ଲାଞ୍ଚଖିଆ ସୁଧୁରିଯାଅ

ଲଳିତେନ୍ଦୁ ପଲାଉରୀ

ଆମ ଦେଶର ଆଇନକାନୁନ୍‌ ବ୍ୟବସ୍ଥାରେ ରହିଛି ଲାଞ୍ଚ ନେବା ଓ ଲାଞ୍ଚ ଦେବା ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ୭ ବର୍ଷରୁ ଊଦ୍ଧର୍‌ବ ସମୟ ଜେଲଦଣ୍ଡ ଓ ଜରିମାନାର ପ୍ରାବଧାନ ରହିଛି । ତେବେ ଏସବୁ ନିୟମ ସତ୍ତ୍ୱେ ଉଭୟ ଲାଞ୍ଚଦାତା ଓ ଲାଞ୍ଚ ଗ୍ରହୀତା ସଚେତନ ହେବା ବଦଳରେ ସେମାନଙ୍କ ସଂଖ୍ୟା ବଢୁଛି। ସାଧାରଣ ଲୋକଙ୍କୁ ସରକାରୀ ସେବା ଦେବାକୁ ନିୟୋଜିତ ବ୍ୟକ୍ତିବିଶେଷ ଲାଞ୍ଚ କାରବାରକୁ ଯେମିତି ଏକ ପ୍ରଥାରେ ପରିଣତ କରିସାରିଲେଣି। ଗରିବ ଓ ମଧ୍ୟବିତ୍ତବହୁଳ ଭାରତରେ ବିନା ଲାଞ୍ଚରେ କୌଣସି କାମ ହେଉନି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ (ବିଶ୍ବରେ ଦୁର୍ନୀତିଗ୍ରସ୍ତ ଦେଶର ତାଲିକା ପ୍ରସ୍ତୁତ କରୁଥିବା ବିଶ୍ବସନୀୟ ସଂସ୍ଥା)ର ତଥ୍ୟ କହୁଛି, ପୃଥିବୀର ୧୮୦ ଦେଶ ମଧ୍ୟରେ ଭାରତ ହେଉଛି ୮୦ତମ ଦୁର୍ନୀତିଗ୍ରସ୍ତ ଦେଶ। ଆଶ୍ଚର୍ଯ୍ୟ କଥା ଏସିଆ ମହାଦେଶର ଦୁର୍ନୀତିଗ୍ରସ୍ତ ଦେଶଙ୍କ ତାଲିକାର ଶୀର୍ଷରେ ରହିଛି ଭାରତ। ବିଶ୍ବରେ ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ ଦେଶ ତାଲିକାରେ ୟୁରୋପୀୟ ଦେଶ ଗୁଡ଼ିକ ଶୀର୍ଷରେ ରହିଛନ୍ତି। ଡେନ୍‌ମାର୍କ ଓ ନ୍ୟୁଜିଲାଣ୍ଡ ଭଳି ଛୋଟଛୋଟ ଦେଶ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ଦେଶ ତାଲିକାରେ ସର୍ବାଗ୍ରେ ରହିଛନ୍ତି।
ଆମ ଦେଶରେ କେରଳ ସବୁଠୁ କମ୍‌ ଦୁର୍ନୀତିଗ୍ରସ୍ତ ରାଜ୍ୟ ମଧ୍ୟରେ ପ୍ରଥମରେ ରହିଛି। ରାଜସ୍ବ, ସ୍ବାସ୍ଥ୍ୟ ଓ ପୋଲିସ ବିଭାଗରେ ଅଧିକ ଦୁର୍ନୀତି ହେଉଥିବା ସର୍ବେକ୍ଷଣରୁ ଜଣାପଡିଛି। ଲାଞ୍ଚ କାରବାର ମହାଦ୍ରୁମର ଚେର ସାଧାରଣ ଅଙ୍ଗନୱାଡି କର୍ମୀଠାରୁ ଆରମ୍ଭ କରି ବ୍ଲକ୍‌, ତହସିଲ କିରାଣି, ସ୍କୁଲ ଶିକ୍ଷକ, ପୋଲିସ କର୍ମଚାରୀଙ୍କୁ ବହୁଳ ମାତ୍ରାରେ ଗ୍ରାସ କରିଛି। ଏପରି କି ଦେଶ ସୁରକ୍ଷା ଦାୟିତ୍ୱରେ ଥିବା କିଛି ପଦାଧିକାରୀମାନେ ମଧ୍ୟ ଲାଞ୍ଚ ନେଇ ଦେଶ ସୁରକ୍ଷାକୁ ଶତ୍ରୁ ହାତରେ ସାଲିସ କରିବାକୁ ପଛାଉ ନାହାନ୍ତି। ପ୍ରତିଦିନ ଖବର ଶିରୋନାମା ପାଲଟୁଛି ଦୁର୍ନୀତି ଓ ଲାଞ୍ଚଖୋରଙ୍କ କାରନାମା। ଭିଜିଲାନ୍ସ ଓ ସିବିଆଇ ଖୋଳତାଡ ଜୋରଦାର ହେଉଛି। ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କୁ ସେବା ଦେବାକୁ ଯାଇ ସରକାରୀ କର୍ମଚାରୀମାନେ ଏତେ ଲାଞ୍ଚଖୋର ହେଉଛନ୍ତି କିପରି। ମାସିକ ପୁଳାପୁଳା ବେତନ ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ହାତଉଥିବା ସରକାରୀ କର୍ମଚାରୀମାନେ ଲୋଭଗ୍ରସ୍ତ ହୋଇ ଅସତ୍‌ ଉପାୟରେ ଅର୍ଥ ରୋଜଗାର ପାଇଁ ମନ ନିବେଶ କରୁଛନ୍ତି କାହିଁକି। କାର୍ଯ୍ୟ ହାସଲ ପାଇଁ ଲୋକେ କ’ଣ ଲାଞ୍ଚୁଆ ଓ ଅସାଧୁ କର୍ମଚାରୀମାନଙ୍କୁ ଟଙ୍କା ଯାଚି କରି ଦେଉଛନ୍ତି ନା ଖୁସୀରେ ଦେଉଛନ୍ତି ନା ସେବା ନାଁରେ ଜୋରଜବରଦସ୍ତ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛନ୍ତି ଅସାଧୁ କର୍ମଚାରୀମାନେ ନା ଏସବୁ ପଛରେ ରହିଛି ବିନାପରିଶ୍ରମରେ ରାତାରାତି ବଡଲୋକ ହେବାର ନିଶା।
ଲାଞ୍ଚ ନାହିଁ ତ କାମ ନାହିଁ,ଏଭଳି ନ୍ୟାୟରେ ଚାଲିଛି ଅଫିସ। ଭାରତର ଏବେ ବି ଗାଁ ଗଣ୍ଡାରେ ଆଲୋଚନା ହୁଏ ଯେ ଅମୁକର ପୁଅ ସରକାରୀ ଚାକିରି ପାଇଗଲା। ଏଣିକି ତା’ର ବା ଚିନ୍ତା କ’ଣ। ବିଡାବିଡା ଟଙ୍କା ସରକାରୀ ଦରମା, ସେଥିରେ ବି ହାତ ଲାଗିବନି। ଉପୁରି କାହିଁରେ କେତେ। ସାଧାରଣ ଲୋକଙ୍କର ଏଭଳି ବି ଧାରଣା ଯେ ଥରେ ସରକାରୀ ଚାକିରିରେ ନାଁ ଚଢ଼ିଗଲେ ଚାରି ପୁରୁଷ ଉଦ୍ଧାର। ତେବେ ଏଭଳି ଧାରଣାକୁ ନିଶ୍ଚିତ ଭାବେ ସତ ପ୍ରମାଣ କରିଛି ଦେଶରେ ସେବା ନାଁରେ ଲାଞ୍ଚ କାରବାରର ବ୍ୟାପକତା। ସରକାରୀ ଚାକିରିର ଦୀର୍ଘ ସ୍ଥାୟିତା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଅଧିକ ଲାଞ୍ଚଖୋର କରୁଛି କି। କାରଣ ଆମଦେଶରେ ଏମିତି ବି ନିୟମ ରହିଛି ଯେ ସରକାରୀ ଚାକିରିରେ ଦୁର୍ନୀତି ହେଉ ବା ଅପରାଧ, ସେମିତି କିଛି ବଳିଷ୍ଠ ପ୍ରମାଣ ନ ମିଳିବା ଯାଏ କୌଣସି କର୍ମଚାରୀକୁ ଚାକିରିରୁ ବିଦା କରିବା କାଠିକର ପାଠ । ସରକାରୀ ଯୋଜନାରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବା ପାଇଁ ବରାଦ ଅର୍ଥକୁ ମଧ୍ୟ ହଡପ କରାଯାଉଛି। ଜଣେ ଗରିବ ତା’ର ଅଧିକାର ପାଇପାରୁନି। ସରକାରୀ ଯୋଜନାରେ ଘର ଖଣ୍ଡେ ପାଇବାକୁ ଦଲାଲକୁ ଅଗ୍ରିମ ଅର୍ଥ ଲାଞ୍ଚ ଭାବେ ଦେବାକୁ ପଡୁଛି। ଇନ୍ଦିରା ଆବାସ ନାଁରେ ଆସୁଥିବା ହିତାଧିକାରୀର ଅର୍ଥ ଅଧାବାଟରୁ ବାଟମାରଣା ହୋଉଛି। ଏପରି କି ଦୁର୍ନୀତି ଓ ଲାଞ୍ଚ କାରବାର ପଛରେ କେବଳ ଅଧସ୍ତନ କର୍ମଚାରୀ ନୁହନ୍ତି; ବଡ ଅଫିସର, ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର। ତେବେ ଆମ ରାଜ୍ୟ ସରକାର କିଛିଦିନ ବ୍ୟବଧାନରେ ପ୍ରାୟ ୯୭ ଜଣ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ଓ କର୍ମଚାରୀଙ୍କୁ ଲାଞ୍ଚଖୋର, ଦୁର୍ନୀତିଗ୍ରସ୍ତ ଓ ଅପାରଗ ଦର୍ଶାଇ ଚାକିରିରୁ ବିଦା କରିଛନ୍ତି; ଯାହା କି ଏକ ଭଲ ଉଦାହରଣ।
ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ହରିୟାଣା କ୍ୟାଡର ଆଇଏଏସ୍‌ ଅଫିସର ଅଶୋକ ଖେମକା ହୁଅନ୍ତୁ ବା କର୍ନାଟକ କ୍ୟାଡର ଆଇପିଏସ୍‌ ଡି. ରାଧାଙ୍କ ଭଳି ସଚୋଟ ଅଫିସରମାନେ ୪୦ରୁ ଅଧିକ ଥର ବଦଳି ହେବାର ଉଦାହରଣ ସୃଷ୍ଟି କରିଛନ୍ତି। ସାଧାରଣ ଲୋକଙ୍କ ଆଖିରେ ଏଭଳି ସଚ୍ଚୋଟ ଅଫିସରଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉଛି। ତେବେ ଆମ ଦେଶରେ ଲାଞ୍ଚ କାରବାର, ପିସି କାରବାର, କାର୍ଯ୍ୟ ହାସଲ ପାଇଁ ହାତଗୁଞ୍ଜା ଆଉ ବାବୁଙ୍କ ଚା, ପାନ ଖିଆ ଖର୍ଚ୍ଚ କୁଆଡ଼େ ହଜାର, ଲକ୍ଷ, ଆଉ କୋଟିରେ ଆଦାୟ କରାଯାଉଥିବା ଏକ ନିତିଦିନିଆ ଘଟଣା ହୋଇଯାଇଛି। ଲାଞ୍ଚ ଅର୍ଥକୁ ବାବୁମାନେ ଇଂଲିଶରେ ଟିପ୍‌ସ ବୋଲି କହୁଛନ୍ତି। ବାବୁ ମାନଙ୍କୁ ପ୍ରତିକାମ ପାଇଁ ଟିପ୍ସ ଟେବୁଲ ତଳେ ଏପରି କି ଖୁଲମଖୁଲା ମଧ୍ୟ ନେବାକୁ ସଙ୍କୋଚବୋଧ କରୁନାହାନ୍ତି। ବାବୁମାନଙ୍କ ମାସିକ ଦରମାରେ ବର୍ଷବର୍ଷ ଧରି ହାତ ଲାଗୁନି। ମାସିକ ଦରମାଠାରୁ ଶହଶହ ଗୁଣରେ ଅଧିକ ଲାଞ୍ଚ ବା ଟିପ୍ସ ଉପାୟରେ ଆଦାୟ ହେଉଛି। ସରକାରୀ ସେବା ପାଇବାକୁ ଲାଞ୍ଚ ଦେବା ଯେମିତି ପ୍ରତି ସାଧାରଣ ଲୋକର କର୍ତ୍ତବ୍ୟ ଓ ଲାଞ୍ଚ ପାଇବା ଏହି ଅସାଧୁ ସରକାରୀ କର୍ମଚାରୀଙ୍କର ଅଧିକାର ପାଲଟିଛି। ଲାଞ୍ଚ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶୋଉଛନ୍ତି ହାତୀଦାନ୍ତରେ ତିଆରି ପଲଙ୍କରେ। ବିଦେଶର ନାମୀଦାମୀ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି ପୁଅ ଝିଅ। ଏହି ସବୁ ଅସାଧୁ କର୍ମଚାରୀମାନେ। ତେବେ ଏସବୁ ଶୁଣିଲା ପରେ ବା ପଢ଼ିଲା ପରେ ମନକୁ ପ୍ରଶ୍ନ ଆସୁଛି ରାଜ୍ୟ ସରକାରଙ୍କ ସ୍ବଳ୍ପ ବେତନଭୋଗୀ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଏତେ ସମ୍ପତ୍ତିର ଅଧିକାରୀ ହେଉଛି କେମିତି। ତେଣୁ ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା ଭଳି ଏଭଳି ଉଦାହରଣ ଅନେକ ରହିଛି।
ବ୍ୟବସ୍ଥାର ରକ୍ଷକ ଓ ଲୋକଙ୍କୁ ସେବା ଦେବା ପାଇଁ ସ୍ବେଚ୍ଛାରେ ସରକାରୀ ଚାକିରିରେ ନିୟୋଜିତ ହୋଇଥିବା କର୍ମଚାରୀ ବା ବାବୁମାନଙ୍କର ଏଭଳି ଭକ୍ଷକ ନୀତି ପାଇଁ ଦେଶରେ ଦୁର୍ନୀତି ବଢୁଛି। ତେଣୁ ସରକାରୀ ଚାକିରି ବ୍ୟବସ୍ଥାରେ ଦକ୍ଷତା ମୂଲ୍ୟାଙ୍କନକୁ ଗୁରୁତ୍ୱ ଦେବାକୁ ଦାବି ହୋଇଛି। ପ୍ରତି କର୍ମଚାରୀଙ୍କ କାର୍ଯ୍ୟଶୈଳୀ, ସେମାନଙ୍କ ଫୋନ୍‌ ଟ୍ୟାପିଂ, ଲାଞ୍ଚ କାରବାର ପାଇଁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ସଚେତନତା ବର୍ତ୍ତମାନ ସମୟର ପ୍ରାଥମିକ ପ୍ରସଙ୍ଗ ପାଲଟିଛି।
ଏହି ବିଶ୍ବାସ ଆସିବା ଜରୁରୀ ଯେ କି ସରକାରୀ ସେବା ବିନାମୂଲ୍ୟରେ ମିଳେ। ଦୋଷୀ ବା ଚୋରିରେ ସଂପୃକ୍ତ ବାବୁଙ୍କୁ ଆଖିଦୃଶିଆ ବା ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରାଗଲେ ଏହି ପ୍ରବୃତ୍ତିରେ ସୁଧାର ଆସିପାରିବ; ଯାହାଦ୍ବାରା ଆମ ଦେଶରୁ ଲାଞ୍ଚଖିଆ ଓ ମାଗଣାଖିଆଙ୍କ ସଂଖ୍ୟା ଦୂର ହୋଇ ଏକ ନୀତିନିଷ୍ଠ ଭାରତବର୍ଷ ଗଠନ ସମ୍ଭବ ହୋଇପାରିବ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri