ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ ନାମରେ ମୋଟ ୩୫୩ ଆସନ ହାସଲ କରିପାରିଛି। ସରକାର ସପକ୍ଷରେ ହାଓ୍ବା ବହିବା ପରେ ଏଭଳି ସଫଳତା ମିଳିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବାରେ ଲାଗିଲେଣି। ଏହି ଦାବିର ବିଭିନ୍ନ ଦିଗ ରହିଛି। କୁହାଯାଉଛି, ୨୦୧୪ରେ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବାରେ ପୂର୍ବର ଉପା-୧ ଓ ଉପା-୨ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ସହାୟକ ହୋଇଥିଲା। ସେଥିପାଇଁ ସେହି ସମୟରେ ଯୁକ୍ତି ଦର୍ଶାଯାଇଥିଲା ଯେ ତାହା କେବଳ ମୋଦିଙ୍କ ବିଜୟ ବୋଲି କୁହାଯାଇପାରିବ ନାହିଁ, କଂଗ୍ରେସର ବିପୁଳ ବିଫଳତା ଅପରପକ୍ଷକୁ ଅଧିକ ସଂଖ୍ୟା ଦେଇଥିଲା। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ବା ମହାଗଠବନ୍ଧନ ଭୋଟ ଗୋଟେଇବାରେ ଅକ୍ଷମତା, ସାଧାରଣ ଲୋକଙ୍କ ଆଖିରେ ରାହୁଲଙ୍କ ପ୍ରତି ଅଗ୍ରହଣୀୟତା ସହିତ ତଥାକଥିତ ଦେଶପ୍ରେମ ଏବଂ ମୋଦିଙ୍କ ପାଖରେ ଶତ୍ରୁଦମନକାରୀ ଶକ୍ତି ଅଛି ବୋଲି ଯେଉଁ ବାତାବରଣ ସୃଷ୍ଟି ହେଲା, ତାହାର ସମୁଦାୟ ଅଙ୍କ ୩୫୩ରେ ପହଞ୍ଚାଇଦେଲା। ସେହିପରି ରାଜ୍ୟସ୍ତରରେ ସକ୍ରିୟ ଥିବା ଦଳ ବିଶେଷକରି ତୃଣମୂଳ କଂଗ୍ରେସ (ଟିଏମ୍‌ସି), ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜ ପାର୍ଟି (ବିଏସ୍‌ପି), ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ନିଜ ନିଜ ଅଞ୍ଚଳରେ ମ୍ୟାଜିକ୍‌ ଦେଖାଇପାରିଲେ ନାହିଁ। ଏଥିରେ ବଡ଼ଧରଣର ଭିନ୍ନତା ଦର୍ଶାଇଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି)। ମତଦାନର ଧାରାକୁ ଦେଖିଲେ ପଶ୍ଚିମବଙ୍ଗରେ ଟିଏମ୍‌ସିର ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାମପନ୍ଥୀ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛନ୍ତି। କୁହାଯାଉଛି, ବାମପନ୍ଥୀ ନେତାମାନେ ମମତାଙ୍କୁ ମାଡ଼ ଦେବା ପାଇଁ ନିଜର ଅସ୍ତିତ୍ୱ ହରାଇ ଭାଜପାକୁ ସମର୍ଥନ କରିଦେଲେ। ସେହିପରି ମାୟାବତୀଙ୍କ ବିଏସ୍‌ପି ଏବଂ ଅଖିଳେଶ ଯାଦବଙ୍କ ଏସ୍‌ପି ହାତ ମିଳାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ଫସର ଫାଟିଲା। ସେଠାରେ କୁହାଯାଉଛି, ମାୟାବତୀଙ୍କ ଭୋଟ ଦୃଢ଼ ଥିବା ବେଳେ ସମାଜବାଦୀର ଯାଦବ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସହଯୋଗ ମିଳିପାରିଲା ନାହିଁ। ଏହାଫଳରେ ସବୁ ଜାତି ଓ ସ୍ତରର ଭୋଟ ଭାଜପା ଆଡ଼କୁ ଗଲା। ଦକ୍ଷିଣ ଭାରତରେ ଓ୍ବାଇଏସ୍‌ ଜଗନ୍‌ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଚମତ୍କାରିତା ଆନ୍ଧ୍ରରେ କ୍ଷମତାସୀନ ଟିଡିପିର ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଭୋଟ ପୂର୍ବରୁ ଓ ନିର୍ବାଚନ ଚାଲିଥିବାବେଳେ ଚନ୍ଦ୍ରାବାବୁ ନାଇଡୁ ଯେଭଳି ଅମରାବତୀରୁ ଦିଲ୍ଲୀ ଧାଇଁ ମୋଦିଙ୍କ ବିରୋଧରେ ବିପକ୍ଷ ନେତାଙ୍କୁ ଏକାଠି କରିବାରେ ଲାଗିଥିଲେ, ସେହି କସରତ ତାଙ୍କୁ ହାସ୍ୟାସ୍ପଦ ପରିସ୍ଥିତିରେ ପକାଇଲା। କଂଗ୍ରେସ କଥା ଦେଖିଲେ, ୨୦୧୮ ଡିସେମ୍ବରରେ ୫ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ଲାଗି ନିର୍ବାଚନ ହୋଇଥିଲା। ସେଥିରେ ହିନ୍ଦୀଭାଷୀ ୩ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ କଂଗ୍ରେସ ବିପୁଳ ବିଜୟ ହାସଲ କରି ସରକାର ଗଢ଼ିଥିଲା। ତା’ ପରେ କଂଗ୍ରେସରେ ଏକ ବିଶ୍ୱାସ ଜନ୍ମ ନେଲା ଯେ, ଏହି ହିନ୍ଦୀଭାଷୀ ଅଞ୍ଚଳର ଭୋଟର ଯେଉଁ ଦିଗକୁ ମୁହଁାଇଛନ୍ତି, ହୁଏତ ଲୋକ ସଭା ନିର୍ବାଚନରେ ତାହାହିଁ ଘଟିବ। ସେଥିପାଇଁ ସୋସିଆଲ ମିଡିଆ ପ୍ରଚାରରେ ପଛୁଆ ପଡ଼ିବା ସହିତ କଂଗ୍ରେସର ଆକ୍ରମଣାତ୍ମକ କାର୍ଯ୍ୟରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଅଧିକ ଧ୍ୟାନ ରହିଲା କିଏ କେଉଁଠାରୁ ଟିକେଟ ନେବେ। ସେହି ମାନସିକତା ଯୋଗୁ ଓଡ଼ିଶା ଭଳି ରାଜ୍ୟରେ ଅପାରଗ ନେତୃତ୍ୱ ଦେଇ ବିଜୟଲାଭ କରିବାର ସ୍ବପ୍ନ କଂଗ୍ରେସ ପାଇଁ ନକାରାତ୍ମକ ହେଲା। ଉପରଲିଖିତ ଦିଗକୁ ଦେଖିଲେ ଭାଜପା ନିରଙ୍କୁଶ କ୍ଷମତା ପାଇ ପୁଣିଥରେ ସରକାର ଗଢ଼ିବା ପଛରେ ବିରୋଧୀଙ୍କ ଦୁର୍ବଳତାକୁ ଇଙ୍ଗିତ କରାଯାଉଛି।
ଆଉ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଭାରତୀୟ ଭୋଟର ଏହି ନିର୍ବାଚନରେ ବଂଶବାଦ ଓ ପାରିବାରିକ ରାଜନୀତିକୁ ପ୍ରାୟତଃ ପ୍ରତ୍ୟାଖ୍ୟାନ କରିଛନ୍ତି। ଖୋଜି ଖୋଜି ରାଜନୈତିକ ଲିଗାସୀଙ୍କୁ ନେଇ ଟିକେଟ ଦେବା ଓ ପ୍ରଚାର ମଙ୍ଗ ଧରାଇବା ବିରୋଧୀଙ୍କ ପାଇଁ କାଳ ହୋଇଛି। ଏହାକୁ ଭୋଟର ବୁଝିପାରିବା ପରେ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଧକ୍କା ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଧୂଆଁଧାର ପ୍ରଚାର ସତ୍ତ୍ୱେ ଉତ୍ତରପ୍ରଦେଶରେ ଦଳ ମାତ୍ର ଗୋଟିଏ ପାରମ୍ପରିକ ଆସନ ବଞ୍ଚାଇପାରିଛି। ବୋଧହୁଏ ଓ୍ବାୟାନାଡ ଆସନକୁ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଭାବେ ବାଛିବା ପରିବର୍ତ୍ତେ ଯଦି ରାହୁଲ କେବଳ ଅମେଠିରୁ ଲଢ଼ିଥାଆନ୍ତେ, ତେବେ ସେଠାରେ ଭୋଟରଙ୍କୁ ପ୍ରାର୍ଥୀ ବାଛିବା ସହଜ ହୋଇଥାଆନ୍ତା। ଅବଶ୍ୟ କେରଳରେ ରାହୁଲଙ୍କ ପ୍ରାର୍ଥତ୍ତ୍ୱ ଯୋଗୁ ସେହି ରାଜ୍ୟରୁ ସର୍ବାଧିକ ଆସନ କଂଗ୍ରେସକୁ ମିଳିପାରିଲା। ଓ୍ବାୟାନାଡରୁ ପ୍ରାର୍ଥୀ ହେବା ପରେ ରାହୁଲ ତାଙ୍କର ଦୁର୍ବଳତା ପ୍ରଦର୍ଶନ ସହିତ ଏକ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ଦେଶକୁ ଦେଲେ। ଯେହେତୁ ଓ୍ବାୟାନାଡ ଏକ ମୁସଲମାନବହୁଳ ନିର୍ବାଚନମଣ୍ଡଳୀ, ସେହେତୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଫଳରେ ଦେଶବ୍ୟାପୀ ମତ ସୃଷ୍ଟି କରାଯାଇପାରିଲା ଯେ କଂଗ୍ରେସ ବାସ୍ତବରେ ହିନ୍ଦୁ ବିରୋଧୀ। ଅନ୍ୟପକ୍ଷରେ ୨୫ ମେ’ରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ ତାଙ୍କ ପାର୍ଟିର ବରିଷ୍ଠ ନେତାମାନଙ୍କୁ ନିନ୍ଦା କରିଛନ୍ତି। ନିଜ ପୁଅମାନଙ୍କୁ ଟିକେଟ ଦେବା ଲାଗି ପିତାମାନେ ବ୍ୟାକୁଳ ହେବା ଦଳ ପାଇଁ କାଳ ହେଲା ବୋଲି ରାହୁଲ କହିିଛନ୍ତି। ଅବଶ୍ୟ ଏଠାରେ କୁହାଯାଇପାରେ ଯେ, ରାହୁଲ ନିଜେ ଭାରତୀୟ ରାଜନୀତିରେ ପରିବାରବାଦର ସର୍ବୋଚ୍ଚ ପ୍ରତୀକ। ସେହିପରି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଇ ରନ୍‌-ଆଉଟ୍‌ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ମଧ୍ୟ ହାରିଯାଇଛନ୍ତି। ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନର ଲୋକେଶ ପରାଜୟ ବରଣ କରିଛନ୍ତି। ଏଭଳି ପ୍ରଚ୍ଛଦପଟରେ ଓଡ଼ିଶାର ସାଧାରଣ ଭୋଟର ସମ୍ପୂର୍ଣ୍ଣ ଏକ ଭିନ୍ନ ରାଜନୀତିରେ ବିଶ୍ୱାସ କରନ୍ତି ବୋଲି ପ୍ରମାଣ କରିଛନ୍ତି। ଦେଶର ଅଧିକାଂଶ ରାଜ୍ୟରେ ମୋଦି ହାଓ୍ବା ଯୋଗୁ ଭାଜପା ଜିତୁଥିବା ବେଳେ ଓଡ଼ିଶାରେ ତାହାର ଆଂଶିକ ପ୍ରଭାବ ପଡ଼ିଥିଲା। ଏହି ରାଜ୍ୟରେ ଭୋଟର କେବଳ ବିଜେଡିକୁ ଜିତାଇଛନ୍ତି ତାହା ନୁହେଁ, ଅନେକ ବରିଷ୍ଠ ନେତାଙ୍କ ପୁଅମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଉଦାହରଣ ସ୍ବରୂପ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ, ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ୍‌, ବାସୁଦେବପୁରରୁ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ପ୍ରମୁଖ ରହିଛନ୍ତି। କିନ୍ତୁ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପାରୁ ଲଢ଼ିଥିବା ବଲାଙ୍ଗୀର ରାଜପରିବାରର ୩ ଭ୍ରାତା ଉଭୟ ପଟରୁ ପରାଜିତ ହୋଇଛନ୍ତି।
କେନ୍ଦ୍ରରେ ଦ୍ୱିତୀୟ ଥର ଲାଗି ମୋଦି କ୍ଷମତାସୀନ ହେବାକୁ ଯାଉଛନ୍ତି। ଏବେ ମୋଦି ଓ ତାଙ୍କ ସମର୍ଥକମାନେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ଉଠାଇ ଦେବା ପରେ ସମ୍ଭବତଃ ଦେଶର ନାଗରିକମାନେ ରାତିରେ ନିଦ୍ରାଯିବା ଆଗରୁ ଅସୁରକ୍ଷିତ ମନେକରୁଥାଇପାରନ୍ତି। ସେଭଳି ପରିସ୍ଥିତିରେ ମୋଦି ତାଙ୍କ ପୁରୁଣା ସ୍ଲୋଗାନ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସହ ସବ୍‌କା ବିଶ୍ୱାସ ଯୋଡ଼ି ଦେଇଛନ୍ତି। ସାଧାରଣ ଭାରତୀୟ ତା’ର ବିଶ୍ୱାସର ପ୍ରମାଣ ଦେଇସାରିଲେଣି। ଏବେ ମୋଦି ସରକାର ସେହି ବିଶ୍ୱାସର କେତେ ଯୋଗ୍ୟ ହୋଇପାରିବେ ତାହା ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?