ୟୁ ଆର୍‌ ନଟି

ଶୁଭନାରାୟଣ ଶତପଥୀ
ଗତ ଛୁଟିରେ ମୁଁ ବଲାଙ୍ଗୀର ଇଣ୍ଟରସିଟିରେ ସମ୍ବଲପୁରରୁ ଫେରୁଥାଏ। ଟ୍ରେନ୍‌ଟି ଭାରି ଭିଡ଼ ହୋଇଥିବାରୁ ସିଟ୍‌ ମିଳିଲା ନାହିଁ। ଠିଆ ହୋଇ ଆସିବା ଭିତରେ ଚାରିଆଡ଼କୁ ନଜର ବୁଲାଉଥାଏ। ଦୁଇଟି ସିଟ୍‌ ଫାଙ୍କା ପଡ଼ିଥିବାର ଦେଖିଲି। ସିଟ୍‌ ପାଖରେ ପହଞ୍ଚିଗଲି। ଦେଖେ ତ ମୋ ପିଲାବେଳର ସାଙ୍ଗ ସୁବାସ ଲମ୍ବା ସିଟ୍‌ର ଗୋଟିଏ କଡ଼ରେ ବସିଛି। ଫାଙ୍କା ଥିବା ସ୍ଥାନରେ ମୁଁ ବସିବାକୁ ଗଲାବେଳେ ସେ ମୋତେ ମନା କଲା। ମୁଁ ଭାବିଲି ବୋଧହୁଏ ସେ ସିଟ୍‌ ଦୁଇଟିର ଯାତ୍ରୀ ଟଏଲେଟ୍‌ ଯାଇଛନ୍ତି। ମୋର ବସିବାର ଲାଳସା ଦେଖି ସୁବାସ ଠିଆ ହୋଇପଡ଼ି ନିଜ ସିଟ୍‌ଟିକୁ ଯାଚିଲା। ମୁଁ କିନ୍ତୁ ମନାକଲି ଓ ପିଲାବେଳର ପୁରୁଣା ସ୍ମୃତିଗୁଡିକୁ ସାଉଁଟିବା ପାଇଁ ତା’ ସହ କଥାବାର୍ତ୍ତା ଆରମ୍ଭ କଲି। ଦୁଇମିନିଟ୍‌ ହୋଇଛି କି ନାହିଁ ଗୋଟିଏ ଦଶବର୍ଷର ପିଲାକୁ ଧରି ମହିଳା ଜଣେ ଆସି ସୁବାସ ପାଖରେ ବସିଲେ। ସୁବାସ ତାଙ୍କୁ ମୋ ସହିତ ପରିଚୟ କରାଇଦେଲେ ଯେ ସେ ହେଉଛନ୍ତି ତାଙ୍କ ସ୍ତ୍ରୀ ସୁଶୀଳା ଓ ପୁଅ ଆକାଶ। ସଙ୍ଗେ ସଙ୍ଗେ ସୁଶୀଳା ମ୍ୟାଡାମ୍‌ କହିଲେ ଆପଣ ଏଇଠି ବସନ୍ତୁ। ସେତେବେଳକୁ ମୁଁ ଜାଣିସାରିଥାଏ ମ୍ୟାଡାମ୍‌ ଆଣ୍ଠୁରୋଗଜନିତ ଯନ୍ତ୍ରଣାରେ ପୀଡ଼ିତ। ମୁଁ ତାଙ୍କୁ ମନାକରିବା ପୂର୍ବରୁ ସୁବାସର ପୁଅ ଆକାଶ ମୋ ହାତ ଧରି ତା’ ସିଟ୍‌ରେ ବସାଇଦେଲା ଓ ତା’ ବାପାଙ୍କ କୋଳରେ ନିଜେ ବସିପଡ଼ିଲା। ଛୋଟ ପିଲାଟିଏ ହେଲେ କ’ଣ ହେବ ତା’ର ଭଦ୍ରୋଚିତ ବ୍ୟବହାର, ସଂସ୍କାରକୁ ମାନିବାକୁ ହେବ। ଦୁଇମାସ ତଳେ ମୋ ସହ ଘଟିଥିବା ଅନ୍ୟ ଏକ ଘଟଣା ସହ ଏଇ ଛୋଟ ଘଟଣାଟିର ବେଶ୍‌ ସାମଞ୍ଜସ୍ୟ ରହିଛି ବୋଲି ମୁଁ ହିଁ କେବଳ ଜାଣେ।
ଘଟଣାଟି ଏହି ପ୍ରକାର- ମାଉସୀପୁଅ ଭାଇର ବାହାଘରରେ ଯୋଗ ଦେବାକୁ ମୁଁ ସାକ୍ଷୀଗୋପାଳ ଯାଇଥାଏ। ସମୟ ପ୍ରାୟ ଅପରାହ୍ଣ ୪ଟା ହେବ। ଭୋଜି ଖାଇସାରି ବିବାହ ବେଦି ପାଖରେ ଗୋଟିଏ ଚୌକିରେ ବସିଥାଏ। ମୋ ଚାରିପାଖର ଚୌକିଗୁଡ଼ିକ ଫାଙ୍କା ପଡ଼ିଥାଏ। ହଠାତ୍‌ ଜଣେ ଆଠବର୍ଷର ବାଳକ ଖାଲି ଖଲିପ୍ଲେଟ ଓ ଦନାଟିଏ ଧରି ଆସି ମୋ ପାଖ ଚୌକିରେ ବସିଲା। ବେଶ ପରିପାଟୀ ବେଶ୍‌ ସୁନ୍ଦର। ତା’ର ଚପଳତାକୁ ମୁଁ ଲକ୍ଷ୍ୟ କରୁଥିଲି। ବସିବାର ଦଶ ମିନିଟ ହୋଇଛି କି ନାହିଁ ସେ ବସିଥିବା ଚୌକି ଉପରେ ଧରିଥିବା ଖଲି ଓ ଦନାକୁ ଥୋଇ କୁଆଡ଼େ ଯିବାକୁ ବାହାରିଲା। ଆଉ ମୋତେ କହିଲା ଅଙ୍କଲ୍‌, ମୋ ଚୌକି ଓ ଖଲି ଦନାକୁ ଜଗିଥିବେ। ଏତିକି କହି ଚାଲିଗଲା। ଅଧଘଣ୍ଟା ବିତିଗଲା, ପିଲାଟି ଆସି ନ ଥାଏ। ଏତିକିବେଳେ ଜଣେ ବୟସ୍କ ଭଦ୍ର ମହିଳା ଆସି ମୋତେ ପଚାରିଲେ ଆଚ୍ଛା ଏ ଚୌକିରେ ମୁଁ ବସିପାରିବି କି? ମୁଁ ଉପରୋକ୍ତ ଘଟଣାଟି ତାଙ୍କୁ କହିଲି ଏବଂ ଖଲି ଦନାକୁ ମୁଁ ନିଜ କୋଳରେ ଧରି ଭଦ୍ର ମହିଳାଙ୍କୁ ସେ ଚୌକିରେ ବସିବାକୁ କହିଲି। ମନେ ମନେ ଭାବୁଥାଏ, ପିଲାଟି ମୋତେ ସିନା ଜଗାଇ ଦେଇଯାଇଛି କିନ୍ତୁ ସେ ଏକଥା ଭୁଲିଯିବଣି। ମହିଳାଙ୍କ ବସିବାର ଠିକ୍‌ ପାଞ୍ଚମିନିଟ୍‌ ପରେ ସେହି ବାଳକଟି ମୋ ଆଡ଼କୁ ଆସୁଥିବାର ଦେଖିଲି। ତାକୁ ଦୂରରୁ ଦେଖି ଚିନ୍ତାକଲି ସେ ଆସୁ। ମୋ ଚୌକିଟା ତାକୁ ଦେଇଦେବି। ସେ ବସିବ। କିନ୍ତୁ ସେ ମୋ ପାଖରେ ପହଞ୍ଚିବାର ଚାରିହାତ ପୂର୍ବରୁ ମୋତେ କହିଲା ‘ୟୁ ଆର୍‌ ନଟି’। ମୁଁ କିଛି କହିବା ପୂର୍ବରୁ ସେ ଆସି ତା’ର ଖଲି ଓ ଦନା ମୋ ହାତରୁ ନେଇ ଚାଲିଗଲା। ପାଖରେ ବସିଥିବା ଭଦ୍ର ମହିଳା ଓ ଅନ୍ୟ ବ୍ୟକ୍ତିମାନେ ମୋ ସହ ଘଟୁଥିବା ଏ ଘଟଣା ଆଡ଼କୁ ଅବାକ୍‌ ହୋଇ ଚାହିଁ ରହିଥାନ୍ତି। କିନ୍ତୁ ମୁଁ ବୁଝି ସାରିଥାଏ ସେ ବାଳକଟି ଦେଇଥିବା ଦାୟିତ୍ୱକୁ ମୁଁ ଠିକ୍‌ରୂପେ ତୁଲାଇ ପାରିନାହିଁ ବା ଅଣଦେଖା କରିଛି। ସେ ଯାହା ହେଉନା କାହିଁକି ସେଦିନର ନିଷ୍କପଟ, ସ୍ବଚ୍ଛ ମନର ପ୍ରତୀକ ସେହି ବାଳକଟିର କଥାର ଦୃଢ଼ତା ଓ ଦାୟିତ୍ୱସମ୍ପନ୍ନ କାର୍ଯ୍ୟର ଗୁରୁତ୍ୱକୁ ମୁଁ ଉପଲବ୍ଧି କରିପାରୁଥିଲି। ସେତେବେଳକୁ ସେ ନଟି ଶବ୍ଦଟିକୁ ମୁଁ ଗ୍ରହଣ କରି ନେଇଥିଲି। ଏ ଘଟଣାଟିର ଝଲକ ଟ୍ରେନ୍‌ରେ ସୁବାସ ଓ ଆକାଶଙ୍କ ଭିତରେ ଲକ୍ଷ୍ୟକଲି। ଯଦି ମୁଁ ସେଦିନର ସେ ସ୍ଥିତିକୁ ସୁବାସ ଭଳି ପରିଚାଳନା କରିଥାନ୍ତି ବୋଧହୁଏ ବାଳକଟି ମନରେ ଭରସା ଓ ବିଶ୍ୱାସ ଜନ୍ମାଇ ପାରିଥାନ୍ତି। ଏମିତି କଥାବାର୍ତ୍ତା ସରିଲା ବେଳକୁ ଟ୍ରେନ୍‌ ପହଞ୍ଚିସାରିଥାଏ ଅନୁଗୋଳ ଷ୍ଟେଶନରେ। ଝରକା ଆଡକୁ ଚାହିଁଲି ଦଶବାରବର୍ଷର ବାଳକଟିଏ ରୁମାଲଟିଏ ବଢ଼ାଇ ଦେଇ କହୁଛି ଅଙ୍କଲ୍‌ ଗୋଟିଏ ସିଟ୍‌ ରଖିବେ। ଆଉ ସୁଯୋଗକୁ ହାତଛଡା କରି ନ ଥିଲି ସେଦିନ। ରୁମାଲଟିକୁ ଆଣି ମୋ ସିଟ୍‌ରେ ପକାଇଦେଲି ଓ ପୁଣି ଠିଆ ହୋଇପଡ଼ିଲି। ସୁବାସ ମୋତେ ଦେଖି କହୁଥାଏ। ରିୟଲି ୟୁ ଆର ଭେରି ଚାଇଲ୍ଡ ଫ୍ରେଣ୍ଡଲି। କାରଣ ପିଲାଟି ମୋ ହାତକୁ ରୁମାଲ ବଢାଇଲା ବେଳକୁ ଫାଙ୍କା ଥିବା ସିଟ୍‌ରେ ଠିଆ ହୋଇଥିବା ଲୋକ ବସି ସାରିଥାନ୍ତି।
ବାସ୍ତବିକ ଏମିତି ଅନେକ ଘଟଣା ପ୍ରତିଦିନ ଆମ ନଜର ଆଢୁଆଳରେ ଘଟିଯାଏ କିନ୍ତୁ ସେଗୁଡିକୁ ଗୁରୁତ୍ୱ ଦେଇ ନ ଥାଉ ବା ହେୟ ଜ୍ଞାନ କରିଥାଉ। ଯାହା ସଂପୃକ୍ତ ବାଳକ ବା ଶିଶୁମାନଙ୍କର ମନସ୍ତତ୍ତ୍ୱ, ଅଧିକାରକୁ କ୍ଷୁଣ୍ଣ କରି ସେମାନଙ୍କ ମନରେ ନକାରାତ୍ମକ ଭାବନାକୁ ଜନ୍ମଦିଏ। ଏପରି ସମ୍ବେଦନଶୀଳ ଘଟଣାର ପରିଚାଳନା ପାଇଁ ଆମେ ସମାଜର ସମସ୍ତ ନାଗରିକ ବିଶେଷକରି ମାତାପିତା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିଶୁମାନଙ୍କ ନିମନ୍ତେ ସମାଜର ପ୍ରତିଟି ସ୍ଥାନକୁ ଶିଶୁସୁଲଭ କରିବାକୁ ଯତ୍ନବାନ ହେବା ଆବଶ୍ୟକ। ନଚେତ୍‌ ଶିଶୁଟିର ମନରେ ରେଖାପାତ କରୁଥିବା ପ୍ରତ୍ୟେକ ଘଟଣା କହିବ ‘ୟୁ ଆର୍‌ ନଟି’।
(ଅନ୍ତର୍ଜାତୀୟ ଶିଶୁ ଦିବସ ଉପଲକ୍ଷେ)
ବିଜିପୁର, ବ୍ରହ୍ମଗିରି, ପୁରୀ, ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri