ସମ୍ପାଦକୀୟ/ କମୁଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ୧୪ ଅକ୍ଟୋବର ୨୦୧୯ରେ ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଇଛି। ପଞ୍ଜାବ ଓ ହରିୟାଣାରେ ଖେତରେ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ସମଗ୍ର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଫଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୩୫ ମାର୍କରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତମ ବାୟୁ ଗୁଣବତ୍ତା ସ୍ତର ଶୂନରୁ ୫୦ ରହିଥିବା ବେଳେ ମଧ୍ୟମ ଧରଣର ହେଲେ ତାହା ୫୧ରୁ ୧୦୦ ସ୍ଥିର କରାଯାଇଛି। ଏହାକୁ ମାନକ ଭାବେ ନେଇ ତର୍ଜମା କରାଗଲେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସ୍ତର ୨୩୫ ଛୁଇଁବା ନିଶ୍ଚିତ ଭାବେ ସେଠାକାର ଅଧିବାସୀଙ୍କ ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ୫ ଦିନ ହେବ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀ ବିଷାକ୍ତ ବାୟୁ ଗ୍ରହଣ କରିଚାଲିଛନ୍ତି। ଦୁଇମାସ ତଳକୁ ଫେରିଗଲେ ତାମିଲନାଡୁ ରାଜଧାନୀ ଚେନ୍ନାଇର କେତେକ ଅଞ୍ଚଳରେ ପାଣିର ଉତ୍କଟ ଅଭାବ ଦେଖାଦେବା ପରେ ଲୋକେ ସମ୍ପୃକ୍ତ ଇଲାକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ଖବର ମିଳିଥିଲା। ଏପଟେ ଅଗଷ୍ଟ ଓ ସେପ୍ଟେମ୍ବରରେ ହୋଇଥିବା ବର୍ଷା ପୂର୍ବ ରେକର୍ଡ ଭାଙ୍ଗି ଦେଇଛି। ସେହିଭଳି ଗୋଟିଏ ପଟେ ମୌସୁମୀ ଠିକ୍‌ ସମୟରେ ଆସୁ ନ ଥିବା ବେଳେ ଫେରନ୍ତା ମୌସୁମୀ ଯିବାରେ ଅତ୍ୟନ୍ତ ବିଳମ୍ବ ଘଟୁଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସୃଷ୍ଟି ହେଉଥିବା ବେଳେ ଦିଲ୍ଲୀ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏବେ ବାୟୁ ଗୁଣବତ୍ତା କମିଯିବା ଲାଗି ମନୁଷ୍ୟକୃତ ବିପର୍ଯ୍ୟୟ ଦାୟୀ ବୋଲି କୁହାଯାଇପାରିବ। ପଞ୍ଜାବ ଓ ହରିୟାଣାର ଖେତଗୁଡ଼ିକରୁ ଫସଲ ଅମଳ କରିସାରିବା ପରେ ଚାଷୀ ନଡ଼ାରେ ନିଆଁ ଲଗାଇ ଦେଇଥାଆନ୍ତି। ସେଗୁଡ଼ିକୁ ବୋହିବାରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏଭଳି ପଦକ୍ଷେପ ନେଇଥାଆନ୍ତି। ଫଳରେ ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରିଦେଉଛି। ପ୍ରାତଃ ସମୟରେ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଦିନର କୁହୁଡ଼ି ଏହି ଧୂଆଁ ସହ ମିଶିଯିବା ଫଳରେ ରାସ୍ତା ଦେଖିବା ମଧ୍ୟ କଷ୍ଟକର ହୋଇପଡ଼େ। ସେଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟେ। ବିଗତ କିଛିବର୍ଷ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରଦୂଷଣଜନିତ ସମସ୍ୟାରେ ଜର୍ଜରିତ ହୋଇଯାଉଥିବାରୁ ସେଥିରୁ ତ୍ରାହି ପାଇବା ସକାଶେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ୭ ଅକ୍ଟୋବରରେ ଏକ ଖବରଦାତା ସମ୍ମିଳନୀରେ ଏହାର ସମାଧାନ ଦିଗ ଉପରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାରେ ଚାଷୀଙ୍କ ସମସ୍ୟାକୁ ଦେଖି ପରିବେଶ ଉପଯୋଗୀ ମେଶିନ କିଣିବା ବାବଦକୁ ୧୧୫୦ କୋଟି ଟଙ୍କା ସହାୟତା ଦେଇଥିବା ବିଷୟ ଜାଭଡେକର ଉଲ୍ଲେଖ କରିଥିଲେ। ଇତିମଧ୍ୟରେ ପ୍ରାରମ୍ଭିକ ଅବସ୍ଥାରେ ଚାଷୀଙ୍କୁ ୧୮,୦୦୦ ମେଶିନ ମଧ୍ୟ ଯୋଗାଇ ଦିଆସରିଲାଣି। ଉକ୍ତ ମେଶିନ ସେହି ନଡ଼ାକୁ ସାରରେ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି କୁହାଯାଉଛି। କେନ୍ଦ୍ର ସରକାର ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରି ସହାୟତା ରାଶି ଦେବା ସହ ମେଶିନ ଯୋଗାଇ ଦେବା ଏକ ଉତ୍ତମ ପଦକ୍ଷେପ ବୋଲି କୁହାଯାଇପାରେ। କିନ୍ତୁ କୃଷକମାନେ ଆନ୍ତରିକତାର ସହ ତାହାକୁ କାର୍ଯ୍ୟକାରୀ ନ କଲେ ସମସ୍ୟା ବଢ଼ିଚାଲିବ।
ଆଜିର ସମୟରେ ଗୋଟିଏ କଥା ଦେଖାଯାଉଛି ଯେ, ଅନେକେ ସର୍ବଦା ଭାବୁଛନ୍ତି ସେମାନଙ୍କ ଲାଗି ଅନ୍ୟ କେହି କାର୍ଯ୍ୟ କରନ୍ତୁ। ସରକାରକୁ ପ୍ରତି କଥାରେ ଦୋଷ ଦିଆଯାଉଛି। ଓଡ଼ିଶା କଥା ଦେଖିଲେ ଏଠାକାର ଅନେକ ସହରାଞ୍ଚଳରେ ଅଳିଆକୁ ସ୍ଥାନାନ୍ତର କରିବା ବ୍ୟୟସାପେକ୍ଷ ଭାବି ପୋଡ଼ି ଦିଆଯାଉଥିବା ବାରମ୍ବାର ଦେଖିବାକୁ ମିଳୁଛି। ଏଥିରେ ମହାନଗର ନିଗମ ବା ନଗରପାଳିକାରେ କାର୍ଯ୍ୟରତ କର୍ତ୍ତୃପକ୍ଷ ସିଧାସଳଖ ସମ୍ପୃକ୍ତ ରହୁଛନ୍ତି ବୋଲି ସନ୍ଦେହ କରାଯାଉଛି। ଏଠାରେ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ର ଉଦାହରଣ ଦିଆଯାଇପାରେ। ପ୍ରବଳ ମାତ୍ରାରେ ଅଳିଆ ଉପୁଜାଉଥିବା ଏହି ମଲ୍‌ ନିଜର ଅଳିଆ ନିଷ୍କାସନର କୌଣସି ବ୍ୟବସ୍ଥା କରିବାକୁ ଚେଷ୍ଟା କରୁନାହିଁ। ଗୋଟିଏ ପଟେ ରାଜ୍ୟ ସରକାର ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ମଲ୍‌ରୁ ବାହାରୁଥିବା ଅନେକ ପରିମାଣ ବର୍ଜ୍ୟ ପ୍ଲାଷ୍ଟିକ୍‌ ବସ୍ତାରେ ପୂରାଯାଇ ଫିଙ୍ଗାଯାଉଥିବାର ସମସ୍ତେ ଦେଖୁଛନ୍ତି। ସେଥିରୁ ଅନୁମାନ କରାଯାଇପାରୁଛି ଯେ, ଏହି ମଲ୍‌କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉଚ୍ଚ କର୍ମକର୍ତ୍ତା ପ୍ରବଳମାତ୍ରାରେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଥିବେ। ଦୁହଁାଳିଆ ଗାଈ ଭଳି ବ୍ୟବସାୟିକ ସଂସ୍ଥା ଥରେ ଅଧେ ନୁହେଁ, ନିୟମିତ ଭାବେ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ବାଧ୍ୟ ହେଉଥିବେ। ତେଣୁ ପରିବେଶକୁ ବିଷାକ୍ତ ଓ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ହୋଇପଡ଼ିଲାଣି। ଏଥିସହିତ ବର୍ଜ୍ୟବସ୍ତୁରୁ କିଭଳି ଶକ୍ତି ଉତ୍ପନ୍ନ ହୋଇପାରିବ ସେଭଳି ଅନେକ ପ୍ଲାଣ୍ଟ ବସାଇବା ଲାଗି ସରକାର ପଦକ୍ଷେପ ନେବା ଜରୁରୀ। ଏଠାରେ ସିଙ୍ଗାପୁରର ଦୃଷ୍ଟାନ୍ତ ମଧ୍ୟ ଦିଆଯାଇପାରେ। ସେହି କ୍ଷୁଦ୍ର ଦେଶରେ ଅଳିଆ ପୁନର୍ବ୍ୟବହାର କରାଯିବାର ଅନେକ ଉପାୟ କାର୍ଯ୍ୟକାରୀ କରାଯାଉଛି। ସହରର ସବୁବର୍ଜ୍ୟକୁ ଏକାଠି କରାଯାଇ ସେଥିରୁ ଉତ୍ତାପ ଓ ଶକ୍ତି ଉତ୍ପନ୍ନ କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବା ସହ ସେହି ଅଳିଆକୁ ଶୂନ ସ୍ତରକୁ ଅଣାଯାଇପାରୁଛି। ଏହା କୌଣସି ବୈଜ୍ଞାନିକଙ୍କ ସ୍ବପ୍ନ ନୁହେଁ, ସିଙ୍ଗାପୁରର ବାସ୍ତବ ଚିତ୍ର। ଭାରତର କୌଣସି ସହରାଞ୍ଚଳରେ ସେଭଳି ପ୍ରଯୁକ୍ତିବିଦ୍ୟା ଉପଯୋଗ କରାଯାଉ ନାହିଁ, ଯାହାଫଳରେ ନିକଟ ଭବିଷ୍ୟତରେ ଭାରତର ଏୟାର କ୍ୱାଲିଟିକୁ ଆହୁରି ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏହା ହିଁ ବାସ୍ତବ ସ୍ଥିତି

ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...

କୁକୁଡ଼ା ଅଣ୍ଡାର ମାନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଣ୍ଡାକୁ ସବୁବେଳେ ମାନକ ନିରାପଦ ଖାଦ୍ୟ ଭାବେ ବିବେଚନା କରାଯାଇ ଆସିଛି। କ୍ୱଚିତ୍‌ ଲୋକ ଜାଣନ୍ତି ଯେ, ପ୍ରତି ଅଣ୍ଡା...

ସ୍ବାମିଜୀ ଓ ଶିକାଗୋର ବାର୍ତ୍ତା

ଗିରିଜା ଶଙ୍କର ତରାସିଆ ଆଜକୁ ଠିକ୍‌ ୧୨୬ ବର୍ଷ ତଳେ ଆମେରିକାର ଶିକାଗୋ ସହରସ୍ଥିତ କଲମ୍ବସ୍‌ ହଲ୍‌ରେ ଅନୁଷ୍ଠିତ ହେଉଥାଏ ପ୍ରଥମ ବିଶ୍ୱ ଧର୍ମ ମହାସଭା।...

ବେୟାରଫୁଟ ଡାକ୍ତର

ଡା. ଦ୍ୱିଜେଶ କୁମାର ପଣ୍ଡା ଚାଇନାରେ କୃଷି ଶ୍ରମିକମାନଙ୍କୁ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଦେଇ ଗ୍ରାମୀଣ ଲୋକମାନଙ୍କୁ ଚିକିତ୍ସା କରିବାର ଅନୁମତି...

କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଏକ ସାମାଜିକ ସଙ୍କଟ

ଡ. ମନୋରଞ୍ଜନ ପ୍ରଧାନ   ମନେପଡ଼ୁଛି ପିଲାବେଳେ ଜେଜେମାଆଙ୍କ କୋଳରେ ବସି ଶୁଣିଥିବା ବ୍ରହ୍ମ ରାକ୍ଷସ କଥା। ଦିନେ ସକାଳୁ ସକାଳୁ ଗଁ। ମୁଣ୍ଡ ବିଶାଳ...

ପୁଞ୍ଜିବାଦ ଓ ପ୍ରତିଯୋଗିତା

ରୁବେନ୍‌ ମ୍ୟାକ୍ସିମିଆନୋ ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ଏକ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଏହି ସମୟ ମଧ୍ୟରେ ଲଗାତର ତାଙ୍କୁ ଫ୍ରାଙ୍କଲିନ୍‌ ଡେଲାନୋ ରୁଜ୍‌ଭେଲ୍ଟଙ୍କ...

ପାପୀମାନଙ୍କ ନର୍କ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ”ମାମା! ବାପା ଅଫିସରେ କ’ଣ କରନ୍ତି,“ ପୁଅ ପଚାରିଲା ମାଆକୁ। ”ସେ ମାଙ୍କଡ଼ମାନଙ୍କୁ ଡରାନ୍ତି,“ ମା’ ଉତ୍ତର ଦେଲେ। ବନ୍ୟପ୍ରାଣୀଙ୍କୁ...

ନିର୍ଭୀକ ରାଷ୍ଟ୍ରପତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବିଶ୍ୱ ଭୂରାଜନୈତିକ ସ୍ଥିତିରେ ଏବେ ଭୂକମ୍ପନ ସୃଷ୍ଟି କରିଛି। ୟୁକ୍ରେନ୍‌ ପଛରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ...

Advertisement
Archives

Model This Week