Posted inଖେଳ

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଭାରତ ୧୧ ରନ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ର ଅନ୍ତିମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଉଇକେଟ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍‌ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଭାରତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। କଞ୍ଜୁସ ବୋଲିଂ କରି ୨ ଉଇକେଟ ଅକ୍ତିଆର କରିଥିବା ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମାମୁଲି ବ୍ୟାଟିଂ କରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ରୁ ଶିକ୍ଷା ଲାଭ କରିଥିବ।
୨୨୫ ରନ୍‌ ଛୋଟିଆ ବିଜୟ ଲକ୍ଷ୍ୟର ପିଛାକରି ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲା। ବିଜୟ ହାସଲ ପାଇଁ ଭାରତକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଦଳ ତରଫରୁ ମହମ୍ମଦ ନବୀ ୫୨, ରହମତ ଶାହ ୩୬, ଗୁଲବଦିନ ନାଇବ ୨୭, ନାଜିବୁଲ୍ଲା ଜଡ୍ରାନ ୨୧, ହଜରତୁଲ୍ଲା ଜାଜାଇ ୧୦, ରସିଦ ଖାଁ ୧୪ ରନ୍‌ କରି ଆଉଟ ହୋଇଥିଲେ। ନବୀ ୫୫ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ଗୋଟିଏ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ନବୀ ଆଉଟ ହେବା ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ଯଶପ୍ରୀତ ବୁମ୍‌ରା, ୟୁଜ୍‌ବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ଆଶା କରାଯାଉଥିଲା କି ଭାରତ ବଡ଼ ସ୍କୋର ହାସଲ କରିବ। ଭାରତର ମିଡଲ ଅର୍ଡର ସାଂଘାତିକ ଭାବେ ବିଫଳ ହୋଇଥିଲା। କିନ୍ତୁ ଆଫଗାନିସ୍ତାନ ସ୍ପିନରମାନେ ନିୟମିତ ଅନ୍ତରରେ ଉଇକେଟ ହାସଲ କରିବା ସହ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଯାହାଫଳରେ ଭାରତ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଭାରତ ଆରମ୍ଭରୁ ଇନ୍‌ଫର୍ମ ଓପ୍‌ନର ରୋହିତ ଶର୍ମାଙ୍କୁ ହରାଇଥିଲା। ମାତ୍ର ୧ ରନ୍‌ କରିଥିବା ବେଳେ ରୋହିତ ମୁଜିବ ଉର ରହମାନଙ୍କ ବଲ୍‌ରେ କ୍ଲିନ୍‌ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପ୍‌ନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ବେପରୁଆ ଭାବେ ମହମ୍ମଦ ନବୀଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳି ଶର୍ଟ ଥାର୍ଡ ମ୍ୟାନ୍‌ରେ ରାହୁଲ ହଜରତୁଲ୍ଲା ଜାଜାଇଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ୨୯ ରନ କରିଥିବା ବେଳେ ରହମତ ଶାହଙ୍କ ବଲ୍‌ରେ ସୁଇପ୍‌ କରିବାକୁ ଯାଇ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୬୩ ବଲରୁ ୫ ଚୌକା ସହ ୬୭ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କୋହଲି ନବୀଙ୍କ ବଲ୍‌ରେ ପଏଣ୍ଟ ଉପରକୁ ଖେଳିବାକୁ ଯାଇଥିଲେ। ତେବେ ଅତିରିକ୍ତ ବାଉନ୍ସ ଯୋଗୁ ସେ ପଏଣ୍ଟରେ ରହମତଙ୍କ ହାତରେ ଧରାପଡିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶଙ୍କର ୫୮ ରନ୍‌ ସଂଗ୍ରହ କରିଥିଲେ। କୋହଲି ଆଉଟ୍‌ ହେବା ପରେ ଭାରତ ମୁମେଣ୍ଟମ୍‌ ବା ଗତି ହରାଇଥିଲା। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ମନ୍ଥର ବ୍ୟାଟିଂ କରି ୫୨ଟି ବଲ ଖେଳି ୩ଟି ଚୌକା ସହ ମାତ୍ର ୨୮ ରନ୍‌ କରିଥିବା ବେଳେ ତାରକା ସ୍ପିନର ରସିଦ ଖାଁ ବଲ୍‌ରେ ଷ୍ଟମ୍ପ ଆଉଟ ହୋଇଥିଲେ। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ କେଦାର ଯାଦବ ବେଶ୍‌ ଲଢ଼େଇ କରିଥିଲେ ଓ ୬୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ବଦଳ ଖେଳାଳି ନୁର ଅଲି ଜଡ୍ରାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଧୋନୀ ଓ କେଦାର ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ଏହା ଯଥେଷ୍ଟ ହୋଇ ନ ଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୭, ମହମ୍ମଦ ସାମି ୧ ରନ୍‌ କରି ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ଓ ଯଶପୀତ ବୁମ୍‌ରା ୧ ରନ୍‌ ଲେଖାଏ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ବୋଲରମାନେ ଦୃଷ୍ଟାନ୍ତମୂଳକ ବୋଲିଂ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲେ। ଅର୍ଥାତ ୨୫.୨ ଓଭରରେ ଭାରତ କୌଣସି ରନ୍‌ ସଂଗ୍ରହ କରି ନ ଥିଲା। ଗତ ମ୍ୟାଚ୍‌ରେ ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ ୨୫ଟି ଛକା ଦେଇଥିଲା। ମିଡଲ ଓଭରରେ ଧୋନୀ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ବିଫଳ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି, ଆଫଗାନିସ୍ତାନର ୩ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ କୌଣସି ରିସ୍କ ନେବାକୁ କୁଣ୍ଠାବୋଧ କରିଥିଲେ। ଏପରି କି ଫୁଲଟସ୍‌ ବଲ୍‌ଗୁଡିକୁ ଧୋନୀ ଓ କେଦାର ଡିଫେନ୍ସ କରିଥିବା ଦେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ୩ଟି ମ୍ୟାଚ୍‌ରେ ୧୪ଟି ଉଇକେଟ ହରାଇଥିଲେ ମଧ୍ୟ ସ୍ପିନରଙ୍କୁ ଉଇକେଟ ଦେଇ ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ନାଇବ ଓ ନବୀ ଦୁଇଟି ଲେଖାଏ, ରହମାନ, ଅଫତାବ ଆଲମ, ରସିଦ ଓ ରହମତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦକ ବିଜେତା ଚିହ୍ନଟ ମୂଳ ଲକ୍ଷ୍ୟ: ହିଲିଏର

ଭୁବନେଶ୍ୱର,୨୧।୮(ସ୍ପୋଟର୍‌ସ ବ୍ୟୁରୋ): ପ୍ରତିଭା ଚିହ୍ନଟ ଓ ବିକାଶରେ ସ୍ଥାନୀୟ ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି।...

ସବିର ହୁସେନ ବିସିସିଆଇ ନୂଆ ଏସିୟୁ ମୁଖ୍ୟ

ନୂଆଦିଲ୍ଲୀ, ୬ା୪ (ପି.ଟି.)- ଅଜିତ ସିଂଙ୍କ ସ୍ଥାନରେ ଗୁଜରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସବିର ହୁସେନ ଶେଖଦମ୍‌ ଖଣ୍ଡଓ୍ବାଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ମହିଳା ଟି୨୦ ବିଶ୍ୱକପ୍‌: ଭାରତ-ପାକିସ୍ତାନ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ,୧୬।୨- ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହି...

ଭାରତର ଐତିହାସିକ ବିଜୟ

ମେଲବୋର୍ନ,୨୯।୧୨: ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ। ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ...

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ...

ଚଉକିରେ ହାତ ବନ୍ଧା ଅବସ୍ଥାରେ ନଜର ଆସିଲେ କୋହଲି; ବଖାଣିଲେ ବାୟୋ-ବବଲ୍‌ର ବାସ୍ତବତା

ନୂଆଦିଲ୍ଲୀ,୧୫।୧୦: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ବାୟୋ ବବଲ୍‌ର ବାସ୍ତବତା ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ସେ।...

ଅଲିମ୍ପିକ୍ସ ହକି: ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ ପରାଜୟ

ଟୋକିଓ,୨୯।୭(ପି.ଟି.): ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବୁଧବାର ସକାଳେ ଖେଳାଯାଇଥିବା ପୁଲ୍‌ -ଏ ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ...

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ...

Advertisement
Archives

Model This Week