ମଦ୍ୟପ ବାପଙ୍କ ଅସାମାଜିକ ପୁଅ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ଆମ ସମାଜରେ ଏବେ ମଦ୍ୟପମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତା’ର ନିମ୍ନଗାମୀ ପ୍ରଭାବ ପରିଲକ୍ଷିତ ହେଉଛି ଆମ ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ଜୀବନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ମାନବ ସମ୍ବଳ ତଥା ଆୟୁଷ ଉପରେ। ଦିନକୁ ଦିନ ଏହାର ନୂଆ ନୂଆ କୁପରିଣାମ ଦୃଷ୍ଟି ଗୋଚର ହେବାରେ ଲାଗିଛି। ଉଦାହରଣ ସ୍ବରୂପ, ଦୀର୍ଘଦିନ ଧରି ମଦ ପ୍ରେମୀମାନେ ପ୍ରଚାର ଚଳାଇ ଆସିଥିଲେ ଯେ ସୀମିତ ମାତ୍ରାରେ ରେଡ୍‌ ଓ୍ବାଇନ୍‌ ଭଳି କେତେକ ମଦ୍ୟ ପାନ କରିବା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ। କାରଣ, ଏଥିରେ ଥାଏ କିଛି ପ୍ରତିଜାରକ ବା ଆଣ୍ଟି ଅକ୍ସିଡାଣ୍ଟ, ଯାହା କି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି ନିକଟରେ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ନିବନ୍ଧରେ ସୂଚନା ଦେଇଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ। ସେମାନଙ୍କ ମତରେ ମଦ୍ୟପାନର ପରିମାଣ ସହିତ ଆମ ସ୍ବାସ୍ଥ୍ୟର ଦୁରବସ୍ଥା ସମାନୁପାତିକ। ଅର୍ଥାତ୍‌ ଯେକୌଣସି ମଦ ଆମେ ଯେତେ ସାମାନ୍ୟ ପାନକଲେ ମଧ୍ୟ ତାହାର ସେହି ଅନୁପାତରେ କିଛି ନା କିଛି କୁପ୍ରଭାବ ପଡ଼ିଥାଏ।
ମଣିଷ ଶରୀରରେ ଏଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନାହିଁ, ଯାହା କି ମଦ୍ୟପାନ ଦ୍ୱାରା ରୋଗାକ୍ରାନ୍ତ ନ ହୁଏ, ଯକୃତ, ହୃତ୍‌ପିଣ୍ଡ, ମସ୍ତିଷ୍କଠାରୁ ଆରମ୍ଭ କରି ବୃକକ୍‌ ପର୍ଯ୍ୟନ୍ତ। ଏହାଛଡ଼ା ବିବିଧ ସ୍ନାୟୁବିକ ବ୍ୟାଧି, ପୃଥୁଳତା, ଉଚ୍ଚ ରକ୍ତଚାପ, କର୍କଟରୋଗ ଇତ୍ୟାଦିର ମଧ୍ୟ ଏହା କାରଣ ହୋଇପାରେ। ତେବେ ନିକଟରେ ଏହାର ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଛନ୍ତି ବେଙ୍ଗାଲୁରୁସ୍ଥିତ ‘ନିମ୍‌ହାନ୍ସ’ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଏଣ୍ଡ ନ୍ୟୁରୋସାଇନସେସ୍‌)ର ଗବେଷକ ଗଣ। ସେମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ଅଧ୍ୟୟନରୁ ପ୍ରମାଣିତ ହୋଇପାରିଛି ଯେ, ମଦ କେବଳ ମଦ୍ୟପର ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟକୁ ବିପର୍ଯ୍ୟସ୍ତ କରେନାହିଁ, ତା’ ସନ୍ତାନ ସନ୍ତତିମାନଙ୍କଠାରେ ଜୈବିକ ତଥା ଜିନୀୟସ୍ତରରେ ମଧ୍ୟ ନକାରାତ୍ମକ ପରିବର୍ତ୍ତନ ଆଣେ। ସେମାନେ ଏହାକୁ ନେଇ ଗବେଷଣା ପତ୍ରିକା ‘ନ୍ୟୁରୋ ସାଇକୋ ଫାର୍ମାକୋଲୋଜି ଏଣ୍ଡ୍‌ ବାୟୋଲୋଜିକାଲ୍‌ ସାଇକୋଲୋଜି’ (ଏପ୍ରିଲ୍‌ ୨୦୧୯)ରେ ନିବନ୍ଧଟିଏ ପ୍ରକାଶ କରିଛନ୍ତି।
ତଦନୁଯାୟୀ, ଏହି ପିଲାମାନେ ପରିବାର ମଧ୍ୟରେ ଲାଗିରହିଥିବା ଉତ୍ତେଜନା, କଳହ ଏବଂ ବିଭିନ୍ନ ପ୍ରକାର ଅଶାନ୍ତି ଶୈଶବକାଳରୁ ଦେଖି ଆସିଥାନ୍ତି। ଏହା ତାଙ୍କୁ ମାନସିକ ଚାପଗ୍ରସ୍ତ କରେ। ଏଣୁ ତାଙ୍କଠାରେ ସୃଜନଶୀଳତା କିମ୍ବା ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବା ସମ୍ଭବପର ହୁଏନାହିଁ। ତେବେ, ଏଥିସହିତ ସେମାନଙ୍କଠାରେ ଜିନୀୟ ପରିବର୍ତ୍ତନ ମଧ୍ୟ ଆସିଯାଏ। ଫଳରେ ସେମାନଙ୍କଠାରେ ଗୁରୁତର ମାନସିକ ଚାପ, ହତାଶା, ଅପରାଧ ପ୍ରବଣତା ଆଦି ପ୍ରକଟିତ ହୋଇଥାଏ।
ଉପରୋକ୍ତ ଗବେଷଣାରେ ୫୦ରୁ ଊର୍ଦ୍ଧ୍ୱ ମଦ୍ୟପଙ୍କ ସନ୍ତାନସନ୍ତତିଙ୍କ ଉପରେ ଦୀର୍ଘକାଳ ଧରି ଚଳାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପରିବର୍ତ୍ତନ ତାଙ୍କ ଡିଏନ୍‌ଏର ‘ମେଥିଲେସନ୍‌’ ସହିତ ସମ୍ପୃକ୍ତ। ଏହାଦ୍ୱାରା ଏହି ଜିନୀୟ ଅଣୁରେ ରାସାୟନିକ ପରିବର୍ତ୍ତନ ଆସେ। ଫଳରେ ଜିନ୍‌ର ପ୍ରକଟିତ ହେବା ପ୍ରକ୍ରିୟା ପ୍ରଭାବିତ ହୁଏ। ପୁନଶ୍ଚ ଏହା ‘ହାଇକୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ର କ୍ରିୟାବିଧିକୁ ମଧ୍ୟ ବଦଳାଇଦିଏ। ଅତଏବ ମସ୍ତିଷ୍କରେ ଥିବା ହାଇପୋଥାଲାମସ୍‌ ଗ୍ରନ୍ଥି’ ଏବଂ ‘ପିଟ୍ୟୁଟାରୀ ଗ୍ରନ୍ଥି’ର ବୃକକ୍‌ ଉପରେ ଅବସ୍ଥିତ ‘ଆଡ୍ରେନାଲ ଗ୍ରନ୍ଥି’ ସହିତ ପାରସ୍ପରିକ କ୍ରିୟା ସମ୍ପାଦନ ସ୍ବାଭାବିକ ହୁଏନାହିଁ। ଏହି ଗବେଷକମାନଙ୍କ ମଧ୍ୟରୁ ଅନ୍ୟତମ ଡକ୍ଟର ମୀରା ପୁରୁଷୋତ୍ତମଙ୍କ ମତରେ ‘ହାଇପୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ନାୟୁ-ଅନ୍ତଃସ୍ରାବୀ ବ୍ୟବସ୍ଥା, ଯାହା କି ଆମର ମାନସିକ ଚାପ ଓ ଖାଦ୍ୟ ହଜମଠାରୁ ଆରମ୍ଭ କରି ଶରୀରର ପ୍ରତିରକ୍ଷା ବ୍ୟବସ୍ଥା, ମିଜାଜ, ଭାବପ୍ରବଣତା, ଯୌନ ସାମର୍ଥ୍ୟ ଏବଂ ଶକ୍ତିର ସଞ୍ଚୟ ଓ ବ୍ୟୟ ଆଦି ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ଏହାବ୍ୟତୀତ ମଦ୍ୟପଙ୍କ ପିଲମାନେ ଶୈଶବାବସ୍ଥାରେ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶାର ‘କୋର୍ଟିସଲ’ ହର୍‌ମୋନର କ୍ରିୟାବିଧିକୁ ହ୍ରାସ କରିଦେବା ଏବଂ ଏକ ନିର୍ଦ୍ଦିଷ୍ଟ ଜିନ୍‌ରେ ଡିଏନ୍‌ଏରେ ‘ମେଥିଲେସନ୍‌’ ପ୍ରକ୍ରିୟା ଅଭିବୃଦ୍ଧି କରିବା ତାଙ୍କ ବାହ୍ୟ ଆଚରଣ ସହିତ ସମ୍ପର୍କ ଥିବାର ସେ କହନ୍ତି। ଏହି ଜିନ୍‌ରେ ମଧ୍ୟ ସ୍ନାୟୁ ସଞ୍ଚରକ ରୂପେ କାର୍ଯ୍ୟ କରୁଥିବା ‘ସେରୋଟୋନିନ୍‌’ ବାହକ ଲାଗି ସଂକେତାବଳୀ ଥାଏ, ଯାହା କି ଆମ କ୍ଷୁଧା, ସୁସ୍ଥ ଅନୁଭବ, ବୋଧଶକ୍ତି ଏବଂ ସ୍ମରଣଶକ୍ତି ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ।
ସେହିପରି ଅନ୍ୟତମ ଗବେଷକ ଡକ୍ଟର ବିବେକ ବେନେଗାଲଙ୍କ ସୂଚନା ଅନୁସାରେ ଏହି ଅଧ୍ୟୟନକାଳରେ ପରୀକ୍ଷା ଅନ୍ତର୍ଭୁକ୍ତ ପିଲାମାନଙ୍କର ମାନସିକ ଚାପ ସଙ୍ଗେ ସଙ୍ଗେ ସେମାନଙ୍କ ଲାଳରେ ଥିବା ‘କୋର୍ଟିସଲ୍‌’ର ମାତ୍ରା ମଧ୍ୟ ନିରୂପଣ କରାଯାଇଥିଲା। ସାଧାରଣ କ୍ଷେତ୍ରରେ ମାନସିକ ଚାପ କାଳରେ ଏହାର ରସାୟନର ସ୍ତର ହଠାତ୍‌ ବୃଦ୍ଧିପାଏ। କିନ୍ତୁ ଏମାନଙ୍କଠାରେ ସେପରି ଘଟିଲା ନାହିଁ। ତାହା ଧୀରେ ଧୀରେ ଏବଂ କମ୍‌ ମାତ୍ରାରେ ବୃଦ୍ଧିପ୍ରାପ୍ତ ହେଲା। କାରଣ ସମ୍ଭବତଃ ଏପ୍ରକାର ମାନସିକ ଚାପ ତାଙ୍କର ଦେହସୁହା ହୋଇଯାଇଥିଲା।
ବେନେଗାଲଙ୍କ ମତରେ ଏ ଅଧ୍ୟୟନର ବିଶେଷତ୍ୱ ହେଲା ଯେ, ଏହା ମାନସିକ ଚାପ ସମୟରେ ‘କୋର୍ଟିସଲ୍‌’ର ମାତ୍ରା ମାଧ୍ୟମରେ ‘ହାଇପୋଥାଲାମସ୍‌-ପିଟ୍ୟୁଟାରୀ ଅକ୍ଷ’ର କ୍ରିୟାବିଧିକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ଏବଂ ଡିଏନ୍‌ଏ ସ୍ତରରେ ଶୈଶବାବସ୍ଥାରେ ଦୁର୍ଦ୍ଦଶାଜନିତ ରାସାୟନିକ ପ୍ରଭାବର ଆକଳନ କରିପାରିଛି। ଫଳରେ ଏସବୁ ସହିତ ସାମାଜିକ ଆଚରଣର ସମ୍ପର୍କ ହୃଦୟଙ୍ଗମ ହୋଇପାରିଛି। ପୁନଶ୍ଚ ଏହା ମଧ୍ୟ ଜଣାପଡିଛି ଯେ, ବାପା ମା’ ଉଭୟ ମଦ୍ୟପ ହୋଇଥିଲେ ଏ ପ୍ରଭାବ ଅଧିକ ହୋଇଥାଏ ଏବଂ ଝିଅମାନଙ୍କ ତୁଳନାରେ ପୁଅମାନଙ୍କଠାରେ ତାହା ପ୍ରକଟିତ ହୁଏ ଅଧିକ ସ୍ପଷ୍ଟ ଭାବେ। ସେଥିପାଇଁ ସେମାନେ ଅଧିକ ରୁକ୍ଷ, ଦାୟିତ୍ୱହୀନ ଏବଂ ଅସାମାଜିକ ହୋଇଥାନ୍ତି।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମାଜସେବାର ଇଚ୍ଛାଶକ୍ତି ଆଗରେ ରୋଜଗାର ମୋହ କିଛି ନୁହେଁ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଦମ୍ପତି। ସେମାନେ ଚାକିରି ଛାଡି ଆଦିବାସୀ ଅଞ୍ଚଳରେ ଲୋକମାନଙ୍କ ସେବାରେ...

ମାନବ ସଭ୍ୟତା ପାଇଁ ସତର୍କଘଣ୍ଟି

ଅକ୍ଷୟ କୁମାର ବଡ଼ସେଠ ସମୟକ୍ରମେ ମାନବ ସଭ୍ୟତା ସଂପ୍ରତି ବିଜ୍ଞାନ ଯୁଗରେ ପଦାର୍ପଣ କରିଛି। ମନୁଷ୍ୟ ଆଜି ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ବହୁତ...

ଲାଉଙ୍ଗିମାନଙ୍କ ସଂକଳ୍ପ ଓ ଜଳସେଚନ

ବିଚିତ୍ର ବିଶ୍ୱାଳ ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୂନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥି ମାନ୍‌ଝି; ଯାହାକୁ...

ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ

ଡ. କୁମରବର ଦାସ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ...

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ନେପାଳର ଟେରେସା

ବିଶ୍ୱବ୍ୟାପୀ ଅପହରଣ ଓ ଯୌନ ଶୋଷଣ ବଢ଼ିଚାଲିଛି। ଅଳ୍ପ ବୟସର ଯୁବତୀ ହୁଅନ୍ତୁ ବା ମହିଳାଙ୍କୁ ଏହି କାର୍ଯ୍ୟରେ ଲଗାଇ ଦଲାଲମାନେ ଅର୍ଥ ଉପାର୍ଜନ କରୁଛନ୍ତି।...

ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ...

ସୌନ୍ଦର୍ଯ୍ୟ ନାରୀର ଭୂଷଣ

ଡା. ବାସୁଦେବ ପ୍ରଧାନ କଥାରେ ଅଛି ନଈ ସେପାରି କନକଗୋରୀ, ତନୁପାତଳୀ ଭାରି ସୁନ୍ଦରୀ। ସୁନ୍ଦରୀ ଝିଅଟିଏ ଦେଖିଲେ ଆଖି ଅଟକି ରହେ। ମା’ ବାପା...

Advertisement

BGU

Archives

Model This Week

Why Dharitri