ଭାଷାବଗିଚାକୁ ଗାଉଁଲି ଚାରା

ପଦ୍ମନାଭ ସାହୁ

ଜାତିର ଜୀବନ ଭାଷା। ଭାଷାର ରୂପ ଭିତରେ ଜାଜ୍ୱଲ୍ୟମାନ ଗୋଟିଏ ଜାତିର ପରିଚୟ। ଭାଷାର ସମୃଦ୍ଧିରେ ଦେଶ ଓ ସମାଜର ବିକାଶ ସାଧିତ ହୋଇଥାଏ। ଓଡ଼ିଆ ଭାଷା ଓଡ଼ିଶାର ଗୌରବ ଗରିମାର ଗାଥା ଗାନ କରେ। ଭାରତବର୍ଷର ପ୍ରାଚୀନତମ ଭାଷା ଭାବେ ଆମ ଓଡ଼ିଆ ଆଜି ସର୍ବତ୍ର ସ୍ବୀକୃତ। ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆକୁ ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିବା ଏହାର ପ୍ରମାଣ।
ବିଶ୍ୱ ମାନଚିତ୍ରରେ ସୀମିତ ଭୂଖଣ୍ଡର ରାଷ୍ଟ୍ର ଇଂଲଣ୍ଡ। ମାତ୍ର ଛବିଶଗୋଟି ଅକ୍ଷରରେ ସଜ୍ଜିତ ତାଙ୍କ ଭାଷା। ଅଧୁନା ସମଗ୍ର ବିଶ୍ୱରେ ଭାବ ଆଦାନପ୍ରଦାନର ମାଧ୍ୟମ ରୂପେ ବ୍ୟବହୃତ। ଇଂଲିଶ ଭାଷା ସମୃଦ୍ଧିର ଶିଖରରେ ପହଞ୍ଚି ପାରିବାର ଅନ୍ୟତମ ମୁଖ୍ୟ କାରଣ ହେଲା, ଜଗତର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଭାଷା ବଗିଚାରୁ ଶବ୍ଦବୀଜର ଚାରାଗଛମାନ ଆଣି ନିଜ ଭାଷା ଉଦ୍ୟାନରେ ସେମାନେ ରୋପଣ କରିଛନ୍ତି। ଦେଶ, ବିଦେଶ ତଥା ଆଞ୍ଚଳିକ ଭାଷାର ଶବ୍ଦରାଜି ମଧ୍ୟରୁ ଉପାଦେୟ ଶବ୍ଦ ଚୟନ କରି ଆମ ଭାଷା ଭଣ୍ଡାରରେ ଗଚ୍ଛିତ କଲେ ଓଡ଼ିଆ ଭାଷା ଯେ ଆହୁରି ମହିମାନ୍ବିତ ହୋଇପାରିବ, ଏହା ନିଃସନ୍ଦେହ।
ଓଡ଼ଶାର ଭୌଗୋଳିକ ସ୍ଥିତିକୁ ସାଧାରଣତଃ ଚାରିଗୋଟି ଅଞ୍ଚଳରେ ବିଭକ୍ତ କରାଯାଏ। ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା। ଓଡ଼ିଶାର ସ୍କୁଲ କଲେଜଗୁଡ଼ିକରେ ପ୍ରଚଳିତ ପୁସ୍ତକଗତ ଶୁଦ୍ଧ ଓଡ଼ିଆ ପ୍ରାୟତଃ ଉକ୍ତ ଚାରି ଅଞ୍ଚଳ ଭିତରୁ କୌଣସିଠାରେ ବି କଥାବାର୍ତ୍ତା ବେଳେ ଯେମିତିକୁ ସେମିତି ବ୍ୟବହୃତ ହୁଏନାହିଁ। ପ୍ରତ୍ୟେକ ଅଞ୍ଚଳବାସୀଙ୍କର ଓଡ଼ିଆ କଥିତ ଭାଷା ହୋଇଥିଲେ ହେଁ ନିଜସ୍ବ ଅଞ୍ଚଳର କିଛି କିଛି ବ୍ୟାବହାରିକ ଶବ୍ଦକୁ ବାର୍ତ୍ତାଳାପରେ କ୍ରମାଗତ ଭାବେ ସେମାନେ ଉପଯୋଗ କରି ଆସୁଛନ୍ତି। କଥିତ ଭାଷାର ଉକ୍ତ ମୌଳିକ ଶବ୍ଦ ବା ଓଡ଼ିଆ ପ୍ରତିଶବ୍ଦଗୁଡିକୁ ଠାବକରି ଓଡ଼ିଆ ଭାଷାକୋଷରେ ସଂରକ୍ଷଣ କଲେ ଆମ ମାତୃଭାଷା ଅବଶ୍ୟ ଐଶ୍ୱର୍ଯ୍ୟବିମଣ୍ଡିତ ହେବ।
ଉତ୍ତର ଓଡ଼ିଶାର ଉପାନ୍ତ ଜିଲା ମୟୂରଭଞ୍ଜ। ଆୟତନରେ ଏହା ରାଜ୍ୟର ସର୍ବବୃହତ୍‌ ଜିଲା। ଜିଲାରେ ସାଧାରଣ ବର୍ଗ ତଥା ପ୍ରାୟ ପଞ୍ଚଷଠି ସମ୍ପ୍ରଦାୟର ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକ ବସବାସ କରନ୍ତି। ଆଦିବାସୀ ସମ୍ପ୍ରଦାୟଗୁଡିକର ଅଲଗା ଅଲଗା ଭାଷା ରହିଥିଲେ ହେଁ ଜିଲାବାସୀ ସକଳେ ଓଡ଼ିଆରେ ବାର୍ତ୍ତାଳାପ କରିଥାଆନ୍ତି। ପୁରାଣବର୍ଣ୍ଣିତ ସାଗରମନ୍ଥନରୁ ଅମୃତ ପ୍ରାପ୍ତ ହେଲା ଭଳି ଏଠାକାର ସାଧାରଣବର୍ଗ ଓ ଆଦିବାସୀମାନଙ୍କ ଭାଷା ଆଦାନପ୍ରଦାନ ପ୍ରକ୍ରିୟାରୁ ବହୁ ନୂତନ ଶବ୍ଦ ବିକଶିତ ହୋଇଥିବା ଦେଖାଯାଏ। ଜିଲାରେ କଥିତ ହେଉଥିବା ଉକ୍ତ ଶବ୍ଦଗୁଡିକ ଉପରେ ଆଲୋକପାତ କରିବା ଏଇ କ୍ଷୁଦ୍ର ନିବନ୍ଧର ଲକ୍ଷ୍ୟ ଓ ଆଭିମୁଖ୍ୟ।
ଗଡ଼ଜାତ ଶାସନ କାଳରେ ତତ୍କାଳୀନ ମୟୂରଭଞ୍ଜର ଅବସ୍ଥିତି ଅନୁଯାୟୀ ଷ୍ଟେଟ୍‌କୁ ଉପରଭାଗ, ମଝାଲଭାଗ ଓ ନିଛିଲାଭାଗ ଏହିଭଳି ତିନିଗୋଟି ପ୍ରଗଣାରେ ବିଭକ୍ତ କରାଯାଇଥିଲା। ତନ୍ମଧ୍ୟରୁ ଷ୍ଟେଟ୍‌ର ଉପରଭାଗରେ ପ୍ରଚଳିତ ଓଡ଼ିଆ ଭାଷାର ଉଚ୍ଚାରଣ ଥିଲା ନିଆରା। ଇଲାକାକୁ ଲାଗିଥିବା ପଡ଼ୋଶୀ ଦୁଇ ରାଜ୍ୟ ଯଥାକ୍ରମେ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ) ଓ ବେଙ୍ଗଲର ହିନ୍ଦୀ, ବେଙ୍ଗଲୀ ଭାଷା ଛାୟାରେ ଲୋକମାନେ ଏଠାରେ ଆପଣା ବାଚନିକ ଶବ୍ଦକୁ ହଳନ୍ତ ଯୁକ୍ତ କରି ବୋଲନ୍ତି। ତେବେ ଉତ୍ତର ଓଡ଼ିଶା ଓ ଉପାନ୍ତ ମୟୂରଭଞ୍ଜରେ ପ୍ରଚଳିତ ଆହୁରି ଅସଂଖ୍ୟ ନିଜସ୍ବ ମୌଳିକ ଓଡ଼ିଆ ଶବ୍ଦ ରହିଛି, ଯେଉଁଗୁଡିକୁ ବି ଏଯାଏ ଆମ ଶବ୍ଦକୋଷରେ ସ୍ଥାନ ମିଳିନାହିଁ। ଏଥିରୁ କେତେକ ଶବ୍ଦକୁ ନିମ୍ନରେ ଉଦ୍ଧାର କରି ଭାଷାବିତ୍‌ମାନଙ୍କୁ ଅନୁରୋଧ ଜଣାଉଛୁ ଏହା ଉପରେ ବିଧିବଦ୍ଧ ଗବେଷଣା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଉଲ୍ଲିଖିତ ଶବ୍ଦାବଳୀକୁ ଓଡ଼ିଆ ଶବ୍ଦଭଣ୍ଡାରରେ ସଯତ୍ନ ସାଇତି ରଖିଲେ ପଲ୍ଲୀମାଟିର ଫୁଲ ହୋଇ ଦିନେ ନା ଦିନେ ଏହା ଓଡ଼ିଆ ଭାଷାକୁ ଗୌରବମୟ କରିବ।
ଓଡ଼ିଶାରେ ଏକପ୍ରକାର ଖାଦ୍ୟର ବିଭିନ୍ନ ନାମକରଣ ରହିଛି। ଉଦାହରଣ ସ୍ବରୂପ, ଉତ୍ତରଓଡ଼ିଶା ଓ ଉପାନ୍ତ ମୟୂରଭଞ୍ଜର ଲୋକେ ମୁଢ଼ିକୁ ଭୁଜା କହୁଥିବା ବେଳେ ଉଖୁଡାକୁ ମୁଡୁକି, ଅରୁଆ ଚାଉଳକୁ ଉଆ ଚାଉଳ, ତରକାରିକୁ ତୁଣ, ମାଂସକୁ ମାଉଁସ ବା ନାଲ୍‌ଭାଜି ବୋଲନ୍ତି। ଉତ୍ତରଓଡ଼ିଶାର ଗ୍ରାମୀଣ ଅଧିବାସୀ ଜାମାକୁ ତଦ୍ରୂପ ଅଙ୍ଗା କହନ୍ତି ତ ଫୁଲ୍‌ପ୍ୟାଣ୍ଟକୁ ପୂରାପେଣ୍ଟ ଭାବେ ନାମିତ କରନ୍ତି। ରାଜ୍ୟର କେତେକ ପନିପରିବା ଓ ଫଳର ନାମ ବି ଅଞ୍ଚଳଭେଦରେ ଭିନ୍ନପ୍ରକାରର। ଯେପରି କି ନାଡୁକାକୁ ରୁହ୍ମା, ଶିମ୍ବକୁ ଝଟୁଆ, ଜହ୍ନିକୁ ଝିଙ୍ଗା, ସାରୁ ପ୍ରଜାତି ଶାଗକୁ ଗାଡରି ଶାଗ, ପିଜୁଳିକୁ ପେଡା ଓ ଆତକୁ ମେହା ନାମରେ ଲୋକେ କହିଥାଆନ୍ତି। ଏହାଛଡ଼ା ପଡ଼ୋଶୀ ଝାଡ଼ଖଣ୍ଡସ୍ଥିତ ପୂର୍ବ ସିଂହଭୂମ ଜିଲାରେ କେଇଗୋଟି ପଶୁପକ୍ଷୀ ଓ କୀଟପତଙ୍ଗ ମଧ୍ୟ ଭିନ୍ନ ନାମରେ ପରିଚିତ ହୁଅନ୍ତି। ସେମାନେ ହେଲେ, ବିଲୁଆ-ଶିଆଳ, ଘରଚଟିଆ-ଚଟା, ଝଡ଼ିପୋକ-କଲେଇ, ଏଣ୍ଡୁଅ-କେଁକଡ, ଝିଣ୍ଟିକା-ଫିଡିଙ୍ଗା ଓ ମାଛ ଯାଆଁଳ-ପହଁଣା ଇତ୍ୟାଦିି।
କେତେକ ଘରକରଣା ଦ୍ରବ୍ୟକୁ ଅଞ୍ଚଳବାସୀ ପୃଥକ୍‌ ପୃଥକ୍‌ ନାମରେ ଚିହ୍ନନ୍ତି। ଯଥା ନୁଟା-ଟୁକୁଣା, ଗିନା-ତାଟିଆ, ଡୁଙ୍କି-କରଚୁଲି, ଖଣତି-ଖୁସିଣି, ଗଗରା-ଭର୍ଣ୍ଣା, କରେଇ-ନହତା, ଦୀପ-ବଇଠା, ସପ-ପଟିଆ, ଟୋକେଇ-ପାଛିଆ, ଛୋଟ ଟୋକେଇ-ଟୁକୁଲି, ଶସ୍ୟ ସଞ୍ଚି ରଖିବାର ବିଶାଳ ଟୋକେଇ-ଡୁଲି, କୁରାଢ଼ି-ବୁଟିଆ, ମୋଟା ଦଉଡି-ବରେଇ, ଘାରି-ଘାଡରି, ଖଇଞ୍ଚି-ଦାଲପା, ମୁଗୁରା-କୁଣି ଓ ନଡା-ନୁଟି/କୁଟା ଇତ୍ୟାଦି।
ଜମିଜମା ଓ ଚାଷୋପକରଣ କ୍ଷେତ୍ରରେ ବ୍ୟବହାର କରୁଥିବା ଶବ୍ଦରେ ତାରତମ୍ୟ ରହିଛି। ଯଥା ଗହୀର ଜମି-ବେଡାଜମି, ପଥୁରିଆ ବା ଉଚ୍ଚଜମି-ଢିପଜମି, ବେଉଷଣ-କଢାଣ, ଦ୍ୱିତୀୟ ବେଉଷଣ-ଦୁଆ, ମାଟି କୋରିବା ଲଙ୍ଗଳ-କୁରଳ, ମାଟିକୁ ସମତଳ କରିବା ଲଙ୍ଗଳ-ମଇ, ବାଡ-ବାଦାଡ ଏବଂ ବାଡ ବନ୍ଦ କରିବା- ତାଟି ଝାମ୍ପ ଆଦିର ବ୍ୟବହାର କାଳ କାଳ ଧରି ଏଠାରେ ଚଳିି ଆସୁଛି।
ଉତ୍ତର ଓଡ଼ିଶାରେ କ୍ରିୟାବାଚକ ବହୁ ଓଡ଼ିଆ ଶବ୍ଦ ଭିନ୍ନ ନାମରେ ପରିଚୟ ପ୍ରଦାନ କରନ୍ତି। ଶବ୍ଦଗୁଡ଼ିକ ବହୁଳ ଭାବେ ହଳନ୍ତଯୁକ୍ତ। ସେଗୁଡ଼ିକ ଭିତରୁ କେତେକ ଏଠାରେ ସ୍ଥାନିତ କରୁଛୁ। ଯେପରି କି ଉଣ୍ଡିବା- ଚିହିଙ୍କିବା/ ହୁଲକିବା/ ନିହିଡିବା, ଚିତ୍କାର କରିବା- ଚିହିଡିବା, ଧାଇଁବା- ଘଟକିବା, ସୁତୁରେଇବା- ଗେଣ୍ଡେଇବା, ବିଦ୍ରୂପ କରିବା-ଚିଗ୍‌ଲେଇବା, ପୁଚ୍‌କିବା- ଖସ୍‌ରିଯିବା, ବନେଇବା-ତିଆରି କରିବା, ମୁଣ୍ଡ କୁଣ୍ଡେଇବା- ମୁଣ୍ଡ ଖାଁକିବା, ଉକାଳିଦେବା- ଉଲ୍‌ଗିବା, ଯୁକ୍ତିତର୍କ- ରେଞ୍ଜଘେଁସ, ଲାଖିଯିବା- ନଟକିବା, ଢିଲା- ହଣ୍‌ଗା, ଉଭେଇଯିବା-ନିମ୍‌ଜିଯିବା, ଦୁଷ୍ଟାମି-ଉଗ୍ରୀ, ବକର୍‌ ବକର୍‌-କେଚେର୍‌ କେଚେର୍‌/ଗେଜେର୍‌ ଗେଜେର୍‌, ଫନ୍ଦିଫିକର-ଫିର୍‌କିଟି, ବିକଳ ମନ- ଉଲୁଢୁକୁ, ଉସକେଇବା-ଟିହେଇବା, ଫପାଡିବା- ଫାବ୍‌ଡିବା, ଘୁଙ୍ଗୁଡି- ଘଁଟ୍‌ରା, ଚିରିବା- ପିଞ୍ଜିବା, ହଇରାଣ- ଛିଲବିଲ, ଦାନ୍ତ ଦେଖେଇବା- ଗିଜିଡିବା, ତରକେଇବା-ଭିଡ଼କେଇବା, ଲଗ୍ନଧରା- ନଗଧରା, ବଡ଼ ଆଖିରେ ଚାହିଁବା- ଏଣ୍ଡରେଇବା, ମୁହଁ ଆମ୍ବିଳା କରିବା- ମୁହଁ ଉନ୍ଦ୍‌ରେଇବା ଓ ଚିନ୍ତାଦକ- ହୁଲ୍‌ଡୁଲ୍‌ ଇତ୍ୟାଦି।
ଏଠିକା ଗାଆଁଗହଳିର ଲୋକେ କହୁଥିବା କେତେକ ଓଡ଼ିଆ ଶବ୍ଦର ଭିନ୍ନ ନାମ ନିମ୍ନରେ ପ୍ରଦାନ କରୁଛୁ। ଯଥା- ମହିଳା-ମାଈଡା/ମାହାଡା, ପିଲାର ମାଆ ହୋଇ ନ ଥିବା ଭୁଆସୁଣୀ- ଦିଣ୍ଡା, ଦ୍ୱିତୀୟ ବିବାହ-ସଙ୍ଗା, ରକ୍ଷିତା-ଢେମ୍‌ଣୀ, ବିଟପୀ-ସାତଘରୀ, ପୋଲା-ଧଡ୍‌ରା, ମେଲା-ଭଙ୍ଗ୍‌ଳ, ବହୁତ-ବେଡେ, ପର୍ଯ୍ୟାପ୍ତ-ବେଜାଏଁ, ଅସ୍ବାଦୁ-ବିଜକିଟିଆ, କ’ଣ ପାଇଁ-କେନେ, ଅଳିଆ-ଜୁବ୍‌ରା, ଅଶ୍ୱତ୍‌ଥ ଗଛ- ଜଳିଗଛ ଏବଂ କର୍ମ-ପାଇଟି ଆଦି। ଉତ୍ତର ଓଡ଼ିଶାର ଉପାନ୍ତ ଇଲାକାରେ ପ୍ରଚଳିତ ଉପରୋକ୍ତ କଥିତ ଭାଷାର ଶବ୍ଦାବଳୀରୁ ଉପାଦେୟ ଶବ୍ଦମାନ ଖୋଜି ଓଡ଼ିଆ ଶବ୍ଦକୋଷରେ ସାଇତି ରଖିଲେ ଆମ ଭାଷାବାଟିକା ଯେ ଅଧିକ ବ୍ୟାପ୍ତ, ଆକର୍ଷଣୀୟ ଓ ସୌରଭ ବିତରଣକାରୀ ହେବ, ଏଥିରେ ସନ୍ଦେହ ନାହିଁ।
ଦାରୋଗାଡାହି, ବାରିପଦା, ମୟୂରଭଞ୍ଜ,
ମୋ-୯୪୩୭୨୧୮୬୦୮


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri