Posted inଖେଳ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୨୦ ଓଭରରେ ୯ ଉଇକେଟ ହରାଇ ୧୨୮ ରନରେ ସୀମିତ ରହି ଆତ୍ମସମର୍ପଣ କରିଥିଲା। ଦ୍ରୁତ ୩୨ ରନ କରିବା ସହ ୧୭ ରନ ବ୍ୟୟ କରି ଗୋଟିଏ ଉଇକେଟ ଅକ୍ତିଆର କରିଥିବା ମୁମ୍ବାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ମୁମ୍ବାଇ ଦିଲ୍ଲୀକୁ ହଟାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମୁମ୍ବାଇ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୬ ବିଜୟ ଓ ୩ ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୪ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଖସିଛି।

୧୬୯ ରନ ଆଭରେଜ୍‌ ଟାର୍ଗେଟର ପିଛା କରି ଦିଲ୍ଲୀ ଭଲ ଆରମ୍ଭ କରିଥିଲେ ମଧ୍ୟ ପରେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନିଂ ଯୋଡିରେ ପୃଥ୍ବୀ ଶ ଓ ଅଭିଜ୍ଞ ଶିଖର ଧାଓ୍ବନ୍‌ ୩୯ ବଲରୁ ୪୯ ରନ ସଂଗ୍ରହ କରିଥିଲେ। ୨୨ଟି ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହ ୩୫ ରନ କରି ଧାଓ୍ବନ ଆଉଟ ହେବା ପରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ହୋଇଥିଲା। ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ପୃଥ୍ବୀ ୨୦, ଅକ୍ଷର ପଟେଲ ୨୬, କ୍ରିସ୍‌ ମୋରିସ ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। କଲିନ୍‌ ମୁନରୋ ୩, ଅଧିନାୟକ ଶ୍ରେୟାସ ଆୟର ୩, ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୭, କାଗିସୋ ରାବାଡ଼ା ୯ ରନ କରି ଆଉଟ ହୋଇଥିବା ବେଳେ କିମୋ ପଲ ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ୍‌ ହୋଇଥିଲେ। ଅମିତ୍‌ ମିଶ୍ରା ୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ମୁମ୍ବାଇ ତରଫରୁ ରାହୁଲ ଚହର ୩, ଯଶପ୍ରୀତ ବୁମ୍‌ରା ୨, ହାର୍ଦ୍ଦିକ ପାଣ୍ଡ୍ୟା, ଲସିଥ ମାଲିଙ୍ଗା, କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଜବରଦସ୍ତ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ଓପ୍‌ନିଂ ଯୋଡିରେ ୩୭ ବଲରୁ ୫୭ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ସ୍ବଳ୍ପ ରନ୍‌ ମଧ୍ୟରେ ୩ଟି ଉଇକେଟର ପତନ ହେବାରୁ ରନ୍‌ ସଂଗ୍ରହ ହାର କମିଥିଲା। ରୋହିତ୍‌ ୩୦ ରନ (୨୨ବଲ, ୩ ଚୌକା, ୧ ଛକା), ବେନ୍‌ କଟିଂ ୨ ରନ କରି ଯଥାକ୍ରମେ ଅମିତ୍‌ ମିଶ୍ରା, ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଡିକକ୍‌ ୨୭ ବଲରୁ ୨ ଚୌକା ଓ ୨ ଛକା ସହାୟତାରେ ୩୫ ରନକରି ଜମିଆସୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୨୭ ବଲରୁ ୨୬ ରନ କରି  କାଗିସୋ ରାବାଡ଼ାଙ୍କ ଶିକାର ହୋଇଥିଲେ। ୧୫.୧ ଓଭରରେ ୪ ଉଇକେଟ ହରାଇ ଦଳ ମାତ୍ର ୧୦୪ ରନ ସଂଗ୍ରହ କରିଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଦୁଇ ଭାଇ ହାର୍ଦ୍ଦିକ ଓ କ୍ରୁନାଲ ପାଣ୍ଡ୍ୟା ମାତ୍ର ୨୬ଟି ବଲରୁ ଦ୍ରୁତ ୫୪ ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ୧୫ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ୩ ଛକା ସହ ୩୨ ରନ କରି ହାର୍ଦ୍ଦିକ ଉଇକେଟକିପର ପନ୍ତଙ୍କୁ କ୍ୟାଚ୍‌ ଦେଇ ରାବାଡ଼ାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୨୬ ବଲରୁ ୫ ଚୌକା ସହ ୩୭ ରନ କରି କ୍ରୁନାଲ ଅପରାଜିତ ରହିଥିଲେ। କିରନ ପୋଲାର୍ଡ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ରାବାଡ଼ା ୨, ମିଶ୍ରା ଓ ଅକ୍ଷର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୮/୫

(କ୍ରୁନାଲ- ୩୭*, ଡିକକ୍‌- ୩୫, ହାର୍ଦ୍ଦିକ- ୩୨, ରୋହିତ- ୩୦, ସୂର୍ଯ୍ୟକୁମାର- ୨୬, ରାବାଡ଼ା- ୨/୩୮, ମିଶ୍ରା-୧/୧୮, ଅକ୍ଷର- ୧/୧୭)।

ଦିଲ୍ଲୀ କ୍ୟାପିଟାଲ ୨୦ ଓଭରରେ ୧୨୮/୯

(ଧାଓ୍ବନ- ୩୫, ଅକ୍ଷର- ୨୬, ପୃଥ୍ବୀ- ୨୦, ମୋରିସ- ୧୧, ଚହର- ୩/୧୯, ବୁମ୍‌ରା- ୨/୧୮)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri