ଶ୍ରୀମନ୍ଦିର ସଂସ୍କାରର ବାକି ଦିଗ

ଯଦୁନନ୍ଦନ ସାମଲ
ମୁଁ ଜଣେ ବରିଷ୍ଠ ନାଗରିକ। ବୟସ ୮୦ରୁ ଊର୍ଦ୍ଧ୍ୱ। ମୋ ନାତୁଣୀ (୧୨ ବର୍ଷ) ଓ ପରିବାର ସଦସ୍ୟଙ୍କ ସହ ଗତ ଜାନୁୟାରୀ ୧୨ ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଥିଲି। ମନର ଉତ୍କଣ୍ଠା ଥିଲା ଶ୍ରୀମନ୍ଦିରର ଯେଉଁ ସଂସ୍କାର କାର୍ଯ୍ୟ କରାଯାଉଛି, ତାକୁ ଆଖି ପୂରେଇ ଦେଖିବା ପାଇଁ। ସଂସ୍କାର ପ୍ରକ୍ରିୟା ଦେଖି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ମହତ୍‌ କାର୍ଯ୍ୟ ପାଇଁ ଅନ୍ତର ମୋର କୃତଜ୍ଞତା ବୋଧରେ ଭରିଗଲା। ଧାଡିରେ ଯାଇ ସିଂହଦ୍ୱାରରୁ ବାଇଶିପାହାଚ ଓ ତା’ପରେ ବିନା ଧାଡିରେ ଶେଷଯାଏ ଯିବାକୁ ହେଲା। ବିଶେଷ କିଛି ଅସୁବିଧା ହେଲାନାହିଁ। କାରଣ ପରିସର ପ୍ରଶସ୍ତ ଥିଲା। ବେଢା ମଧ୍ୟରେ ପ୍ରବେଶ କରି ପୁଣି ଧାଡିରେ ଯିବାକୁ ହେଲା ଏବଂ ବହୁଧାଡିର ଭକ୍ତମାନଙ୍କୁ ଦଳ ଦଳ କରି ମନ୍ଦିର ମଧ୍ୟକୁ ଛଡା ଯାଉଥିବା ଦେଖିଲି, ଅତ୍ୟନ୍ତ ଶୃଙ୍ଖଳିତ ବ୍ୟବସ୍ଥା।
କିନ୍ତୁ ମନ୍ଦିର ପ୍ରବେଶପଥ ପୂର୍ବରୁ ଏତେ ସଂଖ୍ୟକ ଭକ୍ତଙ୍କୁ ଭିତରକୁ ଛଡାଗଲା ଯେ ମୁଁ ଓ ମୋ ନାତୁଣୀ ସେ ଭିଡ ଭିତରେ ଥଳଦେବା ଅସମ୍ଭବ ହୋଇପଡିଲା। ପ୍ରଭୁଙ୍କ ଦର୍ଶନ ଅଭୀପ୍‌ସାରେ ବହୁ କଷ୍ଟରେ ଚିପି ହୋଇ ଗର୍ଭଗୃହ ପର୍ଯ୍ୟନ୍ତ ଗଲୁ। ସେଠାରେ ଦୁଆରର ସଂକୀର୍ଣ୍ଣତା ଓ ପଛରୁ ପ୍ରଚଣ୍ଡ ଠେଲାପେଲା ହେତୁ ମୁଁ ଅଣନିଃଶ୍ୱାସୀ ହୋଇପଡିଲି। ନାତୁଣୀର ହାତ ଛାଡୁ ନ ଥାଏ। ତଳେ ପଡିଗଲେ ଦଳାଚକଟାରେ ପ୍ରାଣ ନାଶ। ପାହାଚ ଦୃଷ୍ଟିଗୋଚର ହେଉ ନ ଥାଏ। ବହୁ କଷ୍ଟରେ ନାତୁଣୀକୁ କାନ୍ଥ ପାଖକୁ ଟାଣି ପାହାଚ ଚଢି ଉପରକୁ ଉଠିଲା ପରେ କଳା ଠାକୁରଙ୍କ ସୌମ୍ୟ ମୂର୍ତ୍ତିର ଭବ୍ୟ ଦର୍ଶନ କ୍ଷଣକ ପାଇଁ ହୋଇଗଲା। କାରଣ ପଛର ଠେଲାପେଲାରେ ଅଧିକ କ୍ଷଣ ଠିଆ ହେବା କିମ୍ବା ଆଗକୁ ଯିବାର ଯୁ’ ରହିଲା ନାହିଁ। ସେତିକିରେ ସନ୍ତୁଷ୍ଟ ହୋଇ ନୀରବ ପ୍ରଣାମ ଜଣାଇ ପ୍ରସ୍ଥାନ ପଥରେ ଫେରି ଆସିଲି।
ପରିବାରର ଅନ୍ୟମାନେ ଅନ୍ୟ ଦଳରେ ଥିଲେ। ଯାହାହେଉ ପ୍ରଭୁଙ୍କ କରୁଣାରୁ ସେ ଜନସମୁଦ୍ର ମଧ୍ୟରେ ସମ୍ମିଳିତ ହୋଇ ଆନନ୍ଦବଜାର ଗଲୁ। ସେଥିରୁ ଜଣଙ୍କୁ ଖୁବ୍‌ ପରିସ୍ରା ଲାଗିଲାଣି। ଆନନ୍ଦବଜାର ଶେଷରେ ଯେଉଁଠାରେ ହାତ ଓ ପାଦ ଧୋଇବାର ପାଣି ଟ୍ୟାପ ବ୍ୟବସ୍ଥା ଅଛି, ସେହି କୋଣରେ ଶୌଚାଳୟର ବ୍ୟବସ୍ଥା ଥିବ ବୋଲି ଭାବି ତାକୁ ସାଙ୍ଗରେ ନେଇ ଦେଖିଲି, ସେଠାରେ ଶୌଚାଳୟ ନାହିଁ, କିନ୍ତୁ ଲୋକମାନେ ସେଠାରେ ପରିସ୍ରା କରୁଛନ୍ତି। ବଡ ଦୁର୍ଗନ୍ଧଯୁକ୍ତ ଦୟନୀୟ ଅବସ୍ଥା। ବାଧ୍ୟ ହୋଇ ଆମ ପିଲାଟି ସେଠାରେ ପରିସ୍ରା କଲା।
ଏ ହେଲା ଶ୍ରୀମନ୍ଦିରର ଭିତର ଅବସ୍ଥା ବରଂ ବିଶେଷ ଅବ୍ୟବସ୍ଥା। ପର୍ଯ୍ୟଟକମାନେ କେବଳ ଚିତ୍ରକଳା ଦେଖିବାକୁ ଯା’ନ୍ତି। ଭକ୍ତ ଯାଏ କିଛି କ୍ଷଣ ଶାନ୍ତ ରହି ସ୍ଥିର ନେତ୍ରରେ ପ୍ରଭୁଙ୍କର ଦର୍ଶନ ପାଇଁ। ଅକସ୍ମାତ୍‌ ଝାଡା ପରିସ୍ରା ମାଡିଲେ ଯଦି ତହିଁରୁ ନିସ୍ତାରର ବ୍ୟବସ୍ଥା ମନ୍ଦିର ଭିତରେ ନ ରହେ, ତେବେ ଭକ୍ତ ଜଣକ କରେ କ’ଣ। ଏଥିପାଇଁ ତ କୌଣସି ବ୍ୟବସ୍ଥା ବେଢା ମଧ୍ୟରେ ନାହିଁ। ବଡ ବିକଳ ଅବସ୍ଥା। ଏହା ଯେବେ ଲୋକପ୍ରିୟ ସରକାରଙ୍କ ବିଚାର, ତେବେ କାହାକୁ ଆଉ କହିବା? ମୋ ଭଳି ବହୁ ଦୁର୍ବଳ, ବୟସ୍କ ଓ ପିଲାମାନେ ଶୌଚାଳୟ ଅଭାବରୁ ହନ୍ତସନ୍ତ ହେଉଥିବେ, ତାହା ନିଜ ଅଭିଜ୍ଞତାରୁ ଜଣାଗଲା।
ଓଡିଶାର ଜଣେ ବରିଷ୍ଠ ନାଗରିକ ଭାବେ ଏହି ସମସ୍ୟାର ସମାଧାନ ପାଇଁ ମୁଁ କେତୋଟି ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କଠାରେ ରଖୁଛି। ଯଥା: ବାହାରେ ଭିଡରୁ ରକ୍ଷା ପାଇବା ପାଇଁ ଯେପରି ଧାଡିର ବ୍ୟବସ୍ଥା ହୋଇଛି ମନ୍ଦିର ଭିତରେ ମଧ୍ୟ ସେମିତି ଧାଡିର ବ୍ୟବସ୍ଥା ହେଉ। ସେଥିରେ ବୟସ୍କ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡିଟିଏ ରହୁ। ନାରୀ ପୁରୁଷଙ୍କ ପାଇଁ ଅଲଗା ଧାଡି ରହିଲେ ସମସ୍ତେ ସୁସଂଯତ ଓ ସୁରକ୍ଷିତ ଭାବେ ପ୍ରଭୁଙ୍କୁ ମନଭରି ଦର୍ଶନର ସୁଯୋଗ ଲାଭ କରିପାରିବେ। ମୁଁ ସେଠାରେ ଜଣକୁ ପଚାରିବାରୁ ସେ କହିଲେ, ମନ୍ଦିର ମଧ୍ୟରେ ଧାଡି ବ୍ୟବସ୍ଥାର ପରମ୍ପରା ନାହିଁ। ଶୌଚାଳୟ ସ୍ଥାପନ ମଧ୍ୟ ସେହି ପରମ୍ପରା କାରଣରୁ ହୋଇପାରୁନାହିଁ କି? ଗରୁଡ଼ସ୍ତମ୍ଭ ପାଖରେ ମାଳ ମାଳ ଦୀପ ପ୍ରଜ୍ୱଳନ ପରମ୍ପରା, ତେବେ ଭାଙ୍ଗିଲା କେମିତି? ପରିବର୍ତ୍ତନ ପାଇଁ ପରମ୍ପରାକୁ ଭାଙ୍ଗିବାକୁ ପଡିବ ବୋଲି ବିଚାର କରି ତ ସରକାର ବାହାରେ ଏପରି ନିୟନ୍ତ୍ରିତ ବ୍ୟବସ୍ଥା କରିଛନ୍ତି। ଭିତର ପାଇଁ ଆବଶ୍ୟକ ହେଲେ ପରମ୍ପରା ଭଙ୍ଗ କରାଯାଇ ପାରିବ ନାହିଁ କାହିଁକି? ଯଦି ଭଙ୍ଗା ନ ଯିବ, ତା’ ହେଲେ ଏହା ଏକ ଅନ୍ଧବିଶ୍ୱାସ ଏବଂ ବିକଳ ମାନସିକତା ବୋଲି ବୁଝିବାକୁ ହେବ। ଝାଡାପରିସ୍ରା ଲାଗିଲେ ଅସ୍ତବ୍ୟସ୍ତ ହେଉଥିବା ବ୍ୟକ୍ତିଟିର ସ୍ଥିତି କ’ଣ ସରକାରୀ ମହାନୁଭବମାନଙ୍କ ଅନୁଭବ ବାହାରେ। ଭକ୍ତଙ୍କ ପାଇଁ ଭଗବାନ। ଭକ୍ତଙ୍କ ସୁଖସୁବିଧା ଦେଖିବା ଭଗବତାନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ଦାୟ।
ମୋର କ୍ଷୁଦ୍ର ପରାମର୍ଶ ଯେ ଶ୍ରୀମନ୍ଦିର ଭିତର ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନ ଯଥା କୋଇଲି ବୈକୁଣ୍ଠ, ଆନନ୍ଦବଜାର ଆଦି ସ୍ଥାନରେ ପର୍ଯ୍ୟାପ୍ତ ଶୌଚାଳୟର ନିର୍ମାଣ କରାଯାଉ। ବାହାରେ ସୁଲଭ ଶୌଚାଳୟ କଲେ ଭିତରେ ଥିବା ଭକ୍ତମାନଙ୍କର ଆଶୁ ଆବଶ୍ୟକତା ମେଣ୍ଟାଇବାରେ ତାହା ଆଦୌ ସାହାଯ୍ୟ କରିପାରିବ ନାହିଁ। ପରିଷ୍କାର ପରିଚ୍ଛନ୍ନତା ଶତପ୍ରତିଶତ ହେବା ଉଚିତ ଏବଂ ଅଳିଆ ପକାଇବା ପାଇଁ ଉପଯୁକ୍ତ ଅଳିଆ ପାତ୍ର ପର୍ଯ୍ୟାପ୍ତ ପରିମାଣରେ ବିଭିନ୍ନ ସ୍ଥାନରେ ରଖାଯିବା ମଧ୍ୟ ଜରୁରୀ। ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଏ ବିଷୟରେ ନିର୍ମଳ ହୃଦୟରେ ବିଚାର କରି ଆଶୁ ବିହିତ ପ୍ରତିକାର କରିବା ପାଇଁ ଏଇ ଲେଖାରେ ଅନୁରୋଧ।
ସତ୍ୟସାଇ ଏନ୍‌କ୍ଲେଭ, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୯୨୦୬୬୦


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri