Posted inଜାତୀୟ

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ ଦିନ। ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପୁଣି ଲେଖାହେବ ଆଉ ଗୋଟିଏ ବର୍ଷର ଇତିହାସ, ଯାହା କାଳ କାଳ ଲାଗି ପଢ଼ାହେବ ରାଜନୀତିର ପାଠଶାଳା ଆଉ ପ୍ରୟୋଗଶାଳାରେ। ଭାରତ କଥା ଦେଖିଲେ ଜାତୀୟ ରାଜନୀତି ପାଇଁ ବିଦାୟୀ ବର୍ଷ ଯେତିକି ଘଟଣାବହୁଳ ଥିଲା, ସେତିକି ଗୁରୁତ୍ୱପୂର୍ଣ୍ଣ ଓ ବିବାଦୀୟ ମଧ୍ୟ ଥିଲା। ୨୦୧୯ରେ ନବପ୍ରଣୀତ ଜାତୀୟ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ, ପୁଣି ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ପରେ ଦେଶବ୍ୟାପୀ ଏହାକୁ ପ୍ରୟୋଗ ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏନ୍‌ଆର୍‌ସିକୁ ନେଇ ବେଳେବେଳେ ଭିନ୍ନ ଭିନ୍ନ କଥା କହୁଛନ୍ତି। ତେବେ ଏହି ସିଏଏ, ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିକୁ ଧରି ପ୍ରାୟ ମାସେ ହେବ ଦେଶ ଅଶାନ୍ତ ରହିଛି, ଯାହାର ଅଡ଼ୁଆ ନୂଆବର୍ଷରେ ବି ଲାଗିରହିବ। ଏହାସହ ୩୭୦ ଉଚ୍ଛେଦ ପରବର୍ତ୍ତୀ କଶ୍ମୀରରେ ସ୍ଥିତି ସୁଧାରିବା ତଥା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭଳି ପୁରୁଣା ବର୍ଷର ଅନେକ ଯୋଜନାର ରୂପାୟନ ଓ ପ୍ରଣୟନ ହୋଇଥିବା ଆଇନକୁ କାର୍ଯ୍ୟକାରୀ କରାଇବା ମୋଦି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ୍ୟବକ୍ତ କରୁଛନ୍ତି।

