ସମାଧାନ ନିଷେଧରେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ
ଶ୍ରୀଲଙ୍କାରେ ୨୧ ଏପ୍ରିଲ ୨୦୧୯ରେ ଘଟିଥିବା ବିସ୍ଫୋରଣରେ ପାଖାପାଖି ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୩୯ ବିଦେଶୀ ପର୍ଯ୍ୟଟକ ଥିଲେ। ବିସ୍ଫୋରଣ ପରେ ସେଠାରେ ପର୍ଯ୍ୟଟନ ଶିଳ୍ପ ଘୋର ବିପଦର ସମ୍ମୁଖୀନ ହୋଇଛି। ଆଇଏସ୍‌ ଆତଙ୍କବାଦୀ ତଥା ଶ୍ରୀଲଙ୍କାର କୋଟିପତି ବ୍ୟବସାୟୀ ଇନ୍‌ସାଫ ଅହମ୍ମଦ ଇବ୍ରାହିମ୍‌ଙ୍କ ସ୍ତ୍ରୀ ଫାତିମା ଇବ୍ରାହିମ୍‌ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ଶ୍ରୀଲଙ୍କା ସରକାର ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ରୋକ ଲଗାଇଛନ୍ତି। ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଆକ୍ରମଣର ସପ୍ତାହକ ପରେ ୨୯ ଏପ୍ରିଲରେ ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶରେ କୌଣସି ମୁସଲମାନ ମହିଳା ସର୍ବସାଧାରଣ ସ୍ଥାନରେ ମୁହଁରେ ପରଦା ପକାଇପାରିବେ ନାହିଁ। ଏହା କୌଣସି ସମ୍ପ୍ରଦାୟକୁ ଅସୁବିଧାରେ ପକାଇବା ପାଇଁ ନୁହେଁ, ବରଂ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସର ଉଦାହରଣ ନିଆଯାଉ। ସେଠାରେ ୧୪ ସେପ୍ଟେମ୍ବର ୨୦୧୦ରେ ସର୍ବସାଧାରଣ ସ୍ଥାନରେ ଲୋକେ ମୁହଁ ଘୋଡ଼ାଇ ଯାଇପାରିବେ ନାହିଁ ବୋଲି ଏକ ଆଇନ ପାର୍ଲାମେଣ୍ଟରେ ଅଣାଯାଇଥିଲା। ବିଶେଷକରି ମୁସଲମାନ ମହିଳା ହିଜାବ୍‌ ଓ ବୁର୍ଖା ଭଳି ମୁହଁ ଓ ଦେହକୁ ଘୋଡ଼ାଇବା ପରି ବସ୍ତ୍ର ପିନ୍ଧିି ଘର ବାହାରକୁ ଯିବା ନିଷେଧ କରାଗଲା। ଫ୍ରାନ୍ସରେ କଡ଼ା ଆଇନ ଲାଗୁ ହେବା ପରେ ଏହାର ସପକ୍ଷ ଓ ବିପକ୍ଷରେ ପ୍ରବଳ ମତ ପ୍ରକାଶ ପାଇଲା। ତେବେ ସେହି ଆଇନ ପ୍ରଣୟନକୁ ଦେଖିଲେ ଫ୍ରାନ୍ସର ଆଭ୍ୟନ୍ତରୀଣ ପରିସ୍ଥିତିରେ ସୁଧାର ଆସିଥିବା ଭଳି ସଙ୍କେତ ମିଳୁ ନାହିଁ। ଚାର୍ଲି ହେବ୍‌ଡୋ କାର୍ଯ୍ୟାଳୟ ଉପରେ ୨୦୧୫ରେ ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ପ୍ରାଣହାନି ଓ ସେହିବର୍ଷ ପ୍ୟାରିସ୍‌ରେ କ୍ରମାଗତ ଆକ୍ରମଣରେ ୧୩୭ ଜଣଙ୍କୁ ହତ୍ୟା ଏବଂ ୨୦୧୬ରେ ନିସ୍‌ରେ ଟ୍ରକ୍‌ ମଡ଼ାଇ ୮୬ ଲୋକଙ୍କୁ ମାରି ଦିଆଯିବା ଘଟଣା ଘଟିବାରେ ଲାଗିଛି, ଯାହା ଇସ୍‌ଲାମୀୟ ଉଗ୍ରବାଦକୁ ସିଧାସଳଖ ଦର୍ଶାଉଛି। ଯଦି ଫ୍ରାନ୍ସ ଉଦାହରଣକୁ ଦେଖାଯାଏ, ତେବେ ଶ୍ରୀଲଙ୍କା ଯେଉଁ ପଦକ୍ଷେପ ନେଉଛି, ତାହାର ପରବର୍ତ୍ତୀ ପରିସ୍ଥିତି କେଉଁଆଡ଼େ ମୋଡ଼ ନେବ କହିବା ଏବେ କଷ୍ଟକର।
ଶ୍ରୀଲଙ୍କାରେ ସମୁଦାୟ ଜନସଂଖ୍ୟାର ମାତ୍ର ୧୦ ପ୍ରତିଶତ ମୁସଲମାନ। ନିକଟ ଅତୀତରେ ସେଠାରେ ମୁସଲମାନ ଓ ଖ୍ରୀଷ୍ଟିଆନ୍‌ଙ୍କ ମଧ୍ୟରେ ସେଭଳି ଶତ୍ରୁତା ନ ଥିଲା। ହେଲେ ମଧ୍ୟପ୍ରାଚ୍ୟରେ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଦୁର୍ବଳ ହୋଇଯାଇଥିବାରୁ ଏହା ବିଶ୍ୱର ଅନ୍ୟ କେଉଁଠାରେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ବିସ୍ଫୋରଣରୁ ଖିଅ ଟାଣି କୁହାଯାଉଛି। ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀଲଙ୍କାର ଜଣେ ମନ୍ତ୍ରୀ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ମସ୍‌ଜିଦ୍‌ରେ ୨୦୧୯ ମାର୍ଚ୍ଚ ୧୫ରେ ହୋଇଥିବା ଘଟଣା ସହ ଏହାକୁ ଯୋଡ଼ିଥିଲେ। ଯେହେତୁ ଶ୍ରୀଲଙ୍କା ବିସ୍ଫୋରଣରେ ମୁସଲମାନ ମହିଳାଙ୍କ ସମ୍ପୃକ୍ତି ନେଇ ଅନେକ ତଥ୍ୟ ମିଳିପାରିଛି, ସେହି ଦୃଷ୍ଟିରୁ ଦେଖିଲେ ସେଠାକାର ସରକାରଙ୍କ ଏଭଳି ନିଷ୍ପତ୍ତି ଏକ ସ୍ବାଭାବିକ ପ୍ରତିକ୍ରିୟା। କିନ୍ତୁ ଏହା ଏକ ଅସ୍ବାଭାବିକ ପଦକ୍ଷେପ। ଏଭଳି ପରିସ୍ଥିତିରେ ବୁର୍ଖା ନିଷେଧ ଭଳି ନିଷ୍ପତ୍ତି ଏକ ଚିନ୍ତାଶୀଳ ସରକାରର ପ୍ରତିକ୍ରିୟା ଭାବେ ମନେହୁଏ ନାହିଁ। ଆମେରିକା ଉପରେ ୯/୧୧ ଆକ୍ରମଣର ପ୍ରତିକ୍ରିୟାରେ ସେଭଳି ଶକ୍ତିଶାଳୀ ଦେଶ ଅନ୍ତର୍ଜାତୀୟ ଯୁଦ୍ଧ ଲଗାଇ ଭାବିଥିଲା ଯେ ଆତଙ୍କବାଦୀଙ୍କୁ ଶେଷ କରିପାରିବ। ଆଫଗାନିସ୍ତାନ, ଇରାକ୍‌ ଏବଂ ମଧ୍ୟପ୍ରାଚ୍ୟକୁ ସମ୍ପୂର୍ଣ୍ଣ ଭାବରେ ଅସ୍ଥିର କରିଦେବା ପରେ ମଧ୍ୟ ଆମେରିକା ତା’ର ଲକ୍ଷ୍ୟ ହାସଲ କରିବା ପୂର୍ବରୁ ସେନା ଫେରାଇ ନେବା ପାଇଁ ବାଧ୍ୟ ହୋଇଛି। ଅବଶ୍ୟ କହିହେବ ଯେ, ନିଜ ଦେଶ ଭିତରେ ଅତି ଶକ୍ତିଶାଳୀ ଗୋଇନ୍ଦା ନଜର ରଖି ପରବର୍ତ୍ତୀ ଆତଙ୍କବାଦୀ ଆକ୍ରମଣ ଘଟାଇଦେଇ ନାହିଁ। ଏଥିପାଇଁ ଆମେରିକାର ଭୌଗୋଳିକ ପରିସ୍ଥିତି ତାକୁ ସହାୟକ ହୋଇଛି। କିନ୍ତୁ ରୁଷିଆ ଭଳି ଦେଶ ମଧ୍ୟ ଇସ୍‌ଲାମୀୟ ଆତଙ୍କବାଦରୁ ରକ୍ଷା ପାଇପାରି ନାହିଁ। ମୁସ୍‌ଲିମ୍‌ ଚେଚେନ୍‌ ବିଦ୍ରୋହୀମାନେ ସ୍କୁଲ ଭିତରେ ପଶି ପିଲାମାନଙ୍କୁ ହତ୍ୟା କରିଥିବା ଘଟଣା ସମଗ୍ର ପୃଥିବୀକୁ ଦୁଃଖିତ କରିଥିଲା। ଅନ୍ୟ ଏକ ଦିଗରୁ ଦେଖିଲେ ପାକିସ୍ତାନ ଭଳି ସମ୍ଭବତଃ ପୃଥିବୀରେ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ଅନ୍ୟ କୌଣସି ଦେଶ ନାହିଁ। ତଥାପି ପାକିସ୍ତାନ ଉଗ୍ରବାଦୀ ଆକ୍ରମଣରୁ ବର୍ତ୍ତିପାରୁ ନାହିଁ। ଏଥିରୁ ବୁଝିବାକୁ ହେବ, ଅତ୍ୟଧିକ ମିତ୍ରତା କିମ୍ବା ଫ୍ରାନ୍ସ ଓ ଶ୍ରୀଲଙ୍କା ଭଳି ଶତ୍ରୁତା ମାଧ୍ୟମରେ ଇସ୍‌ଲାମୀୟ ଉଗ୍ରବାଦକୁ ପୃଥିବୀବ୍ୟାପୀ ବନ୍ଦ କରିପାରିନାହାନ୍ତି। କେବଳ ଆମେରିକା, ଚାଇନା ଏବଂ ରୁଷିଆ ତିନୋଟିଯାକ ଦେଶ ଆତଙ୍କବାଦୀଙ୍କ ଗୁରୁତର ଶିକାର ହେବା ପରେ ଏବେ ସେଥିରୁ ଆପାତତଃ ବଞ୍ଚିକରି ରହିପାରିଛନ୍ତି। ଆମେରିକା ଓ ରୁଷିଆରେ ଆତଙ୍କବାଦୀ ଆକ୍ରମଣ ସାଧାରଣରେ ଜଣାପଡ଼ିଥିଲା ବେଳେ ଚାଇନାର କୌଣସି ଘଟଣା ପଦାକୁ ଆସୁନାହିଁ। ସେହି ଦେଶର ୟୁଘୁର ମୁସଲମାନମାନଙ୍କୁ ନିପାତ କରିବା ପାଇଁ ଚାଇନା ରଣ କରିଛି।
ଶେଷରେ କହିହେବ, ଯେଉଁ ଦେଶରେ ଗୋଇନ୍ଦା ବ୍ୟବସ୍ଥାକୁ କଡ଼ାକଡ଼ି କରାଇ ସମାଜକୁ ସତର୍କ ରଖି ହେଉଛି, ସେହି ଦେଶରେ ଆତଙ୍କବାଦୀ ଆକ୍ରମଣର ମାତ୍ରାକୁ ହ୍ରାସ କରିହେଉଛି। ଏଥିସହିତ ପୂର୍ବଭଳି ଶାରୀରିକ ଗୋଇନ୍ଦା କାର୍ଯ୍ୟକଳାପ ଏବେ ପ୍ରାଚୀନ ଚିନ୍ତାଧାରାର ପରିଚୟ ପାଲଟିଗଲାଣି। ଏବେକା ଯୁଗରେ ଆତଙ୍କବାଦୀମାନେ ସୋସିଆଲ ମିଡିଆ ଏବଂ ଡିଜିଟାଲ ଅନ୍‌ଲାଇନ୍‌କୁ ମାଧ୍ୟମ କରି ନିଜର ଲକ୍ଷ୍ୟ ସାଧନ କରିପାରୁଛନ୍ତି। ଯେଉଁ ସରକାର ସେହି ଡିଜିଟାଲ ପୃଥିବୀକୁ ଅନିଷା କରି ସତର୍କ ରହିପାରୁଛି, ସେହି ଦେଶ ସୁରକ୍ଷିତ ରହିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri