ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ ହୋଇଯିବ? ମହାମାରୀ କରୋନାର ଭୟାବହତାକୁ ଦେଖି ଗତ କିଛିଦିନ ହେଲା ରଥଯାତ୍ରାକୁ ନେଇ ଏମିତି ଆଶା ଆଶଙ୍କା ଲାଗି ରହିଛି। ମେ ୩ ତାରିଖ ଲକ୍‌ଡାଉନ ଅବଧି ଶେଷ ପରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଅନୁଯାୟୀ ରଥଯାତ୍ରା ସଂକ୍ରାନ୍ତରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିଲା। ମାତ୍ର ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧି ପୁଣି ଦୁଇସପ୍ତାହ ବଢାଇବା ଫଳରେ ରଥଯାତ୍ରାର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସେପଟେ କଟକଣାଯୁକ୍ତ ରଥଯାତ୍ରା କରିବା ଲାଗି ଦଇତାପତି ସେବକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଶୁକ୍ରବାର ରାତିରେ ଗଜପତି ମହାରାଜାଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଛନ୍ତି। ହେଲେ ରଥଯାତ୍ରାକୁ ନେଇ କେହି କିଛି ସ୍ପଷ୍ଟ ଉତ୍ତର ରଖି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରଥ ତିଆରି ଆରମ୍ଭ ହୋଇନାହିଁ। ୩ ତାରିଖ ପରେ ପ୍ରଶାସନ ଅନୁମତି ଦେଲେ ମଧ୍ୟ ଏତେ କମ୍‌ ଦିନ ଭିତରେ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ରଥଯାତ୍ରାକୁ ନେଇ ଏମିତି ଅନିଶ୍ଚିତତା ଲାଗିରହିଥିବା ବେଳେ ଶନିବାର ପୁରୀରେ ପହଞ୍ଚତ୍ଛି ଦଶମ ପର୍ଯ୍ୟାୟ ରଥକାଠ।

ଏଥର ରଥଯାତ୍ରା ହେବ କି ନାହିଁ ଏବଂ ଲକ୍‌ଡାଉନ ଥିବାରୁ ଚନ୍ଦନ ଯାତ୍ରା କିପରି ହେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏଥିପାଇଁ ୨୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଥିବାରୁ ବାହାରେ ଠାକୁରଙ୍କର କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଥିଲା। କିନ୍ତୁ ସେବାୟତମାନେ ଠାକୁରଙ୍କ ପରମ୍ପରାରେ ବ୍ୟତିକ୍ରମ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଯାହା ନିର୍ଣ୍ଣୟ ଦେବେ ତାହାକୁ ସମସ୍ତେ ମାନିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଖବରଦାତା ସମ୍ମିଳନୀରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ ଶ୍ରୀମନ୍ଦିର ବାହାରେ କୌଣସି ନୀତି ହୋଇପାରିବ ନାହିଁ। ମହାପ୍ରଭୁଙ୍କ ବିଧି କିପରି ରକ୍ଷା ହେବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ହିଁ ମାର୍ଗଦର୍ଶନ ଦେବେ। ମେ ୩ ପରେ ସରକାର ଯେଉଁ ନୂଆ ଗାଇଡଲାଇନ ଆଣିବେ ତାକୁ ଦେଖି ପୁଣି ଥରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହାପରେ ସେହିଦିନ ସନ୍ଧ୍ୟାରେ ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ବିଧି ରକ୍ଷା ନିମନ୍ତେ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରାର ରୀତିନୀତି କରାଯିବ ବୋଲି ଜଗଦ୍‌ଗୁରୁ ପରାମର୍ଶ ଦେଇଥିଲେ। ଏହାପରେ ଗଣମାଧ୍ୟମ ସମ୍ମୁଖରେ ଗଜପତି ମହାରାଜା କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ ମାନି ନୀତିକାନ୍ତି ହେବ। ଶ୍ରୀମନ୍ଦିର ଭିତରେ ଚନ୍ଦନ ଯାତ୍ରା ଚାଲିଥିବାବେଳେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ତେବେ ସେବେଠୁ ରଥ ତିଆରି କାମ ବନ୍ଦ ରହିଛି। ଏବେ ଲକ୍‌ଡାଉନକୁ ପୁଣି କେନ୍ଦ୍ର ସରକାର ମେ ୧୭ ଯାଏ ବୃଦ୍ଧି କରିଥିବାରୁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢିଯାଇଛି। ମେ ୩ ପରେ ରଥ ନିର୍ମାଣ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ୪ ତାରିଖରେ ପରିଚାଳନା କମିଟି ବୈଠକ ବସି ରଥଯାତ୍ରା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ଜୁନ୍‌ ୨୩ରେ ରଥଯାତ୍ରା। ଆଉ ମାତ୍ର ମାସେ ୨୦ ଦିନ ଥିବାବେଳେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇନାହିଁ। ଏତେ କମ୍‌ ଦିନରେ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ନେଇ କୌଣସି ଆଲୋଚନା ହୋଇ ନ ଥିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି। ଏ ସବୁକୁ ଦେଖିଲେ ଚଳିତବର୍ଷ ରଥଯାତ୍ରାକୁ ନେଇ ସଙ୍କଟ ବଢୁଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଶନିବାର ପୁରୀରେ ପହଞ୍ଚତ୍ଛି ଦଶମ ପର୍ଯ୍ୟାୟ ରଥକାଠ। ବୌଦ୍ଧରୁ ଗୋଟିଏ ଟ୍ରକ୍‌ରେ ୧୨ ଫୁଟିଆ ୩୦ ଖଣ୍ଡ ଅସନ କାଠ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?