ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ

ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଛି। ଶିଶୁଙ୍କୁ ସୁରକ୍ଷା ଦେବା ଲାଗି କଡ଼ା ଆଇନ ସାଙ୍ଗକୁ ଫାଶୀ ଦଣ୍ଡାଦେଶ ଭଳି ବ୍ୟବସ୍ଥା ଥିଲେ ମଧ୍ୟ ନାବାଳିକା ଯୌନ ନିର୍ଯାତନା ଘଟଣା ବଢ଼ି ଚାଲିଛି। ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଥିଲେ ମଧ୍ୟ ଏହାର କିଛି ପ୍ରଭାବ ପରିଲକ୍ଷିତ ହେଉନାହିଁ। ୨୦୧୮ରେ ଜିଲାର ବିଭିନ୍ନ ଥାନାରେ ୧୧୭ ନାବାଳିକା ବଳାତ୍କାର ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ୧୫୨ ମାମଲା ହୋଇଛି। ୨୦୧୬ରେ ୯୨ ଏବଂ ୨୦୧୫ରେ ୭୬ ମାମଲା ହୋଇଥିବା ବେଳେ ୨୦୧୪ ଓ ୨୦୧୩ରେ ଯଥାକ୍ରମେ ୫୧ ଓ ୪୫ ମାମଲା ରୁଜୁ କରାଯାଇଛି। ଏହି ପରିସଂଖ୍ୟାନକୁ ଦେଖିଲେ ଜିଲାରେ ଶିଶୁ ଓ ନାବାଳିକା କିଭଳି ଅସୁରକ୍ଷିତ ହୋଇପଡୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି।
ପୋଲିସ ସୂଚନା ଅନୁଯାୟୀ, ଅଧିକାଂଶ ମାମଲାରେ ନାବାଳିକାମାନେ ପ୍ରାୟତଃ ସମ୍ପର୍କୀୟ ଓ ବାହାର ଲୋକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। କେତେକ ପ୍ରେମ ପ୍ରତାରଣାର ଶିକାର ହେବା ନଜିର ରହିଛି। ନାବାଳକମାନେ ମଧ୍ୟ ବଳାତ୍କାର ମାମଲାରେ ଛନ୍ଦି ହୋଇପଡୁଛନ୍ତି। ବାଳ ଅପରାଧ ରୋକିବା ପାଇଁ ସେମାନଙ୍କ ବୟସସୀମା ୧୮ ପରିବର୍ତ୍ତେ ୧୬ ବର୍ଷ କରାଯାଇଥିଲେ ବି ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି। ସେହିପରି ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସକାଶେ ପ୍ରଶାସନ ପକ୍ଷରୁ ହାରାସମେଣ୍ଟ ସେଲ୍‌ ଗଠନ ସାଙ୍ଗକୁ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରାଯାଉଛି। ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଜିଲାରେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି।
ଉଲ୍ଲେଖନୀୟ ଯେ, ଶିଶୁଙ୍କୁ ଯୌନ ଶୋଷଣ, ଅପହରଣ ଭଳି ଅପରାଧରୁ ସୁରକ୍ଷା ଦେବା ନିମନ୍ତେ ପୋକ୍ସୋ ଆଇନ-୨୦୧୨ ପ୍ରଣୀତ ହେବା ପରେ ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯାଇଥିଲା। ଆବଶ୍ୟକ କର୍ମଚାରୀ ଅଭାବରୁ ଏସବୁ ବ୍ୟବସ୍ଥା ଫେଲ୍‌ ମାରିଛି। ଅନେକ କ୍ଷେତ୍ରରେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗ ଉଚିତ ନ୍ୟାୟ ପାଇପାରୁ ନ ଥିବା ଅଭିଯୋଗ କରୁଛନ୍ତି। ପୋଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଜଣେ ପୀଡ଼ିତାଙ୍କ ପରିବାରବର୍ଗ ଓ ଗଁାର ୨୦ରୁ ଊର୍ଦ୍ଧ୍ୱ ମହିଳା ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗତ ଶନିବାର ଦିନତମାମ ଧାରଣା ଦେବା ଘଟଣା ଚର୍ଚ୍ଚାକୁ ଆସିଛି। ସେମାନଙ୍କୁ ଭେଟିବାକୁ କୌଣସି ଅଧିକାରୀ ସନ୍ଧ୍ୟା ସୁଦ୍ଧା ଆସି ନ ଥିଲେ। ତେବେ ରାତି ୮ଟା ବେଳେ ଏସ୍‌ପି ରାଜେଶ ପଣ୍ଡିତ ସେମାନଙ୍କୁ ଭେଟି ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ସେହିପରି ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ଦ୍ୱାରା କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଏବେ ପଦାକୁ ଆସିଛି। ଏହି ନାବାଳିକା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ୪ ଦିନ ତଳେ ଘରୁ ବାହାରି ଦୀର୍ଘ ୧୧ କି.ମି. ରାସ୍ତା ଚାଲି ଚାଲି ଆସି କାଦବରାଙ୍ଗ ପାଖରେ ପହଞ୍ଚିଥିବା ବେଳେ ଜଣେ ମହିଳା ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ପୀଡ଼ିତାଙ୍କୁ ସ୍ବଳ୍ପ ରହଣିକେନ୍ଦ୍ର ବାତ୍ସଲ୍ୟରେ ଜିଲା ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶ କ୍ରମେ ରଖାଯାଇଛି। ସେ ଅନ୍ତଃସତ୍ତ୍ୱା ଥିବା ଜାଣି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ବାତ୍ସଲ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭଣ୍ଡାରିପୋଖରୀ ଥାନା ପୋଲିସ କାହିଁକି ମାମଲା ରୁଜୁ କରି ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନାବାଳିକା ବଳାତ୍କାର ମାମଲାରେ ପୋଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ କେତେକ ଫେରାର ରହି ସେମାନଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି। ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବେଶନ ଅଧିକାରୀ ସୁବ୍ରତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଯୌନ ଶୋଷଣ ଓ ନିର୍ଯାତନା ରୋକିବା ପାଇଁ ସଚେତନତା ସୃଷ୍ଟି ସାଙ୍ଗକୁ ଥାନା, ପଞ୍ଚାୟତ ଏବଂ ବିଦ୍ୟାଳୟ ସ୍ତରରେ ଯୌନ ଉତ୍ପୀଡ଼ନ ପ୍ରକୋଷ୍ଠ(ହାରାସମେଣ୍ଟ ସେଲ୍‌) ଗଠନ କରାଯିବା ଦରକାର। ଶିକ୍ଷାନୁଷ୍ଠାନ ସ୍ତରରେ ସଚେତନତା ସୃଷ୍ଟି ଅପରାଧ ନିୟନ୍ତ୍ରଣରେ ସହାୟକ ହୋଇପାରିବ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ବାରିକ ଅନୁରୂପ ମତବ୍ୟକ୍ତ କରି କହିଛନ୍ତି, ବାଳ ଅପରାଧ ନିୟନ୍ତ୍ରଣ ଲାଗି ସରକାରୀ ସ୍ତରରେ ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି, ଆଇନସେବା ପ୍ରାଧିକରଣ, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ ସଂସ୍ଥା ରହିଛି। ପୋଲିସ ଓ ପ୍ରଶାସନ ସମେତ ସବୁ ସଂସ୍ଥା ମଧ୍ୟରେ ସମନ୍ବୟ ରହିଲେ ଏଥିରୁ ସୁଫଳ ମିଳିପାରିବ। ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ପ୍ରଣୀତ ହୋଇଥିବା ପୋକ୍ସୋ ଆକ୍ଟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଏକ ବିଡ଼ମ୍ବନା ବୋଲି ଆଇନଜୀବୀ ଗଦାଧର ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା

ବରଗଡ଼ ଅଫିସ,୫ା୬: ବରଗଡ଼ ଜିଲାରେ ପୁଣି ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ସାତବନ୍ଧ, ଜାରିଂ କନପୁରୀ ଓ...

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ...

ସମସିଆ ଘେରରେ ଭୋଇପାଲିବାସୀ: ନଲ୍‌ଚୁଆଁରୁ ବାହାରୁଛେ ଦୂଷିତ୍‌ ପାଏନ୍‌

ସମ୍ବଲପୁର,୬ା୬(ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମରେ ସାମିଲ ହେଇଥିବାର ୧୨ଟା ପଁଚେତ୍‌ବାସୀ ଅନେକ ସମସିଆରେ ବୁଡ଼ି ରହିଛନ୍‌। ବଡ଼ଭାରି ହିସାବେ ମହାନଗର ନିଗମର ସୀମାନାରେ ଥିବାର ଗାଁବାସୀମାନେ...

ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ

ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ...

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ...

ଯାତ୍ରୀଙ୍କୁ ଲିଫ୍ଟ ଆଳରେ ଲୁଟୁଥିଲେ

ରସୁଲପୁର,୨୬।୭(ଡି.ଏନ.ଏ.): କୁଆଖିଆ ଥାନା ପୋଲିସ ରବିବାର ଜଣେ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶୋ ଗ୍ରାମର...

‘ଟିଏମ୍‌ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’

ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍‌ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ...

ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁ ୫ଦିନ ଶଟ୍‌ଡାଉନ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା...

Advertisement


Archives

Model This Week