ସାହିତ୍ୟର ସତ୍ୟପାଠ

ମାୟାଧର ନାୟକ
ରୁଷିଆର ମହାନ୍‌ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’। ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା’, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣାଦାୟକ ପ୍ରଚାରପତ୍ରସବୁ। ପୁଅ ସାମିଲ୍‌ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଙ୍ଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାର ଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛପାଇ ରଖୁଥିଲା, ସେସବୁ ଗୁପ୍ତପ୍ରଚାରପତ୍ର। ଗୋଇନ୍ଦା ପୋଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେସବୁ ବୈପ୍ଳବିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନାମା ମାଆ ମାର୍ଫତ୍‌ରେ ପହଞ୍ଚାଉଥିଲା ଠିକଣା ଜାଗାରେ।
ନିଜ ନୁଖୁରା ମୁଣ୍ଡ ଉପରର ପସରା ଭିତରେ ଲୁଚାଇ ରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେବେ? ଏ ପ୍ରଶ୍ନ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ। ‘ଲେଖାଲେଖି କାହା ପାଇଁ’ ପ୍ରଶ୍ନର ଉତ୍ତର ଖୋଜିଲାବେଳେ ଆମ ସମସ୍ତଙ୍କୁ, ବିଶେଷକରି ମୋର ସମକାଳର ଲେଖିକାଲେଖକମାନଙ୍କୁ ମୁଁ ଗର୍କୀଙ୍କର ସେଇ ‘ମଦର୍‌’ର ମୁହଁକୁ ଏତେ ବର୍ଷର ବ୍ୟବଧାନ ପରେ ଆଉ ଥରେ ଫେରି ଚାହିଁବାକୁ ଅନୁରୋଧ କରୁଛି।
ମାଆମାନେ ଆଜି ବି ପସରା ମୁଣ୍ଡେଇ ଚାଲିଛନ୍ତି। ହେଲେ ମାଆର ସନ୍ତାନମାନେ ଏବେ କେଉଁଠି? ଦୀର୍ଘଜୀବୀ ବିପ୍ଳବ କ’ଣ ଅମର ହୋଇସାରିଛି ଇତିମଧ୍ୟରେ? ଆଗାମୀ ଇତିହାସ ପାଇଁ ଆମର ଅଙ୍ଗୀକାରର ଦିନସବୁ କ’ଣ ସରିଯାଇଛି? ବିପ୍ଳବର କାର୍ଯ୍ୟନିର୍ଘଣ୍ଟ କ’ଣ ତା’ର ଶେଷ ଲକ୍ଷ୍ୟରେ ପହଞ୍ଚିଯାଇଛି?
ଆମ ସାହିତ୍ୟ କ୍ଲାସ୍‌ର ଛୁଟିଘଣ୍ଟା ବାଜିବାର ଶବ୍ଦ ସବୁଠି ଶୁଭୁଛି। ମାତ୍ର ଟିକିଏ କାନ ଡେରିଲେ ଶୁଣିପାରିବେ ଯେ ଗୋଟିଏ ଚାପା କାନ୍ଦଣାର ସ୍ବର ଏ ଛୁଟିଘଣ୍ଟାର ଶବ୍ଦକୁ କାଟି ଦୂରରୁ ଆହୁରି ଦୂରକୁ ଚାଲିଯାଉଛି। ହଜିଯାଉଛି ହରଦମ୍‌ ହସଖୁସିର ହୋହଲ୍ଲା ଆରପଟର ଅସରନ୍ତି ହାହାକାର ଭିତରେ। କାନ୍ଦୁଛି କିଏ? ହସୁଛି କିଏ? ମାଆ କାନ୍ଦୁଛି ତ ହସୁଛି ସନ୍ତାନ। ଇଏ ଦୁଇଟି ପକ୍ଷ। କେଉଁ ପକ୍ଷ ପାଇଁ ଲେଖିବେ? କାହା ପାଇଁ ଲେଖାଲେଖି?
ମୋ ବିଚାରରେ, କାନ୍ଦୁଥିବା ମାଆମାନଙ୍କ ଓଠରେ ଧାରେ ହସ ଆଉ ହସୁଥିବା ସନ୍ତାନମାନଙ୍କ ହୃଦୟରେ ଟୋପାଏ ଦିଟୋପା ଲୁହକୁ ଆଦରିପାରୁଥିବା କାନ୍ଦ ଯଦି ହୋଇପାରନ୍ତା ଲେଖାଲେଖିର ଲକ୍ଷ୍ୟ, ତା’ହେଲେ ‘କାହାପାଇଁ’ର ଉତ୍ତରଖାତା ପୂରା କରିବା କାହାରି ପାଇଁ ମୁଣ୍ଡବ୍ୟଥାର କାରଣ ହୁଅନ୍ତା ନାହିଁ।
ଏବେ ତ ହସ କ୍ଲବ୍‌ର ଯୁଗ। ହସ ପାଇଁ ଆସର। ହସ ପାଇଁ ହରେକ୍‌ ଯୋଜନା ଚାରିଆଡ଼େ। ବୈଜ୍ଞାନିକ କହୁଛି- ହସ। ଡାକ୍ତର କହୁଛି- ହସ। ବନ୍ଧୁ କହୁଛି- ହସ। ହସିଲେ ହୃତ୍‌ପିଣ୍ଡ ତାଜା ରହିବ। ରକ୍ତଚାପ ରହିବ ଠିକ୍‌ଠାକ୍‌। ମୁହଁର ମାଂସପେଶୀ ହାସଲ କରିବ ଠିକ୍‌ ଚାଳନା। ସହରକୁ ନୂଆ ଯୋଗୀ ଆସି ପ୍ରଚାର କରୁଛନ୍ତି, ହସ ବି ଗୋଟିଏ ପ୍ରକାର ଯୋଗ। ଏତେ ନିଃଶ୍ୱାସପ୍ରଶ୍ୱାସ ରୁନ୍ଧି ବା ନାସିକାରନ୍ଧ୍ରରେ ପବନକୁ ଫାଶ ପକାଇ ଯୋଗପ୍ରାଣାୟମ କରିବା ଅପେକ୍ଷା ବରଂ ଦଶମିନିଟ୍‌ ହସ। ରାଜଧାନୀର ଜନସମାବେଶରେ ସଭାପତିତ୍ୱ କରି ପୁରୁଖା ନେତା ବି ନୂଆ ଲେଖିକାଲେଖକଙ୍କୁ ପରାମର୍ଶ ଦେଉଛନ୍ତି- ହାସ୍ୟରସ ସୃଷ୍ଟି କର। ହାସ୍ୟ ହିଁ ଲାସ୍ୟ। ହାସ୍ୟ ହିଁ ଭାଷ୍ୟ। ହାସ୍ୟ ହିଁ ରହସ୍ୟ। ଯଦି ହାକିମ ଆଉ ପିଅନ ପରସ୍ପରକୁ ଦୁଇମିନିଟ୍‌ ଚାହିଁ ପ୍ରତିଦିନ ହସିବେ, ତା’ହେଲେ ଅଫିସ୍‌ରେ ତାଲାବନ୍ଦର ଦିନ ଆସିବ ନାହିଁ କି ହରତାଳର ଦିପ୍ରହର ଦିଶିବ ନାହିଁ। ପିଅନର ଛୁଟି ଦରଖାସ୍ତ ଆଉ ହାକିମର ଛଟା ଦସ୍ତଖତ ମଝିରେ ଛୁଞ୍ଚିମୁନର ଦୂରତା ବି ରହିବନାହିଁ। ଆମର ଆଉ ଫକୀରମୋହନ, ପ୍ରେମଚାନ୍ଦ, ଶରତଚନ୍ଦ୍ର, ନଜରୁଲ, ସଚ୍ଚି ରାଉତରା ଦରକାର ନାହିଁ- ଦରକାର ନିର୍ଧୂମ୍‌ ହାସ୍ୟରସର ଧୁମ୍‌ଧାମ୍‌ ସାହିତ୍ୟକାର। ହସିବାକୁ ଇଚ୍ଛା ହୁଏ ଖୁବ୍‌। ହେଲେ ହସିପାରେନା ମୋଟେ। ବସିବସି ଭାବେ ଗୋଟିଏ କାନ୍ଦୁରା ମଣିଷର କଥା, ଯିଏ ନିଜେ ବି ନିଜର ପଚାଶ ପୂରୁପୂରୁ ଦିନେ ସାରା ଓଡ଼ିଆ ଜାତିକୁ କନ୍ଦାଇ କନ୍ଦାଇ ଚାଲିଗଲା ଚୁପ୍‌ଚାପ୍‌। କୌଣସି ବ୍ୟକ୍ତିଗତ ମାଲିକାନାର ମୋହ ନ ଥିଲା ତା’ର। ମଣିଷଗଢ଼ା କାରଖାନା ଗଢ଼ିଥିଲା ସତ୍ୟବାଦୀରେ, ନ ଥିଲା କିନ୍ତୁ ଶିଳ୍ପପତି। ସର୍ବସ୍ବାନ୍ତ ମଣିଷର ସାଥୀ ସେ, ଦୀନଦୁର୍ଗତର ବନ୍ଧୁ। କାରାରେ ଥାଇ ଲେଖିଥିଲା କବିତା, ବନ୍ୟାଧାରାରେ ନାଆ ବାହି ବାଣ୍ଟିଥିଲା ସାହାଭରସାହୀନ ସର୍ବସ୍ବାନ୍ତମାନଙ୍କୁ ଚୁଡ଼ାଚାଉଳ, ସାରା ଓଡ଼ିଆଜାତିର ଆତ୍ମା, ହୃଦୟ, ବିବେକକୁ ମଣିଷ ହେବାର ମନ୍ତ୍ରପାଠରେ କରାଇଥିଲା ଆନ୍ଦୋଳିତ। ‘ଲେଖାଲେଖି କାହା ପାଇଁ’ ପ୍ରଶ୍ନ ଯଦି ଉତ୍କଳମଣିଙ୍କୁ ପଚରାଯାଇଥାନ୍ତା, ଉତ୍ତରଟା ତାଙ୍କୁ ଦେବାକୁ ପଡ଼ି ନ ଥାନ୍ତା କଦାପି। ତାଙ୍କ ତରଫରୁ ଉତ୍ତର ଦେଇଥାନ୍ତେ ଓଡ଼ିଶାର ବନ୍ୟାବାତ୍ୟାପୀଡ଼ିତଠୁ ଆରମ୍ଭକରି ମୂଲ ଲାଗୁଥିବା ମାଟିର ମଣିଷ, ଚିଟାକାଦୁଅମାଟିର ଚାଷୀ, ଜେନାପୁରବାସୀ ପର୍ଯ୍ୟନ୍ତ କେତେ କିଏ।
ଲେଖାଲେଖି କାହାପାଇଁ? ସମକାଳର ଓଡ଼ିଆ ଲେଖିକାଲେଖକଙ୍କ କଣ୍ଠସ୍ବରରେ କେତେକ’ଣ ଉତ୍ତର ଶୁଣାଯାଇପାରେ ମଞ୍ଚରେ, ମିଳନୀରେ, ନାନା ଶେଷ ରବିବାସରୀୟ ସାକ୍ଷାତ୍‌କାରରେ। ମାତ୍ର ସେସବୁ ଉତ୍ତର କେତେ ଅଂଶରେ ଅସଲ ସ୍ବର? ସାହିତ୍ୟ ଏବେ ଯେଉଁଠି ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନ ରଖି କେବଳ ମାଳମାଳ ମଖମଲୀ ମୁଖାର କଥା ପାଲଟିଯାଇଛି, ସେଠି ପ୍ରଶ୍ନର ଓକାଲତ୍‌ନାମା ରଦ୍ଦ ଏବଂ ଉତ୍ତରଗୁଡ଼ାକ କାଠଗଡ଼ା ଡେଇଁ ଫେରାର୍‌ ଆସାମୀ! ଛାତିରେ ହାତ ଦେଇ ଆଜି କେତେଜଣ କହିବେ- ଆମେ ଲେଖୁଛୁ ଟୁକୁରାଟୁକୁରା ଭଙ୍ଗାସ୍ବପ୍ନର ମାଆମାନଙ୍କ ପାଇଁ? ମାଆବାପଙ୍କ ରାଣ ପକାଇ କେତେଜଣ ଲେଖିକା ବି କହିବେ- ଆମେ ଲେଖୁଛୁ ଅମର୍ଯ୍ୟାଦାରେ ଭୂଲୁଣ୍ଠିତା ସେଇ ଭାଷାହୀନା ନ୍ୟାୟପ୍ରତୀକ୍ଷିତା ମହିଳାମାନଙ୍କ ପାଇଁ?
ଦେଶର ନାରୀ ପାଇଁ ସାହିତ୍ୟରେ ଯଦି ସମ୍ମାନଜନକ ନାରା ନ ଶୁଭେ, ସେସବୁ ସାହିତ୍ୟ ନାଁରେ ଲେଖାଲେଖି ତେବେ କାହାପାଇଁ ଆଉ କେତେଦିନ? ଆମର ସାହିତ୍ୟ ଏବେ ନୂଆ ନିଆରା ତରିକାର ପରିଭାଷାରେ ନାମିତ। ଆମେ ଆଉ ସାହିତ୍ୟ ନ କହି ସବୁଠି କହିଲୁଣି- ଲେଖାଲେଖି। ଦୁଇଟାଯାକ ଏକା କଥା ନୁହେଁ ବୋଲି ମୋର ବିନମ୍ର ମତ।
ଲେଖାଲେଖି କଥାଟା ସାହିତ୍ୟର ସଚ୍ଚା ନାମାନ୍ତର ନୁହେଁ। ଏଥିରେ ସାହିତ୍ୟଗତ ଦାୟିତ୍ୱ ଯେତେ ନାହିଁ, ସେତେ ଅଛି ବ୍ୟକ୍ତିଗତ ସ୍ପୃହାର ଶାବ୍ଦିକ ସମରାଭ୍ୟାସ ମାତ୍ର। ଯୁଦ୍ଧ ନାହିଁ, ଶିବିର ନାହିଁ, ସାମ୍ମୁଖ୍ୟ ନାହିଁ, ଆହ୍ବାନ ନାହିଁ- ଅଥଚ ଅଙ୍ଗୀକାରହୀନ ଏକ ଅଭ୍ୟାସର ଅଙ୍ଗଚାଳନା- ଆକାଶକୁ ଅସ୍ତ୍ର ଉତ୍ତୋଳନ ଅଥବା ଶୂନ୍ୟତାକୁ ବଦ୍ଧମୁଷ୍ଟି ପ୍ରଦର୍ଶନ ମାତ୍ର। ସାହିତ୍ୟବୋଧ ଅପେକ୍ଷା ଏ ଧାରାରେ ଏବେ ଅନୁପ୍ରବେଶ କରିଛି ଅରୁଚିକର ଅନେକପ୍ରକାର ଆଭିମୁଖ୍ୟ- ଆଜିକାଲି ଯେମିତି ଅତି ନିର୍ଲଜ୍ଜ ଓ ନିନ୍ଦନୀୟ ଭାବରେ ଚାଲିଛି ମଞ୍ଚଦଖଲ, ପୁରସ୍କାର ହାସଲ, ପ୍ରଶଂସାପତ୍ର/ମାନପତ୍ର ଆଦାୟର ନୟାନ୍ତ ନକଲ। ଏଇଭଳି ସ୍ଥୂଳ, ନ୍ୟସ୍ତସ୍ବାର୍ଥ, ଇତର ପର୍ଯ୍ୟାୟକୁ ଆସି ସାହିତ୍ୟ ଯଦି ନିଜ ପାଇଁ ଏ ନୂତନ ନାମକରଣ ଏହି ‘ଲେଖାଲେଖି’ ରୂପକ ବଜାରବୁଲା ବେଶପଟା ମଡ଼ାଇ କ୍ରମେ ଦେଖାଦେଖି, ଟେକାଟେକି ଆଦତ୍‌ ଆଦରିବସେ ଏବଂ ଭିତର ଫମ୍ପା ଥାଇ କେବଳ ବାହାରଟା ଚମ୍ପାରଙ୍ଗ ବୋଳି ବିକୃତିପୂର୍ଣ୍ଣ କୃତିପ୍ରକାଶର ପ୍ରକ୍ରିୟା ବଜାୟ ରଖେ, ତା’ହେଲେ ସେଠି ମୁଁ ବିଦାୟନେବା ପୂର୍ବରୁ କେବଳ ଏତିିକି ନମ୍ର ମତ ରଖିଯିବି ଯେ- ଏ ଲେଖାଲେଖି ଯେପରି କେବେ ବି ନ ହେଉ କାହାପାଇଁ! ଏପରି ଲେଖିକାଲେଖକ ଆମ ସାହିତ୍ୟରୁଚିର ପରିପନ୍ଥୀ- ତେଣୁ ଯଥାଶୀଘ୍ର ପରିତ୍ୟଜ୍ୟ- ଅନ୍ତତଃ ଆମ ସାଂସ୍କୃତିକ ମୂଲ୍ୟବୋଧର ସର୍ବନିମ୍ନ ସ୍ବାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ।
ଯାଜପୁରରୋଡ଼, ଯାଜପୁର, ମୋ-୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri