ଷଣ୍ଢମାର୍କା ଟୋକା

ମନ-ମାନଚିତ୍ର

ଡ. ନରହରି ବେହେରା

ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ ପାଖ ମାଡ଼ିବୁ ନାହିଁ। ଏମାନଙ୍କର ଦୟାମାୟା ବୋଲି କିଛି ନାହିଁ। ଏମାନେ ଯାହା କରନ୍ତି କେବଳ ନିଜ ସ୍ବାର୍ଥ ପାଇଁ। ସେଦିନ ମୁଁ ଏ କଥାର ଅର୍ଥ ବୁଝି ନ ପାରି ଜେଜେମା’ଙ୍କୁ ପଚାରିଲି। ସେ ମୋତେ ହସିଦେଇ କହିଲେ, ବଡ଼ ହେଲେ ତୁ ସବୁ ବୁଝିଯିବୁ, ଏତେ ବ୍ୟସ୍ତ କାହିଁକି? କିଛିଦିନ ପରେ ମୁଁ ଜାଣିଗଲି, ଆମେ କିଛି ଜିନିଷ କିଣିବାବେଳେ ସେଥିରେ ଥିବା କମ୍ପାନୀମାନଙ୍କର ଚିହ୍ନ ଖୋଜୁଥାଉ। ତାକୁ ବ୍ରାଣ୍ଡ ବା ଟ୍ରେଡ୍‌ମାର୍କ କୁହାଯାଏ। ତେଣୁ ଷଣ୍ଢମାର୍କା ଟୋକାଙ୍କଠାରେ ନିଶ୍ଚୟ କିଛି ଷଣ୍ଢ କମ୍ପାନୀର ଚିହ୍ନ ଥିବ। ତେଣୁ ଟୋକାମାନଙ୍କ ପିଠିପେଟକୁ ଦେଖେ, କାଳେ କିଛି ଚିହ୍ନ ଥିବ। ମାତ୍ର ମୋତେ କିଛି ଚିହ୍ନ ମିଳେ ନାହିଁ। ତେବେ କୋଉ ଟୋକାଙ୍କୁ ଷଣ୍ଢମାର୍କା ବୋଲି ଚିହ୍ନି ତାଙ୍କଠାରୁ ଦୂରେଇ ରହିବି ଜାଣିପାରିଲିନି। ସତରେ କ’ଣ ଏ ଦୁନିଆରେ ଷଣ୍ଢମାର୍କା ଟୋକା ଅଛନ୍ତି! ଜେଜେ କ’ଣ ମୋତେ ମିଛ କହିଲେ? ଏବେ ଜେଜେ ଆଉ ଜେଜେମା’ ଆରପାରିରେ। ସେ କଦାପି ମିଛ କହି ନ ଥିବେ। ମୁଁ କାହାକୁ ନ ପଚାରି, ନିଜେ ଷଣ୍ଢମାର୍କା ଟୋକାଙ୍କୁ ଖୋଜି ବାହାର କରିବି ବୋଲି ମନେ ମନେ ସ୍ଥିର କରିନେଲି।
ସବୁ ଟୋକାଙ୍କୁ ନିରୀକ୍ଷଣ କଲି। ବାଟଘାଟରେ ଧୀରମନ୍ଥର ଗତିରେ ଚାଲୁଥିବା ଏବଂ ମଝି ରାସ୍ତା ହେଉ କି ରାସ୍ତାକଡ଼ରେ ବାଦଶାହା ପରି ଶୋଇ ପାକୁଳି କରୁଥିବା ଷଣ୍ଢକୁ ବି ଦେଖୁଥିଲି। ଏମାନଙ୍କୁ ଦେଖି ଦେଖି ମୋର ଷଣ୍ଢମାର୍କା ଟୋକାଙ୍କ ସମ୍ପର୍କରେ ଏକ ପ୍ରକାର ଧାରଣା ହୋଇଗଲା। ଏ ଟୋକାମାନେ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ଷଣ୍ଢ ପରି ଏମାନଙ୍କର କାହାକୁ ଖାତିର ନ ଥାଏ। ସାଙ୍ଗ ହୋଇ ବୁଲୁ ବୁଲୁ କେବେ କେବେ ଷଣ୍ଢ ଲଢ଼େଇ ପରି ମାରପିଟ୍‌ କରନ୍ତି। ଏହା ହିଁ ଷଣ୍ଢମାର୍କା ଟୋକାଙ୍କର ସାଧାରଣ ଲକ୍ଷଣ। ଏମିତି ସଂଜ୍ଞାଟା ମନେମନେ ସିନା ତିଆରି କରିଦେଲି ହେଲେ ସେହି ଟୋକାଙ୍କୁ ସାକ୍ଷାତ୍‌ ଦର୍ଶନ ନ କରିବାଯାଏ ମୋ ସଂଜ୍ଞା କିଛି ଅପୂର୍ଣ୍ଣ ରହିଗଲା ପରି ମନେହେଲା।
ସେଦିନ ଅଫିସ୍‌ରେ ବସିଥିଲି। ଦୁଇ ଚାରି ଜଣ ଛଅଫୁଟିଆ ଟୋକା ଅଫିସ୍‌ ଭିତରକୁ ପଶିଆସିଲେ। ସୁନେଲି ରଙ୍ଗର ଚୁଟି, କଳା ଚଷମା ଓ ହାତରେ ବଳା ପିନ୍ଧିଥିବା ଏ ଟୋକାମାନଙ୍କୁ ଦେଖି ଟିକିଏ ହଡ଼ବଡ଼େଇ ଗଲି। ସେମାନେ ବେପରୁଆ ଭାବରେ ମୋ ଆଗ ସିଟ୍‌ରେ ବସିପଡ଼ି ଧମକ ଦେବା ଢଙ୍ଗରେ କହିଲେ- ହୋ ଅଫିସର, ତମ ଅଫିସ୍‌ରୁ ମହାନ୍ତିବାବୁର ବଦଳି ହେବନାହିଁ। ଆମେ କହୁଛୁ ମାନେ ସେ ଏଇଠି ରହିବେ। ଯଦି ସେ ଏଠୁ ଯିବ, ତୁମେ ଜୀବନ ନେଇ ଫେରିବନି। ଆମେ ସବୁ ମନ୍ତ୍ରୀଙ୍କ ଲୋକ। ଆମକୁ ନ ପଚାରି ସେ କିଛି କରନ୍ତି ନାହିଁ। ଆମେ ଯେମିତି କହିବୁ ସେମିତି ହେବ। ଆମ କଥା ମନେ ରଖିଥିବ, ନ ହେଲେ ପୁଅ ଅଖା ଧୋଉଥିବୁ ଗୁଣ ଗାଉଥିବୁ- ଏତିକି କହୁ କହୁ ମୋ ଉପରକୁ ବେପରୁଆ କଟାକ୍ଷ ଝାଡ଼ିଦେଇ ମୋର କିଛି କଥା ନ ଶୁଣି ଚାଲିଗଲେ।
ସେମାନେ ଚାଲିଗଲା ପରେ ଅଫିସ୍‌ର ପୁରୁଖା ପିଅନ ଆସି କହିଲା- ସାର୍‌ ଏମାନେ ଷଣ୍ଢମାର୍କା ଟୋକା। ନିଜ ଇଚ୍ଛାର ମାଲିକ। ଷଣ୍ଢ ଶିବ ମହାପ୍ରୁଙ୍କୁ ଧରି ବୁଲିବା ପରି ଏମାନେ ନେତା କି କିଛି ବଡ଼ବଡ଼ିଆଙ୍କୁ ଦିନରାତି ଧରି ବୁଲୁଥାନ୍ତି। ତେଣୁ ଏମାନେ ଚାରିଦଉଡ଼ି କଟା। ଠିକ୍‌ ଷଣ୍ଢ ପରି। ରାଜରାସ୍ତା ହେଉ କି କାହା ବିଲବାଡ଼ି ସବୁଠି ବେଧଡ଼କ ଦଖଲ କରିନିଅନ୍ତି। କାହାକୁ ଖାତିର୍‌ ନାହିଁ। ବେଳେ ବେଳେ ଏମାନେ ଏମିତି ଉଦଣ୍ଡ ହୋଇଯାଆନ୍ତି ଯେ ନିଜ ଅଧିକାର ଜାହିର କରିବା ପାଇଁ ନିଜ ଭିତରେ ଲଢ଼େଇ ଆରମ୍ଭ କରିଦିଅନ୍ତି। ଏ ଲଢ଼େଇରେ ସେମାନେ ଏମିତି ଖଣ୍ଡିଆ ଖାବରା ହେଇଯାଆନ୍ତି ଯେ ଗୋଟିଏ ଜାଗାରେ କିଛିଦିନ ପଡ଼ି ରହିଥାନ୍ତି। ତଥାପି ସେମାନଙ୍କର ବହପ କମେ ନାହିଁ। ଏ ଷଣ୍ଢମାର୍କା ଟୋକାମାନେ ଏମିତି। ଏମାନଙ୍କର କେହି ନିଜର ନ ଥାନ୍ତି। ରାଜନୀତିଆଙ୍କ ପରି ଦଳ ଛାଡ଼ିଲେ ଶତ୍ରୁ ଆଉ ଦଳ ଯୋଡ଼ିଲେ ନିଜ ପନତ୍ୀଠାରୁ ବି ନିଜର ହେଇଯାଆନ୍ତି। ପୁଣି ପାନରୁ ଚୂନ ଖସିଗଲେ ଲଢ଼େଇ କରି ଜୀବନ ଦେବାକୁ ବି ପଡ଼ିପାରେ। ଏମାନଙ୍କୁ ଟିକିଏ ସାବଧାନ ଥିବେ ସାର୍‌। ଆର୍କମେଡିସ୍‌ ଖୋଜି ଖୋଜି ସୂତ୍ର ପାଇଗଲା ପରି ମୁଁ ଏତେଦିନ ଧରି ଖୋଜୁଥିବା ଷଣ୍ଢମାର୍କା ଟୋକାଙ୍କର ସାକ୍ଷାତ୍‌ ଦର୍ଶନ ପାଇଗଲି। ଷଣ୍ଢମାର୍କା ଟୋକାଙ୍କ ଧମକ ଶୁଣି ଯେତିକି ଦୁଃଖୀ ହୋଇଥିଲି ତା’ଠାରୁ ବେଶି ଖୁସି ହୋଇଥିଲି ବହୁ ଦିନରୁ ଖୋଜୁଥିବା ଷଣ୍ଢମାର୍କା ଟୋକାଙ୍କର ସାକ୍ଷାତ୍‌ ଦର୍ଶନ କରି।
କିଛିଦିନ ବିତିଗଲା। ଅଫିସ୍‌ରୁ ଫେରିବାବେଳେ ରାସ୍ତା ଉପରେ ବହୁତ ଲୋକ ରୁଣ୍ଡ ହୋଇଥିବାର ଦେଖିଲି। ଗାଡ଼ିରୁ ଓହ୍ଲାଇ ଘଟଣା କ’ଣ ବୋଲି ଜାଣିବା ପାଇଁ ଗହଳି ଭିତରକୁ ପଶିଯାଇ ଯାହା ଦେଖିଲି, ସେଥିରେ ମୋ ପାଦତଳୁ ମାଟି ଖସିଗଲା ପରି ଲାଗିଲା। କିଛିଦିନ ତଳେ ଯେଉଁ ଷଣ୍ଢମାର୍କା ଟୋକାମାନେ ମୋ ଅଫିସ୍‌କୁ ଯାଇ ଧମକ ଚମକ ଦେଇଆସିଥିଲେ ସେମାନଙ୍କ ମଧ୍ୟରୁ ଦି’ଜଣ ରକ୍ତାକ୍ତ ହୋଇ ଦରମଲା ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ନାକରୁ ରକ୍ତଧାର ବୋହି ଯାଉଥାଏ। ହାତଗୋଡ଼ର ଅବସ୍ଥା ମଧ୍ୟ ତଦ୍ରୂପ। ପାଖରେ ଥିବା ପୋଲିସବାବୁ ମୋତେ କହିଲେ- ସାର୍‌, ଅନ୍ୟ ଦଳର ଗୁଣ୍ଡାମାନେ କୌଣସି କାରଣରୁ କାଲି ରାଗିଯାଇ ଏମିତି କାଣ୍ଡ ଭିଆଇଛନ୍ତି। ଏମାନଙ୍କ ପାଇଁ ଏଇଟା ସାଧାରଣ ଘଟଣା ସାର୍‌। ଆଜି ସେମାନେ ୟାଙ୍କୁ ମାରିଛନ୍ତି, ଏମାନେ ବି କାଲି ତାଙ୍କର ଏଇ ଅବସ୍ଥା କରିଦେବେ। ଏମାନଙ୍କୁ ଦେଖି ଦେଖି ଆମ ଦେହସୁହା ହୋଇଗଲାଣି। ଏମାନଙ୍କୁ ଯେତେ ବୁଝାଇଲେ ବୁଝିବେନି, ଏମିତି ଷଣ୍ଢ ପରି ପରସ୍ପର ମଧ୍ୟରେ ଲଢ଼େଇ କରି ମରିବେ, ଆମକୁ ଖାଲି ଦହଗଞ୍ଜ କରିବେ।
ଷଣ୍ଢମାର୍କା ଟୋକାଙ୍କର ଏ ଅବସ୍ଥା ଦେଖି ମୋର ମନେପଡ଼ିଲା ଗାଁରେ ଶୁଣାଯାଉଥିବା ଗୋଟିଏ ଲୋକୋକ୍ତି- ଷଣ୍ଢର ଅନେଶତ ପୁଅ, ମଲାବେଳକୁ ବାଉଁଶ ବୁଦା ଭରସା। ଯେତେ ଦର୍ପ ଦେଖାଇ ରାଜରାସ୍ତାକୁ ଦଖଲ କଲେ, ବହପ ଦେଖାଇ ପରର ବାଡ଼ି କ୍ଷେତ ଖାଇଲେ ବି ଶେଷକୁ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ। ପାଖରେ ଆହା କହିବାକୁ କେହି ନ ଥାନ୍ତି। ଷଣ୍ଢ ସିନା ପଶୁ ବୋଲି ସେ ଏ କଥା ଜାଣିପାରେ ନାହିଁ, ମାତ୍ର ଏ ଷଣ୍ଢମାର୍କା ଟୋକା ତ ମଣିଷ। ସେମାନେ ତ ଜାଣିପାରନ୍ତି ଏମିତି ହେବାର କି କରୁଣ ପରିଣତି! ତଥାପି ଆଟୋପ ଦେଖାଇବାରେ କି ଆନନ୍ଦ ପାଆନ୍ତି? ରାଧାନାଥଙ୍କ ଉକ୍ତି ୟାଙ୍କ ପାଇଁ ପୂରା ପ୍ରଯୁଜ୍ୟ ‘ତଥାପି ମନାସଇ ଲଭି ଏ ଦଶା, ମେଣ୍ଟାଇବାକୁ ଭବ ଭୋଗ ଲାଳସା।’କ୍ଷମତା ଏବଂ ସାମୟିକ ସୁଖ ପାଇଁ ଏମାନେ ଯେଉଁ ଆତଙ୍କରାଜ ସୃଷ୍ଟିକରି ନିଜର ମୂଲ୍ୟବାନ୍‌ ଜୀବନକୁ ଉତ୍ସର୍ଗ କରି ଦେଉଛନ୍ତି, ସେମାନେ ଯଦି ଦେଶ ପାଇଁ କାମ କରି ନିଜ ଜୀବନକୁ ଉତ୍ସର୍ଗ କରିପାରନ୍ତେ ତେବେ ଏ ଦେଶର ଭାଗ୍ୟ ନିଶ୍ଚୟ ବଦଳିଯାଆନ୍ତା!
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ,
ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?