ବୈଷମ୍ୟର ପାଚେରି

ନାରାୟଣ ପଣ୍ଡା
”ଈଶ୍ୱର ନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱ ନାହିଁ। ଯେ ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି ସେ ନିର୍ବୋଧ। ଯିଏ ତାଙ୍କ ମହିମା ପ୍ରଚାର କରନ୍ତି ସେ ଜଣେ ଅସାଧୁ। ଯେ ତାଙ୍କର ପୂଜା କରନ୍ତି ସେ ଅସଭ୍ୟ।“ ତାମିଲନାଡୁର ତ୍ରିଚି ସହରର ବସ୍‌ଷ୍ଟାଣ୍ଡରେ ସ୍ଥାପିତ ପେରିୟାର ଇ.ଭି. ରାମସ୍ବାମୀଙ୍କ ପ୍ରତିମୂର୍ତ୍ତିର ପାଦପ୍ରସ୍ଥରେ ଏହା ହିଁ ଖୋଦିତ ହୋଇଛି। ଏହାକୁ ବିରୋଧ କରି ଜନୈକ ଈଶ୍ୱରବିଶ୍ୱାସୀ ଭକ୍ତ, ଏହା ତାଙ୍କ ଧାର୍ମିକ ବିଶ୍ୱାସକୁ ଆଘାତ କରୁଛି ଅଭିଯୋଗ କରି ଉକ୍ତ ଲେଖାଟିକୁ ଉଠାଇଦେବା ପାଇଁ ମାଡ୍ରାସ୍‌ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ବିଚାରପତି ଏସ୍‌. ମଣିକୁମାର ଓ ସୁବ୍ରମଣ୍ୟମ୍‌ ପ୍ରସାଦଙ୍କ ଦୁଇଜଣିଆ ବେଞ୍ଚ ଉକ୍ତ ଆବେଦନକୁ ଖାରଜ କରି କହିଥିଲେ- ଯଦି ସମ୍ବିଧାନର ଧାରା ୧୯ ଅନୁସାରେ ଆବେଦନକାରୀଙ୍କର ଧର୍ମ ଓ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ମତ ପ୍ରକାଶ କରିବାର ସାମ୍ବିଧାନିକ ଅଧିକାର ରହିଛି, ସୁପ୍ରିମ୍‌କୋର୍ଟର ‘ଲାଲାଇ ସିଂ ଯାଦବ’ କେସ୍‌ର ଉଦାହରଣ ଦେଇ ସେମାନେ କହିଥିଲେ, ସମାନ ସମ୍ବିଧାନର ଧାରା ଅନୁସାରେ ପେରିୟାରଙ୍କ ସମର୍ଥକ ଓ ଦ୍ରାବିଡ କାଜାଗମ୍‌ର ଈଶ୍ୱରଙ୍କ ଅସ୍ତିତ୍ୱଙ୍କୁ ଅସ୍ବୀକାର କରିବାର ଅଧିକାର ମଧ୍ୟ ରହିଛି। ଏହା ନିର୍ବିବାଦୀୟ ସତ୍ୟ, ପେରିୟାର ୧୯୨୮ରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱର ନାହାନ୍ତି, ତାଙ୍କର ଅସ୍ତିତ୍ୱ ନାହିଁ ବୋଲି ତାଙ୍କର ବିଭିନ୍ନ ଲେଖା ଓ ଭାଷଣ ମାଧ୍ୟମରେ ପ୍ରଚାର କରିଆସିଛନ୍ତି। ୧୭ ସେପ୍ଟେମ୍ବର ୧୯୬୭ରେ ପେରିୟାରଙ୍କ ଜୀବଦ୍ଦଶାରେ ଉକ୍ତ ପ୍ରତିମୂର୍ତ୍ତି ରାଜ୍ୟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସି.ଏନ୍‌. ଆନ୍ନାଦୁରାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ଉପସ୍ଥିତିରେ ଅନାବରଣ କରାଯାଇଥିଲା।
ପେରିୟାର ଇ.ଭି ରାମସ୍ବାମୀ (୧୭ା୯ା୧୮୭୯-୨୪ା୧୨ା୧୯୭୩) ତାମିଲନାଡୁର ଜଣେ ବିଶିଷ୍ଟ ସମାଜ ସଂସ୍କାରକ ଥିଲେ। ଏହା ବ୍ୟତୀତ ସେ ଥିଲେ ରାଜ୍ୟର ଜଣେ ଚର୍ଚ୍ଚିତ ସାମାଜିକ କର୍ମୀ, ରାଜନେତା, ‘ଆତ୍ମସମ୍ମାନ ଆନ୍ଦୋଳନ’ ଓ ‘ଦ୍ରାବିଡ ଆନ୍ଦୋଳନ’ର ସ୍ରଷ୍ଟା। ତାମିଲନାଡୁର ସାମାଜିକ କ୍ଷେତ୍ରରେ ବିଶେଷ ଅବଦାନ ରଖୁଥିବା ବରିଷ୍ଠ ବ୍ୟକ୍ତିବିଶେଷକୁ ପେରିୟାର ରୂପେ ସମ୍ବୋଧନ କରାଯାଏ। ସମାଜରେ ବ୍ରାହ୍ମଣମାନଙ୍କ ଆଧିପତ୍ୟ, ଜାତିଗତ ବୈଷମ୍ୟ ଓ ନାରୀମାନଙ୍କ ଉପରେ ଅତ୍ୟାଚାର ବିରୋଧରେ ଆଜୀବନ ସଂଗ୍ରାମ କରିଥିଲେ ସେ। ବ୍ରାହ୍ମଣବାଦର ବିଲୋପ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ବ୍ରତ ଥିଲା। ପ୍ରଥମରୁ ସେ ନାସ୍ତିକ ନ ଥିଲେ। ଅନ୍ୟ ସାଧାରଣ ହିନ୍ଦୁଙ୍କ ପରି ତାଙ୍କ ହୃଦୟରେ ଭଗବତ୍‌ବିଶ୍ୱାସ ରହିଥିଲା। କିନ୍ତୁ ଗୋଟିଏ ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇଦେଲା। ଆସ୍ତିକରୁ ନାସ୍ତିକ ପାଲଟିଗଲେ ସେ। ୧୯୦୪ରେ କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ସେ ଯାଇଥାନ୍ତି। ସେଠାରେ ଅବସ୍ଥାନ କାଳରେ ଥରେ ମନ୍ଦିର ପାଖରେ ଥିବା ଏକ ଦାତବ୍ୟ ଭୋଜନାଳୟ ତାଙ୍କ ଦୃଷ୍ଟିପଥାରୂଢ଼ ହେଲା। ଜଣେ ଭକ୍ତ ଭାବେ ସେ ଭୋଜନାଳୟରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ ଦ୍ୱାରପାଳ ରାମସ୍ବାମୀ ବ୍ରାହ୍ମଣ ନ ଥିବାରୁ ତାଙ୍କ ପ୍ରବେଶକୁ ବାରଣ କଲେ। ହାତରେ ତାଙ୍କର ନ ଥିଲା ପର୍ଯ୍ୟାପ୍ତ ଅର୍ଥ। ଅଗତ୍ୟା ସେ ଅନ୍ୟ ଏକ ଭୋଜନାଳୟ ସନ୍ଧାନରେ ବାହାରିଗଲେ, ଏଥର କିନ୍ତୁ ସେ ଏକ ଯଜ୍ଞୋପବୀତ ଧାରଣ କରିଥିଲେ। କିନ୍ତୁ ତାଙ୍କ ମୁହଁରେ ନିଶ ଥିବାରୁ ଦ୍ୱାରପାଳ ସେ ବ୍ରାହ୍ମଣ ନୁହନ୍ତି ଜାଣିପାରି ତାଙ୍କୁ ବାହାର କରିଦେଲେ।
ଅପମାନ ଓ କ୍ଷୁଧାଜ୍ୱାଳାରେ ଅତିଷ୍ଠ ହୋଇପଡୁଥିଲେ ରାମସ୍ବାମୀ। ରାସ୍ତାକଡ଼ରେ ପଡ଼ିଥିବା ଅଇଁଠାପତ୍ରରେ ଥିବା ଖାଦ୍ୟର ଅବଶିଷ୍ଟାଂଶରେ ଉଦର ପୂରଣ କଲେ ସେ। ପରେ ସେ ଜାଣିବାକୁ ପାଇଲେ ଯେ, ଉକ୍ତ ଭୋଜନାଳୟଟି ଦକ୍ଷିଣ ଭାରତର ଜଣେ ଅବ୍ରାହ୍ମଣଙ୍କ ଦାନରେ ପରିଚାଳିତ ହେଉଥିଲା। କାଶୀ ପରି ଏକ ପବିତ୍ର ଧର୍ମସ୍ଥାନରେ ମଣିଷଙ୍କୁ ଏପରି ଜାତିଗତ ବୈଷମ୍ୟର ଶିକାର ହେବାକୁ ପଡୁଛି ଏବଂ ଜଣେ କ୍ଷୁଧାର୍ତ୍ତ ପାଇଁ ଅପମାନ ଓ ଅର୍ଦ୍ଧଚନ୍ଦ୍ରର ବ୍ୟବସ୍ଥା ରହିଛି, ଏହା ଦେଖି ତାଙ୍କ ମନରେ ବ୍ରାହ୍ମଣ ଓ ଉଚ୍ଚଜାତି ତଥା ଈଶ୍ୱରଙ୍କ ଅସ୍ତିତ୍ୱ ପ୍ରତି ଘୃଣା ସୃଷ୍ଟି ହେଲା। ସେତେବେଳେ ତାମିଲନାଡୁ ଓ କେରଳ ସମେତ ସମଗ୍ର ଦକ୍ଷିଣ ଭାରତରେ ଦଳିତମାନଙ୍କୁ ଜାତିଆଣ ଆକ୍ଷେପ କରିବା ଏକ ସାଧାରଣ ଘଟଣା ଥିଲା। କେରଳର ମନ୍ଦିରମାନଙ୍କୁ ଯାଉଥିବା ରାସ୍ତାଗୁଡ଼ିକରେ ହରିଜନମାନେ ଚାଲିବାରୁ ବଞ୍ଚିତ ହେଉଥିଲେ। ନିଜ ମାଟିରେ ସେମାନେ ସ୍ବାଧୀନ ଭାବେ ବିଚରଣ କରିପାରୁ ନ ଥିଲେ। ଅପମାନ ଓ ଅସମ୍ମାନରୁ ତାଙ୍କ ହୃଦୟରେ ଜାତହେଲା ପ୍ରତିଶୋଧର ସ୍ଫୁଲିଙ୍ଗ, ଅନ୍ତରରେ ଜଳିଉଠିଲା ବିଦ୍ରୋହର ନିଆଁ। ଏହି ଅମାନବୀୟ ବୈଷମ୍ୟର ଅବସାନ ପାଇଁ ସେ ଆରମ୍ଭ କଲେ ‘ଆତ୍ମସମ୍ମାନ ଆନ୍ଦୋଳନ।’ ବ୍ରାହ୍ମଣବିରୋଧୀ ଅଭିଯାନକୁ ତୀବ୍ର କରିବା ପାଇଁ ସେ ପ୍ରତିଷ୍ଠା କଲେ ଦ୍ରାବିଡ କାଜାଗାମ। ଉକ୍ତ ଅଭିଯାନରେ ସାହାଯ୍ୟ କରିବା ପାଇଁ କଂଗ୍ରେସରେ ସେ ଯୋଗଦେଲେ, କିନ୍ତୁ କଂଗ୍ରେସ ବ୍ରାହ୍ମଣବାଦକୁ ସମର୍ଥନ କରିବା ଦେଖି ସେଥିରୁ ମୁହଁ ଫେରାଇଲେ। ଏପରି କି ତାଙ୍କ ନାମ ପଛରେ ଲାଗିଥିବା ନାୟକର ଉପାଧିକୁ ସବୁଦିନ ପାଇଁ ପରିତ୍ୟାଗ କଲେ। ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ଆନ୍ଦୋଳନ ତଥା ଭାରତର ଜନଜୀବନରେ ଆବିର୍ଭାବର ବହୁ ପୂର୍ବରୁ ରାମସ୍ବାମୀ ଉକ୍ତ ଆନ୍ଦୋଳନ ଜାରି ରଖିଥିଲେ। ଦେଶ ସ୍ବାଧୀନତା ପରେ ଏହି ଜାତିଗତ ବୈଷମ୍ୟର ବିଲୋପ ପାଇଁ ଅନେକ ଆଇନ ତିଆରି ହୋଇଛି। ସମ୍ବିଧାନ ଜାତି ଆଧାରରେ କାହାକୁ ଉଚ୍ଚାସନ ଦେଇନାହିଁ ଅଥବା କୌଣସି ନିର୍ଦ୍ଦିଷ୍ଟ ଜାତିକୁ ଛୋଟ କହି ସେମାନଙ୍କୁ ହୀନମନ୍ୟତାର ଗହ୍ବରକୁ ଠେଲିଦେଇନାହିଁ ବରଂ କଠୋର ଆଇନ ପ୍ରଣୟନ କରି ଜାତିଆଣ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ରଖିଛି। କିନ୍ତୁ ଭାରତୀୟ ସମାଜ ବ୍ୟବସ୍ଥାରେ ମଣିଷସୃଷ୍ଟ ଏହିପରି ପରମ୍ପରା ଭାରତର ଆତ୍ମାକୁ ଦୀର୍ଘଦିନରୁ କଳୁଷିତ କରିବା ସହ ଦେଶର ଏକତା ଓ ଭାଇଚାରା ପ୍ରତି ଭୟାନକ ଆହ୍ବାନ ସୃଷ୍ଟି କରିଛି। ଏହି କାରଣରୁ ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ରାମସ୍ବାମୀ ସୃଷ୍ଟିହୋଇ ଜାତିବାଦ ବିରୋଧରେ ସଂଗ୍ରାମ କରୁଛନ୍ତି। ସ୍ବାଧୀନତା ପ୍ରାପ୍ତିର ୭୦ ବର୍ଷ ପରେ ମଧ୍ୟ ଦେଶର ମୋଟ ଜନସଂଖ୍ୟାର ୧୬.୬% ଲୋକଙ୍କୁ ଆଜିପର୍ଯ୍ୟନ୍ତ ଛୋଟଜାତି କହି ସେମାନଙ୍କ ଆତ୍ମସମ୍ମାନକୁ ଭୂଲୁଣ୍ଠିତ କରାଯାଉଛି।
ଦେଶରେ ସର୍ବତ୍ର ଆଜି ବୈଷମ୍ୟର ନିଦାରୁଣ ପାଚେରି। ଏ ପାଚେରି ମଣିଷକୁ ମଣିଷଠାରୁ ବିଚ୍ଛିନ୍ନ କରିରଖୁଛି ଏବଂ ସୃଷ୍ଟି କରିଚାଲିଛି ଘୃଣା। ଏ ପାଚେରିର ଅନ୍ତ ନ ହେଲାଯାଏ ଭାରତ ଏକ ପୁରାତନ ଓ ସମ୍ଭ୍ରାନ୍ତ ସଂସ୍କୃତିର ଦାୟାଦ, ଏ କଥା କହିବାକୁ ଆଜି ସଙ୍କୋଚବୋଧ ହେଉଛି। ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ‘ଅନୁସୂଚିତ ଜାତି ଓ ଜନଜାତି ନୃଶଂସତା ପ୍ରତିରୋଧ ଆଇନ’ର ଏକ ପ୍ରସଙ୍ଗ ବିଚାର କରିବା ସମୟରେ ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ- ଭାରତ ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ମଣିଷମାନଙ୍କୁ ମରିବା ପାଇଁ ଗ୍ୟାସ୍‌ ଚାମ୍ବରକୁ ପଠେଇ ଦିଆଯାଏ। ଆଜିପର୍ଯ୍ୟନ୍ତ ଦେଶରେ ନିନ୍ଦନୀୟ ଜାତିପ୍ରଥା ବଳବତ୍ତର ରହିଛି। ସମ୍ପ୍ରତି ଅସ୍ପୃଶ୍ୟତା ପରି ସମ୍ବେଦନଶୀଳ ପ୍ରଥା ଆଇନରେ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ- ଆପଣ ‘ହାତରେ ନର୍ଦ୍ଦମା ସଫା କରୁଥିବା ବ୍ୟକ୍ତି’ଙ୍କ ସହିତ କେବେ କରମର୍ଦ୍ଦନ କରିବାକୁ ଚାହିଁଛନ୍ତି କି? ଉଚ୍ଚତମ ନ୍ୟାୟାଳୟର ଉକ୍ତ ଶାଣିତ କଟାକ୍ଷ ହୃଦୟଙ୍ଗମ କରିବାର ମାନସିକତା ବାସ୍ତବରେ ଆଜି ଆମେ ହରେଇ ବସିଛୁ। କେବଳ ଭାଷଣରେ, ଲେଖନୀରେ ଓ ବିଜ୍ଞାପନରେ ଆମର ଜାତିଗତ ବୈଷମ୍ୟ ଦୂରୀକରଣର ସଂକଳ୍ପ ସୀମିତ। ନିର୍ବାଚନ ଆସିଲେ ଆମ ରାଜନେତାମାନେ ହରିଜନ ଭାଇମାନଙ୍କ ଘରେ ପ୍ରାୟୋଜିତ ଭୋଜନଯଜ୍ଞ ନିର୍ବାହ କରି ଆତ୍ମତୃପ୍ତି ଲାଭ କରନ୍ତି। ଆଜି ଦେଶର ଅନେକ ମନ୍ଦିର ଏମାନଙ୍କ ପାଇଁ ନିଷିଦ୍ଧାଞ୍ଚଳ। ନିକଟରେ ଗୁଜୁରାଟର ଜଣେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଲ୍ମୀକ ସମ୍ପ୍ରଦାୟର ଶିକ୍ଷକ ସବର୍ଣ୍ଣ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ କଳସୀରୁ ଜଳପାନ କରିବାରୁ ତାଙ୍କୁ ଅପମାନିତ କରାଗଲା। ଏପରି କି କିଛିଦିନ ପରେ ତାଙ୍କର ସ୍ଥାନାନ୍ତର ଆଦେଶ ମିଳିଥିଲା। ମହାରାଷ୍ଟ୍ର ପୁରନ୍ଦରର ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଛିଦିନ ପାଇଁ ବନ୍ୟା ସହାୟତା ଲାଗି ସରକାରୀ ଆଦେଶରେ ଅନ୍ୟତ୍ର ଗଲେ। ମାସକ ପରେ ଫେରି ଜାଣିଲେ, ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ନିର୍ବାହ କରୁଥିବା ଜଣେ କନିଷ୍ଠ ଅଧିକାରୀ ବିଡିଓଙ୍କ କୋଠରିରେ ବସି କାର୍ଯ୍ୟ କରୁଥିଲେ। ବିଡିଓ ଏଥିରେ ବିରକ୍ତି ପ୍ରକାଶ କରି ସମଗ୍ର କୋଠରିକୁ ଗୋମୂତ୍ର ସିଞ୍ଚନ ଓ ପୂଜାପାଠ କରି ପବିତ୍ର କଲେ। କାରଣ ଉକ୍ତ କନିଷ୍ଠ ଅଧିକାରୀ ଜଣକ ଥିଲେ ଦଳିତ ବର୍ଗର। ଏହା ଆମ ଦେଶରେ ଘଟୁଥିବା ନିତିଦିନିଆ ଘଟଣା। ଭାରତ ଆଜି ଚନ୍ଦ୍ର ଜୟ କରିବାକୁ ପାଦ ବଢ଼ାଇଛି। ଦେଶର ଗଣତନ୍ତ୍ରର ତୂର୍ଯ୍ୟନାଦ ପ୍ରତିଧ୍ୱନିତ୍ୱ ହେଉଛି ସମଗ୍ର ବିଶ୍ୱରେ। କିନ୍ତୁ ମଣିଷ ମଣିଷ ମଧ୍ୟରେ ଏ ଅସମାନତା କଳଙ୍କିତ କରୁଛି ଦେଶକୁ।
ନୂଆବନ୍ଧ ସାହି, ନବରଙ୍ଗପୁର, ମୋ-୯୪୩୭୧୧୮୯୬୨


Enter your email to get our daily news in your inbox.

All Right Reserved By Dharitri.Com

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri