ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ
ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରୁ ହାତ କାଢ଼ି ନେଉଥିବାର ଦେଖାଯାଉଛି। ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଘରୋଇକରଣ କରିବା ଦିଗରେ ସରକାର ଖୁବ୍‌ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି। ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯେପରି ଭାବେ ଆର୍ଥିକ ଅନୁଦାନ ବନ୍ଦ କରି ଘରୋଇ ନିୟନ୍ତ୍ରଣକୁ ଟେକିଦେବା ପାଇଁ ଯୋଜନା ଚାଲୁଛି, ଏଥିରୁ ଏହା ସ୍ପଷ୍ଟ ବୁଝାପଡ଼ୁଛି। ତଥ୍ୟ ଅନୁସାରେ ଆମ ଦେଶର ପ୍ରାୟ ୬୦% ଉଚ୍ଚଶିକ୍ଷାନୁଷ୍ଠାନ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଘରୋଇ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ।
ସରକାର ଉଚ୍ଚଶିକ୍ଷା ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ବନ୍ଦ କରିଦେଉଛନ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜେ ନିଜର ଆର୍ଥିକ ଚାହିଦା ପୂରଣ କରିବା ପାଇଁ କୁହାଯାଉଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ କ’ଣ ମଲ୍‌ ନା ମଲ୍ଟିପ୍ଲେକ୍ସ, ଯିଏ କି ନିଜର ଆର୍ଥିକ ଚାହିଦାକୁ ନିଜେ ପୂରଣ କରିବ! ବିଶ୍ୱବିଦ୍ୟାଳୟ ତ ପିଲାମାନଙ୍କ ପଢ଼ିବା ପାଇଁ ତିଆରି ହୋଇଛି। ସେମାନେ ପୁଣି ନିଜର ଆର୍ଥିକ ଚାହିଦା କିପରି ପୂରଣ କରିବେ! ଯଦି ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁୁ ଆର୍ଥିକ ପ୍ରୋତ୍ସାହନ ନ ଦେଇ ତାହାକୁ ଅର୍ଥ ରୋଜଗାରର ମାଧ୍ୟମ କରିବାକୁ ଚାହଁୁଛନ୍ତି, ତା’ହେଲେ ସେଠାରେ ବିଶ୍ୱବିଦ୍ୟାଳୟ ବନ୍ଦକରି ସିନେମା ହଲ୍‌ ଖୋଲନ୍ତୁ। ଟଙ୍କା ରୋଜଗାର ହେବ। ବିଶ୍ୱବିଦ୍ୟାଳୟ ମାନେ କ’ଣ ଲାବୋରଟୋରି ବା ଖେଳପଡ଼ିଆ ବନ୍ଦ କରି କ୍ୟାମ୍ପସ୍‌ ଭିତରେ ବ୍ୟବସାୟ କେନ୍ଦ୍ର ଖୋଲିବେ! ସରକାରଙ୍କ ଏପରି ଭାବନା ସତରେ ହାସ୍ୟାସ୍ପଦ। ଏପରିକି ବିଜ୍‌ନେସ୍‌ ହାଉସ୍‌ମାନେ ବି ନିଜ ପିଲାଙ୍କୁ ପଢ଼ିବା ସମୟରେ ରୋଜଗାର କରିବା ପାଇଁ କୁହନ୍ତି ନାହଁି।
ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ତିଆରି ହୋଇଛି। ଅର୍ଥର ବ୍ୟବସ୍ଥା କରିବା ସେମାନଙ୍କର କାମ ନୁହେଁ। ସେହିପରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ଦେଇ ଛାତ୍ରମାନଙ୍କୁ ପାଠ ପଢ଼ିବା ପାଇଁ ଭିତ୍ତିଭୂମି ଯୋଗାଇବା ସରକାରଙ୍କ ଦାୟିତ୍ୱ। କାରଣ ଲୋକମାନେ ହଁି ଟିକସ ଦେଇ ସରକାରଙ୍କ ରାଜସ୍ବକୁ ଭରୁଛନ୍ତି। ଯଦି ସବୁ କିଛି ଘରୋଇ କମ୍ପାନୀ କରିବେ, ତେବେ ସବୁ କଥାରେ ଲୋକଙ୍କଠାରୁ ଟିକସ ନେଉଥିବା ସରକାରଙ୍କ କାମ କ’ଣ ହେବ?
ସରକାରଙ୍କ ନିର୍ଦ୍ଦେଶ ମାନି ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ସମ୍ପ୍ରତି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ ବିଭିନ୍ନ ପ୍ରକାର ନୂଆ ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଉଛି ଓ ତାହା ବିନିମୟରେ ଛାତ୍ରମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଏହା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଖରେ ଟଙ୍କା ଥିବ ଅର୍ଥାତ୍‌ ଧନୀ ଛାତ୍ରମାନେ ହଁି ସେହିସବୁ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ଓ ଅନ୍ୟମାନେ ନିରାଶ ହେବେ। ପରିସ୍ଥିତି ଏପରି ହେବ ଯେ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଲକ୍ଷ୍ୟ ଧୀରେ ଧୀରେ କେବଳ ପଇସା ରୋଜଗାର କରିବା ହଁି ହେବ। ସେମାନେ ଶିକ୍ଷାଦାନ ପରି ମହାନ୍‌ ଆଦର୍ଶରୁ ବିଚ୍ୟୁତ ହେବେ। ଏହି କ୍ରମରେ ଏବେ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ ପରି ବ୍ୟବସାୟିକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ରୋଜଗାର କରିବା। ଯଦି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି ତେବେ ଅନ୍ୟ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଅବସ୍ଥା କ’ଣ ହେଉଥିବ ତାହା ଅନୁମେୟ।
ଏତଦ୍‌ବ୍ୟତୀତ ଆବଶ୍ୟକ କ୍ଷେତ୍ରରେ ସରକାର ଏକ ସତୁରି-ତିରିଶ ସୂତ୍ର ମଧ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ୭୦ ପ୍ରତିଶତ ଆର୍ଥିକ ଅନୁଦାନ ଦିଆଯିବ ଓ ବାକି ୩୦ ପ୍ରତିଶତ ଅର୍ଥ ବିଶ୍ୱବିଦ୍ୟାଳୟକୁ ନିଜେ ଉଠାଇବାକୁ ପଡ଼ିବ। କିନ୍ତୁ ପ୍ରଶ୍ନ ଉଠୁଛି ବିଶ୍ୱବିଦ୍ୟାଳୟଗୁଡ଼ିକ ଏହା ଉଠାଇବେ କିପରି? ସେମାନେ କ’ଣ ପାଠପଢ଼ା ଛାଡ଼ି ଟଙ୍କା ରୋଜଗାରରେ ରହିବେ? ତା’ହେଲେ ଘରୋଇ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ କ’ଣ ତଫାତ୍‌ ରହିଲା? ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ସକ୍ଷମ ହୋଇପାରୁନାହାନ୍ତି, ସେମାନଙ୍କୁ ସରକାରୀ-ଘରୋଇ ଭାଗୀଦାରିତା ଭିତ୍ତିରେ ଯିବା ପାଇଁ କୁହାଯାଉଛି। ଅର୍ଥାତ୍‌ ପରୋକ୍ଷ ଭାବେ ସରକାରୀ ଶିକ୍ଷାନୁଷ୍ଠାନକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି ଓ ସରକାର ସବୁଦିନ ପାଇଁ ଶିକ୍ଷା କ୍ଷେତ୍ରରୁ ଛୁଟି ନେବା ପାଇଁ ଚାହଁୁଛନ୍ତି।
ଯଦି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଆର୍ଥିକ ବ୍ୟବସ୍ଥା କରିବାକୁ କୁହାଯିବ ବା ଘରୋଇକରଣ କରିଦିଆଯିବ, ତେବେ ଆମ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବଜାର ନିୟନ୍ତ୍ରିତ ହୋଇପଡ଼ିବ। ବଜାରର ଚାହିଦା ଅନୁସାରେ ପାଠ୍ୟକ୍ରମ ପଢ଼ାଯିବ। ସାମାଜିକ ବିଜ୍ଞାନ, ଇତିହାସ, ଦର୍ଶନ ଆଦି ମଣିଷର ଆଭ୍ୟନ୍ତରୀଣ ବିକାଶ କରୁଥିବା ପାଠ୍ୟକ୍ରମଗୁଡ଼ିକ ଧୀରେ ଧୀରେ ବିଶ୍ୱବିଦ୍ୟାଳୟରୁ ହଜିଯିବ। ଶିକ୍ଷା କେବଳ ଛାତ୍ରମାନଙ୍କୁ ଚାକିରି ଯୋଗେଇବାର ଏକ ସାଧନ ହୋଇଯିବ। ଏହାଦ୍ୱାରା ଛାତ୍ରମାନଙ୍କର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେବ। ଆମ ଦେଶର ଭବିଷ୍ୟତ ପିଢ଼ି ମଣିଷ ନ ହୋଇ କେବଳ ମେଶିନ୍‌ରେ ପରିଣତ ହୋଇଯିବେ। ଆମ ଉତ୍ତର ପିଢ଼ି ଯଦି ଇତିହାସ, ସାମାଜିକ ବିଜ୍ଞାନ ଓ ଦର୍ଶନ ପରି ମାନବୀୟ ଗୁଣକୁ ବିକାଶ କରୁଥିବା ପାଠ ପଢ଼ିବେ ନାହଁି, ତେବେ ଆମ ସମାଜର ଅବସ୍ଥା କ’ଣ ହେବ!
ଉଚ୍ଚଶିକ୍ଷାନୁଷ୍ଠାନ ହେଉଛି ପ୍ରତ୍ୟେକ ଦେଶର ବିକାଶର ଦର୍ପଣ। ସେଗୁଡ଼ିକୁ ଉଚ୍ଚମାନର କରି ଛାତ୍ରବତ୍ସଳ ଭାବେ ଗଢ଼ିତୋଳିବା ସରକାରଙ୍କ ଦାୟିତ୍ୱ ହେବା ଉଚିତ। କିନ୍ତୁ ସରକାର ସେମିତି ନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଅର୍ଥ ନିଜେ ବ୍ୟବସ୍ଥା କରିବା ପାଇଁ କହିବା ଅତ୍ୟନ୍ତ ଅଦୂରଦର୍ଶିତାର ପରିଚୟ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୀର ରାମ ବିଷ୍ଣୋଇ ଜଣେ ମେକାନିକ୍‌। ଜାତୀୟ ରାଜପଥ-୬୫ କଡରେ ପଙ୍କ୍‌ଚର ରିପେୟାରିଂ ଦୋକାନ କରିଛନ୍ତି। ରାଜସ୍ଥାନ ଜୟପୁର ଜିଲାର ଧମାନା ଗାଁର ଏହି ସାଧାରଣ...

ଏଇ ଭାରତରେ

କେତେକ ବ୍ୟକ୍ତି ବିଶ୍ୱର କଲ୍ୟାଣସାଧନ ଲାଗି ଅକ୍ଳାନ୍ତ ପରିଶ୍ରମ ଓ ଅନେକ କଷ୍ଟ ସ୍ବୀକାର କରନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ୟାରେଲାଲ୍‌। ସେ...

ଆକ୍ରମଣ ଅପରାଧ ଓ ପୁଟିନ୍‌

କିଛି ସପ୍ତାହ ପୂର୍ବେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନାମରେ ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍‌ ଅଧିକୃତ ଅଞ୍ଚଳରେ...

ଶତ୍ରୁର ଶତ୍ରୁ

୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହିି ଯୁଦ୍ଧକୁ ଏବେ ୧୫ ମାସ ଚାଲିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହସ...

ଅଧୁରା ସ୍ୱପ୍ନ

ନିଦ୍ରିତ ଅବସ୍ଥାରେ ମନୁଷ୍ୟଙ୍କଠାରୁ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନରେ କେବେ ମଧୁର ତ କେବେ ଭୟଙ୍କର ଦୃଶ୍ୟ ଦେଖି ନିଦ୍ରିତ ବ୍ୟକ୍ତି ଯେଉଁ...

ଏଇ ଭାରତରେ

ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ଜୋତା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅକ୍ଷୟ ଭାବେ । ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ସେ...

ସାତଦିନରେ ଭାରତ ଇତିହାସ

ଭାରତର ଇତିହାସକୁ ସଂକ୍ଷିପ୍ତ କରି ଏକ ସପ୍ତାହରେ ସୀମିତ ରଖାଗଲେ ସେଥିରୁ ଆମକୁ ଅତୀତର ଖୁବ୍‌ ରୋଚକ ଦୃଷ୍ଟିକୋଣ ଦେଖିବାକୁ ମିଳେ। ଭାରତ ଇତିହାସର ଅବଧି...

ପୁଞ୍ଜିପତିଙ୍କ ପଳାୟନ କାହିଁକି

ଚଳିତବର୍ଷ ଆଠ ହଜାରରୁ ଊର୍ଦ୍ଧ୍ୱ ପୁଞ୍ଜିପତି ଭାରତ ଛାଡ଼ି ଅନ୍ୟ ଦେଶରେ ବାସ କରିବେ ବୋଲି କୁହାଯାଉଛି। କେବଳ ଭାରତୀୟ ପୁଞ୍ଜିପତି ନୁହନ୍ତି, ଅନ୍ୟତ୍ର ବସତି...

Advertisement
Archives

Model This Week