ନାଗରିକତ୍ୱ ବିବାଦ
ସିଏଏକୁ ନେଇ ବିବାଦ ଆଜିର ନୁହେଁ, ଯଦିଓ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି)କୁ ନେଇ ବିବାଦ, ବିଦ୍ରୋହ ଡିସେମ୍ବର ୧୨ରେ ଏହା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉଗ୍ରରୂପ ଧାରଣ କରିଛି। ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ସଂଖ୍ୟାଲଘୁ (ମୁସଲମାନମାନଙ୍କୁ ଛାଡ଼ି) ଭାରତରେ ନାଗରିକତ୍ୱ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ସିଏଏକୁ ନେଇ ଦେଶର ବିଭିନ୍ନ ଭାଗରେ ବିକ୍ଷୋଭ ଓ ଆନ୍ଦୋଳନ ଲାଗିରହିଛି। ଏହା ନ ଥମୁଣୁ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା ସାରା ଦେଶରେ ରହୁଥିବା ବାସିନ୍ଦାଙ୍କ ଏକ ରେଜିଷ୍ଟାର ହେବ। ଏଥିରୁ ଦେଶର ବାସିନ୍ଦାଙ୍କ ସଂଖ୍ୟା ଓ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ସମ୍ପର୍କରେ ଜାଣିହେବ। ଉକ୍ତ ତଥ୍ୟଗୁଡ଼ିକୁ କେନ୍ଦ୍ର ସରକାର ଏନ୍‌ଆର୍‌ସି ପ୍ରସ୍ତୁତ କରିବାରେ ବ୍ୟବହାର କରିବେ ବୋଲି ବିରୋଧୀ ଦଳଗୁଡ଼ିକ ଏହାକୁ ମଧ୍ୟ ବିରୋଧ କରୁଛନ୍ତି।
ଅଯୋଧ୍ୟା
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବା ନିମନ୍ତେ ସୁପ୍ରିମକୋର୍ଟ ନଭେମ୍ବର ମାସରେ ପଥ ପରିଷ୍କାର କରିଛନ୍ତି। ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୁସଲିମ୍‌ ପକ୍ଷଙ୍କୁ ମସ୍‌ଜିଦ ପାଇଁ ୫ ଏକର ନିର୍ବିବାଦୀୟ ଜମି ଉପଯୁକ୍ତ ସ୍ଥାନରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହାକୁ ବିରୋଧ କରି କେତେକ ମୁସଲିମ୍‌ ସଙ୍ଗଠନ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଟ୍ରଷ୍ଟରେ ରହିବା ପାଇଁ ସାଧୁସନ୍ଥମାନଙ୍କ ମଧ୍ୟରେ ବିବାଦ ଅଡ଼ୁଆ ବଢ଼ାଇପାରେ ା ମନ୍ଦିର ନିର୍ମାଣ ଭାଜପାର ହିନ୍ଦୁତ୍ୱବାଦୀ ଏଜେଣ୍ଡା ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଥିବାବେଳେ ନୂଆବର୍ଷରେ ମନ୍ଦିର ନିର୍ମାଣ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
କଶ୍ମୀର
ଅଗଷ୍ଟ ୧୫ରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରିବା ସହ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ହଟାଇଦେଇଥିଲେ। ଆତଙ୍କବାଦୀଙ୍କ ସର୍ବାଧିକ ପ୍ରଭାବ ରହିଥିବା ଦେଶର ଏହି ସୀମାନ୍ତ ରାଜ୍ୟରେ ୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତିରେ ସୁଧାର ଆଣିବା ପାଇଁ ଯବାନମାନେ ପ୍ରୟାସ ଜାରି ରଖିଛନ୍ତି। ହେଲେ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ପାଇଁ ନିଜ ଉଦ୍ୟମରୁ ଓହରିନାହିଁ ପାକିସ୍ତାନ। ଏସବୁ ମଧ୍ୟରେ କଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରାଇ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
ଅର୍ଥନୀତି
ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଲାଗୁ ପରଠୁ ନଇଁପଡ଼ିଥିବା ଦେଶର ଅର୍ଥନୀତିକୁ ସଜାଡ଼ି ବିରୋଧୀଙ୍କ ମୁହଁ ବନ୍ଦ କରିବା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପାଇଁ ନୂଆବର୍ଷରେ ସବୁଠୁ ବଡ଼ ଆହ୍ବାନ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ରମଶଃ ନିମ୍ନଗାମୀ ହେଉଛି। ବର୍ତ୍ତମାନ ଏହା ୪.୫% ରହିଛି, ଯାହାକି ୬ ବର୍ଷରେ ସର୍ବନିମ୍ନ। ଜିଡିପି ସହ ଅଭିବୃଦ୍ଧି ହାର ବଢ଼ାଇବା ଜରୁରୀ ହୋଇପଡ଼ିଛି। ଡଲାର ତୁଳନାରେ ମୁଦ୍ରାର ବିନିମୟ ମୂଲ୍ୟ କମିବାରେ ଲାଗିଛି। ଏବେ ଏକ ଡଲାର ସମାନ ଟ ୭୧.୩୬ ପଇସା ଭାରତୀୟ ମୁଦ୍ରା। ଏହାକୁ ବାଟକୁ ଆଣିବା ସହ ଚାହିଦା ବଢ଼ାଇବା, ଉଭୟ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଉପରେ ଜୋର ଦିଆଯିବା ଆବଶ୍ୟକ। ନିଯୁକ୍ତି ସଙ୍କଟ ଦେଶରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ବେକାରି ହାର ୪୫ ବର୍ଷର ସୀମା ଟପିଛି। ଶିଳ୍ପ ଉତ୍ପାଦନ ଲଗାତର ହ୍ରାସ ପାଉଛି। ନଭେମ୍ବରରେ ଏହା ୧.୫% କମିଥିଲା ବୋଲି ଏବେ ଜଣାପଡ଼ିଛି। ଏସବୁ ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୁଣି ଆଣିବାକୁ ଯାଉଛନ୍ତି ନୂଆ ଆର୍ଥିକବର୍ଷର ବଜେଟ। ବଜେଟରେ କାହାକୁ କେମିତି ଖୁସ୍‌ କରିବେ ସେନେଇ କସରତ ଆରମ୍ଭ କରିଦେଇଛନ୍ତି ଉଭୟ ସୀତାରାମନ ଓ ମୋଦି ଫେବୃୟାରୀ ୧ରେ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରାଯିବା ପରେ ଜଣାପଡ଼ିବ ଦେଶର ଆର୍ଥିକ ଗତି କେଉଁ ଆଡ଼କୁ।
ଦରଦାମ ବୃଦ୍ଧି
ତୈଳ ଦର ଆକାଶଛୁଆଁ ହେବା ପରେ ପରିବହନ ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଏଥିଯୋଗୁ ସାମଗ୍ରୀଗୁଡ଼ିକର ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ। ଜିଏସ୍‌ଟି ଲାଗୁ ହେବା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଲୋକେ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଚାହିଦା ଓ ଆବଶ୍ୟକତାରେ ସନ୍ତୁଳନ ରକ୍ଷାକରି ଦରଦାମକୁ ସ୍ଥିର କରିବା ସରକାରଙ୍କ ଅର୍ଥନୀତିଜ୍ଞମାନଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି।
ବଳାତ୍କାର
ବିଦାୟୀ ବର୍ଷରେ ମହିଳା ବିରୋଧୀ ହିଂସାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଆସିଛନ୍ତି ବିଭିନ୍ନ ଦଳର ନେତା। ରାଜ୍ୟରେ ଆଇନଶୃଙ୍ଖଳା ରାଜ୍ୟ ସରକାରଙ୍କ ପରିସରଭୁକ୍ତ ହୋଇଥିଲେ ହେଁ ଅପହରଣ, ବଳାତ୍କାର, ବର୍ବରତା ପରେ ହତ୍ୟା ଭଳି ମହିଳା ବିରୋଧୀ ହିଂସାକୁ ନୂଆ ଆଇନ ବଳରେ ରୋକିବା କେନ୍ଦ୍ରର ମଧ୍ୟ ଦାୟିତ୍ୱ ହେବ। କାରଣ ଏହାକୁ ନେଇ ଦେଶ ବଦନାମ ହେଉଛି। ଏଥିପାଇଁ ସବୁଠୁ ବେଶି ଦାୟୀ ଉତ୍ତରପ୍ରଦେଶ, ଯେଉଁଠି ରହିଛି ଦେଶର ସର୍ବାଧିକ ୮୦ ଲୋକ ସଭା ଆସନ। ଏଠି ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଉନ୍ନାଓଠୁ ନେଇ ରାଜ୍ୟର ବିଭିନ୍ନ ଭାଗରେ ବଳାତ୍କାରକୁ ନେଇ ସମାଲୋଚନାର ଶିକାର ହୋଇଆସିଛନ୍ତି।
ନିର୍ବାଚନ
ଦିଲ୍ଲୀ ବିଧାନସଭାର ବିଗତ ନିର୍ବାଚନରେ ଭାଜପାକୁ ମୋଟ ୭୦ ଆସନ ମଧ୍ୟରୁ ମାତ୍ର ୩ ନିର୍ବାଚନମଣ୍ଡଳୀରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୬୭ ଆସନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଠନ କରିଥିଲା। ଇତିମଧ୍ୟରେ ଦିଲ୍ଲୀ ମହାନଗର ନିଗମ ଓ ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଉନ୍ନତ ହୋଇଛି। ଆସନ୍ତା ଫେବୃୟାରୀ ୨୨ରେ ବିଧାନସଭା ଅବଧି ଶେଷ ହେବାକୁ ଯାଉଥିବାବେଳେ ତା’ ପୂର୍ବରୁ ପୁଣିଥରେ ମୁହଁାମୁହଁ ହେବେ କେଜ୍‌ରିଓ୍ବାଲ ଏବଂ ମୋଦିଙ୍କ ସହ ତାଙ୍କର କ୍ୟାବିନେଟ ସହଯୋଗୀ ଓ ଭାଜପାର ବରିଷ୍ଠ ନେତାମାନେ। ଏହି ନିର୍ବାଚନ ସ୍ଥିର କରିବ ଦିଲ୍ଲୀ ରାଜନୀତିର ଅସଲ ବାଦ୍‌ଶାହା ମୋଦି ନା କେଜ୍‌ରିଓ୍ବାଲ। ତେଣୁ ଲଗାତର ୫ଟି ବିଧାନସଭା ହାତରୁ ଖସିଯିବା ପରେ ଭାଜପା ଚାଣକ୍ୟ ଶାହା ଏଥର କେଉଁ ରଣନୀତି ସ୍ଥିର କରୁଛନ୍ତି ତା’ ଉପରେ ମଧ୍ୟ ରହିବ ସମସ୍ତଙ୍କ ନଜର।

ଅନ୍ତର୍ଜାତୀୟ ସମ୍ପର୍କ
ଗୋଟିଏ ପଟେ ପାକିସ୍ତାନ ଅନ୍ୟପଟେ ଚାଇନା ସୁଯୋଗ ଖୋଜୁଛନ୍ତି ଭାରତକୁ ଅଡ଼ୁଆରେ ପକାଇବା ପାଇଁ। ସୀମାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ କରିବାରେ ଲାଗିଛନ୍ତି। ଉତ୍ତର-ପୂର୍ବ ସୀମାରେ ଚାଇନାର ଶକ୍ତିଶାଳୀ ପିଏଲ୍‌ଏ ଥରକୁ ଥର ଭାରତୀୟ ସୀମା ଭିତରକୁ ମାଡ଼ିଆସି ଆଧିପତ୍ୟ ଜାହିର କରୁଛି। ଏଭଳି ସମୟରେ ନୂଆବର୍ଷରେ ଦୁଇ ଅମାନିଆଁ ପଡ଼ୋଶୀଙ୍କୁ ଉଚିତ ଢଙ୍ଗରେ ମୁକାବିଲା କରିବା ବଡ଼ କଥା। ସେହିପରି ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ ସହିତ ସୁସମ୍ପର୍କ ରଖିବା ପାଇଁ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିବେ। ସୌଦି ଆରବ ଏବଂ ୟୁଏଇ ସହ ସମ୍ବନ୍ଧ ବଜାୟ ରଖିବା ଉଭୟ ଅର୍ଥନୀତି ଓ କୂଟନୀତି ଦୃଷ୍ଟିରୁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ...

ଡ୍ରଗ୍ସ ମାମଲା: ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମମ୍ବାଇ,୧୪ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ...

ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…

ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ...

୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍‌ ପାଇଲଟ୍‌ ଟ୍ରେନିଂ…

ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ...

ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…

ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର କୁଲଗାମ ଜିଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନେଇ...

ମସଜିଦ୍‌-ଇଦ୍‌ଗାହରେ ନମାଜ ପଢ଼ିବେ ମୁସଲମାନ୍‌ ମହିଳା, ଏମ୍‌ଆର୍‌ଏମ୍‌ ପକ୍ଷରୁ ଅଭିଯାନ ଯୋଜନା…

ନୂଆଦିଲ୍ଲୀ, ୬।୩ : ଏଣିକି ମସଜିଦ୍‌ ଏବଂ ଇଦ୍‌ଗାହରେ ମୁସଲମାନ୍‌ ମହିଳାମାନେ ନମାଜ ପଢ଼ି ପାରିବେ। ଏନେଇ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁସଲିମ ରାଷ୍ଟ୍ରୀୟ ମଞ୍ଚ...

‘ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୨ା୬(ପି.ଟି.): ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଏବଂ ରୁକ୍ଷ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଏଗୁଡ଼ିକ ଭିଡ଼ ମାନସିକତାର...

Advertisement
Archives

Model This Week