ମଧ୍ୟବିତ୍ତଙ୍କ ବେଳା ଖରାପ

ଦେବେନ୍ଦ୍ର କର

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଲକ୍‌ଡାଉନ୍‌ ବଳବତ୍ତର ଥିବାବେଳେ ଆଉ କିଛି ସ୍ଥାନରେ କୋହଳ କରାଯାଇଛି। ବଜାର ଧୀରେ ଧୀରେ ଫିଟିଲାଣି, ଗାଡିମୋଟର ଚାଲିଲାଣି, ଲୋକେ ନିଜ ନିଜ କର୍ମକ୍ଷେତ୍ରରେ ଯୋଗଦେଲେଣି। ଏସବୁ ଭିତରେ ବିଚରା ମଧ୍ୟବିତ୍ତ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ମଧ୍ୟବିତ୍ତ ପରିବାର ପ୍ରାୟତଃ ବେସରକାରୀ ଚାକିରିଆ କିମ୍ବା ଛୋଟମୋଟ ଦୋକାନୀ। ବେସରକାରୀ ଚାକିରିଆ ଯାହାଙ୍କର ମାସିକ ଦରମା ୧୦ରୁ ୧୫ହଜାର ଭିତରେ ସୀମିତ, ସେମାନଙ୍କୁ ବଜାର ମାନ୍ଦାବସ୍ଥା ଦର୍ଶାଇ ବିଭିନ୍ନ ମାଲିକ ଦୁଇମାସର ଦରମା ବଦଳରେ ଗୋଟିଏ ମାସର ଦରମା ଦେଇଛନ୍ତି, ପୁଣି କିଛି ମାଲିକ ସମ୍ପୂର୍ଣ୍ଣ ଦରମା କାଟି ଦେଇଛନ୍ତି। ରୋଜଗାର କମିଯିବା ପରେ ନିମ୍ନ ଓ ମଧ୍ୟବିତ୍ତ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛି। ଅଭାବରୁ ସ୍ବଭାବ ନଷ୍ଟ ପରି ପରିବାରରେ କଳିଗୋଳ, ପାଟିତୁଣ୍ଡ ସବୁଦିନିଆ କଥାରେ ପରିଣତ ହେଲାଣି। ଏକ ରିପୋର୍ଟ ଅନୁଯାୟୀ କରୋନା ଲାଗି ପାଖାପାଖି ୮୦ପ୍ରତିଶତ ପରିବାରର ରୋଜଗାର ପ୍ରଭାବିତ ହୋଇଛି। ବଜାରରେ ଜିନିଷ ମହଜୁଦ ଅଛି, ଦରଦାମ୍‌ ବି ସ୍ଥିର ଅଛି, ହେଲେ ଅର୍ଥ ନାହିଁ କିଣିବାକୁ। ସହରାଞ୍ଚଳରେ ବେସରକାରୀ ଚାକିରିଆଙ୍କ ସଂଖ୍ୟା ଢେର ଅଧିକ, ଯେଉଁମାନେ ସେଲ୍ସମ୍ୟାନ, ମାର୍କେଟିଂ, ଗାଡି ଚାଳକ, ସିକ୍ୟୁରିଟି ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ରିସେପ୍‌ସନିଷ୍ଟ, ଘରୋଇ ସ୍କୁଲ ଶିକ୍ଷକ, ମନ୍ଦିର ପୂଜକ ବା ବେସରକାରୀ ରୋଗ ନିରୂପଣ କେନ୍ଦ୍ରରେ କାର୍ଯ୍ୟରତ ଟେକ୍‌ନିସିଆନ। ଏମିତି ବିଭିନ୍ନ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ଆଜି ଗୋଟିଏ ଅବସ୍ଥା। କରୋନା ଆଳରେ କିଛି ମାଲିକ ଓ କମ୍ପାନୀବାଲା ମାର୍ଚ୍ଚ ମାସର ଇନ୍‌କ୍ରିମେଣ୍ଟ ଓ ପୂର୍ବରୁ ବାକି ଥିବା ଅନ୍ୟାନ୍ୟ ବକେୟା ପାଉଣା ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଚାକିରି ହରେଇବା ଭୟରେ କର୍ମଚାରୀମାନେ ମୁହଁ ଖୋଲି ପାରୁନାହାନ୍ତି। ଯେଉଁମାନେ ଚାକିରିରୁ ଛଟେଇ ହୋଇଛନ୍ତି ସେମାନଙ୍କ ଅବସ୍ଥା ନ କହିଲେ ଭଲ। ଯେଉଁମାନେ ସହରରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ ସେମାନଙ୍କ ପାଖରେ ଏବେ ଘରଭଡ଼ା ଦେବାକୁ ବି ପଇସା ନାହିଁ। ଘର ମାଲିକ ଓଲଟା ଯୁକ୍ତି ବାଢୁଚି- ମୁଁ ନିଜେ ତ ଚଳିପାରୁନି, ତୁମକୁ କେମିତି ଘରଭଡ଼ା ଛାଡ଼ କରିବି। ଛୁଆପିଲାଙ୍କର ବାର୍ଷିକ ପରୀକ୍ଷା ପରେ ସ୍କୁଲରେ ରିଆଡ୍‌ମିଶନ ଆରମ୍ଭ ହେଇଯାଇଛି। ନୂଆ ବହିଖାତା କିଣାହେବ, ଟ୍ୟୁଶନ ବି ଆରମ୍ଭ ହୋଇଗଲାଣି। ଘରେ ବୟୋଜ୍ୟେଷ୍ଠଙ୍କ ଔଷଧ ତାଲିକା ବି କିଛି କମ୍‌ ନାହିଁ। ସବୁକଥା ଭାବି ଭାବି ବିଚରା ମଧ୍ୟବିତ୍ତଙ୍କ ଆଖିରୁ ନିଦ ହଜିଗଲାଣି।
ବଡ଼ବଡ଼ିଆ ଥିଲାବାଲାଙ୍କ ଉପରେ କରୋନାର ପ୍ରଭାବ ପଡିଥିବା ପରି ମନେହେଉ ନାହିଁ। ସେମାନେ ଭଲ ଖାଇପିଇ ଖୁସିବାସିରେ ଅଛନ୍ତି। ଶୁଣିବାକୁ ମିଳୁଛି ଆହୁରି ୫-୬ମାସ ଏଇଭଳି ପରିସ୍ଥିତି ଲାଗି ରହିବ। ପୂର୍ବରୁ ସ୍ବଳ୍ପ ଆୟରେ ମାସ ଗୋଟାକ କଷ୍ଟେମଷ୍ଟେ ଚଳି ହେଉଥିଲା। ଦରମା କଟିଯିବା ପରେ ଘର ଚଳାଇବା ବଡ଼ ମୁସ୍କିଲ ହେଲାଣି। କୁନିକୁନି ପିଲାମାନେ ତ ଏ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ସେମାନଙ୍କ ଛୋଟମୋଟ ବରାଦକୁ ଟାଳି ଦେବା ବି ସମ୍ଭବ ନୁହେଁ। ଅଜାଗା ଘା’ ପରି ମଧ୍ୟବିତ୍ତଙ୍କ ଅବସ୍ଥା। ନିଜ ଦୁଃଖ ନା କାହାକୁ ଲୁଚେଇ ପାରୁଛି ନା ଅନ୍ତର ଭିତରେ ଚାପି ପାରୁଛି। ପୂର୍ବରୁ ନିଜେ ନ ଖାଇ ନ ପିନ୍ଧି ନିଜ ପିଲାଙ୍କୁ ଖୁସି ରଖିପାରୁଥିଲା, ହେଲେ ଏବେ ତାହା ବି ସମ୍ଭବ ନୁହେଁ। ବର୍ତ୍ତମାନ ତ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ବି ଅର୍ଥ ନାହିଁ। କେତେଦିନ ଏମିତି ଚାଲିବ, କେବେ ପରିସ୍ଥିତି ସୁଧୁରିବ କେହି ବି କହିପାରିବେ ନାହିଁ। ପରିବାରର ୪-୫ଜଣଙ୍କ ଦାୟିତ୍ୱ ମୁଣ୍ଡ ଉପରେ। କାଟିକୁଟି ଚଳିବାରେ ମଧ୍ୟବିତ୍ତ ପରିବାର ବେଶ୍‌ ଅଭ୍ୟସ୍ତ। ଏବେ ନା ସାହା ହେବାକୁ କେହି ଅଛି ନା ଆଶ୍ୱାସନା ଦେବାକୁ କେହି ଅଛି। ସରକାରୀ ସହାୟତା ଓ ଅନୁଦାନ ତ ମଧ୍ୟବିତ୍ତ ପରିବାର ଭାଗ୍ୟରେ ହିଁ ଲେଖାନାହିଁ। ଯେତେ କମ୍‌ ଦରମା ପାଉଥିଲେ ବି ଏମାନେ ଚାକିରିଆ ଭାବେ ଗଣା। ଅନେକଙ୍କ ପାଖରେ ରାଶନ୍‌ କାର୍ଡ ବି ନାହିଁ।
ଆଜିର ଏ ମହଙ୍ଗା ଯୁଗରେ ପରିବାର ଚଳେଇବାକୁ ସର୍ବନିମ୍ନ ଅର୍ଥ ନିତାନ୍ତ ଜରୁରୀ। ରୋଜଗାର ବୃଦ୍ଧି କରିବା ବି ଏ ପରିସ୍ଥିତିରେ ସମ୍ଭବ ହେଉନି। ଫାଇନାନ୍ସ କମ୍ପାନୀରୁ ଗାଡି ଲୋନ ନେଇଥିବା ବ୍ୟକ୍ତି ଋଣ ଶୁଝିବା ଚିନ୍ତାରେ ଆହୁରି ଦହଗଞ୍ଜ ହେଉଛି। ଯାହା ଲାଗୁଛି ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚିଥିବା ଅଳ୍ପବହୁତ ଟଙ୍କା ଏବେ ଘରର ଭରଣପୋଷଣରେ ସରିଯିବ। ବିଚରା ମଧ୍ୟବିତ୍ତର ବେଳକାଳ ଭଲନାହିଁ। ନିଜ ଭାଗ୍ୟକୁ ଦୋଷ ଦେବା ଛଡା ଅନ୍ୟବାଟ ନାହିଁ। ଅନେକ ଦିନରୁ ଘରେ ସାଇତି ଥିବା ନୂଆନୂଆ ନୋଟ ସବୁ ଲକ୍‌ଡାଉନ୍‌ ବେଳେ ସଉଦା କିଣାରେ ସରିଥିଲା। ପିଲାଏ ନିଜ ମାଟି ଘଡିରେ ଯାହା ବି ସଞ୍ଚିଥିଲେ ତା’ ବି ଖର୍ଚ୍ଚ ହେଲା। ସେଭିଂ ଆକାଉଣ୍ଟରେ ଯାହା ଯେତିକି ଟଙ୍କା ଥିଲା ଉଠେଇବା ପରେ ଘରଖର୍ଚ୍ଚ ଆରମ୍ଭ ହୋଇଛି। ମଧ୍ୟବିତ୍ତ ସର୍ବଦା ସ୍ବାଭିମାନର ଜୀବନ ବଞ୍ଚିବାକୁ ପସନ୍ଦ କରେ। ଅଭାବରେ ଥିଲେ ବି ଦୁନିଆ ଆଗରେ କେବେ ମୁହଁ ଖୋଲେ ନାହିଁ। କାହାରିକି କେବେ ହାତ ପତାଏ ନାହିଁ କି ସରକାରୀ ସୁବିଧାକୁ ଚାହିଁ ବସେ ନାହିଁ। ସ୍ବାର୍ଥସର୍ବସ୍ବ ଦୁନିଆରେ ଯେଉଁ ମାଲିକ ଲକ୍ଷଲକ୍ଷ କୋଟି ଟଙ୍କା ତା’ରି ବଳରେ ଲାଭବାନ୍‌ ହେଉଥିଲେ ଆଜି ସେମାନେ ମୁହଁ ଫେରାଇ ନେଉଛନ୍ତି। କରୋନା ଅପସରି ଯାଉ, ପରିସ୍ଥିତି ସ୍ବାଭାବିକ ହେଉ, ମଧ୍ୟବିତ୍ତ ନିଜ ପ୍ରାପ୍ୟଟା ପାଇଯାଉ- ଏବେ କେବଳ ଏତିକି ଆଶା।
କଟକ, ମୋ-୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନାନ୍ତର: ଗାଁରୁ ସହର

ବିପିନ ବିହାରୀ ମିଶ୍ର ବୁଦ୍ଧିମତୀ ଅପେକ୍ଷା କରିଛି ଟ୍ରେନ୍‌କୁ ଏବଂ ତା’ ପରି ବହୁ ପୁରୁଷ ଓ ମହିଳା ବ୍ୟାଗ୍‌ରେ ଲୁଗାପଟା ଦିଖଣ୍ଡ ପକେଇ ନୁଖୁରାବାଳ...

ସ୍ଥାନୀୟ ଗଣମାଧ୍ୟମର ସୁରକ୍ଷା ଲୋଡ଼ା

ମାଇକେଲ ମିର୍‌ନୀ ୨୦୨୧ରେ ବିଶ୍ୱ କୋଭିଡ୍‌-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ।...

ବିଜ୍ଞାନ ହିଁ ଭରସା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନୋଭେଲ କରୋନା ଭୂତାଣୁର ଆବିର୍ଭାବ ଆଜି ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ଏକରକମ ଆହ୍ବାନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ମଣିଷ...

ଜଙ୍ଗଲର କୋହ

ସଂପ୍ରତି ଅଷ୍ଟ୍ରେଲିଆ ମହାଦେଶରେ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଅଗ୍ନିର ପ୍ରକୋପରେ ଧ୍ୱଂସ ହେଉଥିବାର ଘଟଣା ସାରା ବିଶ୍ୱ ପାଇଁ ଉକତ୍ଟ ଚିନ୍ତାର କାରଣ ହୋଇଛି। ଗତ...

ଏଇ ଭାରତରେ

ବିଶ୍ୱାସରେ ସବୁ କିଛି ସମ୍ଭବ- ଏହି ଉକ୍ତିଟି ଏକ ମନ୍ତ୍ର ପାଲଟିଯାଇଛି ମିଜୋରାମର ଶେଲିଂ ଗାଁର କୃଷକମାନଙ୍କ କ୍ଷେତ୍ରରେ। ସେମାନେ ବିଶ୍ୱାସରେ ଦୋକାନ ଚଳାଇ ବିନା...

ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା।...

ସଂରକ୍ଷଣ ଓ ସାମାଜିକ ବ୍ୟବସ୍ଥା

ବୈକୁଣ୍ଠନାଥ ମିଶ୍ର ଯଦି ମୋତେ କେହି ପଚାରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ, ତେବେ ନିଃସନ୍ଦେହରେ ମୁଁ ଦୁଇଟି କଥା ଉପରେ...

ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି।...

Advertisement
Archives

Model This Week