![](https://www.dharitri.com/wp-content/uploads/2019/08/bjp.jpeg)
ଭୁବନେଶ୍ୱର,୨୧।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଗତ ସୋମବାର ଦାୟିତ୍ୱ ନେବାପରେ ରକେଟ ବେଗରେ ସମସ୍ତ ସରକାରୀ ଫାଇଲ ଦୌଡିବ, ଆଗକୁ ସରକାରୀ ଦପ୍ତରରେ କୌଣସି ଫାଇଲ ଅଟକିବନି ବୋଲି କହିଥିଲେ। ତାଙ୍କର ଏଭଳି ଉକ୍ତିକୁ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୋଲକ କହିଛନ୍ତି, ଏହା ଏକ ସ୍ବାଗତ ଯୋଗ୍ୟ କଥା। କିନ୍ତୁ ଦୀର୍ଘଦିନ ଧରି ଦାୟିତ୍ୱ ନିର୍ବାହ କରିବା ସମୟରେ କିଏ ଓ କାହିଁକି ଫାଇଲକୁ ରକେଟ ଗତିରେ ଦୌଡ଼ାଇବା ପାଇଁ ମନା କରିଥିଲା ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କୁନ୍ଦୁଲି ଏବଂ ପିପିଲି ଗଣବଳାତ୍କାର ଘଟଣାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏପରି ତଦନ୍ତ କରିଲା ଓ ଗୃହ ବିଭାଗ ଏପରି ଭାବେ ମାମଲା ଲଢିଲା ଯେ, ଶେଷରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଗଲେ। ସେତେବେଳେ ଗୃହ ବିଭାଗ ଦାୟିତ୍ୱରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିଲେ। ଗତ ୨୦ ବର୍ଷ ଧରି ଯେଉଁ ବାବୁମାନେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ ଫାଇଲକୁ ଦୌଉଡାଇବା ପାଇଁ ସେମାନଙ୍କୁ କିଏ ମନା କରିଥିଲା ବୋଲି ସେ ପଚାରିଛନ୍ତି। ଗତକାଲି ଯେଉଁ ପୁଞ୍ଜି ବିନିଯୋଗ ଫାଇଲକୁ କ୍ଲିଅର କଲୁ ବୋଲି ଘୋଷଣା କରାଯାଇଛି ତାହା କେବଳ ରାଜ୍ୟ ସରକାର ଜମି ଦେବାରେ ବିଳମ୍ବ କରିବା ଯୋଗୁ ୩ବର୍ଷରୁ ଅଧିକ ସମୟ ଅଟକି ରହିଥିଲା ବୋଲି ଗୋଲକ କହିଛନ୍ତି।