ଭାରତଛାଡ଼ ଆନ୍ଦୋଳନ ଓ ରକ୍ତତୀର୍ଥ ଇରମ୍‌

ଡ. ପ୍ରଫୁଲ୍ଲ କୁମାର ସାହୁ

ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର ଟ୍ୟାଙ୍କ୍‌ (ଅଗଷ୍ଟ କ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଲେ ଗାନ୍ଧିଜୀ। ସ୍ବାଧୀନତା ସଂଗ୍ରାମର ଅନ୍ତିମ ଲଢ଼େଇ ଲଢ଼ିବା ପାଇଁ ସତ୍ୟାଗ୍ରହୀମାନଙ୍କୁ ଶୁଣାଇଲେ ‘କର ବା ମର’ ମନ୍ତ୍ର। ସେ ମନ୍ତ୍ର ପ୍ରତିଧ୍ୱନିତ ହେଲା ଆକୁମାରୀ ହିମାଚଳ। ଚାରିଆଡ଼େ ଖେଳିଗଲା ଦେଶପ୍ରେମର ଏକ ଅଦ୍ଭୁତ ଆଲୋଡ଼ନ। ତା’ର ସମ୍ଭାବ୍ୟ ପରିଣତିକୁ ଆକଳନ କରି ଚିହିଁକି ଉଠିଲା ବ୍ରିଟିଶ୍‌ ସରକାର। ପ୍ରତିଶୋଧମୂଳକ ପଦକ୍ଷେପ ସ୍ବରୂପ ବ୍ରିଟିଶ ସରକାରଙ୍କ ପକ୍ଷରୁ ତତ୍କାଳ ଆରମ୍ଭ ହେଲା ବ୍ୟାପକ ଗିରଫଦାରି। ଅଗଷ୍ଟ ୯ ତାରିଖ ସକାଳ ହେବା ଆଗରୁ ବନ୍ଦୀ ହୋଇ ସାରିଥିଲେ ଗାନ୍ଧିଜୀ ଏବଂ କଂଗ୍ରେସ କାଯର୍‌ୟକାରୀ କମିଟିର ଅନ୍ୟ ସଦସ୍ୟମାନେ। କଂଗ୍ରେସକୁ ବେଆଇନ ଘୋଷଣା କରିବା ସହ ସବୁ କଂଗ୍ରେସ ଅଫିସରେ ଝୁଲାଇ ଦିଆଗଲା ତାଲା। ତଡିତ୍‌ ବେଗରେ ବ୍ୟାପିଗଲା ଗାନ୍ଧିଜୀ ଏବଂ କଂଗ୍ରେସର ଅନ୍ୟ ତୁଙ୍ଗ ନେତାମାନଙ୍କ ଗିରଫ ହେବା ଖବର। ସବୁଆଡ଼େ ସୃଷ୍ଟି ହେଲା ଉତ୍ତେଜନାମୟ ବାତାବରଣ। ସମସ୍ତଙ୍କୁ ଉଦ୍‌ବେଳିତ କଲା ଗାନ୍ଧିଜୀଙ୍କର ସେହି ଆହ୍ବାନ -‘କର ବା ମର’। ଅଥଚ କି ଅଦ୍ଭୁତ ଶକ୍ତି ଥିଲା ଏ ପଞ୍ଚାକ୍ଷରୀ ମନ୍ତ୍ରର?
ପୋଲିସ ଗୁଳିଗୋଳାକୁ ଖାତିର ନ କରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ଲକ୍ଷଲକ୍ଷ ଲୋକ। ବିଭିନ୍ନ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀ ଜନତାଙ୍କ ଭିତରେ ଉପୁଜିଲା ମୁହାଁମୁହିଁ ପରିସ୍ଥିତି। ତେବେ କ’ଣ ଥିଲା ଗାନ୍ଧିଜୀଙ୍କ ‘କର ବା ମର’ ଆହ୍ବାନର ପରିଣାମ? କେଉଁ ଅସ୍ତ୍ର ସାହାଯ୍ୟରେ ମୁକ୍ତି ସଂଗ୍ରାମର ଶେଷ ଲଢ଼େଇ ଲଢ଼ିବା ପାଇଁ ସେ ଆହ୍ବାନ ଦେଇଥିଲେ ଦେଶବାସୀଙ୍କୁ। ହିଂସାରେ ନା ଅହିଂସା ଉପାୟରେ? ଗାନ୍ଧିଜୀ କେବଳ ଏତିକି କହିଥିଲେ ଶାନ୍ତିପୂର୍ଣ୍ଣ ଉପାୟରେ ସଂଗ୍ରାମକରି ସ୍ବାଧୀନତା ହାସଲ କର, ନ ହେଲେ ଆତ୍ମବଳି ଦିଅ ଦେଶ ପାଇଁ। ମାତ୍ର ଗାନ୍ଧିଜୀଙ୍କ ଏ ପ୍ରସ୍ତାବିତ ଖସଡ଼ାକୁ ବଦଳେଇ ଦେଲା ବ୍ରିଟିଶ ସରକାରଙ୍କ ଦମନମୂଳକ ନୀତି। ଜନ ଆନ୍ଦୋଳନକୁ ଦବାଇ ଦେବା ପାଇଁ ସରକାରଙ୍କ ପଦକ୍ଷେପ ଥିଲା ସତ୍ୟାଗ୍ରହୀଙ୍କ ଉପରେ ନିର୍ମମ ଲାଠି ପ୍ରହାର ଓ ଗୁଳିବର୍ଷଣ। ମହିଳାମାନଙ୍କ ପ୍ରତି ସେମାନଙ୍କ ଭାଷା ଓ ବ୍ୟବହାର ଥିଲା ଅତ୍ୟନ୍ତ ଅଶାଳୀନ ଓ ଅଭଦ୍ରୋଚିତ। ଇତିହାସ କହେ- ୧୯୪୨ ମସିହା ଅଗଷ୍ଟ ୧୭ ତାରିଖ ଦିନ ଭଦ୍ରକଠାରୁ ୧୬ କି.ମି. ଦୂରରେ ଅବସ୍ଥିତ ଭଣ୍ଡାରିପୋଖରୀ ଥାନା ପୋଡ଼ି ଘଟଣା ଥିଲା ବ୍ରିଟିଶ କୁଶାସନ ବିରୋଧରେ ଓଡ଼ିଶାର ସର୍ବପ୍ରଥମ ହିଂସାତ୍ମକ ଆନ୍ଦୋଳନ।
ଘଟଣା ଦିନ ଯୁବ ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ନେତୃତ୍ୱରେ ପାଖାପାଖି ପାଞ୍ଚ ହଜାର ସତ୍ୟାଗ୍ରହୀ ମଶାଲ ଶୋଭାଯାତ୍ରାରେ ଆସି ନିଆଁ ଲଗେଇ ଦେଇଥିଲେ ଭଣ୍ଡାରିପୋଖରୀ ଥାନାରେ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବୈଷ୍ଣବ ଚରଣ ନାୟକ, କୁଶଧ୍ୱଜ ପଣ୍ଡା ଓ କୃପାସିନ୍ଧୁ ସାହୁ ପ୍ରମୁଖ କେତେଜଣ ସତ୍ୟାଗ୍ରହୀ ନେତାଙ୍କୁ ଗିରଫ କରିନେଇଥିଲା ପୋଲିସ। ପିଟୁଣି ଟିକସ (ଜରିମାନା) ବାବଦକୁ ପାର୍ଶ୍ୱବର୍ତ୍ତୀ ୧୨ଟି ଗ୍ରାମର ଲୋକଙ୍କଠାରୁ ଆଦାୟ କରାଯାଇଥିଲା ୬ ହଜାର ଟଙ୍କା। ବ୍ରିଟିଶ ପ୍ରଶାସନର ଏଭଳି ଦମନମୂଳକ କାଯର୍‌ୟାନୁଷ୍ଠାନ ସତ୍ତ୍ୱେ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ତେଜି ଉଠିଥିଲା ଆନ୍ଦୋଳନ। ସେପ୍ଟେମ୍ବର ୫ ତାରିଖରେ ଭଦ୍ରକଠାରୁ ୨୦ କି.ମି. ଦୂର ଧାମନଗର ଥାନା ଅନ୍ତର୍ଗତ ଧୁଷୁରୀଠାରେ ସତ୍ୟାଗ୍ରହୀମାନେ ସଂଗଠିତ ହୋଇ ଚୌକିଦାର ଓ ଦଫାଦାରଙ୍କ ପୋଷାକ ପୋଡ଼ିଦେଲେ ଏବଂ ଧାମନଗର ଅଞ୍ଚଳକୁ ସ୍ବାଧୀନ ଘୋଷଣା କଲେ ସର୍ଦ୍ଦାର ମୁରଲୀଧର ପଣ୍ଡା ଓ ମୁରଲୀଧର ଜେନା ପ୍ରମୁଖ ନେତାଙ୍କ ଉପସ୍ଥିତିରେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୋଲିସ ପ୍ରସ୍ତୁତ କଲା ସତ୍ୟାଗ୍ରହୀ ନେତାମାନଙ୍କୁ ଗିରଫ କରି ଆନ୍ଦୋଳନକୁ ଭଣ୍ଡୁର କରିବା ଯୋଜନା। ପ୍ରାରମ୍ଭିକ ଅଭିଯାନ ସ୍ବରୂପ ସେପ୍ଟେମ୍ବର ୨୨ ତାରିଖ ସକାଳ ହେବା ପୂର୍ବରୁ ଲୁଣିଆ କଟସାହି ଗାଁରେ ପହଞ୍ଚି ଘେରାଉ କରିନେଲା ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ଘର। ସକାଳ ହେବା ମାତ୍ରେ ଗାଁ ଲୋକ ଏ କଥା ଜାଣିଗଲେ ଏବଂ ଶଙ୍ଖଘଣ୍ଟା ଧ୍ୱନିରେ ଉଛୁଳି ଉଠିଲା ଗାଁ। ସାରା ଅଞ୍ଚଳରେ ଖେଳିଗଲା ଖବର। ହାତରେ ଠେଙ୍ଗାବାଡ଼ି ଧରି ମାଡ଼ିଆସିଲେ ହଜାର ହଜାର ଲୋକ। ମୁହାଁମୁହିଁ ହେଲେ ରକ୍ତମୁଖା ପୋଲିସ ଓ ଉତ୍ତେଜିତ ଜନତା। ପୋଲିସର ଆଖିବୁଜା ଗୁଳି ଚାଳନା ଯୋଗୁ ଶହୀଦ ହେଲେ ୯ ଜଣ ସତ୍ୟାଗ୍ରହୀ। ନିରୀହ ମଣିଷ ରକ୍ତରେ ଲାଲ୍‌ ହେଲା ଚାନ୍ଦିଆପୋଷି ପଡ଼ିଆ। ଏ ବଳିଦାନର ମାଟି ଏବେ ଶହୀଦନଗର ନାମରେ ଖ୍ୟାତ।
ଲୁଣିଆ ଗୁଳିକାଣ୍ଡର ଠିକ୍‌ ୬ ଦିନ ପରେ ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ଜନ୍ମମାଟି ଇରମ୍‌ ଲେଖିଲା ସ୍ବାଧୀନତା ସଂଗ୍ରାମର ରକ୍ତାକ୍ତ କବିତା। ଭଦ୍ରକ ଜିଲାର ବାସୁଦେବପୁରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ ରକ୍ତତୀର୍ଥ ଇରମ୍‌ ଥିଲା ମୁକ୍ତି ଆନ୍ଦୋଳନର ଏକ ପ୍ରୟୋଗଶାଳା। ଗାଁର ଗୋଟିଏ ପାର୍ଶ୍ୱରେ ବଙ୍ଗୋପସାଗରର ସୁନୀଳ ଜଳରାଶି ଓ ଅନ୍ୟ ତିନି ପାର୍ଶ୍ୱକୁ ବେଢ଼ି ବହିଯାଇଛି ଗମେଇ ଓ କାଂଶବାଂଶ ନଦୀର ଜଳଧାରା। ସେଥିପାଇଁ ଇରମ୍‌ ଗାଁକୁ ସହସା ପ୍ରବେଶ କରିପାରେନି ପୋଲିସ ା ପ୍ରାକୃତିକ ଅବସ୍ଥିତି ଦୃଷ୍ଟିରୁ ଇରମ୍‌ ଥିଲା ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ସଭାସମିତି ପାଇଁ ଗାଁରେ ବି ଥିଲା ଏକ ବିରାଟ ମେଳଣପଡ଼ିଆ। ଭାରତଛାଡ଼ ଆନ୍ଦୋଳନ ବେଳକୁ କବି ବାଞ୍ଛାନିଧି ନ ଥିଲେ ସତ କିନ୍ତୁ ତା’ର ବହୁ ଆଗରୁ ସେ ଇରମ୍‌ ମାଟିରେ ବୁଣି ସାରିଥିଲେ ଦେଶପ୍ରେମର ମଞ୍ଜି। ତାଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ସାଂଗଠନିକ ଦକ୍ଷତା ଯୋଗୁ ଏକ ସଂଗ୍ରାମୀ ତିଆରି କାରଖାନାରେ ପରିଣତ ହୋଇ ସାରିଥିଲା ଇରମ୍‌ ମାଟି। ଭାରତଛାଡ଼ ଆନ୍ଦୋଳନର ୨୧ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁଙ୍କୁ ମୁଗ୍ଧ କରିଥିଲା ଇରମ୍‌ବାସୀଙ୍କ ଦେଶପ୍ରେମ। ସେଥିପାଇଁ ସେ ଇରମ୍‌ ସଭାରେ ଗାଇଥିଲେ- ”ଦେଶାତ୍ମବୋଧର ଚାରୁ ଗନ୍ତାଘର, ଇରମ ସୁରମ୍ୟ ଜାତୀୟ ନଗର।“ ଭାରତଛାଡ଼ ଅନ୍ଦୋଳନ ବେଳେ ସେହି ଜାତୀୟନଗର ଇରମ୍‌ ରଚିଲା ବଳିଦାନର ଏକ ବିରଳ ଇତିହାସ।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ। ଅସ୍ତଗାମୀ ସୂର୍ଯ୍ୟଙ୍କ ସ୍ବର୍ଣ୍ଣିମ ଆଭାରେ ରକ୍ତାକ୍ତ ହୋଇଉଠିଥିଲା ଇରମ୍‌ ମେଳଣପଡ଼ିଆ। ସେଠାରେ ଅନୁଷ୍ଠିତ ସଭାରେ ସମ୍ମିଳିତ ହୋଇଥିଲେ ପ୍ରାୟ ୬ ହଜାର ସତ୍ୟାଗ୍ରହୀ। ସଭାକାର୍ଯ୍ୟ ଖୁବ୍‌ ଗମ୍ଭୀର ହୋଇ ଉଠିଥିବାବେଳେ ହଠାତ୍‌ ଜମିଦାର ଉଆସ ଆଡ଼ୁ ମାଡ଼ିଆସିଲା ପୋଲିସବାହିନୀ। ସଭାସ୍ଥଳ ଛାଡ଼ି ଚାଲିଯିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦେଲେ ଡିଏସ୍‌ପି କୁଞ୍ଜବିହାରୀ ମହାନ୍ତି। ମାତ୍ର ସତ୍ୟାଗ୍ରହୀମାନେ ସ୍ଥାନ ଛାଡ଼ିବା ପରିବେର୍ତ୍ତେ ଆରମ୍ଭ କରିଦେଲେ ନାରାବାଜି। କରେଙ୍ଗେ ୟା ମରେଙ୍ଗେ, ଗୁଳିଗୋଳା ସେ ନେହିଁ ଡରେଙ୍ଗେ, ଲାଠି ମାଡ଼ସେ ନେହିଁ ଡରେଙ୍ଗେ, ଭାରତମାତାକୀ ଜୟ, ମହାତ୍ମା ଗାନ୍ଧୀକୀ ଜୟ ଆଦି ଧ୍ୱନିରେ ପ୍ରକମ୍ପିତ ହେଲା ମେଳଣପଡ଼ିଆ। ଲୋକଙ୍କୁ ଘଉଡ଼େଇବା ପାଇଁ ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଗର୍ଜିଉଠିଲା ପୋଲିସର ରକ୍ତମୁଖା ବନ୍ଧୁକ। ଘଟଣାସ୍ଥଳରେ ୨୮ ଜଣ ଟଳି ପଡ଼ିବା ସହିତ ଗୁରୁତର ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଲେ ପ୍ରାୟ ୫୬ରୁ ଅଧିକ ନିରସ୍ତ୍ର ମଣିଷ। ନିହତମାନଙ୍କ ମଧ୍ୟରେ ଥିଲେ ବିଜୁଳି ଦାସ ନାମକ ଜଣେ ୧୫ ବର୍ଷର ନାବାଳକ ଏବଂ ସ୍ବାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକମାତ୍ର ମହିଳା ଶହୀଦ ପରୀ ବେୱା। ପଞ୍ଜାବର ଜାଲିଆନାୱାଲାବାଗ୍‌ ପରେ ଏ ହେଉଛି ବଳିଦାନର ଦ୍ୱିତୀୟ ସ୍ଥଳ, ଯେଉଁଠି ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଗୋଟିଏ ଦିନରେ ପୋଲିସ ଗୁଳିରେ ଆତ୍ମବଳି ଦେଇଛନ୍ତି ୨୯ ଜଣ ଦେଶପ୍ରେମୀ। ୭୨ ବର୍ଷ ହେଲା ଅବସାନ ହେଲାଣି ଫିରିଙ୍ଗି ଶାସନର କଳଙ୍କିତ ଅଧ୍ୟାୟ। ହେଲେ ଏବେବି ଲୋକେ ଭୁଲି ନାହାନ୍ତି ସେ ଗଣହତ୍ୟାର ମର୍ମାନ୍ତିକ ଦୃଶ୍ୟ। ସେଦିନର ସେ ଘଟଣା ମନେପକାଇ ଏବେବି ଗୁମୁରି କାନ୍ଦୁଛି ରକ୍ତତୀର୍ଥ ଇରମ୍‌। ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ କଳାସ୍ତମ୍ଭ ବଖାଣୁଛି ଦେଶପ୍ରେମର ସେ ବିରଳ ଗାଥା। ଆଜି ବି ସେ ସ୍ମୃତିପୀଠରେ ପାଦ ଦେଲେ ହୃଦୟର ନିଭୃତତମ ପ୍ରଦେଶରୁ ବାହାରି ଆସେ ନୀରବ ଶ୍ରଦ୍ଧାଞ୍ଜଳିର ଶବ୍ଦ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତବ ନୀତି ନାହିଁ

ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବର ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଛି। ୟୁକ୍ରେନ୍‌ର ସାମ୍ପ୍ରତିକ ସ୍ଥିତିକୁ...

ହିସାବ ଠିକ୍‌

ଆଗରୁ ବନ୍ଦର ଯାଇସାରିଛି। ଅଧିକାଂଶ ଉଡ଼ାଜାହାଜ ପଡ଼ିଆ ମଧ୍ୟ ବିକ୍ରି ହୋଇସାରିଛି। ଏପରିକି ଭାରତର ଐତିହାସିକ କୀର୍ତ୍ତିରାଜି ମଧ୍ୟ ବିକ୍ରି କରିଦିଆଯାଇଛି। କିଛିମାସ ହେବ ଚାଷୀ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ କେରଳର ଫାରିକ ନୌସଦ ଓ ପ୍ରବୀଣ ଜ୍ୟାକୋବ ଭର୍ଗିସଙ୍କ ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଏମାନେ ପ୍ଲାଷ୍ଟିକ୍‌ ଷ୍ଟ୍ର ବଦଳରେ ଅମୃତଭଣ୍ଡା...

ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର...

କାଣୀ ବିରାଡ଼ି ଓ କୁଜି ଅସରପା

ମମତା ଶୁକ୍ଳା ବର୍ତ୍ତମାନ କଲେଜଗୁଡ଼ିକରେ ଆଡ୍‌ମିଶନ ଶେଷ ହୋଇ ପଢ଼ା ଆରମ୍ଭ ହୋଇଗଲାଣି। ଅସୁମାରି ସ୍ବପକୁ ନେଇ ନୂଆ ଦୁନିଆରେ ପାଦ ଥାପିବା ବେଳେ ବି...

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ...

ଧର୍ମନିରପେକ୍ଷତାରୁ ଦୂରରେ

ପ୍ରଥମେ ବହୁ ବର୍ଷ ଧରି ମୁଁ ପାକିସ୍ତାନର ଖବରକାଗଜଗୁଡ଼ିକ ପାଇଁ ଆର୍ଟିକିଲ ଲେଖୁଥିଲି। ମୁଁ ବହୁଥର ପାକିସ୍ତାନ ଯାଇ ସେଠାରେ ବିଶ୍ୱବିଦ୍ୟାଳୟମାନଙ୍କରେ ବକ୍ତବ୍ୟ ଉପସ୍ଥାପନ କରିଛି।...

ଆଞ୍ଚଳିକ ଭାଷା ଓ ବୈଷୟିକ ଶିକ୍ଷା

ଲଳିତ କୁମାର ପାତ୍ର ସର୍ବୋଚ୍ଚ କ୍ଷମତାର ପରିଚାଳକଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହେଉଛି ରାଷ୍ଟ୍ର ମଧ୍ୟରେ ଥିବା ସମସ୍ତ ଆଞ୍ଚଳିକ ଭାଷାର ସୁରକ୍ଷା ଓ ସମୃଦ୍ଧି...

Advertisement
Archives

Model This Week