍ରିଜ୍‌ କୋର୍ସ’ ପ୍ରଦାନ କରାଯିବ। ପଛୁଆ ଅଞ୍ଚଳଗୁଡ଼ିକରେ ଥିବା ଡିଗ୍ରୀ କଲେଜରେ ଏଥିପାଇଁ ବ୍ୟବସ୍ଥା ରହିବ ଏବଂ ତାହା ନ ଥିଲେ ସେଥିପାଇଁ ସେଠାରେ ନୂଆ ଅନୁଷ୍ଠାନ ଖୋଲାଯିବ। ଏଥିରେ ବ୍ୟୟ କରାଯିବ ୧୦୦୦ କୋଟି ଟଙ୍କା। (୩) ମୁକ୍ତ ଓ ଦୂର ଶିକ୍ଷାକୁ ଉତ୍ସାହିତ କରାଯିବ। ଏଥିରେ ଶିକ୍ଷା ଲାଭ କରିବା ପାଇଁ ସଂରକ୍ଷିତ ଜାତି ଓ ଉପଜାତିର ଛାତ୍ରୀଛାତ୍ରଙ୍କୁ ନାମଲେଖା ସମୟରେ ଦେୟର ୫୦% ଏବଂ ପାସ୍‌ କରିସାରିଲା ପରେ ଅବଶିଷ୍ଟ ୫୦% ପ୍ରଦାନ କରାଯିବ। ପୁନଶ୍ଚ ଏହିସବୁ ଅନୁଷ୍ଠାନକୁ ଅନୁଦାନ ରୂପେ ପ୍ରଦାନ କରାଯିବ ଏହାର ୧୦%। ଏ ଉଭୟ ପାଇଁ ଯଥାକ୍ରମେ ୬୦୦୦ କୋଟି ଏବଂ ୬୦୦ କୋଟି ଟଙ୍କାର ବ୍ୟବସ୍ଥା ହେବ। ଏହା ବ୍ୟତୀତ ଅଣବିକଶିତ ବ୍ଲକ୍‌ ବା ଜିଲାଗୁଡ଼ିକରେ ୨୫୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ଏ ଶିକ୍ଷା ପ୍ରଦାନ ପାଇଁ ୫୦୦୦ଟି ନୂତନ ଶିକ୍ଷାକେନ୍ଦ୍ର। ଏଥିପାଇଁ ୩୫୦୦ଟି ବ୍ଲକ୍‌ ଏବଂ ୧୧ଟି ଜିଲା ଚିହ୍ନଟ କରାଯାଇଛି। ଏଠାରେ ନୂତନ କଲେଜମାନ ଖୋଲାଯିବ, ନଚେତ୍‌ ସେଠାର ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡିକୁ ବାର୍ଷିକ ୧୦ଲକ୍ଷ ଲେଖାଏ ଟଙ୍କା ଦିଆଯାଇ ଏ ବ୍ୟବସ୍ଥା କରାଯିବ। (୪) ଭୌଗୋଳିକ ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ଥିବା କଲେଜଗୁଡିକୁ ବୈଷୟିକ କଲେଜକୁ ଉନ୍ନୀତ କରାଯିବ। ଏ ପ୍ରତ୍ୟେକରେ ପ୍ରତିବର୍ଷ ୨୦୦ ଲେଖାଏ ଛାତ୍ରୀଛାତ୍ରଙ୍କ ଅଧ୍ୟୟନର ବ୍ୟବସ୍ଥା ରହିବ। ଏଥିପାଇଁ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା।
ତେବେ ଉଚ୍ଚଶିକ୍ଷାର ଏ ପ୍ରକାର ପରିମାଣାତ୍ମକ ସମ୍ପ୍ରସାରଣ ଯଥେଷ୍ଟ ହେବ ନାହିଁ। ସେଥିପାଇଁ ଲୋଡା ଏହାର ଗୁଣାତ୍ମକ ବିକାଶ। ସାରା ବିଶ୍ୱରେ ଏ କ୍ଷେତ୍ରରେ ଆମ ଦେଶ ବେଶ୍‌ ପଛୁଆ। ସେଇଥିପାଇଁ ଏହାର ୨୦୦ଟି ଶ୍ରେଷ୍ଠ ଉଚ୍ଚଶିକ୍ଷା ଅନୁଷ୍ଠାନ ମଧ୍ୟରେ ରହିଛି ଆମ ଦେଶର ମାତ୍ର ୩ଟି- ମୁମ୍ବାଇସ୍ଥିତ ଆଇଆଇଟି (୧୫୨ତମ ସ୍ଥାନ), ଦିଲ୍ଲୀସ୍ଥିତ ଆଇଆଇଟି (୧୮୭ତମ ସ୍ଥାନ) ଏବଂ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (୧୮୪ତମ ସ୍ଥାନ)। ଏହି ସ୍ଥାନ ନିର୍ଦ୍ଧାରଣ ପାଇଁ ଯେଉଁ କେତୋଟି ପରିମାପକ ବିଚାରକୁ ନିଆଯାଏ ତହିଁରୁ ପ୍ରମୁଖଗୁଡିକ ହେଲେ: ଏଥିରୁ ବାହାରୁଥିବା ସ୍ନାତକମାନଙ୍କୁ ଚାକିରି ଦେଉଥିବା କମ୍ପାନୀଗୁଡିକର ମାନ୍ୟତା। ଗବେଷଣାରେ ଉତ୍କର୍ଷ ହାସଲ। ଶିକ୍ଷା ପ୍ରଦାନରେ ମାନ୍ୟତା। ଉଚ୍ଚ ଡିଗ୍ରୀଧାରୀ ଶିକ୍ଷକ-ଛାତ୍ର ଅନୁପାତ ଏବଂ ଆନ୍ତର୍ଜାତିକ ଶିକ୍ଷକ ଓ ଛାତ୍ର ସଂଖ୍ୟା। ଆମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମୁମ୍ବାଇସ୍ଥିତ ଆଇଆଇଟି କଥା ବିଚାରକୁ ନେଲେ ଜଣାଯାଏ ଯେ, ପ୍ରତିବର୍ଷ ଏହାର ପ୍ରାୟ ସମସ୍ତ ଛାତ୍ରୀଛାତ୍ର ନାମଜାଦା ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀରେ ଚାକିରି କିମ୍ବା ଅନୁରୂପ ମର୍ଯ୍ୟାଦାଜନକ ପ୍ରତିଷ୍ଠାନରେ ଉଚ୍ଚତର ଅଧ୍ୟୟନ ବା ଗବେଷଣାର ସୁଯୋଗ ପାଇଥାନ୍ତି। ଅନ୍ୟପକ୍ଷରେ ଏଠାରେ ଗବେଷଣାରତ ଅଛନ୍ତି ୩୦୦୦ରୁ ଅଧିକ ଗବେଷକ ଏବଂ ସେମାନେ ପ୍ରକାଶ କରନ୍ତି ଉଚ୍ଚକୋଟୀର ଗବେଷଣାପତ୍ର (୨୦୧୭-୨୦୧୮ରେ ୯୭୮୧ଟି ଏବଂ ୨୦୧୮-୨୦୧୯ରେ ୧୦,୬୯୯ଟି)। ସେହିପରି ଏହି ପ୍ରତିଷ୍ଠାନର ଗବେଷକଙ୍କ ଦ୍ୱାରା ପ୍ରକାଶିତ ଗବେଷଣାପତ୍ର ସମ୍ପର୍କରେ ବିଗତ ବର୍ଷ ୪୫,୧୧୮ଟି ଦେଶବିଦେଶର ଗବେଷକଙ୍କ ଗବେଷଣାପତ୍ରରେ ସୂଚିତ କରାଯାଇଥିଲା। ଚଳିତବର୍ଷ ତାହା ବୃଦ୍ଧିପାଇଛି ୫୬,୫୮୫କୁ। ତେବେ, ଏଠାରେ ଶିକ୍ଷକ-ଛାତ୍ର ଅନୁପାତ ଆବଶ୍ୟକ ମୁତାବକ ନାହିଁ। ଆମ ଦେଶର ପ୍ରାୟ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନର ବ୍ୟବସ୍ଥା ଆହୁରି ଦୟନୀୟ। ପୁନଶ୍ଚ ଏଠାରେ ଆନ୍ତର୍ଜାତିକ ଶିକ୍ଷକ ଓ ଛାତ୍ର ସଂଖ୍ୟା ମଧ୍ୟ ଯଥେଷ୍ଟ ନୁହେଁ। ମୁଖ୍ୟତଃ ଏହି ଦୁଇଟି କାରଣରୁ ଏହାର ସ୍ଥାନ ଏତେ ପଛରେ ରହିଛି।
ବର୍ତ୍ତମାନ ପ୍ରସ୍ତୁତ କରାଯାଇଥିବା ଚିଠା-ପରିଯୋଜନାରେ ଏଥିପ୍ରତି ଜୋର୍‌ ଦିଆଯାଇଛି। ତଦନୁଯାୟୀ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକୁ ନ୍ୟାଶନାଲ ଆସେସ୍‌ମେଣ୍ଟ ଏଣ୍ଡ୍‌ ଆକ୍ରେଡେଶନ୍‌ କାଉନ୍‌ସିଲ (ନାକ୍‌) କିମ୍ବା ନ୍ୟାଶ୍‌ନାଲ ବୋର୍ଡ ଅଫ୍‌ ଆକ୍ରେଡେଶନ୍‌ (ଏନ୍‌ବିଏ)ଠାରୁ ସ୍ବୀକୃତି ହାସଲ କରିବାକୁ ନିର୍ଦ୍ଦେଶ ଦିଆଯିବ। ବର୍ତ୍ତମାନ ଆମ ଦେଶରେ ଥିବା ପ୍ରାୟ ୪୨୦୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଏକକ ଅନୁଷ୍ଠାନ ମଧ୍ୟରୁ ପ୍ରାୟ ୮୭୦୦ ଓ ୧୫୦୦୦ରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରାୟ ୩୦୫୦, ଅର୍ଥାତ୍‌ ମାତ୍ର ୨୦ ପ୍ରତିଶତ ଯଥାକ୍ରମେ ‘ନାକ୍‌’ ଏବଂ ‘ଏନ୍‌ବିଏ’ଠାରୁ ଏହା ପ୍ରାପ୍ତ ହୋଇଛନ୍ତି। ତେବେ, ୨୦୨୪ ମସିହା ସୁଦ୍ଧା ଏହାକୁ ୮୦%କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ବ୍ୟୟ କରାଯିବ ୧୦୧୭କୋଟି ଟଙ୍କା। ପୁନଶ୍ଚ ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ଉନ୍ନତ ଆନ୍ତର୍ଜାତିକ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଶିକ୍ଷକ ବିନିମୟ ଲାଗି ଆମ ବଜେଟ୍‌ରେ ‘ଷ୍ଟଡି ଇନ୍‌ ଇଣ୍ଡିଆ ପ୍ରୋଗ୍ରାମ୍‌’ ନାମକ ଯୋଜନା ରଖାଯାଇଛି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷାକୁ ରୁଦ୍ଧିମନ୍ତ କରିବା ଦିଗରେ ଅର୍ଥ ତଥାପି ଏକ ପ୍ରତିବନ୍ଧକ। ଏଥିପାଇଁ ଚଳିତ ବଜେଟ୍‌ରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା କୁହାଯାଉଛି। କାରଣ ଏବେ ଏଥିଲାଗି ବ୍ୟୟ କରାଯାଉଛି ଆମ ପୂର୍ଣ୍ଣ ଘରୋଇ ଉତ୍ପାଦ ବା ଜିଡିପିର ମାତ୍ର ୩.୮ ପ୍ରତିଶତ, ଯାହାକି ଇଂଲଣ୍ଡ, ଫ୍ରାନ୍ସ ଏବଂ କାନାଡା ଭଳି ଦେଶରେ ଯଥାକ୍ରମେ ୫.୫, ୫.୫ ଏବଂ ୫.୩। ଏପରିସ୍ଥଳେ, ଆମ ଦେଶରେ ସାମଗ୍ରିକ ଭାବେ ଶିକ୍ଷା ବ୍ୟବସ୍ଥା ଏବଂ ନିର୍ଦ୍ଦିଷ୍ଟ ଭାବେ ଉଚ୍ଚଶିକ୍ଷାକୁ ବ୍ୟାପକ ତଥା ଉନ୍ନତ କରିବାକୁ ହେଲେ କେବଳ କେତୋଟି ଲକ୍ଷ୍ୟ ଧାର୍ଯ୍ୟ କରିଦେଲେ ଚଳିବନି, ସେଥି ସଙ୍ଗେ ସଙ୍ଗେ ତାହା ହାସଲ କରିବାକୁ ଅଧିକ ଅର୍ଥ ବ୍ୟବସ୍ଥା ଓ ନିଷ୍ଠାପର ପଦକ୍ଷେପ ମଧ୍ୟ ନିଆଯିବା ଦରକାର।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri