ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା
ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି ପକେଇବ। ମିଟିକୁ ନେଇ ଆମ ଗାଁରେ ଅନେକ ଚର୍ଚ୍ଚା। କଳା ଚିକ୍‌ ଚିକ୍‌ ଡଉଲ ଡାଉଲ ଚେହେରା ରଖିଥିବା ଏ ଗାଈଟା କେଉଁ ନକ୍ଷତ୍ରରେ ଜନ୍ମ ହୋଇଥିଲା କେଜାଣି ‘ହେଇ’ ବୋଲି କହିଦେଲେ ଆଖିପିଛୁଳାକେ ଦୁଇଶହ ମିଟର ଦୌଡ଼ି ପଳାଇବ। ପୁଣି କେହି ନ ଥିବାବେଳେ ଫେରିଆସି ନିରୀହ ପିଲାଟି ପରି ଠିଆହୋଇ ଆଖି ମିଟିମିଟି କରୁଥିବ। ଓର ଉଣ୍ଡି ବାଡ଼ ଡେଇଁ ଭିତରକୁ ପଶିଯିବ। ତିନି ଚାରି ଫୁଟ୍‌ ଉଚ୍ଚ ବାଡ଼କୁ ସେ ଏମିତି ତେର୍ଚ୍ଛାମାରି ଡେଇଁପଡ଼େ ଯେ ହାଇଜମ୍ପ୍‌ ଟ୍ରେନିଂ ମାଷ୍ଟରର ଆଖି ବି ତରାଟି ହୋଇଯିବ। ମିଟି ତା’ କ୍ୟାରିୟରରେ ଏମନ୍ତ ଅନେକ ବାଡ଼ ଡେଇଁ ତା’ ଦକ୍ଷତାର ପ୍ରମାଣ ଦେଇସାରିଛି। କେବଳ ସେତିକି ନୁହେଁ ଘରଭଙ୍ଗା ମଣିଷମାନେ ଯେମନ୍ତ ଅନ୍ୟ ଘରର ଛିଦ୍ର ଉଣ୍ଡି ଭିତରକୁ ପଶି ଘର ଉଜାଡ଼ି ଦିଅନ୍ତି, ତେମନ୍ତ ମିଟି ଯଦି କାହା ବିଲ କି ବାଡ଼ି ଭିତରକୁ ପଶିଯାଏ ତା’ର ସବୁ ଫସଲକୁ ଉଜାଡ଼ି ଦିଏ। ଗାଲୁଆମାନଙ୍କୁ ଯେତେ କଟୁକଥା କହିଲେ ବି ସେମାନେ ନିଜର ସ୍ବାର୍ଥସାଧନ ନ ହେବାଯାଏ ସବୁ ଅପମାନକୁ ହସି ହସି ସହିଯିବା ପରି ମିଟି ଥରେ ବାଡ଼ିରେ ପଶିଗଲେ ତାକୁ ଯେତେ ହୁରୁଡ଼େଇଲେ କି ପିଟାପିଟି କଲେ ବି ତାକୁ ଖାତିର ନ କରି କ୍ଷେତକୁ ହନୁମନ୍ତିଆର ଅଶୋକବାଟିକା ପରିକା ନ କରିବାଯାଏ ଚଙ୍କିବ ନାହିଁ। ବାଡ଼ିର ଏମୁଣ୍ଡରୁ ସେମୁଣ୍ଡ ଦୌଡ଼ୁଥିବ।
ମିଟି ଯେ ଦିନେ ତା’ ଖେଳୁଆଡ଼ କରାମତି ଆମ ବାଡ଼ିରେ ଦେଖାଇବ- ଏକଥା ଭାବି ନ ଥିଲି। ସେଦିନ ଘରେ ପହଞ୍ଚତ୍ବା ବେଳକୁ ଦେଖିଲି ଶ୍ରୀମତୀ ଘରେ କବାଡ଼ି ଖେଳିବା ପରି ଏପଟ ସେପଟ ହୋଇ ଖାଲି ମୋ ନାଁରେ ଆପତ୍ତି ଅଭିଯୋଗ ଅଜାଡ଼ି ପକାଉଛନ୍ତି। ମିଟି ୟାର ମୂଳ କାରଣ ବୋଲି ଜାଣିଗଲି। ବହୁ କଷ୍ଟକରି ଘର ଆଗରେ ସେ ନାନା କିସମର ଫୁଲଗଛ ଲଗେଇଥିଲେ, ମାତ୍ର ମିଟି ସବୁ କିଛି ଉଜାଡ଼ି ଦେଇଛି। ବନ୍ୟାବାତ୍ୟା ଦାଉରୁ ହୁଏତ କିଛି ଗଛ ବଞ୍ଚତ୍ୟାଇପାରେ ମାତ୍ର ମିଟି ଦାଉରୁ ବଞ୍ଚତ୍ବାର ସମ୍ଭାବନା ଆଦୌ ନାହିଁ।
ଶ୍ରୀମତୀଙ୍କର ତାଡ଼ନା ସହି ନ ପାରି ଦୁଲେଇ ନାନୀ ଘରକୁ ଦୌଡ଼ିଲି। ମୋ ଅଭିଯୋଗ ଶୁଣି ଦୁଲେଇ ନାନୀ ଏକପ୍ରକାର ରଣହୁଂକାର ଦେଇ ବାହାରକୁ ବାହାରି ଆସିଲା। ସିଧା ସିଧା ମୋ ମୁହଁ ଉପରେ ବର୍ଷିଗଲା- କ’ଣ କହିଲୁ, ମୋ ମିଟି ତୋ ବାଡ଼ିକୁ ଉଜାଡ଼ି ଦେଇଛି? ଆଜି ଦିନସାରା ମୋ ମିଟି ମୋ ଘରବାଡ଼ିରୁ ବାହାରକୁ ଯାଇନାହିଁ। ଦେଖିବୁ? ଆ’ଲୋ ମିଟି, ଇଆଡ଼େ ଅଇଲୁ। ଦୁଲେଇ ନାନୀର ଡାକ ଶୁଣି ମିଟି କୋଉଠି ଥିଲା କେଜାଣି ଶାନ୍ତ ସୁଧାର ପିଲା ଭଳି ହଲି ଦୋହଲି ଆସି ଠିଆ ହୋଇଗଲା। ଆମକୁ ଚାହିଁ ଆଖି ମିଟି ମିଟି କରି ନିରୀହତାର ପ୍ରମାଣ ଦେଇଦେଲା। ଆହା କି ଠାଣି! ସତେ ଯେମିତି କିଛି ଜାଣିନି। ଦୁଲେଇ ନାନୀ ଟାଣଗଳାରେ ଥଟ୍ଟାକରି କହିଲା- ଦେଖିଲୁ ତ? ମୋ ମିଟି ଏଇଠି ଅଛି। ତୋ ବାଡ଼ିକୁ ଯାଇଛି ବୋଲି ମିଛରେ ତା’ ନାଁରେ ଉଲୁଗୁଣା ଦେଉଛୁ। ମୋତେ ଲାଗିଲା ସତେଯେମିତି ଦୁଲେଇ ନାନୀର ଓଲେଈ ଗାଈ ନୁହେଁ, ଗୋପୀଘରେ ପଶି ସର ଲବଣି ସ୍ବାହା କରିଦେଇ ମା’ ଯଶୋଦା ଆଗରେ ନିଜର ନିର୍ଦ୍ଦୋଷପଣିଆ ପ୍ରମାଣ କରିବାକୁ ସ୍ବୟଂ କାହ୍ନୁ ଠିଆ ହୋଇଛି। ଆଉ କୌଣସି ପ୍ରମାଣ ଦେଇ ନ ପାରି ମୂଢ଼ ଗୋପାଳୁଣୀ ପରି ମୁଁ ନିରସ୍ତ ହୋଇଯାଉଛି।
ଦୁଲେଇ ନାନୀର ଆରମ୍ଭ ହୋଇଗଲା ପ୍ରବଚନସମ୍ବଳିତ ସାମାଜିକ ସ୍ଥିତିର ଧାରା ବିବରଣୀ। ମୋର ସକଳ ଅଭିଯୋଗକୁ ପଦଦଳିତ କରି ଦୁଲେଇ ନାନୀ କହିଲା- ଏ ଦୁନିଆରେ କିଏ ନ ଖାଉଛି ଯେ ଏକା ମୋ ମିଟି ଖାଇଗଲା? ହୁଡୁହୁଡୁ, ତିତ୍‌ଲି, ଫନୀ ପ୍ରଭୃତିରେ ଯେତେଯାହା ଟଙ୍କା କି ଜିନିଷ ଆସିଲା ସବୁତ ନିଜ କାଇଦାରେ ମାରିନେଲ। ମୁଁ ବ୍ଲକ୍‌ ଯାଇପାରୁନି ବୋଲି ଖାଉଟି କାର୍ଡ କରିଦେବ ବୋଲି କହି ଖାଉ ଗଉଡ଼ ମୋଠାରୁ ପାଞ୍ଚଶହ ନେଇଗଲା ଯେ ଏଯାଏ ଦେଖାଦେଉନି। ମୋତେ ଦେଖିଲେ ମୁହଁ ଲୁଚାଇ ପଳଉଚି। ମୋ ମିଟି କ’ଣ ତା’ଠାରୁ ବେଶି ଖାଇ ଯାଉଚି? ଟଙ୍କିକିଆ ଚାଉଳ ପାଇ ଆରାମରେ ଗେଫା ମାରୁଚ! ମୋ ମିଟିପାଇଁ ତମେ କ’ଣ କରିଚ ଯେ ତମ ବାଡ଼ିଘର ଭିତରକୁ ନ ପଶି ଆରାମରେ ଖାଇବ? ଆରେ ମୋ ମିଟି ତ ତମଠାରୁ ହଜାରଗୁଣ ଭଲ। ସେ ପରିଶ୍ରମ କରୁଚି। କାହା ବାଡ଼ିରେ ପଶିବ ବୋଲି ଭାବିଚିନ୍ତି କଷ୍ଟ କରି ଡିଆଁକୁଦା ମାରୁଚି। ନ ହେଲେ କୋଉଠି ଗୋଟେ ଦି’ଟା ଗଛ ଖାଇ ଦେଇଥିବ। ସେଇଠୁ କ’ଣ ହୋଇଗଲା? ତମେଗୁଡ଼ାକ ତ କର୍ମକୋଢ଼ି। କାମ ନ କରି ସମସ୍ତଙ୍କ ସମ୍ପତ୍ତି ଝାମ୍ପମାରି ନେଇଯାଉଚ। ପଡ଼ିଆ ବିଲ ସବୁ ଘେରି ନେଉଚ। ମୋ ମିଟି ଚରିବ କୋଉଠି? ଏ ସଂସାରଟା କ’ଣ ପୂରା ତମର, ଆଉ କାହାର ନାହିଁ? ଆରେ ମୋ ମିଟି କ’ଣ, ସମୟ ଆସିବ ହାତୀ, ବାଘ, ଭାଲୁ ତମ ଘରେ ପଶିବେ, ସେତେବେଳେ ତମେ କାହା ପାଖରେ ଫେରାଦ ହେବ?
ଦୁଲେଇ ନାନୀ ଭାଷଣ ଦେଇ ଚାଲିଥାଏ। ମିଟି ସେଠାରେ ଠିଆହୋଇ ଯୁଦ୍ଧବିଜୟୀ ବୀରପରି ମୋତେ ମଝିରେ ମଝିରେ ତେର୍ଚ୍ଛା ଚାହାଣିରେ ଚାହୁଁଥାଏ। ସତେଯେମିତି କହିଦେଉଥାଏ, ଆରେ ମୋ ନାଁରେ ଅଭିଯୋଗ ଆଣିଥିଲୁ ପରା, ପାନେ ପାଆ। ମୁଁ ଧୀରେ ଧୀରେ ପଶ୍ଚାଦ୍‌ପଦରେ ନିରୁତ୍ତର ହୋଇ ପଳାଇ ଆସିଲି। ମିଟି ଆଉ ମୋ ଦୃଷ୍ଟିରେ ଗୋଟିଏ ଓଲେଈ ଗାଈ ନୁହେଁ, ଗୋଟିଏ ସାମାଜିକ ଚରିତ୍ର ପାଲଟି ଯାଇଥିଲା। ଏ ସଂସାରରେ ଅନେକ ମଣିଷ ନିଜ ସ୍ବାର୍ଥ ସାଧନପାଇଁ ଅନ୍ୟକୁ କଳକୌଶଳ କରି ଲୁଟି ଚାଲିଛନ୍ତି। ତା’କୁ ଦୁଲେଇ ନାନୀ ପରି ଅନେକ ବଡ଼ବଡ଼ିଆ ଅନ୍ଧଭାବରେ ସମର୍ଥନ କରୁଛନ୍ତି। ଆମେ ଚହଟଚିକ୍କଣ ବାବୁ ବୋଲାଉଥିବା ମଣିଷମାନେ ବି କିଛି କମ୍‌ ନୋହୁଁ। ଏ ସଂସାରରେ ଆମର ସବୁ ଦରକାର। ଗୋଚର, ଶ୍ମଶାନ, ନଈନାଳ, ବଣ ଜଙ୍ଗଲ ସବୁକୁ କରାୟତ୍ତ କରିବାପାଇଁ ଆମେ ଅହରହ ଚିନ୍ତା କରୁଛୁ। କିଛି ଲୋକଙ୍କର ସର୍ବଗ୍ରାସୀ ଲାଳସା ଆଜି ସମସ୍ତଙ୍କର ନିଦ ହଜେଇଦେଇଛି। ଦୁଲେଇ ନାନୀ ସଞ୍ଜୟ ପରି ଯୋଉ ଚେତାବନୀ ଦେଲା ତା’କୁ ମୋ ପରି ଧୃତରାଷ୍ଟ୍ରମାନେ ବୁଝି ନ ପାରିଲେ ମହାଭାରତ ଭଳି ପରିସ୍ଥିତି ଅବଶ୍ୟମ୍ଭାବୀ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri