Posted inଫୁରସତ

ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା

ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ ଅବା ବିବାହ ବେଦିର ବୈଶାଲା, ପାରମ୍ପରିକ କୃଷି ଯନ୍ତ୍ରପାତି ହେଉ ଅବା ବନ୍ୟା ସମୟରେ ଭେଳା ପୁଣି ମଣିଷ ଜୀବନର ଚତୁର୍ଥ ପ୍ରହର ପାଇଁ ନିତାନ୍ତ ଆବଶ୍ୟକୀୟ ସାମଗ୍ରୀ ଆଶାବାଡ଼ି – ଏସବୁ ପାଇଁ ଯାହା ଦରକାର ହୁଏ ତାହା ହେଉଛି ବାଉଁଶ। ବାଉଁଶକୁ ନେଇ ଓଡ଼ିଆରେ ରହିଛି ଏକ ସୁନ୍ଦର କଥା : ଘାସକୁ ମୋଟ, ଗଛକୁ ଛୋଟ। ବାସ୍ତବରେ ନା ଏହା ଘାସ ନା ଏହା ଗଛ। ତେବେ ଏହାକୁ ଘାସ ପ୍ରଜାତିର ଏକ ଉଦ୍ଭିଦ ଭାବରେ ବିବେଚନା କରାଯାଇଥାଏ। ଅବଶ୍ୟ ଏବେ ବଦଳିଗଲାଣି ପରିବେଶ। ପ୍ଲାଷ୍ଟିକ୍‌ ଯୁଗର ମଣିଷ ଜୀବନରେ କମିଗଲାଣି ବାଉଁଶର ବ୍ୟବହାର। ହେଲେ ଦିନଥିଲା ଯେତେବେଳେ ବାଥ୍‌ରୁମ୍‌ରୁ ବେଡ୍‌ରୁମ୍‌ ପୁଣି ବିଲ୍‌ଡିଂରୁ ବୋଟ୍‌ – ବାଉଁଶର ରହିଥିଲା ଶେଷହୀନ ଉପଯୋଗିତା। ଆମ ସଂସ୍କୃତିରେ ବି ସାମିଲ୍‌ ହୋଇଥିଲା ଏହି ଘାସ ପ୍ରଜାତିର ଗଛଟି। ଘର ଆଗରେ ଏକ ଲମ୍ବା ବାଉଁଶ ପୋତି ତା’ ଉପରେ ନାଲି ପତାକା ମାରିବା ହେଉ କି ବାଉଁଶଦଣ୍ଡ ଉପରେ ଚଢ଼ି ଜୀବନକୁ ପାଣିଛଡ଼େଇ ଯାଯାବର ସମ୍ପ୍ରଦାୟର ଲୋକମାନେ ପ୍ରଦର୍ଶନ କରୁଥିବା ବାଉଁଶରାଣୀ ଖେଳ – ଏସବୁ ଆମ ଜୀବନ, ଜୀବିକା ତଥା ସଂସ୍କୃତିର ଗୋଟିଏ ଗୋଟିଏ ପରିଚୟ।

ବାଉଁଶ ଓ କୃଷି ଅର୍ଥନୀତି : ଚାଇନା ଭାଷାରେ ଏକ ପ୍ରୋଭର୍ବ ଅଛି ଯାହାର ଓଡ଼ିଆ ଭାଷାନ୍ତର କଲେ ଏମିତି ହେବ- ଯେତେବେଳେ ଏହି ପୃଥିବୀରେ ପ୍ରଥମ ପୁରୁଷ ସୃଷ୍ଟିହେଲା। ଆଉ ଯେତେବେଳେ ସେ ଘରଟିଏ କରି ରହିବା କଥା ଚିନ୍ତାକଲା ସେତେବେଳେ ସେ ଯାହାକୁ ପ୍ରଥମେ ଖୋଜିଥିଲା ତାହା ଥିଲା ବାଉଁଶ। ସୃଷ୍ଟିର ଆବହମାନ କାଳରୁ ରହିଛି ବାଉଁଶ। ୨୦୦୪ ମସିହା ଫେବୃୟାରୀ ମାସ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ସପ୍ତମ ‘ବିଶ୍ୱ ବାମ୍ବୋ କଂଗ୍ରେସ’ର ଅଧିବେଶନ। ଏହାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ ଯେ, ବାଉଁଶ ଏକ ଯାହିତାହି ପ୍ଲାଣ୍ଟ ନୁହେଁ। ଏହା ଅତି ପୁରାତନ। ପୁଣି ବାଉଁଶ ସହିତ ମୋ ବଂଶାବଳୀର କିଛି ନା କିଛି ସମ୍ପର୍କ ତ ରହିଛି। ଆମର ସାଙ୍ଗିଆ ‘ବାଜପେୟୀ’। ଏହା ସମ୍ଭବତଃ ‘ବାଜପେୟ’ ଶବ୍ଦରୁ ଆସିଛି। ପୁରାଣ କାଳରେ ‘ବାଜପେୟ’ ନାମରେ ଏକ ଯଜ୍ଞ କରାଯାଉଥିଲା। ଏହି ଯଜ୍ଞ ସମସ୍ତେ କରିପାରୁ ନ ଥିଲେ। କାରଣ ଏହି ଯଜ୍ଞରେ ଏକ ଭିନ୍ନ ଧରଣ ଚରୁ ପ୍ରଦାନ କରାଯାଉଥିଲା। ବାଉଁଶ ଗଛର ଧାନକୁ ସଂଗ୍ରହ କରାଯାଇ ତାହାକୁ ଚାଉଳ କରାଯାଉଥିଲା। ଆଉ ସେହି ଚାଉଳକୁ ରାନ୍ଧି ସେଥିରୁ ଚରୁ ପ୍ରସ୍ତୁତ କରାଯାଉଥିଲା। ସେହି ଚରୁକୁ ହୋମାଗ୍ନିରେ ତର୍ପଣ କରାଯାଉଥିଲା। ପୌରାଣିକ ତଥ୍ୟ ଅନୁଯାୟୀ ରାଜା ଦକ୍ଷଙ୍କୁ ହିଁ ସୃଷ୍ଟିକର୍ତ୍ତା ବ୍ରହ୍ମା ଏହି ବାଜପେୟ ଯଜ୍ଞ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଧିବେଶନରେ ବାଜପେୟୀ ଘୋଷଣା କରିଥିଲେ ଯେ, ବାଉଁଶ ହେଉଛି ଏକ ମାତ୍ର ମାଧ୍ୟମ, ଯାହା ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହୋଇପାରିବ।

ସବୁଜ ସ୍ବର୍ଣ୍ଣ : ବାଉଁଶକୁ ଯଥାର୍ଥରେ ‘ସବୁଜ ସ୍ବର୍ଣ୍ଣ’ ବୋଲି କୁହାଯାଏ। ତେବେ କାହିଁକି ବାଉଁଶକୁ ସୁବର୍ଣ୍ଣ ଭଳି କିମ୍ବା ସୁବର୍ଣ୍ଣ ଠୁ ଅଧିକ ବୋଲି ବିବେଚନା କରାଯାଏ? ବାସ୍ତବରେ ବାଉଁଶ ଦୈନନ୍ଦିନ ଜୀବନରେ ଯେମିତି ଦରକାରୀ, ଅର୍ଥନୀତିର ଅଭିବୃଦ୍ଧି ପାଇଁ ମଧ୍ୟ ସେମିତି ସହାୟକ। ସେତିକିନୁହେଁ, ଅତି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବେଶ ପାଇଁ ଏହା ଭାରି ଉପଯୋଗୀ। ବାଉଁଶ ଏମିତି ଏକ ଗଛ ଯାହାକୁ ଚାଷ କରିବା ପାଇଁ ନା ଦରକାର ଜଳସେଚନ ନା ଦରକାର ସାର ଅଥବା କୀଟନାଶକ। ସ୍ବାଭାବିକ ଭାବରେ ଯେତିକି ବର୍ଷା ହୁଏ ସେତିକି ଯଥେଷ୍ଟ ବାଉଁଶ ବଢ଼ିବା ପାଇଁ। ପୁଣି ବାଉଁଶ ଗଛ ଉତାରିବା ପାଇଁ ସ୍ବତନ୍ତ୍ର ଚାରାର ମଧ୍ୟ ଆବଶ୍ୟକତା ପଡ଼େନା। ଗୋଟିଏ ବାଉଁଶଗଛ ନିଜକୁନିଜେ ତା’ର ବଂଶ ବୃଦ୍ଧି ଘଟେଇଥାଏ। ଗୋଟିଏ ଅନ୍ୟ ଗଛ ଯେତିକି ଅମ୍ଳଜାନ ନିଷ୍କାସନ କରେ ଗୋଟିଏ ବାଉଁଶ ଗଛ ସେହି ତୁଳନାରେ ୩୫ପ୍ରତିଶତ ଅଧିକ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ବର୍ତ୍ତମାନର ଅଙ୍ଗାରକାମ୍ଳ ପରିପୂର୍ଣ୍ଣ ପୃଥିବୀର ପରିବେଶକୁ ଉଦ୍ଧାର କରିବାର ଏକମାତ୍ର ମାଧ୍ୟମ ହେଉଛି ପ୍ରଚୁର ପରିମାଣରେ ବାଉଁଶ ଜଙ୍ଗଲ ସୃଷ୍ଟି। ସେଥିଲାଗି ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳବିହାରି ବାଜପେୟୀ ଏହାକୁ ସବୁଜ ସ୍ବର୍ଣ୍ଣ କହିବା ସହିତ ବାଉଁଶ ଶିଳ୍ପ କ୍ଷେତ୍ରରେ ୮ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାକୁ ଆହ୍ବାନ ଦେଇଥିଲେ। ତାଙ୍କ ମତରେ ଯେଉଁ ଭାରତର ଆତ୍ମା ହେଉଛି ଗଁା ସେହି ଗ୍ରାମୀଣ ଅର୍ଥନୀତିକୁ କେବଳ ବାଉଁଶ ଶିଳ୍ପ ବା ବାମ୍ବୋ ଇଣ୍ଡଷ୍ଟ୍ରି ଦ୍ୱାରା ହିଁ ବିକଶିତ କରାଯାଇପାରିବ।

ଓଡ଼ିଶା ବାମ୍ବୋ ଡିଭଲପମେଣ୍ଟ ଏଜେନ୍ସି : ରାଜ୍ୟରେ ବାମ୍ବୋ ସେକ୍ଟର ବା ବାଉଁଶ ଉଦ୍ୟୋଗର ବିକାଶ ଦିଗରେ କାମ କରୁଛି ଓଡ଼ିଶା ବାମ୍ବୋ ଡିଭଲପ୍‌ମେଣ୍ଟ ଏଜେନ୍ସି। ବାଉଁଶର ବ୍ୟାବସାୟିକ ଚାଷ ଏବଂ ବାଉଁଶ ନିର୍ମିତ ଦ୍ରବ୍ୟ ସାମଗ୍ରୀ ସବୁର ଉତ୍ପାଦନ ଦିଗରେ ଉତ୍ସାହ ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟଲକ୍ଷ୍ୟ। ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ। ତଥ୍ୟ ଅନୁଯାୟୀ, ଦେଶରେ ଯେତିକି ବାଉଁଶ ଜଙ୍ଗଲ ରହିଛି ତାହାର ୯ ପ୍ରତିଶତ ରହିଛି ଓଡ଼ିଶାରେ। ବାଉଁଶ ତିଆରି ସାମଗ୍ରୀ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି ଏବଂ ବଜାର ସୁଯୋଗ ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ।

ବିଶ୍ୱ ବାଉଁଶ ଦିବସ : ପ୍ରତିବର୍ଷ ସେପ୍ଟେମ୍ବର ୧୮ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ବାଉଁଶ ଦିବସ’। ବାଉଁଶ ଜଙ୍ଗଲ ବୃଦ୍ଧି ତଥା ବାଉଁଶର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ହେଉଛି ଏହି ଦିବସର ଉଦ୍ଦେଶ୍ୟ। ତଥ୍ୟ ଅନୁଯାୟୀ, ବାଉଁଶ ଉପତ୍ାଦନରେ ଚୀନ୍‌ ବିଶ୍ୱ ତାଲିକାର ପ୍ରଥମରେ ଥିବା ବେଳେ ଏହା ତଳକୁ ରହିଛି ଭାରତ। ଭାରତରେ ପ୍ରାୟ ୫୮ କିସମର ବାଉଁଶ ରହିଛି। ବାଉଁଶ ଚାଷର ଉନ୍ନତି ପାଇଁ ଆମ ଦେଶରେ ବାମ୍ବୋ ମିଶନ କାର୍ଯ୍ୟ କରୁଛି। ଭାରତୀୟ ସ୍ଥଳଭାଗର ପ୍ରାୟ ୧୩ ପ୍ରତିଶତ ଅଞ୍ଚଳକୁ ଘେରି ରହିଛି ବାଉଁଶ। ଭାରତରେ ବାଉଁଶ ଉପତ୍ାଦର ପରିମାଣ ବାର୍ଷିକ ୫ ମିଲିୟନ ଟନ୍‌। ପ୍ରାୟ ୮.୬ ମିଲିୟନ ଭାରତୀୟ ବାଉଁଶ ଓ ବାଉଁଶଜାତ ଜିନିଷକୁ ଜୀବିକା କରି ବଞ୍ଚତ୍ଛନ୍ତି। ବର୍ଷା ଋତୁରେ ଏହା ଦୈନିକ ୧ଫୁଟ୍‌ ବଢିବାର ଦକ୍ଷତା ଅଛି। ଆମ ଦେଶରେ ଉତ୍ତର ପୂର୍ବାଞ୍ଚଳ ଯଥା- ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, କର୍ନାଟକ, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ଆସାମ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ, ତାମିଲନାଡୁ, କେରଳ ଭଳି ରାଜ୍ୟରେ ବାଉଁଶ ଜଙ୍ଗଲ ଦେଖିବାକୁ ମିଳିଥାଏ।

ସଙ୍କଟରେ କୁଟୀରଶିଳ୍ପ : ଓଡ଼ିଶା ଏକ କୁଟୀରଶିଳ୍ପର ରାଜ୍ୟ। ଆଉ କୁଟୀରର ଶିଳ୍ପର ମୁଖ୍ୟ କଞ୍ଚାମାଲ ଥିଲା ବାଉଁଶ। ବାଉଁଶ ପାତିଆରୁ ପାଛିଆ, ଝୁଡି, ଡାଲା, କୁଲା, ତଲେଇ, ଚାରାଗଛ ପାଇଁ ଗୁରୁଡି ତିଆରି ହୁଏ। ଗ୍ରାମାଞ୍ଚଳର କେତେକ ନିର୍ଦ୍ଦିଷ୍ଟ ଜାତିର କାରିଗରଙ୍କର ଏହା ଏକ ବେଉସା। ବିଞ୍ଚଣା ତାଳପତ୍ରରୁ ତିଆରି ହେଉଥିବା ବେଳେ ଏହାର କାଠି ଓ ନଳ ବାଉଁଶରେ ତିଆରି ହୋଇଥାଏ। ବନିଶୀ ଖଡା, ପୋହଳ, ଲଞ୍ଜା, ଅନ୍ଧୁଲି, ଖାଳୋଇ ଆଦି ପାରମ୍ପରିକ ମାଛଧରା ଯନ୍ତ୍ର ବାଉଁଶରୁ ତିଆରି ା ବାଉଁଶ ପାତିଆକୁ ଚିରି ରଙ୍ଗ ଓ ଅଠା ଦେଇ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଆଉ ଏସବୁ ମଧ୍ୟ କୁଟୀରଶିଳ୍ପର ଗୋଟିଏ ଗୋଟିଏ ଅଂଶ। କଞ୍ଚା ବାଉଁଶ ନଳରେ ତେଲ ମସଲା ଗୋଳା ମାଂସ ପୂରାଇ ସେହି ବାଉଁଶ ନଳକୁ ନିଆଁରେ ପୋଡ଼ି ଏକପ୍ରକାର ସ୍ବାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଆଦିବାସୀ ଜନଜାତିର ଲୋକମାନେ ଧନୁ ଓ ତୀରରେ ଶିକାର କରି ଥାଆନ୍ତି ା
ତେବେ ଅଧିକାଂଶ ଅଞ୍ଚଳରେ ବାଉଁଶର ଅଭାବ ଏସବୁ ଗ୍ରାମୀଣ ଶିଳ୍ପ ତଥା କାର୍ଯ୍ୟରେ ବାଧକ ସୃଷ୍ଟି ହେଲାଣି ା ପୋକଲାଗି ବାଉଁଶ ବୁଦା ସଫା ହୋଇଗଲାଣି। ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ବୃତ୍ତିର ସଙ୍କଟରେ ଘାରି ହେବାକୁ ଲାଗିଲେଣି।
ବିକଳ୍ପ ଗ୍ରାହକଙ୍କୁ ସୁହାଉଛି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମହୁଲିଆ ଜେନା ସାହିର ବାଉଁଶ କାରିଗର ଦଶରଥ ଜେନା ପ୍ରାୟ ୨୫ବର୍ଷ ହେବ ପାଛିଆ ଝଙ୍କା, ଝୁଡି, ଦଣ୍ଡୁରି ଆଦି ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରି ନିଜର ୫ ଜଣିଆ ପରିବାର ଚଳାନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଏ କାମରେ ସହଯୋଗ କରୁଛନ୍ତି। ସେ କୁହନ୍ତି, କୃଷି ଶ୍ରମିକ ମଜୁରି ଓ ବାଉଁଶର ଦର ବୃଦ୍ଧି ସାଙ୍ଗକୁ ବାଉଁଶ ତିଆରି ଜିନିଷର ଚାହିଦା ହ୍ରାସ ଆମ ବେପାରକୁ ମାନ୍ଦା କରିଛି ା ବାଉଁଶ ତିଆରି ଦ୍ରବ୍ୟର ବିକଳ୍ପ ଭାବରେ ଏବେ ପ୍ଲାଷ୍ଟିକ ଜିନିଷ ମିଳିଯାଉଛି। ବାଉଁଶ ଗୋଟାକୁ ୧୨୦ରୁ ୧୫୦ ଟଙ୍କାରେ କିଣିବାକୁ ପଡ଼ୁଛି। କଣି ଗୋଟାକୁ ୨ଟଙ୍କାରେ କିଣା ଯାଉଛି। ଫଳରେ ବାଉଁଶରୁ ତିଆରି ଜିନିଷର ଦାମ ବଢୁଛି। ଝଙ୍କା ଗୋଟାକ ୮୦ ଟଙ୍କା, ଝୁଡି ଗୋଟାକ ୧୨୦ଟଙ୍କା ଦାମ୍‌ରେ ବଜାରରେ ବିକ୍ରି ହେଉଛି। ଗରାଖ ଅଧିକ ଦରରେ ବାଉଁଶ ତିଆରି ଜିନିଷ କ୍ରୟ କରିବାକୁ ଅମଙ୍ଗ ହେଉଛନ୍ତି। ୨୦ବର୍ଷ ତଳେ ଏହି ବେପାରରୁ ଆମର ପରିବାର ଚଳି ଯାଉଥିବା ବେଳେ ଏବେ ଏ କାମରୁ ମନଛାଡି ଗଲାଣି ା ପୁରୁଷାନୁକ୍ରମେ ଚାଲି ଆସିଥିବା କୌଳିକ ବୃତ୍ତିକୁ ଆପଣାଇବାକୁ ପିଲାମାନେ ରାଜି ହେଉନାହାନ୍ତି ା
ଚାନ୍ଦବାଲି ବ୍ଲକର ମହୁଲିଆ, ନିଶ୍ଚନ୍ତା, ଉଗ୍ରତରା ଓ ମାଣିପୁର ଗଁାର ହାତ ଗଣତି କେଇଜଣ ଏ ବୃତ୍ତିକୁ ନାମକୁମାତ୍ର ବଞ୍ଚାଇ ରଖିଛନ୍ତି। ଏ ବେପାରରେ ସରକାରୀ ସହାୟତା ମିଳୁନାହିଁ ା
ବାଉଁଶ କାରିଗରିର ଅନ୍ତୁଡ଼ିଶାଳ – ମାଲକାନଗିରି : ପୂର୍ବ ପୁରୁଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସେମାନଙ୍କର ଦୈନନ୍ଦିନ ଜାଳେଣି ସହ ଘର ତିଆରି ଏବଂ ବିଭିନ୍ନ ଘରୋପକରଣ ନିମନ୍ତେ ପ୍ରାକୃତିକ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ନିଜର ଆବଶ୍ୟକତା ପୂରଣ କରୁଥିଲେ। ଏପରି କି ବର୍ଷାଦିନେ ଆଦିବାସୀ ବହୁଳ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବାଉଁଶ ଗଜା କରଡିକୁ ଖାଦ୍ୟ ଭାବେ ବ୍ୟବହାର କରୁଥିଲେ। କାଳକ୍ରମେ ଆମ ରାଜ୍ୟ ଓ ଦେଶ ପାଇଁ ବିଭିନ୍ନ କାଗଜକଳ ନିମନ୍ତେ ବାଉଁଶର ଆବଶ୍ୟକତା ପଡୁଥିବାରୁ ବାଉଁଶ ଜଙ୍ଗଲର ସୁରକ୍ଷା, ବାଉଁଶ ଉପତ୍ାଦନ ଏବଂ କାଗଜ ପ୍ରସ୍ତୁତିରେ ବାଉଁଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହାଦ୍ୱାରା ଦେଶରେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ ସଂସ୍ଥାଗୁଡିକରେ ବହୁଳ ପରିମାଣରେ କାଗଜ ବ୍ୟବହାର କରାଯାଉଥିଲା। କାଳକ୍ରମେ ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ, ରେଳ ଲାଇନ, ଟେଲିଫୋନ୍‌, ବିଦ୍ୟୁତ୍‌, ରାସ୍ତାଘାଟ ଉନ୍ନୟନ କାର୍ଯ୍ୟ ଯୋଗୁ ଜଙ୍ଗଲ ପରିମାଣ ହ୍ରାସ ପାଇବା ଏବଂ କାଳକ୍ରମେ ପ୍ରାକୃତିକ ବାଉଁଶ ଜଙ୍ଗଲରେ ବାଉଁଶ ଲୋପ ପାଇବା ଯୋଗୁ ଏହା ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି। ବାଉଁଶ ଅଭାବରୁ ଅନେକ କାଗଜ କଳ ବନ୍ଦ ହୋଇଯିବା ସହ ବାଉଁଶ କାରିଗରମାନେ ସେମାନଙ୍କ କୌଳିକ ବୃତ୍ତିକୁ ଭୁଲିଗଲେଣି।
ଖୁବ୍‌ଶୀଘ୍ର ସୁଧୁରିବ ଅବସ୍ଥା : ମାଲକାନଗିରି ଜିଲାରେ ବାଉଁଶ ଜଙ୍ଗଲ ସୁରକ୍ଷା ପାଇଁ ୪ ହଜାର ହେକ୍ଟର ବାଉଁଶ ଜଙ୍ଗଲକୁ ସୁରକ୍ଷା ଏବଂ ଗଛଗୁଡିକର ଲାଳନ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ବାଉଁଶ କାରିଗରମାନଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯାଉଛି। ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ହେଲା ମାଲକାନଗିରି ଜିଲା କାଲିମେଳା ବ୍ଲକର ଏମ୍‌.ଭି. ୧୦୭ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ‘ରାଧାରାଣୀ ବାଉଁଶ ସାମଗ୍ରୀ ପ୍ରସ୍ତୁତି ସଂସ୍ଥା’ର ଅଞ୍ଜନା ସେନା, ପାର୍ବତୀ ସାନା, ଅଳୀ ସାନା, ସୁନିତା ସରକାର, ରେବତୀ ସେନା ଏବଂ ଅନ୍ୟମାନେ ତାଲିମ ପାଇଲା ପରେ ନିଜସ୍ବ ଅର୍ଥରେ ବିଭିନ୍ନ ପ୍ରକାର ଘର ସାମଗ୍ରୀ ଉପକରଣ ପ୍ରସ୍ତୁତ କରି ଦୁଇମାସ ପୂର୍ବରୁ ଜିଲା ପ୍ରଶାସନ ତରଫରୁ ତେଲଙ୍ଗାନାର ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲାର ଏହି ସାମଗ୍ରୀକୁ ପ୍ରଦର୍ଶିତ କରିବା ସହ ବିକ୍ରି କରି ଭଲ ରୋଜଗାର କରିଥିଲେ। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବରେ ଏହି ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ତାଙ୍କର ବାଉଁଶ ସାମଗ୍ରୀ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ଷ୍ଟଲ ଏବଂ ପ୍ରଚାର ପ୍ରସାରର ବ୍ୟବସ୍ଥା କରା ଯାଇଛି। ବର୍ତ୍ତମାନ ବିଭିନ୍ନ ଅଞ୍ଚଳର ଲୋକମାନେ ନିଜ ନିଜ ବାଡିରେ ଉନ୍ନତମାନର ବାଉଁଶ ଚାଷ କରିବା ପାଇଁ ଆଗେଇ ଆସୁଛନ୍ତି ା ଏହି ହିତାଧିକାରୀମାନଙ୍କୁ ବନ ବିଭାଗ ତରଫରୁ ଆର୍ଥିକ ଅନୁଦାନ ସହ ବାଉଁଶ ରୋପଣ ଏବଂ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ପାଇଁ ତାଲିମ ଦିଆଯାଉଛି।
– ରାଜେନ୍ଦ୍ର ରାଉଳ
ଅଶୋକ ପଣ୍ଡା (ଚାନ୍ଦବାଲି)
ଦୁର୍ଯ୍ୟୋଧନ ପାତ୍ର (ମାଲକାନଗିରି)


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?