ସମ୍ପାଦକୀୟ/ଜନଅନୁକୂଳ ଆଭିମୁଖ୍ୟ

ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ ରହିଛି ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ଓ ଆରେଠାରେ ମେଟ୍ରୋ କାର୍‌ ରହଣି ପାଇଁ କରାଯାଉଥିବା ନିର୍ମାଣ କାର୍ଯ୍ୟ। ତାଙ୍କ ଯୁକ୍ତି ହେଲା ଯେ, ରାଜ୍ୟ ଏବେ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛି। ମହାରାଷ୍ଟ୍ର ମୁଣ୍ଡରେ ୫ ଲକ୍ଷ କୋଟି ଟଙ୍କାର ବୋଝ ରହିଛି। ଏଭଳି ସ୍ଥଳେ ଲୋକଙ୍କ ମଙ୍ଗଳ ପାଇଁ ଯେଉଁ ବିଷୟ ଅଧିକ ଆବେଗିକ ମନେହେଉଛି ସମ୍ଭବତଃ ତାହାକୁ ସେ ଗୁରୁତ୍ୱ ଦେବାକୁ ଚାହିଁଛନ୍ତି। ବୁଲେଟ୍‌ ଟ୍ରେନ୍‌ ଲାଗି କୃଷକ ଓ ଆଦିବାସୀମାନେ ଜମି ଦେବାକୁ ଅରାଜି ଥିବାବେଳେ ସେମାନଙ୍କ ଉପରେ ଚାପ ପଡ଼ିଚାଲିଛି। ସେହିଭଳି ମେଟ୍ରୋ କାର୍‌ ରହଣି ଲାଗି ଅସଂଖ୍ୟ ଗଛ କଟାଯିବାକୁ ନେଇ ନିକଟରେ ଘୋର ପ୍ରତିବାଦ ହୋଇଥିବାରୁ ଉଦ୍ଧବ ତାହାକୁ ବନ୍ଦ କରିଦେଇଛନ୍ତି। ବାସ୍ତବରେ ଦେଖିଲେ ୧.୧ ଲକ୍ଷ କୋଟି ଟଙ୍କାରେ ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ୍‌ ହେବା ଦ୍ୱାରା ସାଧାରଣ ଲୋକଙ୍କୁ କୌଣସି ସୁବିଧା ମିଳିପାରିବ ନାହିଁ। ତେଣୁ ଯାହା ଲୋକଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ତାହାକୁ ସେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକଳ୍ପ ସମୀକ୍ଷା ଲାଗି ଦେଇଥିବା ନିର୍ଦ୍ଦେଶରୁ ବୁଝାପଡ଼ୁଛି। ଓଡ଼ିଆରେ ଏକ ଆପ୍ତବାକ୍ୟ ଅଛି- ‘ଚୂନା ଦେଖି ପିଠା କର’। ଅର୍ଥାତ୍‌ ବିଶାଳ ଆୟୋଜନ କଲାବେଳେ ସମ୍ବଳକୁ ଦେଖିବା ହେଉଛି ବିଜ୍ଞତାର ପରିଚୟ। ତାହା ହେଉ ନ ଥିବାରୁ ଭାରତରେ ଅନେକ କାର୍ଯ୍ୟ ଅଧାପନ୍ତରିଆ ପଡ଼ିରହୁଛି।
ସମସ୍ତେ ଜାଣନ୍ତି ଯେ, ଦୀର୍ଘବର୍ଷ ଧରି ମହାରାଷ୍ଟ୍ରରେ ସର୍ବାଧିକ କୃଷକ ଆତ୍ମହତ୍ୟା କରିଛନ୍ତି। ସେଠାରେ ଚାଷୀଙ୍କୁ ଠିକ୍‌ ଭାବେ ପାଣି ମିଳି ନ ଥାଏ। ଅଭାବୀ ବିକ୍ରି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସେମାନଙ୍କୁ କିଭଳି ଅଧିକ ସୁବିଧା ଦେଇହେବ ତାହା ରାଜ୍ୟ ସରକାରଙ୍କୁ ଚିନ୍ତିତ କରିବା ନିଶ୍ଚିତ ସ୍ବାଗତଯୋଗ୍ୟ କଥା। ଉଦ୍ଧବ ଚାଷୀମାନଙ୍କ କଲ୍ୟାଣ ଲାଗି କୃଷିଋଣ ଛାଡ଼ କରିବା ନେଇ ପଦକ୍ଷେପ ନେଉଥିବା ବିଚାର କରିଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତି କିଭଳି ଅଛି ସେ ସକ୍ରାନ୍ତରେ ଏକ ଶ୍ୱେତପତ୍ର ପ୍ରକାଶ କରିବେ ବୋଲି କହିଛନ୍ତି। ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ସର୍ବାଧିକ ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରତ୍ୟେକ ସରକାରଙ୍କ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିବା କଥା। ହେଲେ କେନ୍ଦ୍ରଠାରୁ ଆରମ୍ଭକରି ଦେଶର ବିଭିନ୍ନ ରାଜ୍ୟ ସରକାର କ୍ରମାଗତ ଭାବେ ଏହାକୁ ଅଣଦେଖା କରୁଥିବାରୁ ଏବେ ଭାରତ କୃଷି ସମ୍ବନ୍ଧୀୟ ଉତ୍ପାଦକୁ ଆମଦାନୀ କରିବାରେ ଲାଗିଲାଣି। ଚାଷୀର ମନୋବଳକୁ ଦୃଢ଼କରି ପ୍ରୋତ୍ସାହନ ଦିଆଯାଇପାରିଲେ ଏଥିରୁ ପର୍ଯ୍ୟାପ୍ତ ଲାଭ ମିଳିପାରନ୍ତା। ହେଲେ ରାଜନୈତିକ ବ୍ୟକ୍ତି, ସରକାରୀ କର୍ମଚାରୀ ଓ ଶିକ୍ଷିତ ବ୍ୟକ୍ତିମାନେ ଚାଷକୁ ଅତି ନୂ୍ୟନ ଦୃଷ୍ଟିରେ ଦେଖୁଥିବାରୁ ଏହି କ୍ଷେତ୍ର ସର୍ବଦା ଅବହେଳିତ ହୋଇଚାଲିଛି। ବଞ୍ଚିବା ପାଇଁ ଖାଦ୍ୟ ନିତାନ୍ତ ଆବଶ୍ୟକ ବୋଲି ସମସ୍ତେ ବୁଝୁଥିଲେ ମଧ୍ୟ ପାଣିକାଦୁଅରେ ଘାଣ୍ଟିଚକଟି ହେଉଥିବା କୃଷକକୁ ଉଚିତ ପ୍ରାପ୍ୟ ଦେବାକୁ କେହି ଚାହୁଁ ନାହାନ୍ତି। ଉଦ୍ଧବ କୃଷକଙ୍କ ନିମନ୍ତେ କିଛି କରିବା ଲାଗି ଦାୟିତ୍ୱ ନେବାର ପ୍ରଥମ ଦିନରୁ କହିଲେଣି। ନିଶ୍ଚିତ ଭାବେ ତାଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ।
ଏଠାରେ ‘ବିକାଶ’କୁ ବିରୋଧ କରାଯାଉ ନାହିଁ। କାରଣ ବୈଜ୍ଞାନିକ ତଥା ବାସ୍ତବତା ଉପରେ ଆଧାରିତ କ୍ଷେତ୍ରକୁ ଗୁରୁତ୍ୱ ଦିଆଗଲେ ତାହା ସମାଜର ସବୁ ବର୍ଗଙ୍କ ଉନ୍ନତିରେ ଆସିପାରନ୍ତା। ଉଦାହରଣସ୍ବରୂପ ବୁଲେଟ ଟ୍ରେନ୍‌ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖୁବ୍‌ ବେଗରେ ଯିବା ଲାଗି ଉଦ୍ଦିଷ୍ଟ। ଯେହେତୁ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବାର ବ୍ୟବସ୍ଥା ଅଛି, ସେହି ଅନୁଯାୟୀ ଏହାର ଭଡ଼ା ବଢ଼ିବା ସ୍ବାଭାବିକ। ଆଜିର ପରିସ୍ଥିତିରେ ଯେଉଁ ଦେଶରେ ସାଧାରଣ ଲୋକ ଖୁବ୍‌ କମ୍‌ ଭଡ଼ା ଦେଇ ଯାତାୟାତ କରିବାକୁ ସକ୍ଷମ ହେଉ ନାହାନ୍ତି, ସେଠାରେ ବୁଲେଟ ଟ୍ରେନ୍‌ର ପରିକଳ୍ପନା ଏକ ବିଳାସ ମାତ୍ର।
ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତିକୁ ଦେଖି କୃଷି କାର୍ଯ୍ୟରେ ଅତ୍ୟଧିକ ବୈଜ୍ଞାନିକ ପ୍ରଣାଳୀ ବିନିଯୋଗ କରାଯାଇପାରିଲେ ବିଭିନ୍ନ ପ୍ରକାର କୃଷି ଉତ୍ପାଦର ପରିମାଣ ଓ ମାନ ବୃଦ୍ଧି ପାଇପାରନ୍ତା। କୃଷିକୁ ନେଇ କୁଟୀର ଶିଳ୍ପକୁ ଗୁରୁତ୍ୱ ଦିଆଯାଇପାରିଲେ ଜନସଂଖ୍ୟାବହୁଳ ଭାରତବର୍ଷରେ ଅନେକେ ଉପକୃତ ହୋଇପାରନ୍ତେ। ଏଠାକାର ଦ୍ରବ୍ୟ ବାହାର ଦେଶରେ ବିକ୍ରି ହୋଇ ବୈଦେଶିକ ମୁଦ୍ରା ଅଣାଯାଇପାରନ୍ତା। କିନ୍ତୁ ସମସ୍ତେ ଏକ ଚାକଚକ୍ୟ ଦୁନିଆକୁ ଦେଖି କାର୍ଯ୍ୟ କରିବାକୁ ଆଗଭର ହେଉଥିବାରୁ ଭାରତର ଆତ୍ମା କୃଷିଠାରୁ ଦୂରେଇ ଯାଉଛି। ଏବକାର ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବାକୁ ହେଲେ ସମସ୍ତଙ୍କ ହାତରେ କାମ ଦିଆଯିବା ଦରକାର। ଯେହେତୁ ଭାରତର ଏକ ବିଶାଳ ଭୂଖଣ୍ଡ ସହ ଜନସଂଖ୍ୟା ରହିଛି, ସେହେତୁ ଲୋକଙ୍କ ଉନ୍ନତି ନିମନ୍ତେ ଜନଅନୁକୂଳ ଆଭିମୁଖ୍ୟ ପୋଷଣ କରିବାର ଆବଶ୍ୟକତା ପଡ଼ିଲାଣି। ବିଭିନ୍ନ ସ୍ଥାନ ଓ ସମୟରେ ସରକାରର ମଙ୍ଗ ଧରୁଥିବା ରାଜନୈତିକ ବ୍ୟକ୍ତିମାନେ ପ୍ରଥମେ ଏହାକୁ ହେଜିବା କଥା। ସେମାନେ ଉପରେ ଉପରେ ଉଡ଼ିଲେ, ଅର୍ଥନୀତି ସୁଧୁରିପାରିବ ନାହିଁ। କାରଣ ଗୋଡ଼ ଥୋଇବା ପାଇଁ ଭୂମି ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?