ମୋ ସରକାର: ସ୍ବପ୍ନ ବଡ଼ ରାତି ଛୋଟ

ସହଦେବ ସାହୁ
ଗତ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ମୋ ସରକାର’ ଯୋଜନା ଅକ୍ଟୋବର ୨ରୁ ଚାଲୁ ହେଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତ ମହତ୍‌ ବୋଲି ସମସ୍ତେ କହିବେ, ମୋ ମତରେ ସେ ଗଣତନ୍ତ୍ରର ନୂଆ ସଂଜ୍ଞା ଦେଇଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ। ସମୟକୁ ଚାହିଁ ସେ ଯେଉଁ ୫-ଟି ଉପରେ ଜୋର୍‌ ଦେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। କିନ୍ତୁ ଏ ଦିଗରେ କେତେଗୁଡିଏ ବାଧା ରହିଛି ଯାହାକୁ ଅଧିକାରୀମାନେ ବାରମ୍ବାର ଉଠାଇବେ। ଉପରର କେତେକ କର୍ମଚାରୀ ଉଦ୍‌ବୁଦ୍ଧ ହେଲେ ବି ଯେ ପର୍ଯ୍ୟନ୍ତ ସବୁ କର୍ମଚାରୀ ଏବଂ ଶାସକ ଦଳର ପ୍ରତି ଲୋକ ସେମାନଙ୍କ କର୍ତ୍ତବ୍ୟ ଠିକ୍‌ଭାବେ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସଫଳତା ଆସିବ ନାହିଁ।
‘ମୋ ସରକାର’ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଜେ ଗାନ୍ଧୀ ଜୟନ୍ତୀରେ ପ୍ରଥମେ ଶହୀଦ ନଗର ଥାନା ଓ କ୍ୟାପିଟାଲ ହସ୍‌ପିଟାଲରେ ଦଶ ଦଶ ଜଣଙ୍କୁ ଫୋନ କରି ପଚାରିଛନ୍ତି ସେମାନଙ୍କ ଅଭିଜ୍ଞତା। ‘ମୋ ସରକାର’ ୱେବ୍‌ ସାଇଟ୍‌ରେ ସେମାନଙ୍କ ନମ୍ବର ମିଳିବ। ସବୁ ଥାନା ଓ ସବୁ ଜିଲା ମହକୁମାରେ ଥିବା ହସ୍ପିଟାଲରେ ପହଞ୍ଚୁଥିବା ନାଗରିକମାନଙ୍କଠାରୁ ଫୋନ୍‌ରେ ବୁଝିବେ। ଦ୍ୱିତୀୟ ପର୍ଯ୍ୟାୟରେ ସବୁ ବିଭାଗରେ ସେହି ପ୍ରକାର କାର୍ଯ୍ୟଧାରା ୨୦୨୦ ମାର୍ଚ୍ଚ ୫ରୁ ନିଆହେବ। ନାଗରିକ ସେବାରେ ଗୁଣବତ୍ତା ବଢ଼ାଇବା ଲାଗି ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ସମ୍ପୃକ୍ତ ରହିବେ। କ୍ୟାବିନେଟ୍‌ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ସିଧାସଳଖ ଲୋକଙ୍କ ସହ ଟେଲିଫୋନ୍‌ରେ କଥା ହେବେ। ସାଧାରଣ ନାଗରିକଙ୍କୁ ଡାଏଲ୍‌ କରି ଥାନା ଓ ଜିଲାମୁଖ୍ୟ ହସ୍‌ପିଟାଲରେ ସେମାନଙ୍କ ଅଭିଜ୍ଞତା ବିଷୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ସେମାନଙ୍କ ମତ ନେବେ। ଅଗଷ୍ଟ ୧୫ ଭାଷଣରେ ମୁଖ୍ୟମନ୍ତ୍ରୀ କହିଲେ ‘ମୁଁ ତ ତୁମ ମୁଖ୍ୟମନ୍ତ୍ରୀ। ମୁଁ ତୁମକୁ ସିଧା ଫୋନ୍‌ କରିବି, ହସ୍ପିଟାଲ, ଥାନା ଓ ସରକାରୀ ଦପ୍ତରମାନଙ୍କରେ ତୁମେମାନେ ପାଉଥିବା ବ୍ୟବହାର ବିଷୟରେ ପଚାରିବି। ପଞ୍ଚାୟତ ଅଫିସରେ ଦରଖାସ୍ତ କରିବାର ୪୮ ଘଣ୍ଟା ଭିତରେ ଗାଁରେ ବିଜୁଳି ସଂଯୋଗ ଦିଆଯିବ।’
ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣାକୁ ସମାଲୋଚନା କରୁଛନ୍ତି। ସେମାନଙ୍କ ମତରେ ରାଜ୍ୟରେ ତ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି, ମୁଖ୍ୟମନ୍ତ୍ରୀ ତ ଖୋଦ ଆୟୁଷ୍ମାନ ଭାରତ ଯୋଜନା ଗ୍ରହଣ କରୁନାହାନ୍ତି, ସେ କେମିତି ଲୋକଙ୍କ ଆପତ୍ତି ଶୁଣିବେ? ଅଧିକାଂଶ ଥାନା ତ ଲୋକଙ୍କ ଅପହଞ୍ଚ, ସେଠାରେ ଲୋକଙ୍କ ଦୁଃଖରୁ ପୋଲିସ ଫାଇଦା ଉଠାଉଛନ୍ତି। ଏଭଳି ଅବସ୍ଥାକୁ ସୁଧାରିବାକୁ ତ ‘ମୋ ସରକାର’ ଯୋଜନା! ଆରମ୍ଭ ନ ହେଉଣୁ ଦୋଷ ଦେବା ଠିକ୍‌ ହେବ ନାହିଁ।
ଅସଲ କଥାଟା ବିରୋଧୀ ଦଳମାନେ କହୁନାହାନ୍ତି। ୫- ଟି ଭିତରେ ଅଛି ଟେକ୍ନୋଲୋଜି, ତାହା ତ ଲୋକଙ୍କୁ ପୂରା ଛୁଇଁନାହିଁ, ସରକାର କେମିତି ସମସ୍ତଙ୍କ ମୁହଁରୁ ଶୁଣିବାକୁ କହୁଛନ୍ତି? ଓଡ଼ିଶାରେ ଟେଲିଡେନ୍ସିଟି (ପ୍ରତି ୧୦୦ ଲୋକରେ ଥିବା ଟେଲିଫୋନ କନେକ୍ସନ୍‌ ସଂଖ୍ୟା) ୭୯.୫୮, ତାହା ଜାତୀୟ ସ୍ତରର ୯୧.୦୯ଠାରୁ ବହୁତ କମ୍‌! ଟେଲିଡେନ୍ସିଟି ଅର୍ଥନୈତିକ ପ୍ରଗତିରେ ଉପରକୁ ଉଠିବାର ଏକ ବଡ଼ ଉପାୟ। କଥାବାର୍ତ୍ତା ହେବାର ଟେକ୍ନୋଲୋଜିରେ ବେତାର ସଂଯୋଗ ବା ୱାଇଫାଇ ଦରକାର, ତା’ ଲାଗି ପ୍ରୟୋଜନୀୟ ବ୍ୟବସ୍ଥା ହେଉଛି ସ୍ମାର୍ଟ ଫୋନ୍‌ ବା କମ୍ପ୍ୟୁଟର ଏବଂ ତାହା ସର୍ବଦା ବିଜୁଳି ସରବରାହ ନ ପାଇଲେ ଅଚଳ। ପଇସାବାଲା ବ୍ୟାଟେରି ବ୍ୟବହାର କରିବେ, ଆଉ କମ୍‌ ପଇସାବାଲା ଅପେକ୍ଷା କରିଥିବେ ବିଜୁଳି ଆସିବା ଯାଏ। ଓଡ଼ିଶାର ସହରରେ ବେତାର ଟେଲିଡେନ୍ସିଟି ୧୬୦.୮ ଅର୍ଥାତ୍‌ ପ୍ରତି ଶହେ ସହରବାସୀ ୧୬୦.୮ଟି ଫୋନ୍‌ ରଖିଛନ୍ତି, ମଫସଲରେ ଟେଲିଡେନ୍ସିଟି ୬୧.୬। ଓଡ଼ିଶାରେ ଇଣ୍ଟରନେଟ୍‌ ଗ୍ରାହକ ସଂଖ୍ୟା ୨୮.୨୨%, (ଜାତୀୟ ସଂଖ୍ୟା ୩୮.୦୨%): ଗାଁ ଗହଳରେ ୧୬% ଓ ସହରାଞ୍ଚଳରେ ୮୩.୩%। ସାରା ରାଜ୍ୟରେ ଇଣ୍ଟରନେଟ୍‌ ଗ୍ରାହକ ସଂଖ୍ୟା ୧,୨୧,୮୦,୦୦୦ ବୋଲି ଇକୋନମିକ୍‌ ସର୍ଭେ କହୁଛି। ପ୍ରତି ସ୍ମାର୍ଟ ମୋବାଇଲ ଗୋଟିଏ ଗୋଟିଏ ଇଣ୍ଟରନେଟ୍‌ ବ୍ୟବହାରକାରୀ, ତା’ ଛଡା କମ୍ପ୍ୟୁଟର ପାଇଁ ବି ଇଣ୍ଟରନେଟ୍‌। ତେଣୁ ଇଣ୍ଟରନେଟ୍‌ ବ୍ୟବହାରକାରୀ ବ୍ୟକ୍ତିଙ୍କ ସଂଖ୍ୟା ୫୦ ଲକ୍ଷରୁ ବେଶି ହେବ ନାହିଁ। ଏହା ଜନସଂଖ୍ୟାର ୮ ଭାଗରୁ ଭାଗେ। ଇକୋନମିକ୍‌ ସର୍ଭେ ଦେଖାଉଛି ମଫସଲରେ ୫୬ ଲକ୍ଷ ୭୦ ହଜାର, ହାରାହାରି ଦୁଇଟା ଫୋନ୍‌ ଉଚ୍ଚ ମଧ୍ୟବିତ୍ତ ପରିବାରର ଲୋକେ ବ୍ୟବହାର କରୁଛନ୍ତି, କଲେଜପଢ଼ୁଆ ପିଲାଏ ବି। ମଫସଲରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ପ୍ରାୟ ୨୫ ଲକ୍ଷରୁ ବେଶି ହେବେ ନାହିଁ। ୨୦୧୬-୧୭ରେ ଟେଲିକମ୍ୟୁନିକେଶନ୍‌ ବିଭାଗ ବ୍ଲକ୍‌ ଅଫିସରଙ୍କ ଜରିଆରେ କରିଥିବା ସର୍ଭେରୁ ଜଣାଯାଏ ଯେ ମୋଟ ୫୧,୩୧୧ ଗାଁ ଭିତରୁ ୧୧,୦୦୦ ଗାଁ ମୋବାଇଲ ସେବା ବିବର୍ଜିତ। ତହିଁରୁ ୧୦,୦୦୦ ଗାଁ ମାଓବାଦୀ ପ୍ରବଣ। ମୋବାଇଲ୍‌ ଟାୱାର୍‌ ସଂଖ୍ୟା ଏ ଅଞ୍ଚଳରେ ନ ବଢ଼ିଲେ ଟେଲିଡେନ୍ସିଟି ବଢ଼ିବ ନାହିଁ। ଏଥିଲାଗି ସ୍ବତନ୍ତ୍ର ଅର୍ଥ ବରାଦ ଦରକାର। ଏ ତ ସରକାର କହୁଥିବା ‘ସ୍ବାଭିମାନ ଅଞ୍ଚଳ’ର କଥା। ଟେଲିଡେନ୍ସିଟି ବଢ଼ାଇବା ପାଇଁ ଓଡ଼ିଶା ସରକାର ଓଡ଼ିଶା ମୋବାଇଲ୍‌ ଟାୱାର୍ସ, ଅପ୍ଟିକାଲ୍‌ ଫାଇବର କେବୁଲ ଆଣ୍ଡ ରିଲେଟେଡ୍‌ ଟେଲିକମ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ପଲିସି, ୨୦୧୭ ଘୋଷଣା କରିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ସୁବିଧା (ରାଇଟ୍‌ ଅଫ୍‌ ୱେ) ଅନୁମତି ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ ଓ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ପ୍ରୋଭାଇଡର୍‌ମାନଙ୍କୁ ଦେବେ। ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାର ଗାଁଗୁଡ଼ିକରେ ଟାୱାର୍ସ ବା ଅପ୍ଟିକାଲ୍‌ ଫାଇବର କେବୁଲ ବସାଇବାକୁ କେହି ଆସୁନାହାନ୍ତି। ସେଗୁଡିକରେ କ’ଣ କେବେ ‘ମୋ ସରକାର’ କାମ କରିବ ନାହିଁ? ‘ମୋ ସରକାର’ କ’ଣ କେବଳ ଧୋବଧାଉଳିଆ ଲୋକଙ୍କ ପାଇଁ?
ଏ ପରିସ୍ଥିତିରେ ଫୋନ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ କଥା ହେଉଥିବା କେତେଜଣ ତ ଛଙ୍କା ହୋଇ ଆସୁଥିବେ ଏବଂ ଶାସକ ଦଳର ଲୋକେ ତାଙ୍କ ସପକ୍ଷର ଲୋକଙ୍କୁ ଆଣିବାର ଚେଷ୍ଟାରେ ଥିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କଠାରୁ ସଂକ୍ଷେପରେ ଉତ୍ତର ପାଇବେ।
ଏ ଦିଗରେ ନବୀନ ପଟ୍ଟନାୟକ ନୂଆ ନୁହନ୍ତି। କେନ୍ଦ୍ର ସରକାର ଥାନାଗୁଡ଼ିକର ଗୁଣବତ୍ତା ପରୀକ୍ଷା ୨୦୧୭ରୁ ଆରମ୍ଭ କରିଦେଇଛନ୍ତି, କିନ୍ତୁ ବେଶି ଆଗେଇନାହାନ୍ତି। ଦେଶର ୧୫୦୦୦ ଥାନାକୁ (୧୦,୦୦୦ ସହରୀ ଓ ୫୦୦୦ ମଫସଲୀ; ତହିଁରୁ କେତେକ ନିର୍ଦ୍ଦିଷ୍ଟ କାମ ପାଇଁ ଥାନା, ସାଇବର୍‌, ମହିଳା ବା ଶିଶୁ) କେତେଗୁଡିଏ ମାନଦଣ୍ଡରେ ବର୍ଗୀକରଣ କରିବାର ପ୍ରଚେଷ୍ଟାରେ ଭାରତ ସରକାର କେଏମ୍‌ପିଜି, ପ୍ରାଇସ୍‌ ୱାଟର ହାଉସ୍‌ କୁପର୍ସ, ଡିଲୟେଟ୍‌, ଆର୍ନଷ୍ଟ ଆଣ୍ଡ ୟଙ୍ଗ ଏବଂ ଗ୍ରାଣ୍ଟ ଥର୍ଟନ୍‌ ଭଳି ଗ୍ଲୋବାଲ୍‌ କନ୍‌ସଲ୍‌ଟାନ୍ସି କମ୍ପାନୀଙ୍କୁ ଟେଣ୍ଡର ମାଗିଛନ୍ତି। ୨୦୧୫ରେ ଗୁଜରାଟର କଚ୍ଛଠାରେ ପୋଲିସ ଡିଜିମାନଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଥିଲେ ଯେ, ଭଲ କାମ ପାଇଁ ଦେଶର ଥାନାଗୁଡ଼ିକୁ ର଼୍ୟାଙ୍କିଂ ଦିଆଯାଉ, ତା’ହେଲେ ସେମାନଙ୍କ ଭିତରେ ଲୋକାଭିମୁଖୀ କାମ କରିବା ପାଇଁ ଆଗ୍ରହ ବଢ଼ିବ। ତଦନୁଯାୟୀ ସ୍କିମ୍‌ଟିଏ କରାଗଲା ଯେ ପ୍ରତି ରାଜ୍ୟର ସର୍ବୋତ୍ତମ ୧୦ଟି ଥାନା ଚିହ୍ନଟ କରାଯାଉ। ଦୁଇ ସ୍ତରୀୟ ଚିହ୍ନଟରେ ପ୍ରଥମ ହେବ ନାରୀ ସମ୍ପର୍କିତ ଅପରାଧ, ଅନୁସୂଚିତ ଜାତି ଓ ଉପଜାତି ସମ୍ପର୍କିତ ଅପରାଧ ଏବଂ ସମ୍ପତ୍ତି ସମ୍ପର୍କିତ ଅପରାଧର ଏତଲା କିପରି ତଦନ୍ତ କରାଯାଇଛି। ଦ୍ୱିତୀୟ ସ୍ତରର ଦୁଇଟି ଯାଞ୍ଚରେ ମାମଲା କିପରି ଧରିଲେ ଓ ସାରିଲେ, ରେକର୍ଡ କିପରି ରଖୁଛନ୍ତି ଆଦି ଦେଖାଯିବ। ଏଥିରେ ୮୦% ମାର୍କ ରହିବ, ବାକି ୨୦% ନାଗରିକମାନଙ୍କ ସହ ବ୍ୟବହାର ସମ୍ପର୍କରେ। ତିନି ଭାଗରେ ଯଥା- ଥାନାରୁ ଫେରିଥିବା ବ୍ୟକ୍ତି, ବଜାରର ଦୋକାନୀ ଏବଂ ସାଧାରଣ ପଦଚାରୀଙ୍କ ମତ ନିଆଯିବ। ଅଧିକ ମାର୍କ ଅଛି ପିଲାଙ୍କ ପାଇଁ କୋଠରି, କାନ୍ଥରେ ଚିତ୍ର, ପାଠାଗାର, ବ୍ୟାୟାମଶାଳା ଥିବା ଉପରେ। ୨୦୧୭ରେ କୋଏମ୍ବାଟୁରର ଆର୍‌ଏସ୍‌ ପୁରମ୍‌, ହାଇଦ୍ରାବାଦର ପଞ୍ଜାଗୁଟ୍ଟା ଓ ଲକ୍ଷ୍ନୌର ଗୁଡାମ୍ମା ୧ମ, ୨ୟ ଓ ୩ୟ ହୋଇଥିଲେ। ୨୦୧୮ରେ ରାଜସ୍ଥାନର କାଲୁ, ଆଣ୍ଡାମାନ ନିକୋବରର କାମ୍ପବେଲ୍‌ ବେ ଥାନା ଏବଂ ପଶ୍ଚିମବଙ୍ଗର ଫରାକ୍କା ଯଥାକ୍ରମେ ୧ମ, ୨ୟ ଓ ୩ୟ ହୋଇଥିଲେ। ଏହାର ଅନୁସରଣରେ ଆମ ରାଜ୍ୟର ‘ମୋ ସରକାର’ ଯୋଜନାରେ ପୋଲିସଠାରୁ ଆରମ୍ଭ କରି ସବୁ ସରକାରୀ କାମରେ କେତେଦୂର ଲୋକେ ସନ୍ତୁଷ୍ଟ ତାହା ଜାଣି ସଂଶୋଧନମୂଳକ ପଦକ୍ଷେପ ନେବା କଥା। ସ୍ବପ୍ନ ତ ଅନେକ, ରାତି ଛୋଟକୁ ଗଣ୍ଡଗୋଳ କରିବା ଲୋକଙ୍କ ସଂଖ୍ୟା ଖୁବ୍‌ ବେଶି। ‘ମୋ ସରକାର’ କି ଭଳି କାମ କରୁଛି ତାହା ସମୟ କହିବ। ଏବେ ତ ଆରମ୍ଭ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri