ଯୁଦ୍ଧ ଓ ଭସ୍ମାସୁର ମଣିଷ

ପ୍ର.ରମେଶ ଚନ୍ଦ୍ର ପରିଡ଼ା

ଆଧୁନିକ ପରିଭାଷାରେ ଯୁଦ୍ଧ ରୂପେ ପରିଚିତ ହେଲା ଭଳି ପ୍ରଥମ ଘଟଣା ଭାବେ ଐତିହାସିକମାନେ ଗ୍ରହଣ କରିଥା’ନ୍ତି ଖ୍ରୀଷ୍ଟଜନ୍ମର ୪୩୧ ବର୍ଷ ପୂର୍ବେ ଘଟିଥିବା ‘ପେଲୋପୋନେସିୟାନ୍‌ ଯୁଦ୍ଧ’କୁ। ଏଥିରେ ତଦାନୀନ୍ତନ ସ୍ପାର୍ଟା ସଭ୍ୟତାର ସୈନିକମାନେ ଏଥେନ୍ସକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ଏହା ପରଠାରୁ ଘଟିଥିବା ଯୁଦ୍ଧଗୁଡ଼ିକୁ ତା’ର ସମୟକାଳ ନେଇ ତିନୋଟି ଭାଗରେ ବିଭକ୍ତ କରାଯାଏ। ତନ୍ମଧ୍ୟରୁ ପ୍ରଥମଟି ଅର୍ଥାତ୍‌ ‘ପ୍ରାଚୀନ ଯୁଗ’ର (୫୦୦ ମସିହା ପୂର୍ବରୁ) ୨୨ଟି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧରେ ପ୍ରାୟ ୨୬୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ‘ମଧ୍ୟଯୁଗୀୟ’ (୫୦୦ରୁ ୧୫୦୦ ମସିହା ମଧ୍ୟରେ)ରେ ଘଟିଥିବା ବଡ଼ ବଡ଼ ୨୫ଟି ଯୁଦ୍ଧ ପ୍ରାୟ ୧୨୦୮ ଲକ୍ଷ ଜୀବନ ନେବାକୁ ସମର୍ଥ ହୋଇଥିଲା ବେଳେ ‘ଆଧୁନିକ ଯୁଗ’ (୧୫୦୦ ମସିହାରୁ ବର୍ତ୍ତମାନ)ରେ ଅଦ୍ୟାବଧି ପଞ୍ଜୀକୃତ ପ୍ରାୟ ୧୬୫ଟି ଯୁଦ୍ଧରେ ମୃତ୍ୟୁସଂଖ୍ୟା ରହିଛି ୭୦୦୦ ଲକ୍ଷରୁ ଅଧିକ। ଏହାବ୍ୟତୀତ ଛୋଟ ଛୋଟ ପ୍ରାୟ ୨୦୦ ଯୁଦ୍ଧରେ ଏହା ୨୫୦୦ ଲକ୍ଷକୁ ଟପିଯାଇଛି। ପୁନଶ୍ଚ ଏସବୁରେ ପରୋକ୍ଷ ମୃତ୍ୟୁ କଥା ବିଚାରକୁ ନିଆଯାଇନାହିଁ। ଅତଏବ କାଳକ୍ରମେ ଏହାର ଧ୍ୱଂସକାରୀ ସାମର୍ଥ୍ୟ ବଢ଼ି ବଢ଼ି ଚାଲିଛି। ଏହା ମଧ୍ୟରେ ରହିଛି ଆମର ଅଙ୍ଗେନିଭା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ (ମୃତ୍ୟୁସଂଖ୍ୟା ଯଥାକ୍ରମେ ପ୍ରାୟ ୧୭୦ ଏବଂ ୮୦୦ ଲକ୍ଷରୁ ଅଧିକ), ଭିଏଟ୍‌ନାମ ଯୁଦ୍ଧ (ପ୍ରାୟ ୪୩ ଲକ୍ଷ), ଇରାନ୍‌-ଇରାକ୍‌ ଯୁଦ୍ଧ (ପ୍ରାୟ ୧୫ ଲକ୍ଷ) ଏବଂ ଆଫଗାନ୍‌ ଯୁଦ୍ଧ (୨୫ ଲକ୍ଷରୁ ଅଧିକ)। ପୁନଶ୍ଚ ଏବେ ଚାଲିଛି ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଏବଂ ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଯୁଦ୍ଧ। ଅଦ୍ୟାବଧି ଏଥିରେ ଯଥାକ୍ରମେ ୩୦/୩୫ ହଜାର ଏବଂ ପ୍ରାୟ ୨୫ ହଜାର ଲୋକଙ୍କର ମୃତ୍ୟୁ ଘଟିବାର ଅନୁମାନ କରାଯାଏ।
ଯୁଦ୍ଧରେ ବିଜୟ ଯାହାର ହେଉନା କାହିଁକି ସେ ଉଭୟ ପକ୍ଷର ଅର୍ଥନୀତି ଉପରେ ପଡ଼ିଥାଏ ଏହାର ଗମ୍ଭୀର ପ୍ରଭାବ: ଯାହାକି ଆକଳନ ଅସମ୍ଭବ। ତେବେ ତାଙ୍କର ‘ସମ୍ପୂର୍ଣ୍ଣ ଘରୋଇ ଉତ୍ପାଦ’ (ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡ୍ୟୁସ୍‌) ବା ‘ଡିଜିପି’ ହାନି ବିଚାରକୁ ନେଲେ ଏ ସମ୍ପର୍କରେ କିଛିଟା ଅନୁମାନ କରାଯାଇପାରେ। ପୁନଶ୍ଚ ପୃଥିବୀର ଅନ୍ୟାନ୍ୟ ଦେଶର ଅର୍ଥନୀତି ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼େ। କେବଳ ୨୦୧୯ ପାଇଁ ‘ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଏଣ୍ଡ ପିସ୍‌’ ଦ୍ୱାରା ଯୁଦ୍ଧ ପ୍ରଭାବିତ ‘ସମ୍ପୂର୍ଣ୍ଣ ଘରୋଇ ଉତ୍ପାଦ’ ସମ୍ପର୍କରେ ପ୍ରଦତ୍ତ ଏକ ସୂଚନାର ଏଥିରେ ଅବତାରଣା କରାଗଲା। ତଦନୁଯାୟୀ ସେବର୍ଷ ଏହା ଯୋଗୁ ବିଶ୍ୱର ତାହା ୮.୫ ଶତାଂଶ ପ୍ରଭାବିତ ହୋଇଥିଲା। ତେବେ ସର୍ବାଧିକ କେତେକ ଦେଶ ପାଇଁ ଏହାଥିଲା ୬୦ ଶତାଂଶ ପାଖାପାଖି, ଯାହାକି ପ୍ରଥମ ୧୦ଟି ଦେଶ ପାଇଁ ହାରାହାରି ୪୧ ଶତାଂଶ। ଏହି ଦେଶଗୁଡ଼ିକ ମଧ୍ୟରେ ରହିଛି ସିରିଆ (୫୯.୧%), ଆଫଗାନିସ୍ତାନ (୫୦.୩%) ଏବଂ ଦକ୍ଷିଣ ସୁଦାନ (୪୬.୩%)। ଅସ୍ତ୍ରଶସ୍ତ୍ର କ୍ରୟ ସମେତ ସମସ୍ତ ସାମରିକ ବ୍ୟୟ, ସ୍ଥାନାନ୍ତର, ହତ୍ୟା, ଅକାଳ ମୃତ୍ୟୁ, ଅକର୍ମଣ୍ୟ ହେବା, ହିଂସାକାଣ୍ଡ ବୃଦ୍ଧି ଇତ୍ୟାଦି ଏଥିପାଇଁ ଦାୟୀ। ଅନ୍ୟପକ୍ଷରେ, ସର୍ବାଧିକ ଶାନ୍ତିପୂର୍ଣ୍ଣ ଦେଶ ରୂପେ ପରିଗଣିତ ୧୦ଟି ଦେଶରେ ଏହା ହାରାହାରି ମାତ୍ର ୩.୯ ଶତାଂଶ। ଏ ତାଲିକାରେ ରହିଛି ଆଇସ୍‌ଲ୍ୟାଣ୍ଡ (୨.୮%), ଡେନ୍‌ମାର୍କ (୩.୪%), ଜାପାନ (୩.୪%) ଏବଂ ସ୍ବିଜରଲାଣ୍ଡ (୩.୫%)। ସୂଚନାଯୋଗ୍ୟ, ‘ଦି ଇକୋନୋମିକ୍‌ ଭ୍ୟାଲୁ ଅଫ୍‌ ପିସ୍‌-୨୦୨୧’ ରିପୋର୍ଟ ଅନୁଯାୟୀ ୨୦୦୧ ନଭେମ୍ବର ୯ରେ ଆମେରିକା ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଏବର୍ଷ (୨୦୨୧) ମଧ୍ୟରେ ସେ ଦେଶ ସାମରିକ କାର୍ଯ୍ୟକଳାପରେ ବ୍ୟୟ କରିଛି ୮ ଟ୍ରିଲିୟନ ଡଲାର। ଏହି ସମୟରେ ବିଶ୍ୱ ପାଇଁ ଏହାଥିଲା ୧୪.୪ ଟ୍ରିଲିୟନ୍‌ ଡଲାର ଏବଂ ଏଥିରେ ୪.୫ ନିୟୁତ ଲୋକ ପ୍ରତ୍ୟକ୍ଷ ଭାବେ ଏବଂ ୩.୬ ନିୟୁତ ଲୋକ ପରୋକ୍ଷଭାବେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ସମସ୍ତ ଯୁଦ୍ଧ ମଧ୍ୟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା ସବୁଠାରୁ ବ୍ୟୟବହୁଳ। ଏଥିରେ ସମୁଦାୟ ପ୍ରାୟ ୪.୧ ଟ୍ରିଲିୟନ ଡଲାର ବ୍ୟୟ ହୋଇଥିବାର ଅନୁମାନ କରାଯାଏ।
ଚାଲନ୍ତୁ ଏବେ ବିଚାରକୁ ନେବା ପରିବେଶ ଓ ପରିସଂସ୍ଥା ଉପରେ ଯୁଦ୍ଧ ଏବଂ ଅନ୍ୟାନ୍ୟ ହିଂସାକାଣ୍ଡର ପ୍ରଭାବ। ଏହା ଘଟାଉଥିବା ଜୀବନହାନି ଏବଂ ଅର୍ଥନୈତିକ ଦୁର୍ଗତିଜନିତ କ୍ଷୟକ୍ଷତି ସମୟ କ୍ରମେ ପୂରଣ ହୋଇଯାଇଥାଏ। ତେବେ ଏହି ତୃତୀୟଟିର ବିପର୍ଯ୍ୟୟ ଥରେ ଗୋଟିଏ ସ୍ତରରୁ ନିମ୍ନଗାମୀ ହୋଇଗଲେ ତାହାର ପୁନରୁଦ୍ଧାର କଷ୍ଟକର କିମ୍ବା ସ୍ଥଳବିଶେଷରେ ଅସମ୍ଭବ ହୋଇଥାଏ। ଅନ୍ୟପକ୍ଷରେ, ଏହା ମଧ୍ୟ ସେ ଦୁଇଟି ପରିଣାମକୁ ଦୀର୍ଘସ୍ଥାୟୀ ଏବଂ ଗମ୍ଭୀର କରିଚାଲେ ା ତେବେ ଏ ପ୍ରଭାବର ଠିକ୍‌ ମୂଲ୍ୟାୟନ ସମ୍ଭବ ନୁହେଁ ା
ପୃଥିବୀର ଅନ୍ୟତମ ସର୍ବପୁରାତନ ତଥା ପ୍ରଭାବଶାଳୀ ଯୁଦ୍ଧ ରୂପେ ଗଣନା କରାଯାଏ ଖ୍ରୀଷ୍ଟପୂର୍ବ ୪୩୧ରେ ଘଟିଥିବା ସ୍ପାର୍ଟା ଓ ଏଥେନ୍ସ ଯୁଦ୍ଧ ା ଏଥିରେ ସ୍ପାର୍ଟାର ସୈନ୍ୟମାନେ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ ଏଥେନ୍ସର କୃଷିକ୍ଷେତ୍ର ଏବଂ ଅରଣ୍ୟଗୁଡ଼ିକୁ। ସେହିପରି ଖ୍ରୀଷ୍ଟପୂର୍ବ ୧୪୬ରେ ରୋମାନ୍‌ମାନେ କାର୍ଥେଜ୍‌କୁ ଯୁଦ୍ଧରେ ଧ୍ୱସ୍ତବିଧ୍ୱସ୍ତ କରିଦେଲା ପରେ ସେଠାର କ୍ଷେତମାନଙ୍କରେ ଲୁଣପକାଇ ଚାଷ କରିଦେଇଥିଲେ, ଯେପରିକି ସେଥିରେ କୌଣସି ଫସଲ ଉଧେଇବ ନାହିଁ ା ତେବେ କାଳକ୍ରମେ ଯୁଦ୍ଧର ଘାତକ ସାମର୍ଥ୍ୟ ବୃଦ୍ଧି ସହିତ ତାଳ ଦେଇ ବଢ଼ିଚାଲିଛି ତା’ର ପରିବେଶ ବିଧ୍ୱଂସକାରୀ ପ୍ରଭାବ ା
ଅଷ୍ଟାଦଶ ଏବଂ ଊନବିଂଶ ଶତାବ୍ଦୀରେ ଉପନିବେଶବାଦୀମାନେ ଦକ୍ଷିଣ ଆମେରିକା ଓ ଏସିଆରେ ବ୍ୟାପକ ଅରଣ୍ୟ ବିଧ୍ୱଂସ ସହିତ ପରିବେଶ ତଥା ପରିସଂସ୍ଥାକୁ କ୍ଷତିଗ୍ରସ୍ତ କରିଦେଇଥିଲେ। ପର୍ତ୍ତୁଗିଜ୍‌ମାନଙ୍କ ଦ୍ୱାରା ମରିସସ୍‌ ଦ୍ୱୀପରେ ଡୋଡୋପକ୍ଷୀଙ୍କ ବଂଶନାଶ ଓ କାଲ୍‌ଭେରିଆ ଜଙ୍ଗଲର ବିଲୋପ ସାଧନ ଏହାର ଏକ କ୍ଷୁଦ୍ର ଉଦାହରଣ। ଭିଏଟ୍‌ନାମ ଯୁଦ୍ଧରେ ଆମେରିକାର ‘ଏଜେଣ୍ଟ ଅଂରେଜ୍‌’ ମାଧ୍ୟମରେ ଅରଣ୍ୟଗୁଡିକ ଉପରେ ବିଷାକ୍ତ ବାଷ୍ପ ବର୍ଷଣ ଏବଂ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ‘ମଷ୍ଟାର୍ଡ ବାଷ୍ପ’ ପ୍ରୟୋଗ ଉଭୟ ଜୀବଜଗତ ଏବଂ ଉଦ୍ଭିଦଜଗତ ଉପରେ କି ପ୍ରଳୟଙ୍କରୀ ପ୍ରଭାବ ପକାଇଥିଲା, ତାହା ସମସ୍ତଙ୍କୁ ସୁବିଦିତ। ଏହାର ପରିଣାମ ଏବେ ମଧ୍ୟ ଅନୁଭୂତ ହେଉଛି ା
ଏଠାରେ ସୂଚନାଯୋଗ୍ୟ, ୨୦୦୧ଠାରୁ ଆଜି ମଧ୍ୟରେ (୨୦୨୩) କେବଳ ଆମେରିକାର ସାମରିକ କାର୍ଯ୍ୟକଳାପ ହେତୁ ନିର୍ଗମନ ଘଟିଛି ଅଙ୍ଗାରକାମ୍ଳ ବାଷ୍ପ ସମେତ ପ୍ରାୟ ୧.୨ ବିଲିୟନ ଟନ୍‌ ସବୁଜଗୃହ ବାଷ୍ପ। ସେହିପରି ଏହା ଭିଏଟ୍‌ନାମ ଯୁଦ୍ଧ (୧୯୭୫) ଏବଂ ଉପମହାସାଗରୀୟ ଯୁଦ୍ଧ (୧୯୯୦)ରେ ଯଥାକ୍ରମେ ୧୦୯ ଏବଂ ୧୧୦ ସେହି ବାଷ୍ପର ନିର୍ଗମନ ଘଟାଇଛି। ଅନ୍ୟାନ୍ୟ ଦେଶ ଓ ସେମାନେ ଚଳାଇଥିବା ଯୁଦ୍ଧରେ ଏହାର ନିର୍ଦ୍ଦିଷ୍ଟ ଆକଳନ କରାଯାଇ ନ ଥିଲେ ହେଁ ଏଥିରୁ ତାହା ଅନୁମାନ କରିହେବ ା ଏହି କାରଣରୁ ବଢ଼ି ବଢ଼ି ଚାଲିଛି ବିଶ୍ୱର ତାପମାତ୍ରା ଏବଂ ଉଜୁଡି ଚାଲିଛି ପରିବେଶ ଓ ପରିସଂସ୍ଥା। ଏବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ତା’ର ନିରାପଦ ମାତ୍ରା ନିୟୁତ ଭାଗ ପ୍ରତି ୪୦୦କୁ ଅତିକ୍ରମ କରି ନିୟୁତ ଭାଗ ପ୍ରତି ୪୧୦-୪୨୦ରେ ପହଞ୍ଚିଯାଉଛି ା ପରିଣାମ ସ୍ବରୂପ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତରଠାରୁ ୧.୧୫ରୁ ୧.୨୫ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ା ଏହା ୧.୫ ଡିଗ୍ରୀ ଅତିକ୍ରମ କରିଗଲେ ପରିଣାମ ଭୟାବହ ହେବ ା ଯୁଦ୍ଧର ଏ କ୍ଷେତ୍ରକୁ ରହୁଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏ ସମସ୍ତ ଦୃଷ୍ଟିରୁ ବିଚାରକଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଯୁଦ୍ଧ ହେଉଛି ମଣିଷ ଜାତିର ସ୍ଥିତି ପ୍ରତି ଏକ ପ୍ରଚଣ୍ଡ ଆହ୍ବାନ ା ସେକଥା ବୁଝିବା ସତ୍ତ୍ୱେ ବି ମଣିଷ ସାଜୁଛି ତାହାର ଖଳନାୟକ ା
-ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri