ସଂଖ୍ୟା ବାଉଳା

ଗୋଟିଏ ଟ୍ରିଲିୟନ ବା ଏକ ଲକ୍ଷ କୋଟି ଟଙ୍କା କହିଲା ବେଳକୁ ମୁଣ୍ଡ ବୁଲେଇ ଯାଉଛି। ୨୦ ଲକ୍ଷ କୋଟିରେ ୧୨ଟି ନା ୧୩ଟି ଶୂନ ବୁଝିବାର ଯେଉଁ ମୌଳିକ ସମସ୍ୟା ହେଉଛି, ସେଥିରୁ ସାଧାରଣ ଅଣ-ଅର୍ଥନୈତିକ ବ୍ୟକ୍ତି ସଂଖ୍ୟା ବାଉଳା ହୋଇଯିବେ।
ଭାରତୀୟ ଅର୍ଥନୀତିରେ ୧୯୯୧ରେ ବ୍ୟାପକ ସଂସ୍କାର ଅଣାଯାଇଥିଲା। ସେତେବେଳେ ଉଦାରୀକରଣ ବା ଲିବରାଲାଇଜେଶନ, ଘରୋଇକରଣ ବା ପ୍ରାଇଭେଟାଜାଇଶନ ଏବଂ ଜଗତୀକରଣ ବା ଗ୍ଲୋବାଲାଇଜେଶନ ଚିନ୍ତାଧାରାକୁ ସଂକ୍ଷେପରେ ଏଲ୍‌ପିଜି ଆଖ୍ୟା ଦିଆଯାଇଥିଲା। ଫଳରେ ଭାରତର ବଜାର ବ୍ୟବସ୍ଥା ମୁକ୍ତ ଅର୍ଥନୀତିକୁ ଆପଣାଇଥିଲା। ଦେଶର ବିଭିନ୍ନ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ବିନିଯୋଗ ଲାଗି ବାଟ ଫିଟିଥିଲା। କିନ୍ତୁ ସେତେବେଳେ ଭାରତୀୟ ଜନତା ପାର୍ଟି (ଭାଜପା) କଂଗ୍ରେସର ଏହି ପଦକ୍ଷେପକୁ ଘୋର ବିରୋଧ କରିଥିଲା। ସମୟ ବଦଳିଯାଇଛି। ସେତେବେଳର ବିରୋଧୀ ଦଳ ଏବେ ଦେଶର ଶାସନଗାଦିରେ ବସିଛି। କୋଭିଡ୍‌-୧୯ ମହାମାରୀଜନିତ ଆର୍ଥିକ ଦୁଃସ୍ଥିତିକୁ ସଜାଡ଼ିବା ଲକ୍ଷ୍ୟରେ ଭାଜପା ସରକାର ବର୍ତ୍ତମାନ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଦେଶକୁ ଭେଟି ଦେଇଛନ୍ତି। ୨୦ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜରେ ସମାଜର ପ୍ରତ୍ୟେକ ବର୍ଗ ପାଇଁ ସୁବିଧା ରଖାଯାଇଛି ବୋଲି ୧୨ ମେ’ରୁ ଘୋଷଣା ଚାଲିଛି। କିନ୍ତୁ ଏହାଦ୍ୱାରା ସାଧାରଣ ଭାରତୀୟ କେଉଁଭଳି ଲାଭବାନ ହେବ, ତାହା ବୁଝିବା କଷ୍ଟକର। ଏହାର ସଦ୍ୟ ଦୃଷ୍ଟାନ୍ତ କୋଲ୍‌ ମାଇନିଂରେ ଘରୋଇ କମ୍ପାନୀଙ୍କ ପ୍ରବେଶ ଅନୁମତି ଓ ଖଣିଜ ଖନନରେ ଘରୋଇ ସଂସ୍ଥାକୁ ଅଧିକ ଉତ୍ସାହିତ କରିବା, ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଅଟୋମେଟିକ୍‌ ଉପାୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିବିନିଯୋଗ (ଏଫ୍‌ଡିଆଇ) ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଆଉ ୬ଟି ବିମାନବନ୍ଦରକୁ ଘରୋଇକରଣ, ମହାକାଶ ଓ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡ଼ିକୁ ଘରୋଇକରଣ କରାଯିବା ପ୍ରସ୍ତାବ ‘ଆତ୍ମନିର୍ଭର ଭାରତ’ରେ ରହିଛି।
କୋଇଲା ଆଦି ଖଣିଜ ସମ୍ବଳ ପ୍ରକୃତିଦତ୍ତ। ଏହାର ବିବେକୀ ପରିଚାଳନା ଏକ ରାଷ୍ଟ୍ରକୁ ସମୃଦ୍ଧ କରିଥାଏ। ଭାରତରେ ପୂର୍ବରୁ କୋଇଲା ଉତ୍ତୋଳନ ଓ ବିକ୍ରି ଘରୋଇ କମ୍ପାନୀ ହାତରେ ଥିଲା। ଏହା ଦେଶର ସମ୍ପଦ ହୋଇଥିବା ବେଳେ ରାଜକୋଷକୁ ଅର୍ଥ ଆସୁ ନ ଥିଲା, ଯେଉଁଥିପାଇଁ କେନ୍ଦ୍ର ସରକାର ଗତ ଶତାବ୍ଦୀର ୭୦ ଦଶକରେ କୋଇଲା ଖଣି ଜାତୀୟକରଣ କରିବା ସହିତ କୋଲ୍‌ ଇଣ୍ଡିଆ ଏବଂ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଭଳି ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ସୃଷ୍ଟି କରି ଦେଶର ଚାହିଦା ଯଥେଷ୍ଟ ପରିମାଣରେ ମେଣ୍ଟାଇ ପାରିଥିଲେ। ଏହା ପରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା ସରକାର କୋଇଲା ଖଣିର ଜାତୀୟକରଣକୁ ଭାଙ୍ଗିବା ପାଇଁ କୋଇଲା ବ୍ଲକ୍‌ ନିଲାମ କରାଇଥିଲେ। ସେତେବେଳେ ଏହି ନିଲାମ ହାତଗଣତି କମ୍ପାନୀକୁ ଦିଆଯାଉଛି ବୋଲି କହି ଭାଜପା ଓ ଅନ୍ୟ ବିରୋଧୀ ରାଜନୈତିକ ଦଳ ଉପା ବିରୋଧରେ ପ୍ରବଳ ସ୍ବର ଉତ୍ତୋଳନ କରିଥିଲେ। ତତ୍କାଳୀନ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ବିନୋଦ ରାୟଙ୍କ ରିପୋର୍ଟ ଅନୁଯାୟୀ ଏହି କୋଇଲା ବ୍ଲକ୍‌ ବଣ୍ଟନରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା ବୋଲି ଦେଶରେ ପ୍ରଚାର କରାଗଲା। ସେହି ରିପୋର୍ଟ ଆଧାରରେ ଏବଂ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଯାଞ୍ଚ ଯୋଗୁ ଘରୋଇ କମ୍ପାନୀଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଗଲା। ଇତିମଧ୍ୟରେ ବିନୋଦ ରାୟ ଅବସର ନେବା ପରେ ଭାଜପା ସରକାରଙ୍କ ଦ୍ୱାରା ବ୍ୟାଙ୍କ୍‌ସ ବୋର୍ଡ ବ୍ୟୁରୋ (ବିବିବି)ର ଅଧ୍ୟକ୍ଷ ପଦବୀରେ ବସି ପୁନର୍ବାର ଲାଭବାନ ହେଲେ। ଉପାର ସେହି କାର୍ଯ୍ୟକୁ ସମାଲୋଚନା କରିଥିବା ଭାଜପା ଆଜି ପୁନଶ୍ଚ କୋଇଲା ଖଣିକୁ ଘରୋଇ କ୍ଷେତ୍ରକୁ ଦେବା ପାଇଁ ତତ୍ପରତା ପ୍ରକାଶ କରୁଛି। ଏହା ସୁନିଶ୍ଚିତ ଯେ ଆଜିର ପରିସ୍ଥିତିରେ ସିଏଜି ପଦବୀରେ ଥିବା ବ୍ୟକ୍ତି ମୂକ ଭଳିଆ ବସିରହିବେ।
ପରିବର୍ତ୍ତିତ ପରିସ୍ଥିତିରେ ଭାଜପା ସରକାରର ସ୍ବର ବଦଳି ଚାଲିଛି। ଯେଉଁମାନେ ‘ଗାତର ଦୋଷ’ କାହାଣୀ ଜାଣିଥିବେ, ସେମାନେ ଆଜିର କ୍ଷମତାସୀନ ବ୍ୟକ୍ତିଙ୍କ ଚରିତ୍ର ମଧ୍ୟ ବୁଝି ପାରିବେ। ସେଥିପାଇଁ ସରକାର କହୁଛନ୍ତି, କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ଆମଦାନୀ କମାଇବା ଉପରେ ଏଥିରେ କୁଆଡ଼େ ଅଧିକ ଦୃଷ୍ଟି ଦିଆଯାଉଛି। ଏଥିସହିତ କୋଇଲା ଉତ୍ତୋଳନ ଭିତ୍ତିଭୂମିକୁ ଉନ୍ନତୀକରଣ ଲାଗି ସରକାର ୫୦ ହଜାର କୋଟି ଟଙ୍କା ନିବେଶ କରିବେ। ଏଥିରୁ ଖିଅ ଟାଣି ଆଲୋଚନା କରାଗଲେ, ସରକାରଙ୍କ ଏହି ପ୍ୟାକେଜ କିଭଳି ସାଧାରଣ ଲୋକଙ୍କ ଆର୍ଥିକ ବୋଝକୁ ହାଲୁକା କରିବ ବୁଝିବା କଷ୍ଟକର ହୋଇପଡ଼ୁଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଏଫ୍‌ଡିଆଇ ଅନୁମତି ଦେଶର ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲେ ମଧ୍ୟ ସେହି ଦିଗ ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ଅନୁରୂପ ଭାବେ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡ଼ିକ ଘରୋଇକରଣ କରାଯିବାରେ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଲାଭ ପହଞ୍ଚାଇବାର ଯୋଜନା ରହିଛି ବୋଲି ବୁଝା ପଡ଼ିଯାଉଛି।
ଉପରଲିଖିତ କ୍ଷେତ୍ର ଉପରେ ଦୃଷ୍ଟିପାତ କଲେ କେନ୍ଦ୍ର ସରକାରଙ୍କ ଚିନ୍ତାଧାରା କେଉଁଭଳି ସ୍ବଦେଶୀ ଢାଞ୍ଚାକୁ ସୁଦୃଢ଼ କରିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। କରୋନା ମହାମାରୀ ଯୋଗୁ ସମଗ୍ର ଦେଶ ଆର୍ଥିକ ଦୁର୍ବଳତାରୁ ନଇଁପଡ଼ିଛି। ଅନେକ ଲକ୍ଷ ଶ୍ରମିକ କାମଧନ୍ଦା ନ ପାଇ ଭିଟାମାଟି ମୁହାଁ ହୋଇଛନ୍ତି। ସେମାନଙ୍କ ଅକଥନୀୟ ଦୁଃଖର ଦୃଶ୍ୟ ଦେଶ ସାରା ଦେଖିବାକୁ ମିଳିଛି। ଶିଳ୍ପ ବନ୍ଦ ହୋଇଯାଇଥିବାରୁ ବେକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକ ପାଖରେ ଖାଇବାକୁ ନ ଥିବାରୁ ସେମାନଙ୍କ ହାତରେ କିଛି ଅର୍ଥ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ହେବା