ମାରୁଛି ଗୁଜବ

କରୋନା ଭୂତାଣୁର ଜନ୍ମପୀଠ ଚାଇନାର ଉହାନ ହୋଇଥିଲେ ମଧ୍ୟ ଏହା ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି। ଭାରତରେ ୩୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦ ଅତିକ୍ରମ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଅନ୍ୟତମ ହଟ୍‌ସ୍ପଟ୍‌ ଇଲାକା ହୋଇଥିବାରୁ ସେଠାରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଅନେକ ପଦକ୍ଷେପ ନିଆଯାଉଛି। ଏଭଳି ସମୟରେ କେତେକ ଲୋକ କରୋନା ଭୂତାଣୁକୁ ପ୍ରକୃତିର ରୋଷ ବା ଭଗବାନଙ୍କ ଅଭିଶାପ ଭାବେ ପୃଥିବୀପୃଷ୍ଠକୁ ପଠାଯାଇଥିବା କହୁଛନ୍ତି। ଭାରତରେ ସାଧାରଣତଃ ଦେଖାଯାଇଛି ଯେ, କୌଣସି ବିପତ୍ତି ବା ମହାମାରୀ ଆସି ଲୋକଙ୍କ ଜୀବନ ନେଇଗଲେ ଅନେକେ ଭବିଷ୍ୟବକ୍ତା ପାଲଟିଯାଆନ୍ତି। ଆଜିର ସୋସିଆଲ ମିଡିଆ ଯୁଗରେ ଅସତ୍ୟ ଖବର ପ୍ରସାର କରିବା ଅତ୍ୟନ୍ତ ସହଜ ହୋଇପଡ଼ିଛି। ଏହାର ସଦ୍ୟତମ ଦୃଷ୍ଟାନ୍ତ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ୧୨ ଏପ୍ରିଲରେ ହୋଇଥିବା ଭୂକମ୍ପକୁ ନିଆଯାଇପାରେ। ୩.୫ ତୀବ୍ରତା ବିଶିଷ୍ଟ ଏହି ମୃଦୁ ଭୂମିକମ୍ପ ଯୋଗୁ କାହାରି ମୃତ୍ୟୁ ଘଟି ନ ଥିବା ବେଳେ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇନାହିଁ। କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ ମେସେଜ୍‌ ଭାଇରାଲ ହୋଇଥିଲା ଯେ, ଆମେରିକାର ମହାକାଶ ସଂସ୍ଥା ‘ନାସା’ ଅନୁମାନ ଲଗାଇଛି ଦିଲ୍ଲୀରେ ୭ ଏପ୍ରିଲରୁ ୧୫ ଏପ୍ରିଲ ମଧ୍ୟରେ ଭୂମିକମ୍ପ ହେବ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସଂଯୋଗବଶତଃ ୧୨ ଏପ୍ରିଲରେ ଦିଲ୍ଲୀରେ ଭୂକମ୍ପ ହୋଇଯାଇଥିବାରୁ କରୋନା ଭୂତାଣୁ ସଂକ୍ରମଣ ସହ ଏହାକୁ ଯୋଡ଼ାଯାଇ କୁହାଯାଉଛି ଯେ, ଦେଶକୁ ଅଧିକ ବିପତ୍ତି ମାଡ଼ିଆସୁଛି। ବାସ୍ତବରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ୪ ନମ୍ବର ଭୂକମ୍ପ ପ୍ରବଣ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ଏଭଳି ଭୂକମ୍ପ ହେବା ନୂଆ କଥା ନୁହେଁ। ଅଥଚ ‘ତିଳକୁ ତାଳ କରିବା’ ଭଳି ମିଥ୍ୟା ଖବର ପ୍ରଚାର କରାଯିବା ଦ୍ୱାରା ଲୋକଙ୍କ ମନରେ ଶଙ୍କା ପଶିବା ସ୍ବାଭାବିକ। ସେହିଭଳି ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଭବିଷ୍ୟଦ୍ରଷ୍ଟା ଅଚ୍ୟୁତାନନ୍ଦଙ୍କ ରଚିତ ‘ମାଳିକା’ ବିଷୟରେ ଅନେକ ଅବାଞ୍ଛିତ କଥା କୁହାଯାଉଛି। ଦୁନିଆରେ ପାପର ଭାର ବଢ଼ିଗଲେ ଲୋକଙ୍କୁ ବିନାଶ କରିବା ପାଇଁ ଭଗବାନ କୁଆଡ଼େ ‘କଳ୍‌କୀ’ ରୂପରେ ଆସିବା ପୂର୍ବରୁ ଏଭଳି ଅନିଷ୍ଟ କଲେଣି ବୋଲି ଚର୍ଚ୍ଚା ହେଉଛି।
ବାସ୍ତବରେ ଉପରଲିଖିତ ବିଷୟକୁ ତର୍ଜମା କଲେ ସତ୍ୟତା ପରଖିବା କଷ୍ଟକର ନୁହେଁ। ଗୁଜବ ବା ମିଥ୍ୟା ଖବର ପ୍ରସାର କରାଯିବା ଦ୍ୱାରା ଚାରିଆଡ଼େ ଭୟ ଖେଳିଯାଉଛି। କରୋନା ଭୂତାଣୁ ଆସିବା ପୂର୍ବରୁ କଲେରା ବା ହଇଜା, ହାଡ଼ଫୁଟି, ବସନ୍ତ ଭଳି ଅନେକ ରୋଗ ଲୋକଙ୍କୁ ବେମାରରେ ପକାଇ ଜୀବନ ନେଇଛି। ସମୟ ବ୍ୟବଧାନରେ ଏହିସବୁ ରୋଗ ପୁଣି ପୃଥିବୀର କେଉଁଠି ନା କେଉଁଠିକୁ ଆସୁଛି। ଲକ୍‌ଡାଉନ ଅବଧି ଶେଷ ହେବା ପରେ କୋଭିଡ୍‌-୧୯ ଯେ ପୃଥିବୀପୃଷ୍ଠରୁ ଲୋପ ପାଇଯିବ ଭାବିବା ଠିକ୍‌ ନୁହେଁ। କାରଣ ଏହା ଏକ ମନୁଷ୍ୟକୃତ ଭୂତାଣୁ ହୋଇଥିବାରୁ ମଝିରେ ମଝିରେ ଫେରିବ। କେତେକେ କହିଲେଣି ପ୍ରକୃତିର କ୍ରୋଧରୁ ଏହା ଉତ୍ପନ୍ନ ହୋଇଛି। କିନ୍ତୁ ଏହାର କୌଣସି ପ୍ରକୃତିଗତ ଆଧାର ନାହିଁ। ଚାଇନାର ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ କରୋନା ବାହାରିଥିବା ନେଇ ଯେଉଁ ରିପୋର୍ଟ ପୂର୍ବରୁ ପ୍ରକାଶ ପାଇଥିଲା, ଗବେଷକମାନେ ତାହା ଉପରେ ଜୋରଦାର ଅନୁଧ୍ୟାନ କରୁଛନ୍ତି। ଅତୀତକୁ ଦେଖିଲେ କଲେରା ଅନେକ ଲୋକଙ୍କ ଜୀବନ ନେଇଥିଲା। ସମସ୍ତେ ଭାବୁଥିଲେ ଏହା ଆଉ ଫେରିବ ନାହିଁ। କିନ୍ତୁ ଆଫ୍ରିକାର ଅନେକ ଅଞ୍ଚଳରେ ଏବେ ମଧ୍ୟ ଏହା ଲୋକଙ୍କ ପ୍ରାଣ ନେଉଛି। ଭାରତରେ ଆଜି ମଧ୍ୟ ଅନେକ ସ୍ଥାନରେ ବିଭିନ୍ନ ଅଚିହ୍ନା ରୋଗ ଯୋଗୁ ଲୋକଙ୍କ ପ୍ରାଣହାନି ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଚିହ୍ନା ରୋଗକୁ ସାଧାରଣରେ ଭୟ କରିବା କଥା। କିନ୍ତୁ ତା’ ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ କିମ୍ବା କୌଣସି ସତର୍କତା ଅବଲମ୍ବନ କରନ୍ତି ନାହିଁ। ଗଣମାଧ୍ୟମର ଆଧୁନିକ ପ୍ରଣାଳୀ ଯୋଗୁ କୋଭିଡ-୧୯ ଏକ ବହୁଳ ଆଲୋଚିତ ବିଷୟ ପାଲଟିଛି। ୟୁରୋପରୁ ଜନ୍ମିଥିବା ସ୍ପାନିଶ ଫ୍ଲୁ ଯୋଗୁ ଭାରତରେ ସେତେବେଳେ ପ୍ରାୟ ୧ କୋଟି ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ ବିଂଶ ଶତାବ୍ଦୀର ଆରମ୍ଭରେ ଗଣମାଧ୍ୟମର ପ୍ରସାର ଅତ୍ୟନ୍ତ ସୀମିତ ଥିବା ହେତୁ ଆଜିର କୋଭିଡ୍‌-୧୯ ଭଳି ଭୟ ସେତେବେଳେ ଜଣାପଡ଼ି ନ ଥିଲା। ସ୍ପାନିଶ ଫ୍ଲୁ ସମୟରେ ପ୍ରବଳ ଭୟ ସୃଷ୍ଟି ହୋଇ ନ ଥିଲା ବୋଲି ସେହି ସମୟର ଅନେକ ଲେଖାରୁ ବୁଝାପଡୁଛି। ଉଲ୍ଲେଖଯୋଗ୍ୟ ଯେ, ସ୍ପାନିଶ ଫ୍ଲୁରେ ସେତେବେଳେ ପୃଥିବୀରେ ୫ କୋଟି ଲୋକଙ୍କର ପ୍ରାଣହାନି ଘଟିଥିଲା। ଅଦ୍ୟାବଧି କୋଭିଡ୍‌-୧୯ ଯୋଗୁ ବିଶ୍ୱରେ ୧ ଲକ୍ଷ ୧୩ ହଜାର ଲୋକଙ୍କ ଜୀବନ ଯାଇଛି।
ଏକବିଂଶ ଶତାବ୍ଦୀରେ ଜଣେ ନାଗରିକଙ୍କ ମୃତ୍ୟୁ ଗୁରୁତ୍ୱ ରଖିଥାଏ। ଅପରପକ୍ଷରେ ଆମ ଦେଶରେ ରାସ୍ତା ଦୁର୍ଘଟଣାରେ ପ୍ରତ୍ୟେକ ବର୍ଷ ଘଟୁଥିବା ମୃତ୍ୟୁ ସଂଖ୍ୟା କୋଭିଡ୍‌-୧୯ ଠାରୁ ଯଥେଷ୍ଟ ଅଧିକ। ତଥାପି ଆମ ଦେଶବାସୀ ସତର୍କତାର ସହ ଗାଡ଼ି ଚଳାଇବା କଥା ଚିନ୍ତା କରନ୍ତି ନାହଁ। କୌଣସି ମୃତ୍ୟୁକୁ ନୂ୍ୟନ କରି ଦେଖାଇବାର ଉଦ୍ଦେଶ୍ୟ ରଖାଯାଇ ନ ଥିଲେ ମଧ୍ୟ ଭାରତର ଜନସଂଖ୍ୟାକୁ ଦେଖିଲେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ରୋଗୀ ଏବଂ ତନ୍ମଧ୍ୟରୁ ମୃତ୍ୟୁସଂଖ୍ୟାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡୁଛି। ତାହା ତୁଳନାରେ ସୃଷ୍ଟି ହୋଇଥିବା ଭୟ ଅଧା ଲୋକଙ୍କୁ ମାରି ସାରିଲାଣି। ଏହି ଭୟ ସୃଷ୍ଟି କରିବା ପାଇଁ ନିଶ୍ଚିତ ଭାବେ ଗୋଷ୍ଠୀବଦ୍ଧ ହୋଇ କେତେକ ସ୍ବାର୍ଥପର ଶକ୍ତି ଏଭଳି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଦେଶବାସୀ ଭୟଭୀତ ହୋଇ ରହିଲେ ଅର୍ଥନୀତିର ମଙ୍ଗ ଧରିବାଠାରୁ ଆରମ୍ଭକରି ସେମାନଙ୍କ ଉପରେ ଶାସନ କରିବା ସହଜ ହୋଇଯାଉଛି। ଏହି ଭିତିରି କଥାକୁ ସାଧାରଣ ନାଗରିକ ବୁଝିବାକୁ ଅସମର୍ଥ। କେହି ବୁଝାଇବାକୁ ଚାହିଁଲେ ମଧ୍ୟ ତାହାକୁ ଶୁଣିବା ପାଇଁ କେହି ପ୍ରସ୍ତୁତ ନାହାନ୍ତି। ଶେଷରେ ଏତିକି କୁହାଯାଇପାରିବ ଯେ, ଲକ୍‌ଡାଉନ୍‌ ଶେଷ ହେବା ପରେ ମଧ୍ୟ କୋଭିଡ୍‌-୧୯ ଜୀବିତ ରହିବ ଏବଂ କେଉଁଠାରେ କାହାକୁ ଗ୍ରାସ କରିବ କହିବା କଷ୍ଟକର। ଅପରପଟେ ଲକ୍‌ଡାଉନ୍‌ ଉଠିବା ପରେ ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ସେ ଦିଗକୁ ଧ୍ୟାନ ଦେବା ପାଇଁ ସମସ୍ତେ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri