ରାଜନୀତି ପଶାପାଲିରେ ପାଇକ ବିଦ୍ରୋହ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ପାଇକ ବିଦ୍ରୋହ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସୁସଂଗଠିତ ଓ ସୁଦୂରପ୍ରସାରୀ ବିଦ୍ରୋହର ଅଗ୍ନିବର୍ଷୀ ପ୍ରେରଣା ଯୋଗୁ ତ୍ୱରାନ୍ବିତ ହୋଇଥିଲା ମୁକ୍ତି ସଂଗ୍ରାମର ପରବର୍ତ୍ତୀ ପର୍ଯ୍ୟାୟ। ତେଣୁ ଜାତୀୟ ସ୍ତରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସିଛି ଓଡ଼ିଶା। ମାତ୍ର ବିଡ଼ମ୍ବନାର ବିଷୟ ଓଡ଼ିଶାର ଏ ଦାବିକୁ ଏବେ ମାନିବାକୁ ପ୍ରସ୍ତୁତ ନୁହନ୍ତି କେନ୍ଦ୍ର ସରକାର।
ରାଜ୍ୟ ସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତର ରଖି (୨ା୧୨ା୨୦୨୧) ପାଇକ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇପାରିବନି ବୋଲି ସ୍ପଷ୍ଟ ଭାଷାରେ କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ। ମନ୍ତ୍ରୀଙ୍କର ଏହି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଓଡ଼ିଆଙ୍କ ଭାବାବେଗ ଉପରେ ଆଣିଛି ଶକ୍ତ ଆଘାତ; ଯାହାକୁ ନେଇ ଏବେ ଜୋର ଧରିଛି ରାଜନୀତି। ମନ୍ତ୍ରୀଙ୍କ ବକ୍ତବ୍ୟ ଅନୁସାରେ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ସରକାର ଏ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଇତିହାସ ଗବେଷଣା ପରିଷଦର ତଥ୍ୟ ଆଧାରରେ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଗବେଷଣା ପରିଷଦ ତଥ୍ୟ ଆଳରେ ସରକାର ଯେଉଁ ନିଷ୍ପତ୍ତି ନେଲେ, ତା’ ବାସ୍ତବ ଆଧାରିତ ନା ସ୍ବାର୍ଥ ପ୍ରଣୋଦିତ!
ସାଧାରଣତଃ ଅତୀତର ଅନ୍ଧକାର ମଧ୍ୟରୁ ମନୁଷ୍ୟର କୃତିତ୍ୱ, ମହତ୍ତ୍ୱ, ସଫଳତା ଓ ଦୁର୍ବଳତାକୁ ଆବିଷ୍କାର କରିବା ଇତିହାସର ଲକ୍ଷ୍ୟ। ସେଥିପାଇଁ କୁହାଯାଏ ଇତିହାସ ହେଉଛି ସତ୍ୟର ଭଣ୍ଡାର। ମାତ୍ର ସତ୍ୟ ପ୍ରତି ଯେଉଁଠି ନିଷ୍ଠାର ଅଭାବ, ସେଠାରେ ତଥ୍ୟ ଓ ବାସ୍ତବତା ମଧ୍ୟରେ ସୃଷ୍ଟି ହୁଏ ଦୂରତ୍ୱ। ଅର୍ଥାତ୍‌ ଅତୀତକୁ ଗଢ଼ିବା ବେଳେ ଇତିହାସର ଭାଷ୍ୟକାର ଯଦି ପକ୍ଷପାତିତାର ବଶବର୍ତ୍ତୀ ହୁଏ, ତେବେ ଉଦ୍‌ଘାଟିତ ହୋଇପାରେନି ଅନେକ ମୌଳିକ ସତ୍ୟ। ଏହି ଦୃଷ୍ଟିରୁ ବିଚାର କଲେ ଭାରତର ଇତିହାସ ଲେଖାଯାଇଛି ଇଂରେଜମାନଙ୍କ ଦଲିଲ, ଦସ୍ତାବିଜ ଓ ତର୍ଜମାରୁ ମିଳିଥିବା ତଥ୍ୟ ଆଧାରରେ। ଅର୍ଥାତ୍‌ ଯେଉଁମାନଙ୍କ ବିରୋଧରେ ଆମର ସଂଘର୍ଷ, ସେମାନେ ନିର୍ମାଣ କରିଥିବା ତଥ୍ୟ ଆଧାରରେ ଯଦି ନିଷ୍କର୍ଷ ଖୋଜାଯାଏ, ତେବେ ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହି ଦୃଷ୍ଟିକୋଣରୁ ଏକ ନିରପେକ୍ଷ ମୂଲ୍ୟାୟନ ପୂର୍ବକ ସରକାର ଏହାର ପୁନର୍ବିଚାର କରିବା ଉଚିତ।
ପାଇକ ବିଦ୍ରୋହର ଗୌରବମୟ ଅତୀତକୁ ସ୍ମରଣ କରିବା ମାତ୍ରେ ଆଖି ଆଗକୁ ଆସିଯାଏ ରକ୍ତତୀର୍ଥ ଖୋର୍ଦ୍ଧା। ଐତିହ୍ୟ, ସଂସ୍କୃତି, ତ୍ୟାଗ ବଳିଦାନର ମାଟି। ୧୮୫୭ ସିପାହି ବିଦ୍ରୋହର ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏହି ଲାଲ ମାଟିର ବୀର ପାଇକମାନେ ବଜାଇ ସାରିଥିଲେ ବ୍ରିଟିଶ ବିରୋଧୀ ବିଦ୍ରୋହର ବିଗୁଲ। ବାସ୍ତବ ଅର୍ଥରେ ଏହା କେବଳ ଏକ ବିଦ୍ରୋହ ନ ଥିଲା, ବରଂ ଥିଲା ସ୍ବାଧୀନତା ଚାହୁଁଥିବା ଗୋଟେ ବୀର ଜାତିର ମୁକ୍ତି ସଂଗ୍ରାମ। ସେ ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ ଥିଲେ ଜୟୀ ରାଜଗୁରୁ। ତତ୍କାଳୀନ ଖୋର୍ଦ୍ଧା ରାଜାଙ୍କ ବେବର୍ତ୍ତା। ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗର ସୁରକ୍ଷା ପାଇଁ ତାଙ୍କ ନେତୃତ୍ୱରେ ପାଇକମାନେ ଲଢ଼ିଥିଲେ ଦୁର୍ବାର ଲଢ଼େଇ। ରାଜଗୁରୁଙ୍କ ସାଂଗଠନିକ ଶକ୍ତି ଓ ପାଇକମାନଙ୍କ ଗେରିଲା ଯୁଦ୍ଧ ଇଂରେଜଙ୍କ ଆଖିରୁ ହଜେଇ ଦେଇଥିଲା ନିଦ। ମାତ୍ର ସମଗ୍ର ଭାରତକୁ କବ୍‌ଜା କରିସାରିଥିବା ଇଂରେଜମାନଙ୍କୁ ବେଶି ସମୟ ପର୍ଯ୍ୟନ୍ତ ଅଟକାଇ ପାରି ନ ଥିଲେ ଜୟୀ ରାଜଗୁରୁ। ସେମାନେ ଭେଦନୀତି ପ୍ରୟୋଗକରି ଖୋର୍ଦ୍ଧା ଦଖଲ କରି ନେଲେ (୧୮୦୩ ଡିସେମ୍ବର ୩) ମହାନ୍‌ ଯୋଦ୍ଧା ଓ ଦେଶଭକ୍ତ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିନେଇ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ରାଜଦ୍ରୋହ ଅପରାଧରେ। ମେଦିନାପୁର ଜେଲ ସଂଲଗ୍ନ ବାଘିତୋଟାର ବରଡାଳରେ ବାନ୍ଧି(୧୮୦୬ ଡିସେମ୍ବର ୬ ତାରିଖ ସକାଳେ)ତାଙ୍କୁ ଏଭଳି ବର୍ବରୋଚିତ ଭାବରେ ହତ୍ୟା କରାଗଲା ଯେ ଦୁଇ ଫାଳ ହୋଇ ଚିରି ହୋଇଗଲା ତାଙ୍କ ଶରୀର। ମାନବିକତାର ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ କଳଙ୍କିତ ଅଧ୍ୟାୟ। ମାତ୍ର ବ୍ୟର୍ଥ ଗଲାନି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ବଳିଦାନ। ତାଙ୍କ ଦେଶପ୍ରେମ ଓ ଆତ୍ମତ୍ୟାଗରୁ ପ୍ରେରଣା ନେଇ ଦାନା ବାନ୍ଧିଲା ଆଉ ଏକ ଭୟଙ୍କର ସଶସ୍ତ୍ର ବିଦ୍ରୋହ। ସେ ବିଦ୍ରୋହର ନେତୃତ୍ୱ ନେବାକୁ ଆଗେଇ ଆସିଲେ ରୋଡଙ୍ଗ ରାଜବଂଶର ଦାୟାଦ ତଥା ଓଡ଼ିଆ ଶୌଯ୍ୟର ପ୍ରତୀକ ବକ୍ସି ଜଗବନ୍ଧୁ।( ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ)।
ଖୋର୍ଦ୍ଧା ଇଂରେଜମାନଙ୍କ ଅଧିକାରଭୁକ୍ତ ହେଲାପରେ ଲୁଣର ଏକଚାଟିଆ ଅଧିକାର ରହିଲା ସେମାନଙ୍କ ହାତରେ। ସ୍ଥାନୀୟ ଲୁଣ ଶିଳ୍ପକୁ ଧ୍ବଂସ କରିବା ଲକ୍ଷ୍ୟରେ ନିଷିଦ୍ଧ ହେଲା ଘରୋଇ ଲୁଣ ଉତ୍ପାଦନ। ଏହାଦ୍ୱାରା ଜୀବିକା ହରେଇ ବସିଲେ ବହୁ ସଂଖ୍ୟକ ମଲାଙ୍ଗୀ, ଶଗଡ଼ିଆ ଓ ଲୁଣ ବ୍ୟବସାୟୀ। ସେମାନଙ୍କ ଭିତରେ କୁହୁଳିଲା ଅସନ୍ତୋଷର ନିଆଁ। ସେଥିରେ ଘିଅ ଢାଳିଲା (୧୮୧୧) କଉଡ଼ିର ବିମୁଦ୍ରୀକରଣ ଓ ରୁପା ଟଙ୍କାର ପ୍ରଚଳନ। ସରକାର ଧାର୍ଯ୍ୟ କରିଥିଲେ ଟଙ୍କାକୁ ଚାରି କାହାଣ କଉଡ଼ି। ମାତ୍ର ଛଅ କାହାଣ କଉଡ଼ି ବଦଳରେ ବି ମିଳିଲାନି ଟଙ୍କା। ଫଳରେ କିଣାବିକାରେ ଅଚଳାବସ୍ଥା ସୃଷ୍ଟି ହେଲା । ଖଜଣା ପୈଠ ନ ହୋଇ ପାରିବାରୁ ନିଲାମ ହେଲା ଜମିଦାରି। ଦଶ ବର୍ଷ ମଧ୍ୟରେ (୧୮୦୬ରୁ ୧୮୧୬) କେବଳ ତିନୋଟି ଜିଲା(କଟକ, ପୁରୀ ଓ ବାଲେଶ୍ୱର)ରୁ ନିଲାମ ହେଲା ୧୦୧୧ଟି ଜମିଦାରି। ସେଥିରୁ ୩୫୦ଟି ଜମିଦାରି ଯାଇଥିଲା ବଙ୍ଗୀୟ ହାକିମ ଓ ଦଲାଲଙ୍କ ପାଖକୁ।
ଏଭଳି ଦୁର୍ଦ୍ଦିନ ବେଳେ ପାଇକମାନଙ୍କୁ ଦୁର୍ବଳ କରିଦେବା ଲକ୍ଷ୍ୟରେ ଉଚ୍ଛେଦ ହେଲା ସେମାନଙ୍କ ଜାଗିର। ଲୋପ କରିଦିଆଗଲା ଦଳେଇ ଓ ଦଳବେହେରା ଆଦି ପଦବୀ। ଛଡ଼ାଇ ନିଆଗଲା ଦେୱାନମାନେ ପୁରୁଷାନୁକ୍ରମେ ଭୋଗ କରୁଥିବା ଦେୱାନବାଡ଼। ଜାଗିର ହରେଇ ବସିଲେ ପ୍ରାୟ କୋଡ଼ିଏ ହଜାର ପାଇକ। ସେମାନଙ୍କୁ ଏକାଠି କରି ବିଦ୍ରୋହ ଘୋଷଣା କଲେ ଜମିଦାରି ହରାଇ ପ୍ରତିଶୋଧ ଅପେକ୍ଷାରେ ଥିବା ବକ୍ସି ଜଗବନ୍ଧୁ। ବିଦ୍ରୋହରେ ସାମିଲ ହେଲେ ଅରଡଙ୍ଗର ଦଳବେହେରା କୃତିବାସ ପାଟ୍ଟଶାଣୀ, ତାପଙ୍ଗ ଦଳବେହେରା ସାମନ୍ତ ମାଧବ ଚନ୍ଦ୍ର ରାଉତରାଏ, ମୁକ୍ତି ସଂଗ୍ରାମର ମହାରଥୀ ପିଣ୍ଡିକ ବାହୁବଳେନ୍ଦ୍ର ପ୍ରମୁଖ ଅନେକ ପାଇକ ନେତା। କ୍ଷୁବ୍ଧ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ନେଇ ସଶସ୍ତ୍ର ସଂଗ୍ରାମ ଜାରିରହିଲା ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ। ଆଧୁନିକ ଅସ୍ତ୍ରଶସ୍ତ୍ର ସହାୟତାରେ ଇଂରେଜମାନେ ଏହି ବିଦ୍ରୋହକୁ ଦମନ କରିବାରେ ସଫଳ ହେଲେ ସତ, କିନ୍ତୁ ଏ ଗଣ ବିଦ୍ରୋହର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ସେଥିରେ ଦୋହଲି ଯାଇଥିଲା ଇଂରେଜ ରାଜଶକ୍ତି। ବ୍ରିଟିଶ ଐତିହାସିକ ଟୟନବି ସାହେବଙ୍କ ମତରେ – ”୧୮୧୭ ସଂଗ୍ରାମ ଥିଲା ଏକ ପ୍ରଚଣ୍ଡ ଝଡ଼। ଯା’ର ବିତ୍ପାତ ସମଗ୍ର ଦେଶରୁ ନ ହେଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବ୍ରିଟିଶ ଶାସନର ଅବସାନ ଥିଲା ଅବଶ୍ୟମ୍ଭାବୀ।“ ଅଥଚ ବିଡ଼ମ୍ବନାର ବିଷୟ ଆଜି ଭାରତୀୟ ଇତିହାସ ଗବେଷଣା ପରିଷଦ ଉପସ୍ଥାପନାରେ ପାଇକ ବିଦ୍ରୋହକୁ ମିଳୁନି ସ୍ବାଧୀନତା ସଂଗ୍ରାମର ସ୍ବୀକୃତି। ଯେଉଁମାନେ ଇତିହାସର ଏ ପକ୍ଷପାତିତାକୁ ସମର୍ଥନ କରି ପାଇକ ବିଦ୍ରୋହକୁ ଜାତୀୟ ଭାବାବେଗର ଦ୍ୟୋତନା ନୁହେଁ ବୋଲି କହୁଛନ୍ତି, ସେମାନେ ଜାଣି ରଖିବା ଉଚିତ ଯେ ପ୍ରବଳ ଜନ ଅସନ୍ତୋଷରୁ ଜନ୍ମ ନେଇଥିବା ପାଇକ ବିଦ୍ରୋହର ଲକ୍ଷ୍ୟ ଥିଲା ଓଡ଼ିଆ ସାମ୍ରାଜ୍ୟର ସାର୍ବଭୌମତ୍ୱ ସୁରକ୍ଷା। ସେଥିପାଇଁ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକାଠି ହୋଇ ଇଂରେଜ ବିରୋଧରେ ଲଢ଼େଇ କରୁଥିଲେ ଓଡ଼ିଶାର ଶହଶହ ଜମିଦାର, ଦୁର୍ଗପତି, ଦଳେଇ ଓ ଦଳବେହେରା। ସାମିଲ ହୋଇଥିଲେ ଚାଷୀ, ମୂଲିଆ, ଆଦିବାସୀ ଓ ସବୁ ବର୍ଗର ଲୋକ। ଏ ବିଦ୍ରୋହ କେବଳ ଖୋର୍ଦ୍ଧା ଭିତରେ ସୀମିତ ନ ଥିଲା, ବରଂ ବ୍ୟାପି ଯାଇଥିଲା ବାଣପୁର, ପିପିଲି, ପୁରୀ, କୁଜଙ୍ଗ, ପଟ୍ଟାମୁଣ୍ଡାଇ ଓ ଘୁମୁସର ପର୍ଯ୍ୟନ୍ତ। କଟକର ତତ୍କାଳୀନ କଲେକ୍ଟର ଉଇଲିୟମ ଟ୍ରାୱର ବୋର୍ଡ ଅଫ ରେଭିନ୍ୟୁକୁ ପଠାଇ ଥିବା ଏକ ଚିଠି ଅନୁଯାୟୀ ଏ ସଂଗ୍ରାମରେ ସାମିଲ ହୋଇଥିଲେ ଘୁମୁସରଠାରୁ ମୟୂରଭଞ୍ଜ ଯାଏ ବହୁ ଅଞ୍ଚଳର ରାଜା। ଏଥିରେ ସକ୍ରିୟ ଭାବରେ ଲଢ଼େଇ କରି ଫାଶୀ ଖୁଣ୍ଟରେ ଚଢ଼ିଲେ ସଚ୍ଚିଦାନନ୍ଦ ପଟ୍ଟନାୟକ, ଗୋପାଳ ଛୋଟରାୟ, ରାମ ସିଂହ ଓ ନାଥ ପ୍ରଧାନ ପ୍ରମୁଖ ଅନେକ ମୁକ୍ତି ଯୋଦ୍ଧା। ପିଣ୍ଡିକ ବାହୁବଳେନ୍ଦ୍ରଙ୍କୁ ହତ୍ୟାକଲେ ପଛପଟୁ ଗୁଳିକରି। ପଚିଶ ଜଣ ବିଦ୍ରୋହୀ ପାଇକ ନେତାଙ୍କୁ ଖୋର୍ଦ୍ଧା ରାଜ୍ୟରୁ ବହିଷ୍କାର କରିବା ସହିତ ୧୪୦ ଜଣକୁ ପଠାଇ ଦିଆଗଲା କଳାପାଣି। ଏହି ଦେଶଭକ୍ତମାନଙ୍କ ବୀରତ୍ୱ ଓ ବଳିଦାନ ହିଁ ପ୍ରମାଣ କରେ ପାଇକ ଥିଲା ମୌଳିକ ଭାବରେ ସ୍ବାଧୀନତା ସଂଗ୍ରାମ।
ଲିଖିତ ଇତିହାସର ଆଢୁଆଳରେ ଥିବା ସତ୍ୟ ସହିତ ଯୋଡ଼ି ହୋଇ ରହିଥାଏ ଦେଶ ଓ ଜାତିର ଭାବଗତ ସମ୍ପର୍କ। ସେଥିପାଇଁ ପାଇକମାନଙ୍କ ପ୍ରତିସ୍ପର୍ଦ୍ଧୀ ବୀରତ୍ୱ ଓ ରକ୍ତାକ୍ତ ସଂଘର୍ଷର ଗୌରବମୟ କାହାଣୀକୁ ନେଇ ଗର୍ବ ଅନୁଭବ କରୁଛି ଓଡ଼ିଆ ଜାତି। କେବଳ ଓଡ଼ିଶା ନୁହେଁ, ପାଇକ ବିଦ୍ରୋହର ଅଗ୍ନିବର୍ଷୀ ପ୍ରେରଣାରେ ଉଦ୍‌ବୋଧିତ ହୋଇଛି ସମଗ୍ର ଦେଶ। ଏହାକୁ ଉଜ୍ଜୀବିତ କରି ରଖିବା ପାଇଁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ପାଇକ ବିଦ୍ରୋହର ସ୍ମାରକୀ ଭିତ୍ତି ପ୍ରସ୍ତର ସ୍ଥାପନ ହେବା ସହିତ(୨୦୧୯ ଡିସେମ୍ବର ୮ ତାରିଖ) ଉନ୍ମୋଚିତ ହୋଇଛି ପାଇକ ବିଦ୍ରୋହର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା। ଜାତୀୟ ଶିକ୍ଷା ଗବେଷଣା ତାଲିମ ପରିଷଦ ମଧ୍ୟ ପାଇକ ବିଦ୍ରୋହର ମହାନତାକୁ ମାନ୍ୟତା ଦେଇ ତାକୁ ସଂଲଗ୍ନ କରିଛି ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ।
ଏହି ପରିପ୍ରେକ୍ଷୀରେ ବେଶ୍‌ ପ୍ରାସଙ୍ଗିକ ମନେହୁଏ ପାଇକ ବିଦ୍ରୋହର ଦ୍ୱିଶତକ ପୂର୍ତ୍ତି ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ(୨୦୧୭ ଜୁଲାଇ ୨୦)ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବୁଦ୍ଧିଦୀପ୍ତ ବକ୍ତବ୍ୟ। ପାଇକ ବିଦ୍ରୋହର ସମୃଦ୍ଧ ଇତିହାସକୁ ସ୍ବୀକାର କରି ସେ କହିଥିଲେ ‘ଔପନିବେଶ କାଳର ଇତିହାସ ଏ ଯାବତ୍‌ ଇଂରେଜମାନଙ୍କ ଦଲିଲ, ଦସ୍ତାବିଜ, ବ୍ୟାଖ୍ୟାନ ଓ ଟିପଣୀ ମଧ୍ୟରେ ସୀମିତ। ମାତ୍ର ଶିଳାଲେଖ, ସନନ୍ଦ, ଦଲିଲ ବା ଦସ୍ତାବିଜ ବ୍ୟତୀତ ଲୋକକଥା, କିମ୍ବଦନ୍ତୀ, ଲୋକ ଚଳଣି ଓ ଲୋକ ବ୍ୟବହାର ଭିତରେ ବି ଲୁଚି ରହିଛି ଐତିହାସିକ ପ୍ରମାଣ।’ ଏହି ଦୃଷ୍ଟିରୁ ପାଇକ ବିଦ୍ରୋହକୁ ମୌଳିକ ଭାବରେ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଲୋକକଥା, ଲୋକଗାଥା, ମାଦଳା ପାଞ୍ଜି ଓ ପାଇକ ଖେଦାରେ ଥିବା ଇତିହାସର ସୁପ୍ତ ପ୍ରାଣ ପ୍ରାଚୁର୍ଯ୍ୟ ଆଧାରରେ ତା’ର ପୁନର୍ବ୍ୟାଖ୍ୟାନ ଏକ ଜାତୀୟ ଆବଶ୍ୟକତା।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡିଆବେଡା,ମୟୂରଭଞ୍ଜ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ,...

ଆଉ ଏକ ଧର୍ମୀୟ ଜାଗରଣ

ସୌଭାଗ୍ୟ ସୁନ୍ଦରରାୟ ଆଇନଗତ ସ୍ତରରେ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ତ ଘଟିଛି ବୋଲି କୁହାଯାଇପାରେ। ତେବେ ଦୀର୍ଘ ୩ ଦଶନ୍ଧି ଧରି ଦେଶରେ ଚାଲିଥିବା ଏକ...

ଏଇ ଭାରତରେ

ଏକ ପରିବାର ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ରାୟ ଦେବା ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଥିଲେ। ଏଭଳି ଏକ...

ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର...

ଓଡ଼ିଆ ଜୀବନଚିତ୍ରର ଛିନ୍ନ ଚୌପଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଥିଲା ସ୍ପର୍ଦ୍ଧିତ ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ। ଏକ ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ...

ଭଗବାନ୍‌ ଭରସା

ପ୍ରକାଶ ତ୍ରିପାଠୀ କରୋନାର ଦ୍ୱିତୀୟ ଲହରରେ ଭାରତ ଲହୁଲୁହାଣ ହେବାରେ ଲାଗିଛି। ପ୍ରତିଦିନ କେହି ନା କେହି ଚିହ୍ନା ପରିଚିତ ଲୋକଙ୍କ କରୋନା ଜନିତ ମୃତ୍ୟୁଖବର...

କରୋନାର ଲେଉଟାଣି

ଡା. ଉମେଶ ଚନ୍ଦ୍ର ପାତ୍ର ପରିବର୍ତ୍ତିତ କରୋନା ଭୂତାଣୁର ବ୍ରିଟେନ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଓ ବ୍ରାଜିଲ ପ୍ରଜାତିର ଭୂତାଣୁ ପ୍ରବେଶ...

ଆତ୍ମହତ୍ୟା କାହିଁକି

ଡା. ସମ୍ରାଟ କର ଆମ ଦେଶରେ ପ୍ରତିଦିନ ଅନେକ ବ୍ୟକ୍ତି କୌଣସି କାରଣରୁ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ଏକ ଅପରାଧ। ଏଭଳି ଏକ ଘୃଣ୍ୟ ମାନସିକତାକୁ...

Advertisement
Archives

Model This Week