ମଣିଷପଣିଆର ଅଭାବ

କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ଧାରଣ କଲାଣି। ୨୧ ଜୁନ୍‌ ରବିବାର ଗୋଟିଏ ଦିନରେ ଭାରତରେ ୧୫,୪୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଥିଲା। ଏବେ ଏହି ସଂଖ୍ୟା ୪ ଲକ୍ଷ ୪୯ ହଜାର ଉପରକୁ ଚାଲିଗଲାଣି ଓ ମୃତ୍ୟୁସଂଖ୍ୟା ୧୪,୧୬୨ରେ ପହଞ୍ଚିଛି। ଭାରତ ଏବେ ବିଶ୍ୱସ୍ତରରେ ଚତୁର୍ଥରେ ଥିବା ବେଳେ ଏହି ଗତିରେ ଯଦି ସଂକ୍ରମଣ ଧରାପଡ଼େ ତେବେ ଖୁବ୍‌ ଶୀଘ୍ର ୧ନଂ ସ୍ଥାନରେ ପହଞ୍ଚିଯିବ। ଓଡ଼ିଶା କଥା ଦେଖିଲେ ସଂକ୍ରମିତଙ୍କ ସଂଖ୍ୟା ୫,୪୭୦ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଦୁଇ ମାସ ପୂର୍ବେ କାଁଭାଁ କେଉଁଠାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିଲେ କୋକୁଆଭୟ ସୃଷ୍ଟି ହୋଇଯାଉଥିଲା। ଏବେ ଅସଂଖ୍ୟ ଆକ୍ରାନ୍ତ ଓ ମୃତ ବ୍ୟକ୍ତିଙ୍କ ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକଙ୍କ ଉପରେ ସେଭଳି ପ୍ରଭାବ ପକାଉନାହିଁ। କାରଣ ତାହା ଦେହସୁହା ହୋଇଗଲାଣି। ହେଲେ କେହି ଜଣେ ଅସାବଧାନ ହେଲେ ଅନ୍ୟମାନେ ବିପଦରେ ପଡ଼ୁଛନ୍ତି ଏବଂ ଆହୁରି ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ହେଉଛି କରୋନା ଭଳି ସଂକ୍ରମଣର ବିଶେଷତା। ଏଭଳି ବ୍ୟକ୍ତିକୁ ଇଂଲିଶ୍‌ରେ ‘ସୁପର୍‌ ସ୍ପ୍ରେଡ୍‌ର’ ଆଖ୍ୟା ଦିଆଯାଇଛି। ଗୋଟେପଟେ ଅସାବଧାନତା ଏବଂ ଭିଡ଼ ସୃଷ୍ଟି କରୁଥିବା ଭାରତୀୟ ନିଜର ନିର୍ବୋଧପଣିଆ ବାରମ୍ବାର ପ୍ରମାଣ କରିଚାଲିଥିବା ବେଳେ ଅନ୍ୟପଟେ ଦେଶର ଏକ ବିରାଟକାୟ ଆୟୁର୍ବେଦ କମ୍ପାନୀ ଭାବେ ପରିଚିତ ପତଞ୍ଜଳି ଦାବି କରୁଛି ଯେ କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବାହାର କରିସାରିଲାଣି। ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ଦାୟିତ୍ୱହୀନ ଔଷଧର ବିଜ୍ଞାପନ ଦେଇ ଏଭଳି ବିପଜ୍ଜନକ ପରିସ୍ଥିତିରେ ମଧ୍ୟ କିଛି ଭାରତୀୟ ବିପୁଳ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ। ଅବଶ୍ୟ ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଅସତ୍ୟ ଦାବିକୁ ପ୍ରମାଣ କରିବା ପାଇଁ ତଥ୍ୟ ମାଗିଛି। ଭାରତୀୟ ବ୍ୟବସାୟୀଙ୍କୁ ମାନିବାକୁ ପଡ଼ିବ। ଠକାମିରେ ସେମାନଙ୍କୁ କେହି ପାରିବେନି। ଯେତେବେଳେ ଆମେରିକା, ଇସ୍ରାଏଲ, ଇଟାଲୀ, ଜର୍ମାନୀ ଓ ଖୋଦ୍‌ ଚାଇନା କରୋନା ଭାଇରସ୍‌ର ଔଷଧ ଖୋଜିବାରେ ଅନେକ ନିୟୁତ ଡଲାର ଖର୍ଚ୍ଚ କରି ଗବେଷଣା ଚାଲୁ ରଖିଛନ୍ତି, ସେତିକିବେଳେ ପତଞ୍ଜଳିର ଦାବି ଅନେକ ଲକ୍ଷ୍ୟ ଭାରତୀୟଙ୍କୁ ବୋକା କରିଦେବ।
କରୋନା ସମୟରେ ଅନେକ ଅସ୍ବାଭାବିକ ଘଟଣା ନଜରକୁ ଆସୁଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ, ଉତ୍ତରପ୍ରଦେଶର କାନପୁରରେ ୧୦୦ ଶଯ୍ୟା ଥିବା ଏକ ଶେଲ୍‌ଟର ହୋମ୍‌ରେ ୧୭୧ ଛାତ୍ରୀ ରହୁଛନ୍ତି। ସେଥିମଧ୍ୟରୁ ୫୭ କୋଭିଡ୍‌ ପଜିଟିଭ୍‌ ଥିବା ବେଳେ ୭ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସେଠାକାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଝିଅମାନେ ଲକ୍‌ଡାଉନ୍‌ ସମୟରେ ଗର୍ଭବତୀ ହୋଇ ନାହାନ୍ତି। ସେମାନେ ଗର୍ଭବତୀ ହୋଇ ଶେଲ୍‌ଟର ହୋମ୍‌କୁ ଆସିଥିଲେ ବୋଲି କୁହାଯାଉଛି। ଏହି ଘଟଣାରେ ସତ୍ୟତା ପାଇବା କଷ୍ଟକର ନୁହେଁ। ଏହିଭଳି ଶେଲଟର ହୋମ୍‌କୁ ଆସିବା ସମୟରେ ଝିଅମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ତାହାର ରିପୋର୍ଟ ଦେଖିଲେ ସତ୍ୟାସତ୍ୟ ମିଳିପାରିବ। ଅବଶ୍ୟ ଏହା ଏକ ସରକାରୀ ଶେଲ୍‌ଟର ହୋମ୍‌ ହୋଇଥିବାରୁ ସେଥିରେ ଥିବା ସରକାରୀ କର୍ମଚାରୀ ଲାଗିପଡ଼ି ସବୁପ୍ରକାର ଦଲିଲ ପ୍ରସ୍ତୁତ କରିଦେଇପାରିବେ। ଏହାବ୍ୟତୀତ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କୌଣସି ଅବାଞ୍ଛିତ କାର୍ଯ୍ୟ ଅସମ୍ଭବ ନୁହେଁ। କେବଳ ୭ ଜଣ ଗର୍ଭବତୀ ହେବାରେ ସମସ୍ୟା ସୀମିତ ନୁହେଁ। ଶହେ ଝିଅ ରହିବା ସ୍ଥାନରେ ୧୭୧ ରହୁଛନ୍ତି ଏବଂ ସେଠାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସମ୍ଭବପର ହେଉ ନ ଥିବ। ସେଥିପାଇଁ ୫୭ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଦ୍ୱିତୀୟ ବଡ଼ ସମସ୍ୟା। ଅର୍ଥାତ୍‌ ଏହି ପିଲାଙ୍କ ଶେଲ୍‌ଟର ହୋମ୍‌କୁ ବିନା ଯାଞ୍ଚରେ ଅନେକ ଲୋକଙ୍କ ଯିବାଆସିବା ପ୍ରବେଶ ଥିବା ଭଳି ମନେହେଉଛି। ସେଥିରୁ ଖିଅ ଟାଣି କୁହାଯାଇପାରେ ଯେ, ଏହି ଝିଅମାନେ ଅସୁରକ୍ଷିତ ମଧ୍ୟ ରହୁଛନ୍ତି। ଏହା କେବଳ ଉତ୍ତରପ୍ରଦେଶରେ ସୀମିତ ରହୁନାହିଁ, ଏଭଳି ଘଟଣା ବିହାର, ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ଘଟୁଥିବା ଦୃଷ୍ଟିକୁ ଆସୁଛି। ଏଥିରୁ ବୁଝିବାକୁ ହେବ ଯେ, ୫୦୦୦ ବର୍ଷ ପୁରୁଣା ସଂସ୍କୃତି ବୋଲାଉଥିବା ଭାରତରେ ମଣିଷପଣିଆର ଘୋର ଅଭାବ ବୃଦ୍ଧି ପାଉଛି। ସାମାଜିକ ପରିବର୍ତ୍ତନ କେବଳ ମାତ୍ର ପନ୍ଥା, ଯାହାଦ୍ୱାରା ଏହିଭଳି ଅନ୍ୟାୟ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri