ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ୫ ପ୍ରତିଶତକୁ ଖସିଆସିଛି, ଯାହା ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏଭଳି ସ୍ଥଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବଞ୍ଚାଇବା ପାଇଁ ସରକାର ୭୦,୦୦୦ କୋଟି ଟଙ୍କା ଦେବା ବିଷୟ ଘୋଷଣା କରିଛନ୍ତି। ଯେତେବେଳେ ଅର୍ଥନୀତି ତଳକୁ ତଳକୁ ଯାଉଛି, ସେତେବେଳେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ବୃହତ୍‌ ପରିମାଣର ଆର୍ଥିକ ଉପହାର ଦିଆଯିବା ଆଦୌ ସ୍ପୃହଣୀୟ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଲେଣି। ତେବେ ଏହି ଅର୍ଥ ଭରଣା କରିବା ସହ ଅର୍ଥନୀତିକୁ ପୁନର୍ଜୀବିତ ଲକ୍ଷ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସରକାରକୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଦେବାକୁ ପଦକ୍ଷେପ ନେଇଛି। ଏହିଭଳି ଅର୍ଥନୈତିକ ନିଷ୍ପତ୍ତି ନିଆଯାଉଥିବା ବେଳେ ନିକଟରେ ସବୁଠାରୁ ବୃହତ୍‌ ବ୍ୟାଙ୍କିଙ୍ଗ୍‌ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି, ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଯାଇ ୪ଟି ବୃହତ୍‌ ବ୍ୟାଙ୍କ ସୃଷ୍ଟିର ପରିକଳ୍ପନା କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ବ୍ୟାଙ୍କଗୁଡ଼ିକ ସଳଖି ଉଠିବେ ବୋଲି ଯାହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହୁଛନ୍ତି, ତାହାର ବାସ୍ତବ ଦିଗକୁ ଦେଖିଲେ ସେଭଳି ମନେ ହେଉନାହିଁ। କାରଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ସ୍ତର ବହୁ ଉଚ୍ଚରେ ରହିଛି। କେତେ ଜଣ ବ୍ୟାଙ୍କ ଅଧିକାରୀଙ୍କ ଖାମଖିଆଲ ନିଷ୍ପତ୍ତି ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ। ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟବସାୟୀଙ୍କ ଆର୍ଥିକ ସ୍ବାସ୍ଥ୍ୟକୁ ଠିକ୍‌ ଭାବେ ଆକଳନ କରା ନ ଯାଇ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଋଣ ଦିଆଯିବା ଯୋଗୁ ଆଜି ବ୍ୟାଙ୍କିଙ୍ଗ କ୍ଷେତ୍ର ଅସୁବିଧାରେ ପଡ଼ିଛି। ଅବଶ୍ୟ ଏହି ବ୍ୟକ୍ତିଙ୍କ ନାମ ଆମେ ବାରମ୍ବାର ଶୁଣିଛେ। କିନ୍ତୁ ଏମାନଙ୍କ ବ୍ୟତୀତ ଆହୁରି ଅନେକ ବୃହତ୍‌ ଶିଳ୍ପ ମାଲିକ ଅଛନ୍ତି, ଯେଉଁମାନେ ଅନେକ ଲକ୍ଷ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି। ସେମାନଙ୍କ ସମ୍ପର୍କରେ କୌଣସି ଆଲୋଚନା ହେବାର ପରିଲକ୍ଷିତ ହେଉନାହିଁ। ଏଭଳି ସ୍ଥଳେ କ୍ଷତି କରୁଥିବା ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରିଦେଲେ ଯେ ସେଗୁଡ଼ିକର ଆର୍ଥିକ ସ୍ଥିତି ବଦଳିଯିବ ଭାବିବା ଯୁକ୍ତିଯୁକ୍ତ ହେଉନାହିଁ। କାରଣ ଖସିଯିବା ଗୋଡ଼ ତଳକୁ ତଳକୁ। ସେଥିପାଇଁ କଠୋର ଆର୍ଥିକ ନିୟମ ପ୍ରଣୟନ କରାଯିବା ଉଚିତ। ଦେଖାଯାଉଛି ଯେତେବେଳେ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆର୍ଥିକ ସଙ୍କଟରେ ପଡ଼ୁଛି, ସେତେବେଳେ ସରକାର ପ୍ୟାକେଜ ଦେଇ ସ୍ଥିତି ଟାଳିବାକୁ ଚେଷ୍ଟା କରୁଛନ୍ତି। ଏହା କେବଳ ବର୍ତ୍ତମାନର ଏନ୍‌ଡିଏ ଶାସିତ ସରକାର ନୁହେଁ, ପୂର୍ବ କଂଗ୍ରେସ ସରକାରଙ୍କ ଅମଳରେ ମଧ୍ୟ ବହୁବାର ଦେଖିବାକୁ ମିଳିଛି।
ବାସ୍ତବ କଥା ଦେଖିଲେ ସରକାର ଯେଉଁ ଆର୍ଥିକ ଉପହାର ବ୍ୟାଙ୍କଗୁଡ଼ିକୁ ଦେଉଛନ୍ତି, ତାହା କରଦାତାଙ୍କ ଅର୍ଥରୁ ଯାଉଛି। ଟିକସଦାତାଙ୍କ ଅର୍ଥ ଦେଶର ବିକାଶ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ହୋଇଥାଏ। ତାହା କେତେକଙ୍କ ଭୁଲ ପଦକ୍ଷେପ ଯୋଗୁ କ୍ଷତି ସହୁଥିବା ସଂସ୍ଥାକୁ ବଞ୍ଚାଇବା ପାଇଁ ଯେତେବେଳେ ବାରମ୍ବାର ବ୍ୟବହାର କରାଯିବ, ତାହାଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେବ। ସେହିଭଳି ଆର୍ଥିକ ଦୃଷ୍ଟିରୁ ସୁସ୍ଥ ବ୍ୟାଙ୍କ ସହ ଏକ ଦୁର୍ବଳ ବ୍ୟାଙ୍କ ମିଶିଗଲେ ତାହା ଏନ୍‌ପିଏକୁ କିଭଳି ମୁକାବିଲା କରିପାରିବ, ସେ ଦିଗରେ ବିଶେଷ କିଛି କୁହାଯାଉନାହିଁ। ଭାରତବର୍ଷରେ ଅଧିକାଂଶ ଲୋକ ଅର୍ଥନୀତିର କ୍ଳୀଷ୍ଟତା ବୁଝିପାରନ୍ତି ନାହିଁ। ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ସୁବିଧା ମିଳିପାରିବ ତାହା ଜନସାଧାରଣଙ୍କ ପାଇଁ ସର୍ବଦା ଜାଣିବାର ବିଷୟ ଭାବେ ରହିଆସିଛି। ଏପରି କି ଏମିତି ଉଚ୍ଚଶିକ୍ଷିତ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଅର୍ଥନୀତିର ବାସ୍ତବ ସ୍ଥିତି ଜାଣିବା ସକାଶେ ମୁଣ୍ଡ ଖେଳାଇ ନ ଥାଆନ୍ତି। ମାତ୍ର ଯେତେବେଳେ ବ୍ୟକ୍ତିବିଶେଷର ଆର୍ଥିକ ସ୍ଥିତିକୁ କୌଣସି ଭାବେ ମାଡ଼ ପହଞ୍ଚେ, ସେତେବେଳେ ସେମାନଙ୍କୁ ଚେଙ୍କ ଲାଗେ। ବର୍ତ୍ତମାନ ଅର୍ଥନୀତିର ମାନ୍ଦାବସ୍ଥା ଯୋଗୁ ସବୁଠାରୁ ବେଶି କ୍ଷତିରେ ପଡ଼ିଛି ଅଟୋମୋବାଇଲ ଓ ନିର୍ମାଣ କ୍ଷେତ୍ର। ଗାଡ଼ି ବିକ୍ରି ହେଉ ନ ଥିବାରୁ ଗାଡ଼ି ନିର୍ମାତାମାନେ କେତେକ କାରଖାନା ବନ୍ଦ କରିଦେଲେଣି। ଫଳରେ ଅନେକେ ଚାକିରି ହରାଇ ବେକାର ହୋଇଗଲେଣି। ସେହିପରି ଅର୍ଥାଭାବ ଯୋଗୁ ନିର୍ମାଣ କ୍ଷେତ୍ର ମଧ୍ୟ ଦୁର୍ଦ୍ଦିନ ଦେଇ ଗତି କରୁଛି। କୁହାଗଲାଣି ୨୦୦୮ରେ ଆମେରିକାରେ ସବ୍‌-ପ୍ରାଇମ୍‌ ସଙ୍କଟ ଯୋଗୁ ଦେଖାଦେଇଥିବା ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ସେଭଳି ପଡ଼ି ନ ଥିଲା। ଏବେକାର ସ୍ଥିତି ଦେଖିଲେ ଖାଉଟି ସାମଗ୍ରୀ ବିକ୍ରି କମିବା ଆରମ୍ଭ କଲାଣି। ଟୁଥ୍‌ପେଷ୍ଟ ଓ ସାବୁନ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କମାଇ ଲୋକେ କମ୍‌ ବ୍ୟବହାର କରୁଛନ୍ତି। ଯେତେବେଳେ ଏକ ଅର୍ଥନୀତିରେ ମୁଦ୍ରା କାରବାର କମିଯିବ ଓ ଲୋକଙ୍କ ପାଖରେ ତା’ର ଅଭାବ ଦେଖାଦେବ, ସେତେବେଳେ ଏଭଳି ସ୍ଥିତି ଉପୁଜିବା ସ୍ବାଭାବିକ। ତେଣୁ ସରକାର ନିର୍ଦ୍ଦିଷ୍ଟ ଆର୍ଥିକ ସଂସ୍ଥାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିବା ଅପେକ୍ଷା ସମଗ୍ର ଅର୍ଥନୀତିର ବିକାଶ କଥା ଭାବିବା ଦରକାର। ଘରୋଇ କ୍ଷେତ୍ରରେ ଆଭ୍ୟନ୍ତରୀଣ ପରିଚାଳନାଗତ ସଂସ୍କାର ରହିଆସିଥିବାରୁ ସେଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରିପାରୁଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଛାଡ଼ି ଦିଆଯାଉ। କାରଣ ପରିସ୍ଥିତି ଏମିତି ହୋଇଛି, ‘ସର୍ଭାଇବାଲ୍‌ ଅଫ୍‌ ଦି ଫିଟେଷ୍ଟ’ ବା ‘ଯୋଗ୍ୟତମ ହିଁ ବଞ୍ଚତ୍ପାରିବ’ ନୀତି ଦୁର୍ବଳ ଅନୁଷ୍ଠାନଗୁଡ଼ିକୁ ସଳଖି ଛିଡ଼ା ହେବା ପାଇଁ କେବଳ ରାସ୍ତା ଦେଖାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri