ବୈଦିକ ଦର୍ଶନ ଏକ ବିଶ୍ଳେଷଣ

ଡା. ଗୋପାଳ ଚନ୍ଦ୍ର ଦାଶ

ଦର୍ଶନ ଶବ୍ଦର ଅର୍ଥ ହେଲା ଯାହା ଦ୍ୱାରା ଦେଖାଯାଏ। ‘ଦୃଶ୍ୟତେ ଅନେନ ଇତି ଦର୍ଶନମ’- ଯେଉଁ ଜ୍ଞାନ ଦ୍ୱାରା ସତ୍‌-ଅସତ୍‌ ଭାବନା ବିଶ୍ଳେଷିତ ହୁଏ ତାହା ହେଉଛି ଦର୍ଶନ। ମନୁଷ୍ୟ ଏକ ଜ୍ଞାନପିପାସୁ ପ୍ରାଣୀ। ଧରାପୃଷ୍ଠରେ ଅବତରଣ ପରେ ଦୁଇ ଚକ୍ଷୁ ଉନ୍ମୀଳନ କରିବା ସମୟରୁ ମନୁଷ୍ୟ ନିଜର ଚତୁଃପାର୍ଶ୍ୱରେ ଅସଂଖ୍ୟ ଜଡ଼ ଓ ଚେତନ ପଦାର୍ଥ ଦେଖିଥାଏ ଏବଂ ସେମାନଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଏ। ଏହି ଜିଜ୍ଞାସାଲବ୍ଧ ଜ୍ଞାନର ନାମ ଦର୍ଶନ। ତେଣୁ ଦର୍ଶନ ହେଉଛି ଏକ ଅନ୍ତର୍ଦୃଷ୍ଟି, ଯାହାଦ୍ୱାରା ପ୍ରକୃତ ସତ୍ୟକୁ ଅବଧାରଣା କରାଯାଇଥାଏ।
ଭାରତୀୟ ଦର୍ଶନର ମୂଳ ଉତ୍ସ ହେଉଛି ବେଦ ଓ ବ୍ରାହ୍ମଣ ଗ୍ରନ୍ଥ। ଋକ୍‌ବେଦ କାଳରେ ବୈଦିକ ଧର୍ମ ଓ ଦର୍ଶନ ମଧ୍ୟରେ ବିଭାଜନ ରେଖା ନ ଥିଲା। ପରବର୍ତ୍ତୀ କାଳରେ ଭାରତୀୟ ଦର୍ଶନର ଅଭ୍ୟୁଦୟ ଓ କ୍ରମବିକାଶ ବୈଦିକ ପରମ୍ପରାରେ ଏକ ବଳିଷ୍ଠ ପ୍ରଭାବ ପକାଇଥିଲା। ବୈଦିକ ଆର୍ଯ୍ୟମାନେ ନିଜର ତୀକ୍ଷ୍‌ଣ ଧୀଶକ୍ତି ବଳରେ ପ୍ରକୃତିର ନିଗୂଢ଼ ସତ୍ୟକୁ ଆବିଷ୍କାର କରି ଜୀବନର ପ୍ରକୃତ ଅର୍ଥ ବୁଝିବାରେ ସକ୍ଷମ ହୋଇପାରିଥିଲେ। ଅସତ୍ୟ ଓ ଅଧର୍ମକୁ ଛାଡ଼ି ସହଜାତ ଜ୍ଞାନ ବଳରେ ଆଲୋକମୟ ପଥରେ ଅଗ୍ରସର ହେବାକୁ ସମର୍ଥ ହୋଇପାରିଥିଲେ। ସେମାନଙ୍କର ବିଚାର ଓ ବିଶ୍ଳେଷଣର ଧାରା ଭାରତୀୟ ଦର୍ଶନଗୁଡ଼ିକୁ ସୃଷ୍ଟି କରିଥିଲା।
କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ସମ୍ଭବ ନୁହେଁ। ଜଗତର ସକଳ ବସ୍ତୁର ସୃଷ୍ଟି ପଛରେ କିଛି ନା କିଛି ଆବଶ୍ୟକତା ଅଛି। ଏହି ଆବଶ୍ୟକତାଗୁଡ଼ିକ ସମ୍ବନ୍ଧରେ ବିଶେଷ ଜ୍ଞାନ ଦର୍ଶନ ଶାସ୍ତ୍ରରେ ପ୍ରତିଭାତ ହୋଇଥାଏ। ଜାଗତିକ ସକଳ ବସ୍ତୁର ସୂକ୍ଷ୍ମାତିସୂକ୍ଷ୍ମ ଉତ୍ସ ସମ୍ବନ୍ଧରେ ବ୍ୟାଖ୍ୟା ହେଉଥିବାରୁ ଦର୍ଶନର ଜୀବନ ସହିତ ଘନିଷ୍ଠ ସମ୍ବନ୍ଧ ରହିଛି। ଉଭୟର ଲକ୍ଷ୍ୟ ହେଲା ମୋକ୍ଷ ବା ନିଃଶ୍ରେୟସ ପ୍ରାପ୍ତି। ତେଣୁ ଦର୍ଶନ ଓ ଜୀବନ ହେଉଛି ଗୋଟିଏ ମାତ୍ର ଲକ୍ଷ୍ୟର ଦୁଇଟି ଫଳଶ୍ରୁତି। ଦର୍ଶନ ଦେଖାଦେଇଥାଏ ସୈଦ୍ଧାନ୍ତିକ ରୂପରେ ଏବଂ ଜୀବନ ଦେଖାଦେଇଥାଏ ବ୍ୟବହାରିକ ରୂପରେ।
ବୈଦିକ ଋଷିମାନେ ବେଦ ମନ୍ତ୍ରର ଅନ୍ତର୍ନିହିତ ଗୋପନ ବାଣୀଗୁଡ଼ିକର ତାତ୍ପର୍ଯ୍ୟ ନିଜର ସହଜାତ ଜ୍ଞାନ ବଳରେ ବୁଝିପାରୁଥିଲେ ଓ ପ୍ରାଣେ ପ୍ରାଣେ ଉପଲବ୍ଧି କରିପାରୁଥିଲେ। ସେମାନଙ୍କର ବୈଦିକ ଜ୍ଞାନ ଥିଲା ସମ୍ପୂର୍ଣ୍ଣ ଅନୁଭୂତିଲବ୍ଧ। ଅନେକତାର ଏକତାର ସନ୍ଧାନ ପାଇବା ଥିଲା ସେମାନଙ୍କର ଜୀବନର ଲକ୍ଷ୍ୟ। ସୃଷ୍ଟି ରହସ୍ୟ ଯଥା- ସୃଷ୍ଟି କ’ଣ ଓ କିପରି ଆଦି ପ୍ରଶ୍ନଗୁଡ଼ିକ ସମ୍ବନ୍ଧରେ ଭୌତିକ ବିଜ୍ଞାନ ଗବେଷଣା କରୁଥିଲେ ମଧ୍ୟ, ସୃଷ୍ଟି କାହିଁକି ଓ କାହାପାଇଁ ଏ ସମ୍ବନ୍ଧରେ ପ୍ରଶ୍ନଗୁଡ଼ିକର ଉତ୍ତର କେବଳ ଭାରତୀୟ ଦର୍ଶନ ଶାସ୍ତ୍ର ହିଁ ଦେଇଥାଏ। ତେଣୁ ପାଶ୍ଚାତ୍ୟ ଦର୍ଶନ ଭଳି ଭାରତୀୟ ଦର୍ଶନ କେବଳ ଧୀନିଷ୍ଠ ନୁହେଁ, ଏହା ଉଭୟ ଧୀନିଷ୍ଠ ଓ ଅନୁଭୂତି ନିଷ୍ଠ।
ମାନବ ଜୀବନର ଚରମ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି। ସେହି ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ପନ୍ଥା ବୈଦିକ ଦର୍ଶନରେ ଦେଖିବାକୁ ମିଳିଥାଏ। ସେଗୁଡ଼ିକୁ ମୁଖ୍ୟତଃ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ- ଜ୍ଞାନ ମାର୍ଗ, କର୍ମ ମାର୍ଗ ଓ ଭକ୍ତି ମାର୍ଗ। ଏହି ତିନି ମାର୍ଗର ଆଦ୍ୟ ଝଙ୍କାର ବେଦରେ ମିଳିଥାଏ। ବୈଦିକ ଆର୍ଯ୍ୟମାନଙ୍କର ଧର୍ମ ସମ୍ବନ୍ଧରେ ଜ୍ଞାନ ବହୁମୁଖୀ। ଏହି ଅନୁଭବାତ୍ମକ ବୈଦିକ ଜ୍ଞାନଗୁଡ଼ିକୁ ସମନ୍ବିତ ପୂର୍ବକ ଏକ ସୂତ୍ର ଆକାରରେ ଏକତ୍ର ବାନ୍ଧି ରଖିବା ବୈଦିକ ଦର୍ଶନର ଲକ୍ଷ୍ୟ। ଅନ୍ତିମରେ ଏତିକି କୁହାଯାଇପାରେ ଯେ ବୈଦିକ ଯୁଗରେ ବୁଣାଯାଇଥିବା ମୂଳବୀଜ ବେଦୋତ୍ତର କାଳରେ ଫଳଶ୍ରୁତି ହୋଇଥିଲା ଭାରତୀୟ ଷଡ଼ ଦର୍ଶନରେ।
ଭାରତର ଦର୍ଶନ ଶାସ୍ତ୍ରଗୁଡ଼ିକ ଦୁଇ ଶ୍ରେଣୀରେ ବିଭକ୍ତ- ଆସ୍ତିକ ଓ ନାସ୍ତିକ। ବେଦ ଓ ଉପନିଷଦ ଉପରେ ଆଧାରିତ ଛଅଟି ଦର୍ଶନ ଆସ୍ତିକ। ସେଗୁଡ଼ିକ ହେଲା- ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ମିମାଂସା ଓ ବେଦାନ୍ତ ଦର୍ଶନ। ଏଗୁଡ଼ିକର ରଚୟିତା ମୁନୀମାନେ ହେଲେ- କପିଳ, ଗୌତମ, କଣାଦ, ଜୈମିନି, ପାତଞ୍ଜଳି ଓ ବ୍ୟାସଦେବ। ସାଂଖ୍ୟ- କପିଳ, ଯୋଗ-ପାତଞ୍ଜଳି, ବୈଶେଷିକ-କଣାଦ, ମିମାଂସା-ଜୈମିନି, ନ୍ୟାୟ-ଗୌତମ, ବେଦାନ୍ତ-ବ୍ୟାସ।
ବୌଦ୍ଧ, ଜୈନ ଓ ଚାରବାଙ୍କ ଦ୍ୱାରା ରଚିତ ଦର୍ଶନ ନାସ୍ତିକ। ସାଂଖ୍ୟ ଦର୍ଶନ ସର୍ବତମ ପୁରାତନ ଓ ବେଦାନ୍ତ ଦର୍ଶନ ବୈଦିକ କାଳର ଅନ୍ତିମ ଭାଗର ରଚନା ହୋଇଥିବାରୁ ନୂତନ ଅଟେ। ଦର୍ଶନଗୁଡ଼ିକ ପରବର୍ତ୍ତୀ କାଳରେ ବିଭିନ୍ନ ମହାପୁରୁଷ ଭାଷ୍ୟ ବା ଟୀକା କରିଛନ୍ତି। ଭାଷ୍ୟକାରିକ ମତ ଭିନ୍ନ ହୋଇଥିବାରୁ, ବେଳେ ବେଳେ ପାଠକ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସମସ୍ତ ଦର୍ଶନ ଶାସ୍ତ୍ରର ଏକମାତ୍ର ମୂଳ ଉଦ୍ଦେଶ୍ୟ ଦୁଃଖରୁ ନିବାରଣ ଓ ସୁଖ ବା ମୋକ୍ଷ୍ୟ ପ୍ରାପ୍ତି। ବିଭିନ୍ନତା ମଧ୍ୟରେ ଏକତା ଦର୍ଶନ ଶାସ୍ତ୍ରର ମୂଳ ମନ୍ତ୍ର। ୨୫ ଗୋଟି ତତ୍ତ୍ୱକୁ ନେଇ ସାଂଖ୍ୟ ଦର୍ଶନ, ୬ ପଦାର୍ଥକୁ ନେଇ ବୈଶେଷିକ ଦର୍ଶନ, ୧୬ ନିୟମକୁ ନେଇ ନ୍ୟାୟ ଦର୍ଶନ। ୮ ଗୋଟି ଅଙ୍ଗକୁ ନେଇ ଯୋଗ ଦର୍ଶନ, କର୍ମ ସିଦ୍ଧାନ୍ତକୁ ନେଇ ମିମାଂସା ଓ ଜ୍ଞାନ ସିଦ୍ଧାନ୍ତକୁ ନେଇ ବେଦାନ୍ତ ଦର୍ଶନ ରଚନା କରାଯାଇଛି।
ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ, ଭୁବନେଶ୍ୱର
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri