ମଦ୍ୟପ ବାପଙ୍କ ଅସାମାଜିକ ପୁଅ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ଆମ ସମାଜରେ ଏବେ ମଦ୍ୟପମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତା’ର ନିମ୍ନଗାମୀ ପ୍ରଭାବ ପରିଲକ୍ଷିତ ହେଉଛି ଆମ ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ଜୀବନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ମାନବ ସମ୍ବଳ ତଥା ଆୟୁଷ ଉପରେ। ଦିନକୁ ଦିନ ଏହାର ନୂଆ ନୂଆ କୁପରିଣାମ ଦୃଷ୍ଟି ଗୋଚର ହେବାରେ ଲାଗିଛି। ଉଦାହରଣ ସ୍ବରୂପ, ଦୀର୍ଘଦିନ ଧରି ମଦ ପ୍ରେମୀମାନେ ପ୍ରଚାର ଚଳାଇ ଆସିଥିଲେ ଯେ ସୀମିତ ମାତ୍ରାରେ ରେଡ୍‌ ଓ୍ବାଇନ୍‌ ଭଳି କେତେକ ମଦ୍ୟ ପାନ କରିବା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ। କାରଣ, ଏଥିରେ ଥାଏ କିଛି ପ୍ରତିଜାରକ ବା ଆଣ୍ଟି ଅକ୍ସିଡାଣ୍ଟ, ଯାହା କି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି ନିକଟରେ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ନିବନ୍ଧରେ ସୂଚନା ଦେଇଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ। ସେମାନଙ୍କ ମତରେ ମଦ୍ୟପାନର ପରିମାଣ ସହିତ ଆମ ସ୍ବାସ୍ଥ୍ୟର ଦୁରବସ୍ଥା ସମାନୁପାତିକ। ଅର୍ଥାତ୍‌ ଯେକୌଣସି ମଦ ଆମେ ଯେତେ ସାମାନ୍ୟ ପାନକଲେ ମଧ୍ୟ ତାହାର ସେହି ଅନୁପାତରେ କିଛି ନା କିଛି କୁପ୍ରଭାବ ପଡ଼ିଥାଏ।
ମଣିଷ ଶରୀରରେ ଏଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନାହିଁ, ଯାହା କି ମଦ୍ୟପାନ ଦ୍ୱାରା ରୋଗାକ୍ରାନ୍ତ ନ ହୁଏ, ଯକୃତ, ହୃତ୍‌ପିଣ୍ଡ, ମସ୍ତିଷ୍କଠାରୁ ଆରମ୍ଭ କରି ବୃକକ୍‌ ପର୍ଯ୍ୟନ୍ତ। ଏହାଛଡ଼ା ବିବିଧ ସ୍ନାୟୁବିକ ବ୍ୟାଧି, ପୃଥୁଳତା, ଉଚ୍ଚ ରକ୍ତଚାପ, କର୍କଟରୋଗ ଇତ୍ୟାଦିର ମଧ୍ୟ ଏହା କାରଣ ହୋଇପାରେ। ତେବେ ନିକଟରେ ଏହାର ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଛନ୍ତି ବେଙ୍ଗାଲୁରୁସ୍ଥିତ ‘ନିମ୍‌ହାନ୍ସ’ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଏଣ୍ଡ ନ୍ୟୁରୋସାଇନସେସ୍‌)ର ଗବେଷକ ଗଣ। ସେମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ଅଧ୍ୟୟନରୁ ପ୍ରମାଣିତ ହୋଇପାରିଛି ଯେ, ମଦ କେବଳ ମଦ୍ୟପର ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟକୁ ବିପର୍ଯ୍ୟସ୍ତ କରେନାହିଁ, ତା’ ସନ୍ତାନ ସନ୍ତତିମାନଙ୍କଠାରେ ଜୈବିକ ତଥା ଜିନୀୟସ୍ତରରେ ମଧ୍ୟ ନକାରାତ୍ମକ ପରିବର୍ତ୍ତନ ଆଣେ। ସେମାନେ ଏହାକୁ ନେଇ ଗବେଷଣା ପତ୍ରିକା ‘ନ୍ୟୁରୋ ସାଇକୋ ଫାର୍ମାକୋଲୋଜି ଏଣ୍ଡ୍‌ ବାୟୋଲୋଜିକାଲ୍‌ ସାଇକୋଲୋଜି’ (ଏପ୍ରିଲ୍‌ ୨୦୧୯)ରେ ନିବନ୍ଧଟିଏ ପ୍ରକାଶ କରିଛନ୍ତି।
ତଦନୁଯାୟୀ, ଏହି ପିଲାମାନେ ପରିବାର ମଧ୍ୟରେ ଲାଗିରହିଥିବା ଉତ୍ତେଜନା, କଳହ ଏବଂ ବିଭିନ୍ନ ପ୍ରକାର ଅଶାନ୍ତି ଶୈଶବକାଳରୁ ଦେଖି ଆସିଥାନ୍ତି। ଏହା ତାଙ୍କୁ ମାନସିକ ଚାପଗ୍ରସ୍ତ କରେ। ଏଣୁ ତାଙ୍କଠାରେ ସୃଜନଶୀଳତା କିମ୍ବା ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବା ସମ୍ଭବପର ହୁଏନାହିଁ। ତେବେ, ଏଥିସହିତ ସେମାନଙ୍କଠାରେ ଜିନୀୟ ପରିବର୍ତ୍ତନ ମଧ୍ୟ ଆସିଯାଏ। ଫଳରେ ସେମାନଙ୍କଠାରେ ଗୁରୁତର ମାନସିକ ଚାପ, ହତାଶା, ଅପରାଧ ପ୍ରବଣତା ଆଦି ପ୍ରକଟିତ ହୋଇଥାଏ।
ଉପରୋକ୍ତ ଗବେଷଣାରେ ୫୦ରୁ ଊର୍ଦ୍ଧ୍ୱ ମଦ୍ୟପଙ୍କ ସନ୍ତାନସନ୍ତତିଙ୍କ ଉପରେ ଦୀର୍ଘକାଳ ଧରି ଚଳାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପରିବର୍ତ୍ତନ ତାଙ୍କ ଡିଏନ୍‌ଏର ‘ମେଥିଲେସନ୍‌’ ସହିତ ସମ୍ପୃକ୍ତ। ଏହାଦ୍ୱାରା ଏହି ଜିନୀୟ ଅଣୁରେ ରାସାୟନିକ ପରିବର୍ତ୍ତନ ଆସେ। ଫଳରେ ଜିନ୍‌ର ପ୍ରକଟିତ ହେବା ପ୍ରକ୍ରିୟା ପ୍ରଭାବିତ ହୁଏ। ପୁନଶ୍ଚ ଏହା ‘ହାଇକୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ର କ୍ରିୟାବିଧିକୁ ମଧ୍ୟ ବଦଳାଇଦିଏ। ଅତଏବ ମସ୍ତିଷ୍କରେ ଥିବା ହାଇପୋଥାଲାମସ୍‌ ଗ୍ରନ୍ଥି’ ଏବଂ ‘ପିଟ୍ୟୁଟାରୀ ଗ୍ରନ୍ଥି’ର ବୃକକ୍‌ ଉପରେ ଅବସ୍ଥିତ ‘ଆଡ୍ରେନାଲ ଗ୍ରନ୍ଥି’ ସହିତ ପାରସ୍ପରିକ କ୍ରିୟା ସମ୍ପାଦନ ସ୍ବାଭାବିକ ହୁଏନାହିଁ। ଏହି ଗବେଷକମାନଙ୍କ ମଧ୍ୟରୁ ଅନ୍ୟତମ ଡକ୍ଟର ମୀରା ପୁରୁଷୋତ୍ତମଙ୍କ ମତରେ ‘ହାଇପୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ନାୟୁ-ଅନ୍ତଃସ୍ରାବୀ ବ୍ୟବସ୍ଥା, ଯାହା କି ଆମର ମାନସିକ ଚାପ ଓ ଖାଦ୍ୟ ହଜମଠାରୁ ଆରମ୍ଭ କରି ଶରୀରର ପ୍ରତିରକ୍ଷା ବ୍ୟବସ୍ଥା, ମିଜାଜ, ଭାବପ୍ରବଣତା, ଯୌନ ସାମର୍ଥ୍ୟ ଏବଂ ଶକ୍ତିର ସଞ୍ଚୟ ଓ ବ୍ୟୟ ଆଦି ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ଏହାବ୍ୟତୀତ ମଦ୍ୟପଙ୍କ ପିଲମାନେ ଶୈଶବାବସ୍ଥାରେ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶାର ‘କୋର୍ଟିସଲ’ ହର୍‌ମୋନର କ୍ରିୟାବିଧିକୁ ହ୍ରାସ କରିଦେବା ଏବଂ ଏକ ନିର୍ଦ୍ଦିଷ୍ଟ ଜିନ୍‌ରେ ଡିଏନ୍‌ଏରେ ‘ମେଥିଲେସନ୍‌’ ପ୍ରକ୍ରିୟା ଅଭିବୃଦ୍ଧି କରିବା ତାଙ୍କ ବାହ୍ୟ ଆଚରଣ ସହିତ ସମ୍ପର୍କ ଥିବାର ସେ କହନ୍ତି। ଏହି ଜିନ୍‌ରେ ମଧ୍ୟ ସ୍ନାୟୁ ସଞ୍ଚରକ ରୂପେ କାର୍ଯ୍ୟ କରୁଥିବା ‘ସେରୋଟୋନିନ୍‌’ ବାହକ ଲାଗି ସଂକେତାବଳୀ ଥାଏ, ଯାହା କି ଆମ କ୍ଷୁଧା, ସୁସ୍ଥ ଅନୁଭବ, ବୋଧଶକ୍ତି ଏବଂ ସ୍ମରଣଶକ୍ତି ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ।
ସେହିପରି ଅନ୍ୟତମ ଗବେଷକ ଡକ୍ଟର ବିବେକ ବେନେଗାଲଙ୍କ ସୂଚନା ଅନୁସାରେ ଏହି ଅଧ୍ୟୟନକାଳରେ ପରୀକ୍ଷା ଅନ୍ତର୍ଭୁକ୍ତ ପିଲାମାନଙ୍କର ମାନସିକ ଚାପ ସଙ୍ଗେ ସଙ୍ଗେ ସେମାନଙ୍କ ଲାଳରେ ଥିବା ‘କୋର୍ଟିସଲ୍‌’ର ମାତ୍ରା ମଧ୍ୟ ନିରୂପଣ କରାଯାଇଥିଲା। ସାଧାରଣ କ୍ଷେତ୍ରରେ ମାନସିକ ଚାପ କାଳରେ ଏହାର ରସାୟନର ସ୍ତର ହଠାତ୍‌ ବୃଦ୍ଧିପାଏ। କିନ୍ତୁ ଏମାନଙ୍କଠାରେ ସେପରି ଘଟିଲା ନାହିଁ। ତାହା ଧୀରେ ଧୀରେ ଏବଂ କମ୍‌ ମାତ୍ରାରେ ବୃଦ୍ଧିପ୍ରାପ୍ତ ହେଲା। କାରଣ ସମ୍ଭବତଃ ଏପ୍ରକାର ମାନସିକ ଚାପ ତାଙ୍କର ଦେହସୁହା ହୋଇଯାଇଥିଲା।
ବେନେଗାଲଙ୍କ ମତରେ ଏ ଅଧ୍ୟୟନର ବିଶେଷତ୍ୱ ହେଲା ଯେ, ଏହା ମାନସିକ ଚାପ ସମୟରେ ‘କୋର୍ଟିସଲ୍‌’ର ମାତ୍ରା ମାଧ୍ୟମରେ ‘ହାଇପୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ର କ୍ରିୟାବିଧିକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ଏବଂ ଡିଏନ୍‌ଏ ସ୍ତରରେ ଶୈଶବାବସ୍ଥାରେ ଦୁର୍ଦ୍ଦଶାଜନିତ ରାସାୟନିକ ପ୍ରଭାବର ଆକଳନ କରିପାରିଛି। ଫଳରେ ଏସବୁ ସହିତ ସାମାଜିକ ଆଚରଣର ସମ୍ପର୍କ ହୃଦୟଙ୍ଗମ ହୋଇପାରିଛି। ପୁନଶ୍ଚ ଏହା ମଧ୍ୟ ଜଣାପଡିଛି ଯେ, ବାପା ମା’ ଉଭୟ ମଦ୍ୟପ ହୋଇଥିଲେ ଏ ପ୍ରଭାବ ଅଧିକ ହୋଇଥାଏ ଏବଂ ଝିଅମାନଙ୍କ ତୁଳନାରେ ପୁଅମାନଙ୍କଠାରେ ତାହା ପ୍ରକଟିତ ହୁଏ ଅଧିକ ସ୍ପଷ୍ଟ ଭାବେ। ସେଥିପାଇଁ ସେମାନେ ଅଧିକ ରୁକ୍ଷ, ଦାୟିତ୍ୱହୀନ ଏବଂ ଅସାମାଜିକ ହୋଇଥାନ୍ତି।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?