ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ
ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ ଥାଇପାରେ, ହେଲେ କୋଠାଘର, ରଙ୍ଗିନ ଟିଭି, ଏସି ଆଉ ଦାମୀ ଗାଡ଼ି ଭିତରେ ବି ବୁଢ଼ୀବୁଢ଼ାଙ୍କର ଅଭାବ ହିଁ ସହରିଆ ଲୋକକୁ ସବୁଠାରୁ ଅଧିକ ମାଡ଼ିବସେ। ଧୀରେ ଧୀରେ ଜଞ୍ଜାଳ ଭିତରେ ବାନ୍ଧି ହୋଇ ଗାଁକୁ ଯାଇପାରୁ ନ ଥିବା ମଣିଷଟାଏ ଗାଁର ବଢ଼ୀବୁଢ଼ାଙ୍କ ପାଖରେ ମନଟାକୁ ଯେ କେତେକାଳୁ ବନ୍ଧା ପକାଇ ଦେଇଛି ସେକଥା ସେ ନିଜେ ବି ଜାଣି ନ ଥାଏ।
ହଁ ଗାଁକୁ ଗଲେ ବା ନ ଗଲେ କିନ୍ତୁ ବୁଢୀମା’ ମନେପଡ଼େ। ସହରୀ ପୁଅଟା ହୁଏତ ମା’କୁ ଧୀରେ ଧୀରେ ଭୁଲିବାକୁ ବସିଥାଏ, ହେଲେ ସହରୀ ନାତିନାତୁଣୀମାନେ ଯେତେ ବଡ଼ ହେଉଥାଆନ୍ତି ସେତେ ବେଶି ବୁଢ଼ୀମା’କୁ ଖୋଜନ୍ତି। ବୁଢ଼ୀମା’ ତ ମନରେ ଥାଏ କିନ୍ତୁ ବୁଡ଼ୀମା’ର ହାତକୁ ନାତିଟୋକା କିମ୍ବା ଗେହ୍ଲେଇ ନାତୁଣୀ ଭୁଲିପାରି ନ ଥାନ୍ତି। ବୁଢ଼ୀମା’ ହାତରେ ହିଁ ନାତିନାତୁଣୀଙ୍କର ଜୀବନର ମୂଳଦୁଆ ପଡିଥାଏ। ନାତିନାତୁଣୀର ଝାଡ଼ାପରିସ୍ରା ପୋଛିବା ସମୟରୁ ହିଁ ନାତିନାତୁଣୀମାନେ ସେ ହାତକୁ ଚିହ୍ନି ଦେଇଥାଆନ୍ତି।
ବୁଢୀମା’ର ହାତ ଧରି ଟୁକୁ ଟୁକୁ କରି ଚାଲି ଶିଖନ୍ତି ନାତିନାତୁଣୀ। ପୁଣି ବୁଢ଼ୀମା’ ହାତରେ ତା’ କାଖକୁ ଉଠିଗଲେ ଜହ୍ନରେ ପହଞ୍ଚତ୍ଲା ପରି ଲାଗେ। ଅନ୍ୟକୁ ମାତ୍‌ ଦେଇ କଳେବଳେକୌଶଳେ ବୁଢୀମା’ ହାତ ଦେଇ ତା’ କାଖକୁ ଉଠିଗଲା ପରେ ଆପଣାଛାଏଁ ଅନ୍ୟମାନଙ୍କ ଆଖିରେ ଈର୍ଷାର ଲକ୍ଷେ ପଦ୍ମଫୁଲ ଏକାଥରେ ଫୁଟିଯାଏ। ବୁଢୀମା’ ବି ବେଳେ ବେଳେ ନାଚାର ହୋଇ ଏକା ସମୟରେ ସମବୟସ୍କ ନାତିନାତୁଣୀଙ୍କୁ କାଖରେ କିଛି ସମୟଧରି ରଖିବାକୁ ଚେଷ୍ଟା କରେ। କିଛି ସମୟ ପରେ ବୟସର ତାଡନାରେ ହାତ ଜବାବ ଦେଇଦିଏ, ବୁଢୀମା’ ପାରେନି। ନିଜ କାଖକୁ ଟେକି ନେଇ ଆମକୁ ସ୍ବର୍ଗସୁଖ ଦେଉଥିବା ବୁଢୀମା’ର ସେ ସମୟରେ ନିଜର ଅନୁଭୂତି କ’ଣ ହେଉଥିବ ତାହା ସେ ନିଜେ ହିଁ ଜାଣିଥିବ।
ପୁଣି ଖରାଦିନ ଛୁଟିରେ ଗାଁକୁ ନାତିନାତୁଣୀ ବୁଲିଗଲେ ବୁଢ଼ୀମାର ହାତକୁ ବିରାମ ନ ଥାଏ। ଘର ଓଳାଇବାଠାରୁ ଆରମ୍ଭକରି ମୁଢ଼ି ଭାଜିବାଯାଏ ବୁଢ଼ୀମା’ର ହାତ ଚାଲୁଥାଏ ଗୋଟିଏ ରୋବଟ୍‌ ପରି। ଏ ଘରୁ ସେ ଘର ବୁଲିବା ଭିତରେ ସେ ପାଲଟି ଯାଉଥାଏ ଦେବୀଟିଏ। ତା’ ହାତ କେତେବେଳେ ବଟୁଆ ଖୋଲି ପାନ ଭାଙ୍ଗୁଥାଏ ତ ଆଉ କେତେବେଳେ କାଚ, ଲୁହା କିମ୍ବା ମୁନିଆ ଜିନିଷକୁ ଖୋଜି ନାତିନାତୁଣୀଙ୍କ ହାତ ପାହାନ୍ତାରୁ ଦୂରେଇ ରଖୁଥାଏ। ପୁଣି ଉଦୁଉଦିଆ ଖରାବେଳେ ଗରମ ଆଉ ତାତିକୁ ଖାତିର ନ କରି ଚୁଲିମୁଣ୍ଡେ ବସିପଡ଼େ ଚିନାବାଦମ, ଖଇ କିମ୍ବା ମୁଢ଼ି ଭାଜିବା ପାଇଁ।
ଖରାଦିନ ଅପରାହ୍ଣରେ ନାତିନାତୁଣୀଙ୍କୁ ଶୁଆଇବା ପାଇଁ ସେ ହାତ ଅନବରତ ବିଞ୍ଚଣା ବିଞ୍ଚି ଚାଲୁଥାଏ। ନାତିନାତୁଣୀଙ୍କ ଆଖିରେ ନିଦମାଉସୀ ଆସର ଜମାଇଲା ବେଳକୁ ତଥାପି ସେ ହାତ ଥକିଯାଇ ନ ଥାଏ। ପୁଣି ଶୋଇପଡିଥିବା ନାତିନାତୁଣୀର ଦେହ ଉପରେ ବୁଢୀମା’ର ହାତର ପରଶ ଯିଏ ପାଇଛି ସିଏ ଜାଣିଛି। ଆମ ଭିତରୁ ଅନେକେ ଏମିତି ଥିବେ ଯିଏ ସେ ପରଶ ଟିକିଏ ପାଇବା ପାଇଁ ଭେଜାଲ ଅଥଚ ଗ୍ରହଣୀୟ ଅଭିନୟଟିଏ ନିଜ ଜୀବନରେ ଥରେ ଅଧେ ନିଶ୍ଚେ କରିଥିବେ।
ସେହି ହାତ ହିଁ ବଡ଼ ସରାଗରେ ଚାଉଳରୁ ଗୋଡ଼ି ବାଛି ଅଲଗା କରେ। ବିରି ଚୂରି ପକାଏ। ଚାଉଳ ଚୂନାକୁ ଆଉଟି ପିଠା କରିପକାଏ। ସନ୍ଧ୍ୟାବେଳେ ମାଛି ଅନ୍ଧାରରେ ବିଜୁଳି ଆଲୁଅ ନ ଥିବା ରୋଷେଇଘରେ ପିଠା ଲେଉଟାଇବା ଶବ୍ଦ ଯିଏ ଶୁଣିଛି ତାକୁ ବଡ଼ ଦିନେ ବିଥ୍‌ହୋଭେନ, ମୋଜର୍ଟ ଏବଂ ୟାନିଙ୍କ ସଙ୍ଗୀତ ବି ବେସୁରା ମନେ ହେବ। ହଁ, ସେ ହାତ କେବଳ ପିଠା କରେନି ବରଂ ପିଠା ମଧ୍ୟରେ ଆମକୁ ଜୀବନର ସଙ୍ଗୀତ ଶୁଣାଏ। ଖଡ଼ିକା ଦେଇ ବୁଢ଼ୀମା’ ପିଠା ଲେଉଟେଇବା କଥା ଭାବିଲେ ଏବେ ବି ଆମ ପିଲାଦିନ ଆମ ଅଜାଣତରେ କଡ଼ ଲେଉଟାଇ ଦିଏନି କି?
ବେଳେ ବେଳେ ବୁଢୀମା’କୁ ଗାଁରୁ ସହରକୁ ଆସିବା ପାଇଁ ଡାକରା ପଡ଼େ। ସେଇ ଡାକରା ଟିକକରେ ବୁଢୀମା’ର ଖୁସି ଦେଖେ କିଏ? ହାତ ନ ପାଉଥିଲେ ବି ଶଜନା ଗଛରୁ ଛୁଇଁ ତୋଳିବାକୁ ଲାଗିପଡ଼େ। ଆକାଶରୁ ଜହ୍ନ ତୋଳିବାର ଆସ୍ପର୍ଦ୍ଧା କରିବା ପରି ପିଜୁଳି ଗଛରୁ ପିଜୁଳି ତୋଳେ। ଆଉ ସବୁବେଳେ ସେହି ହାତରେ ଛୋଟ ଛୋଟ ପୁଡିଆ ଖୁସିରେ ବାନ୍ଧି ପକାଏ। କେଉଁଥିରେ ଚାଉଳ ତ ଆଉ କେଉଁଥିରେ ବଡ଼ି। ପୁଣି କେଉଁଥିରେ କୋଳି ଆଚାର। ପୁଡିଆ ସବୁର ଓଜନରେ ବୁଢୀମା’ ଗୋଟିଏ ପଟକୁ ଢଳି ପଡୁଥିଲେ ବି ତା’ ହାତକୁ ସେମିତି ମଜଭୁତ କରି ସେ ଅଧବସ୍ତା କିମ୍ବା ବଡ଼ ବ୍ୟାଗକୁ ଜାବୁଡି ଧରିଥାଏ।
ସମୟର ପ୍ରଖର ସ୍ରୋତରେ ବୁଢ଼ୀମାର ବୟସ ବି ବହି ଚାଲିଯାଏ। କେତେବେଳୁ ବିଧାତା ତା’ ହାତରୁ କାଚ ପୋଛି ନେଇଥାଏ। ପୁଣି ଅନେକ ସମୟରେ ଚିତାକୁଟା ହାତର ମାଂସପେଶୀ ଗଳିପଡିଥାଏ । ହାତର ଶିରାପ୍ରଶିରା ମୋଟା ହୋଇ ବାହାରକୁ ଦେଖାଯାଉଥାଏ। ନାତିନାତୁଣୀମାନେ ବେଶ୍‌ ବଡ଼ ହୋଇ ସାରିଥାନ୍ତି। ବୁଢ଼ୀମା’ ବି ଜାଣି ସାରିଥାଏ ତା’ର ଜୀବନ ସରିବାକୁ ଆସୁଛି। ବୁଢ଼ୀମା’ର ଆଉ ଦେବା ପାଇଁ କିଛି ନ ଥାଏ। ଶେଷଯାଏ ସେ ହାତ ଉଠାଇ ଚାଲିଥିବା ଯାଏ ନାତିନାତୁଣୀଙ୍କୁ ଆଶୀର୍ବାଦ ହିଁ ଦେଇଚାଲିଥାଏ।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri