ଶାସନର ଜାଲ, ଜାଲର ଶାସନ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ
ଟୁଇଟରରେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଗୋଟେ ସୂଚନା ଯେ ସମାଧାନର ବାଟକୁ ଏତେ ଶୀଘ୍ର ଖୋଲିଦେବ ତାହା ଟୁଇଟ ପଠାଇବା ପୂର୍ବରୁ ଚନ୍ଦନପୁର ଗ୍ରାମବାସୀ ହୁଏତ ଭାବି ବି ନ ଥିବେ। ୨୪ ଫେବୃୟାରୀରେ ଗୋଟିଏ ଖବର ପ୍ରକାଶ ପାଇଥିଲା ଯେ ଭଦ୍ରକ ଜିଲା ଶରାଗା ଚନ୍ଦନପୁର ଯାଏ ନୂଆକରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ତିଆରି ହୋଇଥିବା ରାସ୍ତାରୁ ଫାଳଫାଳ ପିଚୁ ଉଠିଯାଉଛି। ସେହି ଖବର ଉପରେ ବିଭାଗ ମାର୍ଚ୍ଚ ୩ ତାରିଖ ଯାଏ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ତାହା ଜଣା ନାହିଁ କିନ୍ତୁ ମାର୍ଚ୍ଚ ୩ ତାରିଖରୁ ସ୍ଥିତି ବଦଳି ଯାଇଥିଲା। ସେହି ଦିନ ଜଣେ ବ୍ୟକ୍ତି ୨୪ ଫେବୃୟାରୀରେ ବାହାରିଥିବା ଖବରକୁ ଟୁଇଟ କରି ପଠାଇଲେ ଅତିରିକ୍ତ ମୁଖ୍ୟ ସଚିବଙ୍କୁ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କଲେ। ତାହାକୁ ଗୁରୁତ୍ୱର ସହ ନେଇ ଦିନେ ମଧ୍ୟରେ ତାଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ସଚିବ। ଖାଲି ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିଲେ ନି, ଆହୁରି ବି କହିଲେ ଯେ ଯଦି କାମ ଖରାପ ଥିବ ତେବେ ମରାମତି ନୁହେଁ ବରଂ ପୂରା ରାସ୍ତାକୁ ନୂଆକରି କରିବା ପାଇଁ ଠିକାଦାରଙ୍କୁ ଆଦେଶ ଦିଆଯିବ। ଏହାକୁ ଟୁଇଟରରେ ପୋଷ୍ଟ କରିବାରୁ ସମସ୍ତେ ସେହି ନିର୍ଦ୍ଦେଶ ବିଷୟରେ ଜାଣିଲେ। ଦିନେ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ ପ୍ରଦାନ କରିଥିବା ରିପୋର୍ଟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପୁଣି ଟୁଇଟରରେ ପ୍ରକାଶ କଲେ। ସେଥିରେ କୁହାଯାଇଥିଲା ଯେ ‘ରାସ୍ତାର କିଛି ଅଂଶ ଖରାପ ଅଛି ଯାହାକୁ ସୁଧରାଯିବ’। ସେହି ରିପୋର୍ଟଟି ସମ୍ପୂର୍ଣ୍ଣ ସତ୍ୟ ନ ଥିବାର ଅଭିଯୋଗ ଆସିଥିଲା ଟୁଇଟରରେ। ମାର୍ଚ୍ଚ ୪ ତାରିଖରେ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଲେ ଯେ ଅତିରିକ୍ତ ଜିଲାପାଳ ଓ ଅଧୀକ୍ଷଣ ଯନ୍ତ୍ରୀ ଏହାର ଯୁଗ୍ମ ତଦନ୍ତ କରିବେ। ମାର୍ଚ୍ଚ ୫ ତାରିଖ ସକାଳ ୧୦ଟାରେ ଅତିରିକ୍ତ ମୁଖ୍ୟ ସଚିବ ଯୁଗ୍ମ ରିପୋର୍ଟକୁ ଟୁଇଟରରେ ପ୍ରକାଶ କରିସାରିଥିଲେ ଏବଂ ତା’ ସହିତ ଆହୁରି କହିଲେ ଯେ ରିପୋର୍ଟକୁ ନେଇ ସେ ନିଜେ ଆଶ୍ୱସ୍ତ ନୁହନ୍ତି ଓ ମୁଖ୍ୟଯନ୍ତ୍ରୀ ଯାଇ ଏହାର ତଦନ୍ତ କରିବେ। ମାର୍ଚ୍ଚ ୬ ତାରିଖ ସା ୬ଟା ବେଳକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ଟୁଇଟର ହ୍ୟାଣ୍ଡେଲରେ ନୂଆ ଫଟୋ ଜାରି କରି କହିସାରିଥିଲେ ଯେ ରାସ୍ତାରେ ନୂଆ ପିଚୁ ଢଳା ହେବା ପାଇଁ ଖରାପ ଭାଗ ଖୋଳାଯାଇ ସାରିଲାଣି ଓ ଖୁବ୍‌ଶୀଘ୍ର ନୂଆ ପିଚୁ ଢଳାଯିବ। ଟୁଇଟରରେ ପ୍ରଥମ ଅଭିଯୋଗ ଆସିଲା ମାର୍ଚ୍ଚ ୩ ତାରିଖରେ। ଅଭିଯୋଗ ପାଇବାର ତିନି ଦିନ ଭିତରେ ତଦନ୍ତ ହୋଇ ରାସ୍ତାରେ ପୁଣିଥରେ ନୂଆ ପିଚୁ ଢଳା କାମ ଆରମ୍ଭ ବି ହୋଇ ସାରିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟୁଇଟର ମାଧ୍ୟମରେ ଲୋକଙ୍କ ସହ ବାର୍ତ୍ତା ଆଦାନପ୍ରଦାନ ସହିତ ଅଭିଯୋଗର ତ୍ୱରିତ ଓ ପାରଦର୍ଶୀ ପ୍ରତିବିଧାନର ଏହିପରି ଅନେକ ଉଦାହରଣ ପ୍ରତିଦିନ ବଢି ଚାଲିଛି। କାମ ତ ନିଶ୍ଚୟ ସୁଧୁରୁଛି, ଲୋକଙ୍କର ବି ପ୍ରଶାସନ ଉପରେ ଆସ୍ଥା ଓ ବିଶ୍ୱାସ ବଢୁଛି ଏବଂ ସେମାନଙ୍କୁ ଲାଗୁଛି ଯେ ସରକାର ତାଙ୍କ ଅଭିଯୋଗ ଶୁଣୁଛି। ସେମାନେ ବିଭାଗ ସହିତ ଅଧିକ ଯୋଡି ହେଉଛନ୍ତି। ଉଚିତ ବାର୍ତ୍ତା ଅବିଶ୍ୱାସକୁ ଦୂର କରିବାରେ ଏକ ବଡ ଭୂମିକା ନେଇଥାଏ। ଟୁଇଟର ତଥା ସାମାଜିକ ଗଣମାଧ୍ୟମ ସେହିପରି ବାର୍ତ୍ତାର କେମିତି ପ୍ରଭାବୀ ମାଧ୍ୟମ ହୋଇପାରେ ତାହାର ବଳିଷ୍ଠ ପ୍ରମାଣ ମିଳିଛି ଅତିରିକ୍ତ ମୁଖ୍ୟ ସଚିବ ଜେନା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୁଇଟର ଓ ହ୍ବାଟ୍‌ସଆପ ବ୍ୟବହାରରୁ। ”ଟୁଇଟର ଜରିଆରେ ଯେତେ ସମସ୍ୟା ଓ ସମସ୍ୟାର ସ୍ବରୂପ ତଥା ଠିକ୍‌ ଓ ସ୍ବାଧୀନ ମତାମତ ଆମ ନଜରକୁ ଆସୁଛି ତାହା ସାଧାରଣ ପ୍ରଶାସନିକ ବ୍ୟବସ୍ଥାରେ ଆସି ନ ଥାଆନ୍ତା“ କହନ୍ତି ଜେନା।
ଗ୍ରାମ୍ୟ ଉନ୍ନୟନ ବିଭାଗର ଟୁଇଟର ବ୍ୟବହାରରେ ଦୁର୍ନୀତି ଏକ ବଡ ପ୍ରସଙ୍ଗ ହୋଇ ଉଭା ହୋଇଥିବା ବେଳେ, ଟୁଇଟର ଅନ୍ୟ କ୍ଷେତ୍ରରେ ମଧ୍ୟ ତାହାର ବଳ ଦେଖାଇଛି। ସୁରେଶ ପ୍ରଭୁ ରେଳମନ୍ତ୍ରୀ ହେବାପରେ ଟୁଇଟରକୁ ଅଭିଯୋଗ ପ୍ରତିବିଧାନର କେନ୍ଦ୍ର ଭାବରେ ଗଢି ତୋଳିଥିଲେ। ଲୋକେ ତଥା ରେଳ ବିଭାଗ ତାହାର ଅନେକ ଲାଭ ଉଠାଇଛନ୍ତି। ବେମାର ଯାତ୍ରୀ ତ୍ୱରିତ ସେବା ପାଇଛନ୍ତି, ଚାଲାଣ ହେଉଥିବା ବାଳିକା ଉଦ୍ଧାର ହୋଇଛନ୍ତି, ଗୁଣ୍ଡାଙ୍କୁ ଧରାଯାଇଛି, ଅନେକ ଲୋକ ସେମାନେ ଛାଡିଯାଇଥିବା ସାମଗ୍ରୀ ଫେରି ପାଇଛନ୍ତି ଇତ୍ୟାଦି ଇତ୍ୟାଦି। ରନ୍ଧନ ଗ୍ୟାସ ବଣ୍ଟନକାରୀ କମ୍ପାନୀ ଯଥା ଇଣ୍ଡେନ, ଏଚ୍‌ପି ଆଦି କମ୍ପାନୀ ଟୁଇଟରକୁ ଅଭିଯୋଗର ପ୍ରତିବିଧାନ ପାଇଁ ଅତି ସୁନ୍ଦର ଭାବରେ ବ୍ୟବହାର କରୁଛନ୍ତି। ସୁଷମା ସ୍ବରାଜ ଭାରତର ବିଦେଶ ମନ୍ତ୍ରୀ ଥିବାବେଳେ ଟୁଇଟରରେ ଅନେକ ଜଟିଳ ମାମଲାର ସୂଚନା ପାଇ ତାହାକୁ ସମାଧାନ କରିବାରେ ସଫଳ ହୋଇଥିଲେ। ତାହା କରି ଲୋକଙ୍କର ଆସ୍ଥା ଓ ପ୍ରଶଂସା ସାଉଁଟିଥିଲେ ଏବଂ ବ୍ୟବସ୍ଥାକୁ କ୍ରିୟାଶୀଳ କରିପାରିଥିଲେ।
ଓଡିଶା ସରକାର ମଧ୍ୟ ସାମାଜିକ ଗଣମାଧ୍ୟମର ବିରାଟ ସମ୍ଭାବନାକୁ ଚିହ୍ନଟ କରିଛନ୍ତି, ଏବେ ନୁହେଁ ୨୦୧୬ ମସିହାରୁ। ୨୦୧୬ ମାର୍ଚ୍ଚ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଟୁଇଟରରେ ଜଣାଇଲେ ଯେ ଶାସନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସେ ସମସ୍ତ ବିଭାଗକୁ ସାମାଜିକ ଗଣମାଧ୍ୟମର ଉପଯୋଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି, ଯହିଁରେ କୁହାଯାଇଛି ଯେ, ବିଭାଗମାନେ (୧) ଶୁଣିବେ- ଯାହା ଉଭୟ-ମୁଖୀ ହେଉଥିବ ଅର୍ଥାତ୍‌ ସରକାର ଓ ନାଗରିକ ଉଭୟେ ଉଭୟଙ୍କର କଥା ଶୁଣିବେ, (୨) ପ୍ରତ୍ୟୁତ୍ତର ଦେବେ- ଶୁଣିବା ପରେ ତାହାର ଉତ୍ତର ଦେଇ ଖୋଲା ଓ ସମ୍ବେଦନଶୀଳ ପ୍ରଶାସନର ସ୍ବରୂପକୁ ପରିବ୍ୟାପ୍ତ କରିବେ, (୩) ଲୋକଙ୍କ ସହ ପ୍ରତ୍ୟକ୍ଷ ଓ କ୍ରିୟାଶୀଳ ପାରସ୍ପରିକ ଯୋଗାଯୋଗ ରଖିବେ, (୪) ଠିକ୍‌ ସୂଚନା ସ୍ପଷ୍ଟ ଭାବରେ ଜଣାଇବେ, (୫) ଯୋଡ଼ିଦେବେ- ପ୍ରତ୍ୟେକ ବିଭାଗ ଓ ଜିଲା ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ସୃଷ୍ଟି କରିବେ ଓ ତାହା ଜରିଆରେ ଲୋକଙ୍କ ସହ ଯୋଡ଼ିହେବେ ଏବଂ (୬) ୱେବ୍‌ସାଇଟ ତଥା ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ନିରନ୍ତର ବ୍ୟବହାର କରି ତାହାକୁ ସକ୍ରିୟ, ଗତିଶୀଳ ରଖିବେ। ଏହା ମଧ୍ୟରେ ପ୍ରାୟ ସମସ୍ତ ବିଭାଗ, ଜିଲା ପ୍ରଶାସନ ତଥା ପୋଲିସ ବିଭାଗ ଆଦି ଟୁଇଟର ଓ ଫେସ୍‌ବୁକରେ ଆକାଉଣ୍ଟ ଖୋଲି ସାରିଛନ୍ତି। ଟୁଇଟର ଓ ଫେସ୍‌ବୁକ ଆକାଉଣ୍ଟ ଖୋଲିବା ଯାଏ ଠିକ୍‌ ଅଛି କିନ୍ତୁ ତାହାକୁ ବାର୍ତ୍ତା ଆଦାନ ପ୍ରଦାନର ମାଧ୍ୟମ କରିବାରେ ପ୍ରାୟ ଅଧିକାଂଶ ବିଭାଗ ବାଟ ହୁଡ଼ିଛନ୍ତି। ଅବଶ୍ୟ ଅନେକ ଜିଲାପାଳ ତଥା କିଛି ଅଫିସର ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଲୋକଙ୍କ ସହ ଯୋଡି ହେଉଛନ୍ତି।
ଗୋଟିଏ ବାର୍ତ୍ତାର ପ୍ରତ୍ୟୁତ୍ତର ଆସିଲେ ହିଁ ସଂଯୋଗ ସ୍ଥାପିତ ହୁଏ। ଶାସନ ବ୍ୟବସ୍ଥାକୁ ଗତିଶୀଳ ଓ ପାରଦର୍ଶୀ କରିବା ସହିତ ବିଶ୍ୱାସ ଓ ପାରସ୍ପରିକ ସହଯୋଗର ବାତାବରଣ ସୃଷ୍ଟି କରିବାରେ ସେହିଭଳି ସଂଯୋଗ ଓ ସମ୍ବାଦର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗ ତଥା ପ୍ରଦୀପ ଜେନାଙ୍କ ଭଳି ବରିଷ୍ଠ ଅଧିକାରୀ ସଂଯୋଗ ସ୍ଥାପନ କରି ଅଭିଯୋଗର ପ୍ରତିବିଧାନ ତ କରୁଛନ୍ତି, ତା’ସହିତ ଏଥିରୁ ତାଙ୍କୁ ବ୍ୟବସ୍ଥାରେ ସୁଧାର ପାଇଁ ଅନେକ ସୂଚନା ମିଳିଯାଉଛି। ”ଏବେ ଟୁଇଟରରେ ଆସୁଥିବା ସୂଚନାରୁ ଆମେ ଜାଣିବା ଆରମ୍ଭ କଲୁଣି ଯେ, କେଉଁ ଡିଭିଜନରେ କାମ ମୋଟାମୋଟି ଭଲ ହେଉଛି ଓ କେଉଁ ଡିଭିଜନରେ ଅଭିଯୋଗ ଆସୁଛି। ଲୋକେ ହେଉଛନ୍ତି ଆମର ସଦା ଖୋଲା ରହିଥିବା ତୃତୀୟ ନେତ୍ର“ ବୋଲି କହନ୍ତି ପ୍ରଦୀପ ଜେନା। ଟୁଇଟର ତୃତୀୟ ନେତ୍ରର କାମ କରୁଛି। ଆଶା କରିବା ଯେ ସାମାଜିକ ଗଣମାଧ୍ୟମର ଅଦୃଶ୍ୟ ଜାଲ ଆହୁରି ବିସ୍ତାରି ଶାସନ ବ୍ୟବସ୍ଥାକୁ ଶିଥିଳ କରୁଥିବା ଓ ଅନ୍ୟାୟ ଅନୀତିରେ ପରଦା ଢାଙ୍କୁଥିବା ଜାଲକୁ ଧ୍ୱଂସ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?