କଥା। ତାହା କରା ନ ଯାଇ ଋଣ ସୁବିଧା ଓ ସଂସ୍କାର ବିଷୟରେ ଉଲ୍ଲେଖ କରାଯାଉଛି, ଯାହା ନିକଟ ଭବିଷ୍ୟତରେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବାର ସଂକେତ ଦେଉନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ୟାକେଜଗୁଡ଼ିକ ମୁଖ୍ୟତଃ ଋଣକୁ ଅନିଶା କରାଯାଇ ଦିଆଯାଇଛି। ତେବେ ଭାରତର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଦେଖିଲେ, ପ୍ରାୟ ସବୁ ବ୍ୟାଙ୍କ ଅନାଦାୟ ପରିସମ୍ପତ୍ତି (ଏନ୍‌ପିଏ)ରେ ବୁଡ଼ି ରହିଛନ୍ତି। ବର୍ତ୍ତମାନ ସଙ୍କଟ ସମୟରେ ଯେଉଁ ବ୍ୟାଙ୍କଗୁଡ଼ିକ କମ୍ପାନୀ ବା ବ୍ୟକ୍ତିବିଶେଷଙ୍କୁ ଋଣ ଦେବେ, ସେହି ଅର୍ଥ କିଭଳି ଆଦାୟ ହେବ ସେ ଦିଗକୁ ଘୋଷଣାରେ ସ୍ଥାନ ଦିଆଯାଇ ନାହିଁ। ଏହା ନିଶ୍ଚିତ ଯେ, ଏବେ ବିପୁଳ ପରିମାଣରେ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଋଣ କେବେ ହେଲେ ପରିଶୋଧ ହେବ ନାହିଁ। ମୃତ୍ୟୁମୁଖରେ ପଡ଼ିଥିବା ରୋଗୀଙ୍କୁ ରକ୍ତଦାନ କଲେ ତାହାର ଆରୋଗ୍ୟ ପ୍ରତିଶତ ନଗଣ୍ୟ ରହିଥାଏ। ସେଥିପାଇଁ ଋଣ ପରିବର୍ତ୍ତେ ଯଦି ସାଧାରଣ ନାଗରିକଙ୍କୁ ସାହାଯ୍ୟ ମିଳିପାରିଥାଆନ୍ତା, ହୁଏତ ପ୍ୟାକେଜର ଅର୍ଥ ଭିନ୍ନ ହୋଇଥାଆନ୍ତା।
ଭାରତୀୟ ଅର୍ଥନୀତିର ସାମଗ୍ରିକ ବିକାଶ ନଗଦ ଅର୍ଥନୀତି ଉପରେ ଦଣ୍ଡାୟମାନ। କିନ୍ତୁ ତାହାର ମେରୁଦଣ୍ଡ ବିମୁଦ୍ରୀକରଣ ବେଳେ ଭାଙ୍ଗି ଦିଆଯାଇଥିଲା। ଏବେ ନାଗରିକଙ୍କୁ ସିଧାସଳଖ ସହାୟତା ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ଏକ ଭିନ୍ନ ପଥରେ ଆଗେଇ ଯାଉଛନ୍ତି। କୋଭିଡ୍‌-୧୯କୁ ସୁଯୋଗ ଭାବେ ନେଇ ସରକାର ଏବେ ବିଭିନ୍ନ କ୍ଷେତ୍ରରୁ ଅର୍ଥ ଗୋଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ତାଙ୍କୁ ସହଯୋଗ କରୁଥିବା ଶିଳ୍ପପତି ଓ ଧନୀ ସଂସ୍ଥାକୁ ଲାଭ ପହଞ୍ଚାଇବା ପାଇଁ ଚିନ୍ତା କରୁଛନ୍ତି। ଏହାଦ୍ୱାରା ଦେଶବାସୀ ଆତ୍ମନିର୍ଭର ହେବା ଦୂରର କଥା, ମାତ୍ର କେତେକ ଧନୀ ପରିବାର ନିଶ୍ଚିତ ଭାବେ ଆତ୍ମନିର୍ଭରତାରେ ଅଧିକ ସୁଦୃଢ଼ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri