ରଙ୍ଗିନ ଚଷମାର ନିରପେକ୍ଷତା

ରଞ୍ଜନ କୁମାର ଦାସ

ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ଆଇରିସ୍‌ ଉପନ୍ୟାସିକ ମାର୍ଗାରେଟ୍‌ ଉଲ୍‌ଫ ହଙ୍ଗରଫୋର୍ଡ ଥରେ କହିଥିଲେ, କୌଣସି ଏକ ବସ୍ତୁର ସୌନ୍ଦର୍ଯ୍ୟ ବସ୍ତୁରେ ଯେତିକି ନ ଥାଏ, ଦେଖିବା ବାଲାର ଆଖିରେ ତା’ଠାରୁ ବେଶି ଥାଏ। ଅର୍ଥାତ୍‌ ଦେଖିବା ବାଲାର ଦୃଷ୍ଟିକୋଣ ହିଁ ସ୍ଥିର କରେ ବସ୍ତୁଟି ମନକୁ ପାଉଚି କି ନାହିଁ। ମନକୁ ପାଉଥିବା ଜିନିଷଟି ଆପେ ଆପେ ଭଲ ଲାଗେ। ତେଣୁ ଭଲ ଜିନିଷଟି ବି ବେଳେବେଳେ ଭଲ ଲାଗେନାହିଁ ଅଥଚ ସାଧାରଣ ଜିନିଷଟି ବେଳେବେଳେ ଅସାଧାରଣ ଲାଗେ। ଅସଲ କଥା ହେଲା ସ୍ଥାନ କାଳ ପାତ୍ରକୁ ନେଇ କ’ଣ ଭଲ ଲାଗିବ କ’ଣ ଖରାପ ଲାଗିବ ତାହା ମନ ସ୍ଥିର କରେ। ପରବର୍ତ୍ତୀ ସମୟରେ ଭଲ ଲାଗୁଥିବା ଜିନିଷକୁ ଆମେ ଗ୍ରହଣ କରୁ, ଖରାପ ଲାଗୁଥିବା ଜିନିଷକୁ ଆମେ ପ୍ରତ୍ୟାଖ୍ୟାନ କରୁ ତା’ର ନିନ୍ଦା କରୁ।
ବ୍ୟକ୍ତିଗତ ଜୀବନରେ ଏଭଳି ଭଲମନ୍ଦର ନିଷ୍ପତ୍ତି ଆମ ମନ ନେଲେ ତାହା ବ୍ୟକ୍ତିଗତ ସ୍ତରରେ ସୀମିତ ରହେ। ମାତ୍ର ସାର୍ବଜନୀନ କ୍ଷେତ୍ରରେ, ଅଫିସରେ, ବ୍ୟବସାୟରେ, ଗଣମାଧ୍ୟମରେ ଯେତେବେଳେ ଆମର ଏ ରୁଚି ଅରୁଚି ପ୍ରତିଫଳିତ ହୁଏ ତା’ର ପ୍ରଭାବ ବହୁଧା ପ୍ରତିଫଳିତ ହୁଏ। ଅଫିସରେ ବା ବ୍ୟବସାୟରେ ଆମେ କେବେକେବେ ଖରାପ ମୁଡ୍‌ରେ ଥିଲାବେଳେ ଆମକୁ ଭଲ କଥାଟିଏ କହିବାକୁ ଆସିଥିବା ଲୋକ ଉପରେ ବି ବେଳେବେଳେ ଆମେ ବିରକ୍ତ ହୋଇଯାଉ। ତା’ର ଭଲ ପଣିଆ ବା ତା’ କଥାର ସୌଷ୍ଠବ ଆମକୁ ଦିଶେ ନାହିଁ। ବରଂ ତା’ର କୋଉଠି କ’ଣ ଦୋଷ ଯଦି ଥାଏ ତାହା ଆମ ଆଖିକୁ ଦିଶେ।
ସେ ଆମ ଆଖିରେ ହୋଇଯାଏ ଖରାପ।
ଏମିତି ଅନେକ ଘଟଣା ଅନିଚ୍ଛାକୃତ ଭାବେ ମଧ୍ୟ ହୋଇଯାଏ। ସେହିଭଳି ଇଚ୍ଛାକୃତ ଭାବେ ମଧ୍ୟ ଅନେକ ସମୟରେ ଆମେ ଜିନିଷକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁ। ଗୋଟିଏ ଗ୍ଲାସରେ ଧରନ୍ତୁ ଅଧା ପାଣି ଅଛି। କେହି ଯଦି ତାକୁ କହେ ଅଧା ପାଣି ଅଛି ଠିକ୍‌ ହେବ କେହି ଯଦି କହେ ଅଧା ଖାଲି ଅଛି ତା’ ବି ଠିକ୍‌ ହେବ।
ଅନେକ ସମୟରେ ଆମେ ପ୍ରତ୍ୟେକ ଜିନିଷ ବା ଘଟଣାକୁ ଆମ ନିଜସ୍ବ ଦୃଷ୍ଟିକୋଣରୁ ଦେଖିଥାଉ। ଆମ ମନରେ କେତେକ ବଦ୍ଧମୂଳ ଧାରଣା ଥାଏ। ସେଇ ଧାରଣାର ବଶବର୍ତ୍ତୀ ହୋଇ ଆମେ ଆମ ଚାରିପଟେ ଘଟୁଥିବା ଘଟଣାକୁ ଦେଖୁ। ଘରେ ଯେତେବେଳେ ସ୍ବାମୀ ସ୍ତ୍ରୀ କଳହ ହୁଏ ଜଣେ ନାରୀ ସପକ୍ଷବାଦୀ ତା’ ଦୃଷ୍ଟିକୋଣରୁ ଦେଖେ। ଜଣେ ପୁରୁଷ ସପକ୍ଷବାଦୀ ତା’ ଦୃଷ୍ଟିକୋଣରୁ ଦେଖେ। ଆମେ ଯେଉଁ ରଙ୍ଗର ଚଷମା ପିନ୍ଧିଥାଉ ଆମକୁ ଆମ ଚାରିପଟ ସେଇ ରଙ୍ଗର ଦିଶେ। ବେଳେବେଳେ ଆମେ ଯେଉଁଭଳି ରଙ୍ଗର ପୃଥିବୀ ଦେଖିବାକୁ ଚାହିଁଥାଉ, ସେଇଭଳି ରଙ୍ଗର ଚଷମା ପିନ୍ଧୁ। ଆମେ ଯଦି ଜଣକର ଦୋଷ ଖୋଜିବାକୁ ଚାହୁଁଥାଉ ତେବେ ଗୋଟେ ଦୋଷଦ୍ୱେଷୀ ଚଷମା ଆପେ ଆପେ ଆମ ଆଖିରେ ଲାଗିଯାଏ। ଯଦି କାହାର ସମର୍ଥନ କରିବାକୁ ଚାହୁଁଥାଉ, ତାକୁ ସୁହାଇଲା ଭଳି ଦୃଷ୍ଟିଭଙ୍ଗୀ ଦେଖେଇବା ଚଷମା ପିନ୍ଧିଥାଉ। ଏଇଠି ଆମେ ବିଷୟାସକ୍ତ ହୋଇଥାଉ। ଜିନିଷକୁ ଦେଖିବା ପୂର୍ବରୁ ହିଁ ଆମେ ସ୍ଥିର କରି ନେଇଥାଉ, ଆମକୁ କ’ଣ ଦେଖିବାର ଅଛି। ବାକି ସବୁ ଦୃଶ୍ୟମାନ ଜିନିଷକୁ ଆମେ ଅଣଦେଖା କରି ଯାଉଥାଉ।
ଗଣମାଧ୍ୟମର ଉଦାହରଣ ଧରାଯାଉ। ଗଣମାଧ୍ୟମ ଆଜିକାଲି ଦୁନିଆର ସବୁଠୁ ବଡ଼ ଜନମତ ସୃଷ୍ଟିକାରୀ ତଥା ସରବରାହ ସଂସ୍ଥା। ଦୁନିଆର ସବୁଠୁ ବଡ଼ ବିଚାରକ ଭୂମିକା ମଧ୍ୟ ସେ ନିଜ ଉପରକୁ ନେଇ ସାରିଛି। ଗଣମାଧ୍ୟମ ସତ୍ୟଘଟଣାର କେବଳ ଉପସ୍ଥାପନା କରୁନାହିଁ। ବରଂ ଏହା ଜନମତ ସୃଷ୍ଟି ମଧ୍ୟ କରୁଚି। ଜନମତକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଯେମିତି ଚାହୁଁଚି ସେମିତି ପରିଚାଳିତ କରିବାକୁ ମଧ୍ୟ ଚେଷ୍ଟା କରୁଚି। ବିଚାରକ ଭୂମିକା ପ୍ରତି ଯେଉଁ ଇଙ୍ଗିତ କରିଥିଲି ତାହା ମଧ୍ୟ ଅମୂଳକ ନୁହେଁ। ଗଣମାଧ୍ୟମ ଅନେକ ସମୟରେ ନିଜର ବିଚାରକୁ ଜନତାଙ୍କ ଉପରେ ମଧ୍ୟ ଲଦି ଦେଲା ପରି ପ୍ରୟାସ କରୁଥିବାର ଲକ୍ଷ୍ୟ କରାଯାଉଛି। କହିବା ନିଷ୍ପ୍ରୟୋଜନ ଯେ ଆଜିକାଲି ଅଧିକାଂଶ ଗଣମାଧ୍ୟମର ନିଜସ୍ବ ନିର୍ଦ୍ଦିଷ୍ଟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ଥାଏ। ସେଇ ଦୃଷ୍ଟିଭଙ୍ଗୀକୁ ସମର୍ଥନ କଲାଭଳି ଖବର ଓ ମତାମତ ସବୁ ସେଇ ଚ୍ୟାନେଲ ବା ଖବରକାଗଜରେ ପ୍ରକାଶିତ ହେବା ସମ୍ପୂର୍ଣ୍ଣ ସ୍ବାଭାବିକ। ତେଣୁ ଏସବୁ ଖବର ଓ ମତାମତ ସଂଗ୍ରହ କରିବା ପାଇଁ ଯେଉଁ ଚଷମାର ଯେତିକି ପାୱାରର ଲେନ୍ସ ଦରକାର ସେଇ ଚଷମା ସେଗୁଡ଼ିକୁ ପିନ୍ଧିବାକୁ ପଡ଼େ। ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ସାମ୍ବାଦିକ ବା ଗଣମାଧ୍ୟମ କର୍ମୀମାନଙ୍କର ମଧ୍ୟ ନିଜସ୍ବ ରୁଚି, ଅରୁଚି, ବନ୍ଧୁତା, ଶତ୍ରୁତା, ବ୍ୟକ୍ତିଗତ ସ୍ବାର୍ଥ ଓ ବିଚାରଧାରା ଆଦି ଦିଗ ଥାଏ; ଯାହା ଖବର ସଂଗ୍ରହ ଓ ପ୍ରସାରଣକୁ ପ୍ରଭାବିତ କରିଥାଏ।
ଏଭଳି ଭାବେ ସଂଗୃହୀତ ଓ ପ୍ରସାରିତ ହେଉଥିବା ଖବର ନିଶ୍ଚିତ ଭାବେ ନିଜସ୍ବ ରଙ୍ଗରେ ରଙ୍ଗାୟିତ। ତଥାପି ଆଜିର ସବୁ ଗଣମାଧ୍ୟମ ଦାବି କରନ୍ତି ଯେ, ସେମାନେ ନିରପେକ୍ଷ ଓ ସତ୍ୟ ସନ୍ଧାନୀ। ମୁଁ ଯଦି ଜଣେ କବି ଏବଂ ଏକ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଅଛି ତେବେ ମୋର ଭୋଟ ଜଣେ କବିତା ବହି ସପକ୍ଷରେ ଯିବା ସ୍ବାଭାବିକ, ମୁଁ ଯଦି ଜଣେ ଗାଳ୍ପିକ ମୋ ଭୋଟ ଗୋଟେ ଗପବହି ସପକ୍ଷରେ ଯିବା ସ୍ବାଭାବିକ। ମୁଁ ଯଦି ଜଣେ ଓଡ଼ିଆ ନିଶ୍ଚିତ ଭାବେ ଗୋଟେ ଓଡ଼ିଆ ଲେଖକ ପ୍ରତି ମୋର କୋମଳ ବିଚାର ରହିବା ସ୍ବାଭାବିକ । ମୁଁ ଯଦି ଜଣେ ମାଲୟାଲମ ତେବେ ଦକ୍ଷିଣୀ ଭାଷା ସପକ୍ଷରେ ଭୋଟ ଦେବା ସ୍ବାଭାବିକ। ମୁଁ ଯଦି ଜଣେ ମହିଳା ତେବେ ମହିଳାଙ୍କ ସପକ୍ଷରେ ମତ ଦେବା ଅସ୍ବାଭାବିକ ନୁହେଁ। ମୁଁ ଯଦି ଜଣେ କିନ୍ନର ତେବେ କିନ୍ନରଙ୍କ ଦାବି ପାଇଁ ମୁଁ ଯୁକ୍ତି କରିବା ସ୍ବାଭାବିକ। ତେଣୁ ଏସବୁ ଭୂମିକାରେ ସମ୍ପୂର୍ଣ୍ଣ ନିରପେକ୍ଷତା କେବଳ ସେହି ଲୋକ ପକ୍ଷରେ ସମ୍ଭବ; ଯାହାର ବ୍ୟକ୍ତିଗତ ପକ୍ଷପାତ ପାଇଁ ଭିତ୍ତି ହିଁ ନ ଥିବ। ଅଧିକାଂଶ ଗଣମାଧ୍ୟମ ଓ ତା’ର ପ୍ରତିନିଧି ଆଜି ଯେହେତୁ ନିର୍ଦ୍ଦିଷ୍ଟ ଭିତ୍ତିଭୂମି ଉପରେ ଦଣ୍ଡାୟମାନ ଏବଂ ତାଙ୍କର ନିଜସ୍ବ ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ତେଣୁ ତାହା ନିରପେକ୍ଷ ବୋଲି ଦାବି କରିବା ଗ୍ରହଣୀୟ ନୁହେଁ। ଦ୍ୱିତୀୟ କଥା ହେଲା ସତ୍ୟସନ୍ଧାନ। ଆମେ ସେଇ ସତ୍ୟକୁ ସବୁବେଳେ ଖୋଜିଥାଉ, ଯାହା ଆମକୁ ସହାୟ ହେବ ବା ଆମ ଉଦ୍ଦେଶ୍ୟକୁ ଚରିତାର୍ଥ କରିବ। ତାହା ଅର୍ଦ୍ଧସତ୍ୟ, ଅସତ୍ୟ ହେଲେ ବି ଚଳିବ। ମାତ୍ର ଯେଉଁ ସତ୍ୟ ଆମ ଦୃଷ୍ଟିକୋଣକୁ ଆଗେଇ ନେଇ ପାରେନା ଆମେ କେବେ ତାକୁ ସାଥିରେ ଧରି ବୁଲି ନ ଥାଉ। ପ୍ରକୃତ ଚଷମାଟିଏ ପିନ୍ଧିଲେ ଆମକୁ ପ୍ରକୃତ ଜିନିଷ ଦିଶିବ। ଅପ୍ରାକୃତ ଚଷମାଟିଏ ପିନ୍ଧିଲେ ଜିନିଷସବୁ ଅପ୍ରାକୃତ ଦିଶିବ। ନିଜ ଆଖି ମାପର ଚଷମା ନ ପିନ୍ଧିଲେ ଖାଲଢିପ ଜାଣି ନ ପାରି ଝୁଣ୍ଟି ହେବା। ବେଳକାଳ ଜାଣି ନ ପାରି ରାତିରେ କଳାଚଷମା ବା ଦିନରେ ହଳଦିଆ ଚଷମା ପିନ୍ଧିଲେ ଆହୁରି ବିପଦ। ତେଣୁ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ଥିଲାବେଳେ ଠିକ୍‌ ମାପର ଓ ଠିକ୍‌ ରଙ୍ଗର ଚଷମା ନ ପିନ୍ଧିଲେ ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରି ହୁଏନା। ଏହା ଜଣ ଓ ଗଣ ଉଭୟଙ୍କ ପାଇଁ ପ୍ରଯୁଜ୍ୟ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ- ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri