ମନ ଫେରୁଛି ବହିକୁ

ଉପେନ୍ଦ୍ର ବିଶ୍ୱାଳ

ଦୈନିକ ‘ଧରିତ୍ରୀ’ର ଲେଖିକା ଓ ଲେଖକମାନଙ୍କର ଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ। ସମ୍ମାନନୀୟ ସମ୍ପାଦକ ସଭିଙ୍କ ସାମ୍ନାରେ ସୁନ୍ଦର କଥାଟିଏ ରଖିଥିଲେ ସେଦିନ। କେମିତି ବଢ଼ାଯାଇ ପାରିବ ପଠନ ପ୍ରୀତି ଓ ପାଠକଙ୍କ ସଂଖ୍ୟା- ଏହିପରି ଏକ ଆତ୍ମିକ ଆବେଦନ ଥିଲା ତାଙ୍କର। ବାସ୍ତବରେ ଦିନକୁ ଦିନ ବଢ଼ି ଚାଲିଛି ପତ୍ରପତ୍ରିକା ସଂଖ୍ୟା। ବଢ଼ି ଚାଲିଛି ବି ବହି ଛପା। ମାତ୍ର ବଢ଼ୁନି ପାଠକ ସଂଖ୍ୟା। ବରଂ ସମ୍ମୋହିତ କରିଚାଲିଛି ସାମାଜିକ ଗଣମାଧ୍ୟମ। ଦୁନିଆର ଦୃଶ୍ୟପଟରେ ଗ୍ରନ୍ଥର ଗୁରୁତ୍ୱକୁ ଯେ ଦେଶ ଯେମିତି ବୁଝିଛି, ସେ ଦେଶ ସେମିତି ସୁରଭିତ ହୋଇଛି। ବହିକୁ ବେଖାତିର କରୁଥିବା ସମାଜ ସତ୍ୟାନାଶକୁ ସାମ୍ନା କରିଛି ସମୟାନ୍ତରରେ। ବହି ହିଁ ଆମକୁ ବାଟ ଦେଖାଇଥାଏ ଆଗକୁ ବଢ଼ିବାରେ। ସାହିତ୍ୟ ହିଁ ସାହାରା ସାଜେ ସୁସ୍ଥ ସମାଜ ଗଠନରେ। ପଠନପ୍ରିୟ ମଣିଷ ଆଗକୁ ବଢ଼େ ଓ ଜାତିକୁ ଗଢ଼େ। ଏହି କଥାକୁ ଆମ ଆଖିରେ ଆଙ୍ଗୁଠି ଗେଞ୍ଜି କହି ଚାଲିଛନ୍ତି ଆଇସ୍‌ଲାଣ୍ଡ (୩ ଲକ୍ଷ ୬୦ ହଜାର ଲୋକ, ନୋବେଲ ସଂଖ୍ୟା ୧), ଫିନ୍‌ଲାଣ୍ଡ (୫୭ ଲକ୍ଷ ଲୋକ, ନୋବେଲ ୫), ଇସ୍ରାଏଲ (୮୮ ଲକ୍ଷ ଲୋକ, ୧୩ଟି ନୋବେଲ), ନେଦରଲାଣ୍ଡ (୨ କୋଟିରୁ କମ୍‌, ୨୦ଟି ନୋବେଲ), ସୁଇଜରଲାଣ୍ଡ (୧କୋଟିରୁ କମ୍‌, ୨୯ଟି ନୋବେଲ), ଜାପାନ (୪ କୋଟିରୁ କମ୍‌, ୨୭ଟି ନୋବେଲ) ଆଦି କ୍ଷୁଦ୍ରାତିକ୍ଷୁଦ୍ର ସୁଖସମୃଦ୍ଧିଭରା ଦେଶଗୁଡ଼ିକ। ପଢ଼ିଲେ ବଢ଼ିବା, ଜାଣିଲେ ଜିଣିବା- ଏହି ମନ୍ତ୍ରରେ ଅଭିମନ୍ତ୍ରିତ ସେ ମାଟିର ମଣିଷମାନେ।
ଭୂମିକୁ ବିଭାଯୁକ୍ତ କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଛି ବହିର ବନ୍ଦନା। ଆଣ୍ଡ୍ରଏଡ୍‌ ମୋବାଇଲ ଆମ ହାତକୁ କାବୁକରି ରଖୁଥିଲାବେଳେ ବହି ଶୋଭା ପାଇଥାଏ ସେମାନଙ୍କ ହାତରେ। ଫୁରସତ୍‌ ପାଇଲା କ୍ଷଣି ପ୍ରତିଟି କ୍ଷଣର ସଦୁପଯୋଗ କରିଥାଆନ୍ତି ପଢ଼ିବାରେ। ପ୍ରତିଟି ପ୍ରାଣ ପୁସ୍ତକର ପୂଜାରୀ। ସମୟର ଅଯଥା ଅପଚୟ ଅପରାଧ ତାଙ୍କ ପାଇଁ। ଅଧ୍ୟୟନ ଓ ଅଧ୍ୟବସାୟକୁ ସେମାନେ ଅଳଙ୍କୃତ କରୁଥିଲାବେଳେ ଆଣ୍ଡ୍ରଏଡ୍‌ ଫୋନ୍‌ ଆମର ଅଙ୍ଗସାଥୀ ସାଜୁଛି। ଦୈନିକ ପ୍ରାୟ ୫ ଘଣ୍ଟା (ଦ୍ୱିତୀୟ ସର୍ବାଧିକ) ଆମେ ବନ୍ଧା ହୋଇ ରହୁ ସାମାଜିକ ଗଣମାଧ୍ୟମରେ। ଅନ୍ଧାରରାତିର ସୂର୍ଯ୍ୟସମ ଆଶାର ଆଲୋକ କିନ୍ତୁ ଦେଖିବାକୁ ମିଳିଲାଣି ଆଜି। ସାମାଜିକ ଗଣମାଧ୍ୟମର ଦୁଷ୍ପ୍ରଭାବକୁ ହୃଦୟଙ୍ଗମ କରି ଏ ମଣିଷ ଆଦରିବାକୁ ବସିଲାଣି ବହିକୁ। ଅଧ୍ୟୟନରୁ ଅମୃତ ଆସ୍ବାଦନର ଅଭିଯାନ ବି ଆରମ୍ଭ ହୋଇଛି। ପୋଲିସ ପ୍ରଶାସକ ପାଟିଲ ହୁଅନ୍ତୁ ବା କେରଳୀ କନ୍ୟା ଅଜନା ନାଜିମ୍‌, ପଦ୍ମ ସମ୍ମାନରେ ସମ୍ମାନିତ ସାହିତ୍ୟ ସାରଥି ସତ୍ୟନାରାୟଣ ଅବା ଓଡ଼ିଶାର ଦୁଇ ଯୁବକ ପ୍ରଫୁଲ୍ଲ ମହାନ୍ତି ଏବଂ ସଞ୍ଜୟ ନାୟକ ହୁଅନ୍ତୁ, ଏମାନଙ୍କର ଅଭିଯାନ ଅତ୍ୟନ୍ତ ଅଭିନନ୍ଦନୀୟ।
ମହାରାଷ୍ଟ୍ରର ଯୁବ ଆଇପିଏସ୍‌ ସନ୍ଦୀପ ପାଟିଲ। ନକ୍ସଲପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଏଇ ଯୁବ ଏସ୍‌ପି ଜଣକ ଚାକିରି ଆରମ୍ଭରୁ ବହିକୁ ହିଁ ବାଛିଛନ୍ତି ଉତ୍କୃଷ୍ଟ ଉପହାର ଭାବେ। ଏପରି କି ଫୁଲତୋଡ଼ା ବି ଗ୍ରହଣ କରନ୍ତିନି କାହାରିଠୁ। ବହିଗୁଡ଼ିକୁ ନେଇ ବାଣ୍ଟିଥାଆନ୍ତି ବିଦ୍ୟାଳୟ/ମହାବିଦ୍ୟାଳୟମାନଙ୍କରେ। ବହିର ଭଣ୍ଡାରରେ ବି ସମୃଦ୍ଧ କରିଛନ୍ତି ତାଙ୍କ ଅଧୀନ ଥାନା ଓ ଜେଲଖାନାଗୁଡ଼ିକୁ। ଫଳତଃ ସେଠିକାର ଲୋକଙ୍କଠି ବଢ଼ିଛି ବହିପ୍ରୀତି, ବଢ଼ିଛି ପଠନ ପ୍ରବୃତ୍ତି। ଅନ୍ୟ ଏକ ଅନନ୍ୟ ଉଦାହରଣ ଅଟନ୍ତି ଅଜନା। ମୁସ୍‌ଲିମ୍‌ ସମାଜର ପ୍ରଥାନୁଯାୟୀ ‘ମେହେର’ ପର୍ବଟି ପାଳନ କରାଯାଇଥାଏ ବାହାଘର ପୂର୍ବରୁ। ଈପ୍ସିତ ସମ୍ପତ୍ତି ବା ସାମଗ୍ରୀକୁ ପବିତ୍ର ମନରେ ପୂର୍ତ୍ତି କରିଥାଏ ଭାବୀ ପତି। କୋଲ୍ଲାସ ଜିଲାର କନ୍ୟାରତ୍ନଟି ସମ୍ପତ୍ତି ବା ଦାମିକା ସାମଗ୍ରୀ ପରିବର୍ତ୍ତେ ଭଲ ଭଲ ୮୦ଟି ବହି ପାଇବାକୁ ଇଚ୍ଛା ବାଢ଼ିଥିଲେ, ସଫ୍ଟୱେର ଇଞ୍ଜିନିୟର ଥିବା ଭାବୀ ବର ରଜାକ୍‌ ହାକିମଙ୍କଠାରେ। ସେ ମଧ୍ୟ ଏପରି ଭବ୍ୟ ଭାବନାରେ ଭିଜି ଗୀତା ସମେତ ୯୬ଟି ବହି ଭେଟି ଦେଇଥିଲେ ପତ୍ନୀଙ୍କୁ। କେବଳ ଏତିକି ନୁହଁ, ପଠନପ୍ରିୟା ପତ୍ନୀକୁ ଉତ୍ସାହିତ କରିବାକୁ ଯାଇ ଆଲମିରା ଭର୍ତ୍ତି ବହିର ଭଣ୍ଡାରଟିଏ ଭରିଦେଇଥିଲେ ଶୟନ କକ୍ଷରେ। ଆମ ଓଡ଼ିଆ ଝିଅ-ପୁଅମାନେ ଏଥିପ୍ରତି ଆଗେଇ ଆସିଲେ ଆଦୃତ ହୁଅନ୍ତା ଅମୃତଭରା ଏହି ଅଭିଯାନଟି।
ବହି ଦୁନିଆ ସହିତ ବନ୍ଧା ଦୁଇ ଯୁବକଙ୍କର ଝୁଙ୍କ୍‌ ଉଠିଛି ବହିର ବୁନିଆଦୀକୁ ବ୍ୟାପକ କରିବାକୁ। ଭୁବନେଶ୍ୱରସ୍ଥ ପ୍ରଫୁଲ୍ଲ ମହାନ୍ତି (ମୋ. ୯୮୬୧୩୯୭୫୯୬) ଓ ସଞ୍ଜୟ ନାୟକ (ମୋ. ୮୯୦୮୯୬୭୦୦୧) ବ୍ରତଭାବେ ବାଛି ନେଇଛନ୍ତି ବହି ବିକ୍ରୟକୁ। ପୁଣି ଏବେ ଆରମ୍ଭ କରିଛନ୍ତି ଅଭିନବ ଅଭିଯାନଟିଏ। ଏକାଧିକ ଭଲ ଭଲ ବହିର ଗିଫ୍ଟ ପ୍ୟାକେଟ୍‌ଟିଏ ଘରେ ପହଞ୍ଚାଇ ଦିଅନ୍ତି ଚାହିଁବାନୁଯାୟୀ। ଭୋଜି ଆଦିରେ ପଇସା ପରିବର୍ତ୍ତେ ଭଲ ବହିର ଗିଫ୍ଟ ପ୍ୟାକେଟଟିକୁ ବି ଆଦର କରି ଚାଲିଛନ୍ତି ବହୁ ସଜ୍ଜନ। ଦୋକାନକୁ ଯାଇ ବହି କିଣି ପୁଣି ପ୍ୟାକ୍‌ କରିବାକୁ ଆଉ କେଉଁଠିକୁ ଯିବାର ଝିନ୍‌ଝଟ ନାହିଁ ଏଥିରେ। ପୁନଶ୍ଚ ହଜାରେ ବା ଦୁଇ ହଜାର ଟଙ୍କା ବଦଳରେ ପାଞ୍ଚ ଶହ ଟଙ୍କା ଭିତରେ ଚାରି ପାଞ୍ଚଟି ବହିର ପ୍ୟାକ୍‌ଟିଏ ବି ପସନ୍ଦଯୋଗ୍ୟ ହେଉଛି। ୫/୧୦ଟି ପ୍ୟାକେଟ୍‌କୁ ଘରେ ସାଇତି ରଖି ଦରକାର ବେଳେ ତହିଁରୁ ଗୋଟିଏ ନେଇ ଉପହାର ଦେବାକୁ ଉଚିତ ମଣୁଛନ୍ତି ଲୋକେ।
ଅନ୍ୟ ଜଣେ ପ୍ରେରଣାର ଉତ୍ସ ହେଉଛନ୍ତି ପଦ୍ମ ସମ୍ମାନରେ ସମ୍ମାନିତ ସତ୍ୟନାରାୟଣ। ପାଠକ ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବାକୁ ଯାଇ ସ୍ବେଚ୍ଛାକୃତ ଭାବେ ଅବସର ନେଲେ ଏଇ ରାଜସ୍ବ ଅଧିକାରୀ। ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳରେ ଶିକ୍ଷା ଓ ସଚେତନତା ବାଣ୍ଟିବାକୁ ଅନେକ ପ୍ରଶଂସନୀୟ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ବିଶେଷକରି ପାଠାଗାର ଆନ୍ଦୋଳନର ସେ ଜଣେ ଅଗ୍ରଦୂତ। ପାର୍ବତ୍ୟ ପ୍ରଦେଶଟିରେ ଭ୍ରାମ୍ୟମାଣ ପାଠାଗାର ସହିତ ବିଭିନ୍ନ ସ୍ଥାନରେ ୧୩ଟି ଲାଇବ୍ରେରି ଗଢ଼ିତୋଳି ପାରିଛନ୍ତି ନିଜସ୍ବ ଚେଷ୍ଟାରେ। ସେଗୁଡ଼ିକ ୧୦ ହଜାରରୁ ଊର୍ଦ୍ଧ୍ୱ ବହିରେ ସମୃଦ୍ଧ। ପୁଣ୍ୟପ୍ରାଣ ଏହି ପୁସ୍ତକପ୍ରେମିକ ଯୋଗୁ ସେଠିକାର ଅଧିବାସୀଙ୍କ ଭିତରେ ବଢ଼ିଛି ବହି ପ୍ରତି ବ୍ୟାକୁଳତା, ପଠନ ପ୍ରତି ଲାଳସା। ବିଳମ୍ବରେ ହେଉ ପଛେ ବହିର ଜୟଯାତ୍ରା ଧୀରେ ଧୀରେ ଆରମ୍ଭ ହେଲାଣି। ଏମିତି ବଢ଼ିଚାଲୁ ଅଧ୍ୟୟନ ପ୍ରତି ଅନୁରାଗ, ପ୍ରତିଟି ପରିବାରରେ ପୂଜା ପାଉ ପୁସ୍ତକ।
ମୋ- ୯୪୩୭୪୩୬୦୭୩,
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ବିବର୍ତ୍ତିତ ଖାଦ୍ୟ କାହା ସ୍ବାର୍ଥରେ

ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂଣର୍ର୍ ଆବଶ୍ୟକତା। ଖାଦ୍ୟ ମଣିଷ ପାଇଁ ସବୁବେଳେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇ ରହିଆସିଛି। ଖାଦ୍ୟ...

ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ...

କରୋନା ଓ ପୋଷା ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବର୍ତ୍ତମାନ ଆପଣଙ୍କର କରୋନା ଭୂତାଣୁ ସମ୍ପର୍କରେ ପଢ଼ି ପଢ଼ି ବା ଶୁଣି ଶୁଣି ବିରକ୍ତି ଆସିଯିବଣି। ଅର୍ଥନୀତି, ବୈଦେଶିକ ବ୍ୟାପାର,...

ଅକାଳ ମୃତ୍ୟୁ

ଇଂ. ମୁରଲୀଧର ହୋତା ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ...

ଆର୍ଥିକ ଯୁଦ୍ଧର ନୂଆ କୌଶଳ

ଯୁଦ୍ଧ ସମୟରେ ଆର୍ଥିକ ଅସ୍ତ୍ର(ଆର୍ଥିକ ଏବଂ ବିତ୍ତୀୟ କଟକଣା)ଗୁଡ଼ିକ ବ୍ୟବହାରର ଏକ ଲମ୍ବା ଇତିହାସ ରହିଛି। କିନ୍ତୁ ଜଗତୀକରଣ ଓ ସୀମାପାର ଯୋଗାଣ ଶୃଙ୍ଖଳ ବୃଦ୍ଧି...

ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳୁ

ଡ. ପ୍ରମୋଦ କୁମାର ପଣ୍ଡା ଭାରତରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକ ବାସ କରନ୍ତି। ମରୁଭୂମିଠୁ ହିମପାତ ଅଞ୍ଚଳ ତଥା ସମୁଦ୍ରତଟ ଦ୍ୱୀପ ଅଞ୍ଚଳ...

ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ...

ଏଇ ଭାରତରେ

ଗୁଆହାଟି ଆଇଆଇଟି ଗବେଷକମାନେ ଏକ ପ୍ରକାର ବର୍ନର ବିକାଶ କରିଛନ୍ତି, ଯାହା ଇନ୍ଧନ ବାବଦରେ ଖର୍ଚ୍ଚ ୪୦ ପ୍ରତିଶତ କମାଇପାରୁଛି। ଏହି ବର୍ନରର ନାମ ରଖାଯାଇଛି...

Advertisement
Archives

Model This Week