ଭବିଷ୍ୟତର ପୂର୍ବାନୁମାନ

ଆକାର ପଟେଲ
ଭବିଷ୍ୟତ ସମ୍ବନ୍ଧରେ ପୂର୍ବାନୁମାନ କରିବା ସବୁବେଳେ କଷ୍ଟକର ବୋଲି କୁହାଯାଏ। କିନ୍ତୁ ପରିବର୍ତ୍ତନର ହାର ସମ୍ବନ୍ଧରେ ପୂର୍ବାନୁମାନ କରିବାର ଗୋଟିଏ ଉପାୟ ଅଛି। ଏହାକୁ କୁହାଯାଏ ‘ମୁର୍‌ଙ୍କ ନିୟମ’, ଯାହା କମ୍ପ୍ୟୁଟର ଚିପ୍‌ କମ୍ପାନୀ ଇଣ୍ଟେଲର ପ୍ରତିଷ୍ଠାତା ଗର୍ଡନ ମୁର୍‌ଙ୍କ ନାମରେ ନାମିତ। ପ୍ରାୟ ୫୦ ବର୍ଷ ତଳେ ସେ ଦେଖିଲେ ଯେ, ଏକା ମୂଲ୍ୟରେ ଉପଲବ୍ଧ କମ୍ପ୍ୟୁଟିଂ ପାଓ୍ବାର ପ୍ରାୟ ପ୍ରତି ୧୮ ମାସରେ ଦ୍ୱିଗୁଣିତ ହେଉଛି। ଗୋଟିଏ ଚିପ୍‌ ଉପରେ ଲଗାଯାଇପାରୁଥିବା ଟ୍ରାଞ୍ଜିଷ୍ଟର ସଂଖ୍ୟା ଉପରେ ଏହା ପର୍ଯ୍ୟବସିତ। ଏହା ନିଉଟନଙ୍କ ଗତି ନିୟମ ପରି ଏକ ନିୟମ ନୁହେଁ, ବରଂ ଏକ ପର୍ଯ୍ୟବେକ୍ଷଣ ମାତ୍ର। ତେବେ ମୁର୍‌ ଯେଉଁ ପୂର୍ବାନୁମାନ କରିଥିଲେ ତାହା ଗତ ୫୦ ବର୍ଷ ଭିତରେ ସତ୍ୟ ବୋଲି ପ୍ରମାଣିତ ହୋଇଛି। କମ୍ପ୍ୟୁଟିଂ ପାଓ୍ବାର ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ହାରରେ ବୃଦ୍ଧି ପାଉଛି ଏବଂ ଏହାଦ୍ୱାରା ଅନ୍ୟ ଅନେକ ବିଷୟରେ ପୂର୍ବାନୁମାନ କରିବା ସମ୍ଭବ ହେଉଛି। ଏପରି ଠିକ୍‌ ପୂର୍ବାନୁମାନ କରୁଥିବା ବିଖ୍ୟାତ ବ୍ୟକ୍ତି ହେଉଛନ୍ତି ରେ’ କୁର୍ଜଓ୍ବେଲ, ଯିଏ କି ଜଣେ ଉଦ୍ଭାବକ ଏବଂ ବର୍ତ୍ତମାନ ଗୁଗ୍‌ଲ ପାଇଁ କାମ କରୁଛନ୍ତି। ତାଙ୍କର ନଷ୍ଟ୍ରାଦମସ୍‌ଙ୍କ ପରି ବ୍ୟକ୍ତିତ୍ୱ ଏବଂ ସେ ଦୀର୍ଘକାଳ ହେଲା ଅତ୍ୟନ୍ତ ନିର୍ଭୁଲ ଭାବେ ପୂର୍ବାନୁମାନ କରିପାରୁଛନ୍ତି। ତାଙ୍କର ପ୍ରଥମ ପୁସ୍ତକ ହେଉଛି ‘ଦ ଏଜ୍‌ ଅଫ୍‌ ଇଣ୍ଟଲିଜେଣ୍ଟ ମେଶିନ୍ସ’, ଯାହାକୁ ସେ ୧୯୮୦ ଦଶକର ଶେଷ ଭାଗରେ ଲେଖିବାକୁ ଆରମ୍ଭ କରିଥିଲେ। ମୁର୍‌ଙ୍କ ନିୟମର ଏକ ସଂସ୍କରଣ ବ୍ୟବହାର କରି କୁର୍ଜଓ୍ବେଲ ପୂର୍ବାନୁମାନ କରିଥିଲେ ଯେ, ୧୯୯୮ ସୁଦ୍ଧା କମ୍ପ୍ୟୁଟର ଚେସ୍‌ ଖେଳରେ ବିଶ୍ୱ ଚାମ୍ପିୟନ୍‌ଙ୍କୁ ହରାଇ ଦେଇପାରିବ। ତା’ର ଗୋଟିଏ ବର୍ଷ ପୂର୍ବରୁ ଗାରି କାସ୍ପାରୋଭ ଆଇବିଏମ୍‌ର କମ୍ପ୍ୟୁଟର ‘ଡିପ୍‌ ବ୍ଲୁ’ ଦ୍ୱାରା ପରାଜିତ ହେଲେ। ୨୦୧୦ ପୂର୍ବରୁ ଓ୍ବାଇଫାଇ ନେଟ୍‌ଓ୍ବାର୍କରେ ଗୁଗ୍‌ଲ ଚାଲିବ ବୋଲି ସେ ପୂର୍ବାନୁମାନ କରିଥିଲେ। ସେ ବିଭିନ୍ନ ପୁସ୍ତକରେ ଲେଖିଥିବା ସମସ୍ତ ୧୪୭ଟି ପୂର୍ବାନୁମାନର ଏକ ତାଲିକା ୨୦୧୦ରେ ପ୍ରସ୍ତୁତ କଲେ। ସେଗୁଡ଼ିକ ମଧ୍ୟରୁ ମାତ୍ର ତିନୋଟି ଭୁଲ୍‌ ପ୍ରମାଣିତ ହେଲା। ତେଣୁ ଆସନ୍ତା ୧୦ ବର୍ଷ ଲାଗି ସେ ଯାହା ପୂର୍ବାନୁମାନ କରିଛନ୍ତି, ତାହା ଆମ ପାଇଁ କୌତୂହଳର ବିଷୟ। କାରଣ ଅତୀତରେ ତାଙ୍କର ପୂର୍ବାନୁମାନ ଯେତେ ସତ ହୋଇଛି, ଭବିଷ୍ୟତରେ ସେତିକି ବା ତା’ଠାରୁ ଅଧିକ ସତ ହେବାର ସମ୍ଭାବନା ଅଛି। ମନେ ରଖିବାକୁ ହେବ ଯେ, ତାଙ୍କର ସବୁ ପୂର୍ବାନୁମାନ କମ୍ପ୍ୟୁଟିଂ ପାଓ୍ବାର ଉପରେ ପର୍ଯ୍ୟବସିତ, ତାହା ତାଙ୍କର କଳ୍ପନା ବା ସ୍ବପ୍ନ ନୁହେଁ। ଉଦାହରଣ ସ୍ବରୂପ, ୩୦ ବର୍ଷ ତଳେ ମିନିଏଚରାଇଜେଶନ ଓ ଟଚ୍‌ ସ୍କ୍ରିନ୍‌ ପ୍ରକ୍ରିୟାରେ ଉନ୍ନତି ଚାଲିଥିବା ବେଳେ ଆଜି ଆମେ ବ୍ୟବହାର କରୁଥିବା ସ୍ମାର୍ଟ ଫୋନ୍‌ଗୁଡ଼ିକ ଶସ୍ତାରେ ଉପଲବ୍ଧ ହେଉଛି। କିନ୍ତୁ ଏପରି ହେବ ବୋଲି ଟେକ୍ନୋଲୋଜି ଦୁନିଆ ବାହାରେ କେହି ବି କଳ୍ପନା କରି ନ ଥିଲେ।
କୁର୍ଜଓ୍ବେଲ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଦଶନ୍ଧି ଭିତରେ ସବୁ ନ ହେଲେ ବି ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ହେବ। ତାଙ୍କ ମତରେ ଆମ ରକ୍ତସ୍ରୋତରେ ପ୍ରବେଶ କରିପାରୁଥିବା ନାନୋ-ବଟ୍‌ ବା ଅତି କ୍ଷୁଦ୍ର ରୋବୋ ଯୋଗୁ ଏହା ସମ୍ଭବ ହେବ। ମଣିଷର ଆୟୁଷ କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି ଏବଂ ୧୯୬୦ରେ ଏହା ୪୦ରୁ ଠିକ୍‌ ଉପରେ ଥିବାବେଳେ ବର୍ତ୍ତମାନ ଏହା ୭୦ରୁ ଠିକ୍‌ ତଳେ ରହିଛି। ରୋଗ ନିରାକରଣରେ ଯଥେଷ୍ଟ ଉନ୍ନତି ଘଟିବା ସହ ଆଉ ୩୦ ବର୍ଷ ଭିତରେ ମଣିଷର ହାରାହାରି ଆୟୁଷ ଆହୁରି ୩୦ ବର୍ଷ ବୃଦ୍ଧି ପାଇପାରେ। ଏକ୍ସୋସ୍କେଲିଟନ (ବାହ୍ୟ କଙ୍କାଳ) ଓ କୃତ୍ରିମ ଅଙ୍ଗର ସମାନ୍ତରାଳ ବିକାଶ ମଣିଷକୁ ଭବିଷ୍ୟତରେ ଶତାଧିକ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ଓ କର୍ମଠ ରଖିପାରିବ। ତେଣୁ ମଣିଷର ଅବସର ବୟସ ସୀମା ବିଷୟରେ ପୁନର୍ବିଚାର କରାଯାଇପାରେ।
କୁର୍ଜଓ୍ବେଲ କହନ୍ତି, ଆଭାସୀ ବାସ୍ତବତା (ଭର୍ଚୁଆଲ ରିୟଲିଟି) ଆଗାମୀ ୧୫ ବର୍ଷ ଭିତରେ ଆଉ ପୃଥକ୍‌ ବିବେଚନାଯୋଗ୍ୟ ହେବ ନାହିଁ। ଅର୍ଥାତ୍‌ ଯେଉଁମାନେ ଆଭାସୀ ୩-ଡି ଜଗତରେ ପ୍ରବେଶ କରିବେ, ସେମାନେ ଆମ ପରି ଦେଖିପାରିବେ, ଛୁଇଁପାରିବେ, ଶୁଙ୍ଘିପାରିବେ ଓ ଶୁଣିପାରିବେ। ଅନେକେ ଏପରି କୃତ୍ରିମ ଜଗତରେ ରହିବାକୁ ପସନ୍ଦ କରିବେ, ଯେଉଁଠି ବାସ୍ତବ ଜଗତର କୌଣସି ସମସ୍ୟା ନ ଥିବ। ଆମର ଚେତନା ଡିଜିଟାଲ ଜଗତରେ ମିଶିଯାଇ ପାରିବ, ଯେଉଁଥିରେ ଆମ ନିଜକୁ ନୂଆ ଶରୀରକୁ ଅପ୍‌ଲୋଡ ଓ ଡାଉନଲୋଡ କରିବାର ବିକଳ୍ପ ଥିବ ବୋଲି କୁର୍ଜଓ୍ବେଲ ପୂର୍ବାନୁମାନ କରିଛନ୍ତି।
ଆମେ ବର୍ତ୍ତମାନ ଏକ ପ୍ରକାର ସାଇବର୍ଗ, ଅର୍ଥାତ୍‌ ଅଧା ମଣିଷ ଓ ଅଧା ରୋବୋ। ଆମ ଫୋନ୍‌ ହେଉଛି ଆମର ଏକ ସମ୍ପ୍ରସାରଣ ଏବଂ ଏହା ସାହାଯ୍ୟରେ ଆମେ ପୃଥିବୀର ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବା। ଏହାର ଲୋକେଶନ ସାହାଯ୍ୟରେ ଆମେ ପୃଥିବୀର ଯେକୌଣସି ସ୍ଥାନ ଖୋଜି ପାଇଯିବା। ଆମ ମଧ୍ୟରୁ ୧୯୯୦ ଆଖପାଖର କେତେଜଣ ଲୋକ ଏ ବିଷୟରେ ପୂର୍ବାନୁମାନ କରିପାରିଥିଲେ? ଆମର ବର୍ତ୍ତମାନ ସମସ୍ୟା ହେଉଛି ଡାଟା ଇନ୍‌ପୁଟ୍‌ ରେଟ୍‌, ଅର୍ଥାତ୍‌ ତଥ୍ୟ ଦେବାରେ ଆମେ ମନ୍ଥର କାରଣ ତଥ୍ୟ ଏଣ୍ଟ୍ରି ପାଇଁ ଆମେ କେବଳ ଅଙ୍ଗୁଳି ଟିପ ବ୍ୟବହାର କରୁଛୁ। ଭଏସ୍‌ କମାଣ୍ଡ ସୁବିଧା ଆସିବା ଯୋଗୁ ଏଥିରେ କିଛିଟା ଉନ୍ନତି ଘଟିଛି। କିନ୍ତୁ ଏହାପରେ ଆସିବ ଥଟ୍‌ କମାଣ୍ଡ, ଅର୍ଥାତ୍‌ ଆମେ ଯାହା ଚିନ୍ତା କରିବା ତାହା ମୋବାଇଲରେ ଲେଖି ହୋଇଯିବ। ବର୍ତ୍ତମାନ ଭାରତ ପରି ଗରିବ ଦେଶରେ ବି ଘରେ ଘରେ ସ୍ମାର୍ଟ ଫୋନ୍‌ ଦେଖିବାକୁ ମିଳୁଛି। ଅର୍ଥାତ୍‌ ପ୍ରଯୁକ୍ତି କେବଳ ଧନିକଙ୍କ ପାଇଁ ନୁହେଁ, ଗରିବ ଲୋକ ବି ତାହାଦ୍ୱାରା ଉପକୃତ ହେଉଛନ୍ତି ଓ ଭବିଷ୍ୟତରେ ବି ହେବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri