ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ ନୟାପଲ୍ଲୀ ଓଭରବ୍ରିିଜ ଉପରେ ଘଟିଛି ଏହି ସିରିଜ ଲୁଟ୍‌॥ ଲୁଟେରାମାନେ ପଲସର ବାଇକରେ ଆସି ଗାଡିରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଲୁଟେରାମାନେ ଚେନ ଓ ଭ୍ୟାନିଟ୍‌ ଝାମ୍ପିନେବାବେଳେ ଗାଡିରୁ ଖସିପଡ଼ି ୪ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କ ମୁଣ୍ଡ ଫାଟି ଯାଇଛି। ସମସ୍ତ ଘଟଣାରେ ଆହତମାନଙ୍କୁ ପିସିଆର୍‌ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୁଣ୍ଡ ଫାଟିଥିବା ମହିଳା ହେଲେ ପଳାଶୁଣୀରେ ରହୁଥିବା ଲୋଜନାଗନ୍ଧା ମହାନ୍ତି ଓ ପଟିଆରେ ରହୁଥିବା ଅଞ୍ଜନା ରାଉତ। ଏହାସହ ଗାଡି ଚଲାଉଥିବା ବଡଗଡ ବ୍ରିଟ୍‌ କଲୋନୀର ସୁବ୍ରତ ରଞ୍ଜନ ସାହୁ ଓ ଅଞ୍ଜନାଙ୍କ ସ୍ବାମୀ ଅଜୟ ରାଉତ ମଧ୍ୟ ଆହତ ହୋଇଛନ୍ତି। ଏନେଇ ମଞ୍ଚେଶ୍ୱର ଓ ନୟାପଲୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଦିନଦ୍ୱିପ୍ରହରରେ ଏଭଳି ଲୁଟ୍‌ ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରସୁଲଗଡ଼ ଓଭରବ୍ରିଜ୍‌ରେ ଦମ୍ପତିଙ୍କୁ ଟାର୍ଗେଟ
ପଟିଆରେ ପରିବାର ସହ ରୁହନ୍ତି ଅଞ୍ଜନା ରାଉତ। ଅପରାହ୍ନ ୪ଟାରେ ସେ ସ୍ବାମୀ ଅଜୟଙ୍କ ସହ ୟୁନିଟ୍‌-୪ ଅଞ୍ଚଳରୁ ବାହାରି ନିଜ ଗ୍ରାମ ଜଗତ୍‌ସିଂହପୁରକୁ ସ୍କୁଟିରେ ଯାଉଥିଲେ। ରସୁଲଗଡ ନିକଟରେ ହୋଇଥିବାବେଳେ ଦୁଇଜଣ ଲୁଟେରା ମୁହଁରେ କପଡା ବାନ୍ଧି ସେମାନଙ୍କ ପିଛା କରିଥିଲେ। ଓଭରବ୍ରିଜ ଉପରେ ଲୁଟେରାଙ୍କ ଗାଡ଼ି ଅଜୟଙ୍କ ସ୍କୁଟିର ବାମପଟେ ଅତି ନିକଟତର ହୋଇଥିଲା। ଏହି ସମୟରେ ପଛରେ ବସିଥିବା ଜଣେ ଲୁଟେରା ହଠାତ୍‌ ଅଞ୍ଜନାଙ୍କ ବେକରୁ ସୁନାଚେନ ଝାମ୍ପି ନେଉଥିଲେ। ହେଲେ ଅଞ୍ଜନା ଚେନ୍‌କୁ ଧରିପକାଇବାରୁ ଲୁଟେରାମାନେ ତାଙ୍କ ସ୍କୁଟିକୁ ଗୋଡ଼ରେ ଧକ୍କାମାରି ଚେନ୍‌ ନେଇ ପାର୍‌ ହୋଇଯାଇଥିଲେ। ଫଳରେ ଅଜୟ ଭାରସାମ୍ୟ ହରାଇବାରୁ ଗାଡିଟି ଓଭରବ୍ରିଜ ବାଡ଼ରେ ପିଟି ହୋଇଯାଇଥିଲା। ସ୍କୁଟି ପଛରେ ବସିଥିବା ଅଞ୍ଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା ଓ ଅଜୟ ମଧ୍ୟ ଆହତ ହୋଇଥିଲେ।

ଚେନ୍‌ ନେଇ ନ ପାରି ଭ୍ୟାନିଟ୍‌ ଛାମ୍ପିଲେ
ପଳାଶୁଣୀରେ ରହୁଥିବା ଲୋଜନଗନ୍ଧା ମହାନ୍ତି ମାର୍କେଟିଂ କାମ କରନ୍ତି। ସେ ତାଙ୍କ ସଂସ୍ଥାର ଜଣେ ସହଯୋଗୀ ସୁବ୍ରତ ରଞ୍ଜନ ସାହୁଙ୍କ ସହ ଅଫିସ କାମରେ ଖୋର୍ଦ୍ଧା ଯାଉଥିଲେ। ରସୁଲଗଡ଼ ଓଭରବ୍ରିଜ୍‌ରେ ଲୁଟ୍‌ ପରେ ଲୋକେ ଜମା ହୋଇଥିବା ଦେଖି ସେମାନେ ସେଠାରେ କିଛି ସମୟ ଅଟକି ପୁଣି ନିଜ କାମରେ ଖୋର୍ଦ୍ଧା ଅଭିମୁଖେ ବାଇକରେ ଯାଉଥିଲେ। ନୟାପଲୀ ଓଭରବ୍ରିଜ୍‌ ଉପରେ ହୋଇଥିବାବେଳେ ଦୁଇଜଣ ଯୁବକ ଏକ ପଲ୍‌ସରରେ ପିଛା କରି ସମାନ ଢଙ୍ଗରେ ସେମାନଙ୍କ ବାମପଟେ ଅତି ନିକଟତର ହୋଇ ଲୋଜନାଙ୍କ ବେକରୁ ସୁନାଚେନ ଝାମ୍ପିଥିଲେ। ହେଲେ ଚେନ୍‌ଟି ତାଙ୍କ ଭ୍ୟାନିଟି ଭିତରକୁ ଖସି ପଡିବାରୁ ଲୁଟେରା ଉକ୍ତ ବ୍ୟାଗ୍‌କୁ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବାରମ୍ବାର ଭ୍ୟାନିଟ୍‌ ଟଣାଓଟରା କରିବାରୁ ସୁବ୍ରତ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡିଟି ଓଭରବ୍ରିଜ ଡିଭାଇଡରରେ ପିଟି ହୋଇଯାଇଥିଲା। ହେଲମେଟ୍‌ ପିନ୍ଧିଥିବାରୁ ସୁବ୍ରତ ବର୍ତ୍ତିଯାଇଥିଲେ ମଧ୍ୟ ଲୋଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା। ଏହାଦେଖି ଲୁଟେରା ଖଣ୍ଡଗିରି ଅଭିମୁଖେ ଫେରାର ହୋଇଯାଇଥିଲେ। ସେହିଭଳି ଯିବାବାଟରେ ସମ୍ପୃକ୍ତ ଲୁଟେରାମାନେ ଆଉ କେତେଜଣଙ୍କଠାରୁ ଲୁଟ୍‌ କରିଥିବା ଜଣାପଡିଛି।

ଗୋଟିଏ ଗ୍ୟାଙ୍ଗ୍‌ ସଂପୃକ୍ତ
କିଛିଦିନର ନୀରବତା ପରେ ପୁଣି ଲୁଟେରା ସକ୍ରିୟ ହୋଇଉଠିବା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ତେବେ ଏହି ସିରିଜ୍‌ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ରସୁଲଗଡରୁ ଲୁଟ କରିବା ପରେ ନୟାପଲୀ ଓଭରବ୍ରିଜ୍‌ ଉପରେ ମହିଳାଙ୍କଠାରୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଲୁଟ୍‌ରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଜେଲ ଫେରନ୍ତା କିମ୍ବା ଇଞ୍ଜିନିୟରିଂ ଛାତ୍ର ହୋଇଥିବା ପୋଲିସ ସନ୍ଦେହ କରୁଛି।

ଖୁବ୍‌ ଶୀଘ୍ର ଗିରଫ କରାଯିବ: ସିପି
ଦିିନ ଦ୍ୱିପ୍ରହରରେ ରାଜଧାନୀର ଜନଗହଳିପୂର୍ଣ୍ଣ ରାଜପଥରେ ଏକାଧିକ ଲୁଟ୍‌ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ ଏକାଧିକ ଲୁଟ୍‌ରେ ପୋଲିସ ବିଫଳ ହୋଇଥିବାବେଳେ ଏହି ଲୁଟ୍‌ରେ ସଂପୃକ୍ତଥିବା ଦୁଇଜଣ ଅଭିଯୁକ୍ତଙ୍କୁ କିପରି ଗିରଫ କରିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତେବେ ପୋଲିସ କମିଶନର (ସିପି) ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ରାଜଧାନୀରେ ପାଟ୍ରୋଲିଂ କଡାକଡି କରାଯିବ। ବିଶେଷକରି ଏହି ଗ୍ୟାଙ୍ଗ୍‌କୁ ଖୁବ୍‌ଶୀଘ୍ର ଧରାଯିବ।

ଓଭରବ୍ରିଜ୍‌ ଉପରେ ପୋଲିସ ମୁତୟନ ଦାବି
ରାତି ହେଉ ଅବା ଦିନ ଶହୀଦନଗର,ରସୁଲଗଡ ଏବଂ ନୟାପଲୀ ଓଭରବ୍ରିଜ ଉପରେ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ବାରମ୍ବାର ଲୁଟ୍‌ ଓ ଆକ୍ରମଣ ହେଉଛି। ଏହାସତ୍ତ୍ୱେ ଓଭରବ୍ରିଜ ଉପରେ କେତେବେଳେ ବି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ପୂର୍ବରୁ ବାରମ୍ବାର ଏପରି ଘଟଣା ପରେ ଓଭରବ୍ରିଜ ଉପରେ ପୋଲିସ ମୁତୟନ କରାଯାଇଥିଲା। ହେଲେ ପରେ ତାହାକୁ କାଢି ନିଆଯାଇଥିଲା। ତେଣୁ ଓଭରବ୍ରିଜ ଉପରେ ସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା ଜାରି ରଖିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର,୨୦।୨(ବ୍ୟୁରୋ) : ରାଜ୍ୟ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ଦେଖାଦେଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଶନିବାର ରାଜ୍ୟର କିଛି ଜିଲାରେ ପାଗ...

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ

ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ।...

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷିତ: ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୩୦ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମିହିର ଦାସଙ୍କୁ...

ୟୁନାଇଟେଡ୍‌ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଶିଳ୍ପାଞ୍ଚଳରେ ଥିବା ୟୁନାଇଟେଡ ବ୍ୟାଙ୍କରୁ ରବିବାର ରାତିରେ ଏକ ବଡ ଧରଣର ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମୁହଁରେ କଳା...

ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ: ଶୁଣିଲାନି ପ୍ରଶାସନ; ରାସ୍ତା ମରାମତି କଲା ଟାଟା ଷ୍ଟିଲ

କାଳିଆପାଣି,୩୦ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳର ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଖଣି ଅଞ୍ଚଳରୁ ଏହି ରାସ୍ତା ଦେଇ ହଜାର ହଜାର କ୍ରୋମାଇଟ ବୋଝେଇ ଟ୍ରକ...

ସହର ମଝିରେ ପଥର ଖଣି: ଦିନ ଦ୍ୱିପ୍ରହରରେ ହେଲା ବ୍ଲାଷ୍ଟିଂ

ନୟାଗଡ଼ ଅଫିସ,୯।୭-ନୟାଗଡ଼ ସହର ମଝିରେ ରହିଛି ପଥର ଖଣି। ଜଣେ ବ୍ୟକ୍ତିଙ୍କର ଏହା ଘରୋଇ ଖଣି ହୋଇଥିବା ବେଳେ ଉକ୍ତ ଖଣିରୁ ସୋମବାର ଦିନଦ୍ୱିପ୍ରହରରେ ବେଆଇନ...

ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ; ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ: ପ୍ରଦୀପ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୂର୍ବାପେକ୍ଷା ଶକ୍ତି ବୃଦ୍ଧି କରି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବାରେ ସଫଳ ହୋଇଛି ଭାଜପା। ଏବେ କିନ୍ତୁ ଦଳରେ...

ଆଇଟିଆଇର ପୁଣି ନୂଆ ଉଦ୍ଭାବନ: ପ୍ରସ୍ତୁତ କଲା ୟୁଭିସି ସୋଲ ସାନିଟାଇଜର

ବ୍ରହ୍ମପୁର ଅଫିସ,୯ା୬-କୋଭିଡ୍‌-୧୯ ମୁକାବିଲା ତଥା ସଂକ୍ରମଣରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଉଦ୍ଭାବନକରି ଏବେ ସାରା ଦେଶରେ ବ୍ରହ୍ମପୁର ଆଇଟିଆଇ...

Advertisement


Archives

Model This Week

Why Dharitri