ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ
ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ ଥାଇପାରେ, ହେଲେ କୋଠାଘର, ରଙ୍ଗିନ ଟିଭି, ଏସି ଆଉ ଦାମୀ ଗାଡ଼ି ଭିତରେ ବି ବୁଢ଼ୀବୁଢ଼ାଙ୍କର ଅଭାବ ହିଁ ସହରିଆ ଲୋକକୁ ସବୁଠାରୁ ଅଧିକ ମାଡ଼ିବସେ। ଧୀରେ ଧୀରେ ଜଞ୍ଜାଳ ଭିତରେ ବାନ୍ଧି ହୋଇ ଗାଁକୁ ଯାଇପାରୁ ନ ଥିବା ମଣିଷଟାଏ ଗାଁର ବଢ଼ୀବୁଢ଼ାଙ୍କ ପାଖରେ ମନଟାକୁ ଯେ କେତେକାଳୁ ବନ୍ଧା ପକାଇ ଦେଇଛି ସେକଥା ସେ ନିଜେ ବି ଜାଣି ନ ଥାଏ।
ହଁ ଗାଁକୁ ଗଲେ ବା ନ ଗଲେ କିନ୍ତୁ ବୁଢୀମା’ ମନେପଡ଼େ। ସହରୀ ପୁଅଟା ହୁଏତ ମା’କୁ ଧୀରେ ଧୀରେ ଭୁଲିବାକୁ ବସିଥାଏ, ହେଲେ ସହରୀ ନାତିନାତୁଣୀମାନେ ଯେତେ ବଡ଼ ହେଉଥାଆନ୍ତି ସେତେ ବେଶି ବୁଢ଼ୀମା’କୁ ଖୋଜନ୍ତି। ବୁଢ଼ୀମା’ ତ ମନରେ ଥାଏ କିନ୍ତୁ ବୁଡ଼ୀମା’ର ହାତକୁ ନାତିଟୋକା କିମ୍ବା ଗେହ୍ଲେଇ ନାତୁଣୀ ଭୁଲିପାରି ନ ଥାନ୍ତି। ବୁଢ଼ୀମା’ ହାତରେ ହିଁ ନାତିନାତୁଣୀଙ୍କର ଜୀବନର ମୂଳଦୁଆ ପଡିଥାଏ। ନାତିନାତୁଣୀର ଝାଡ଼ାପରିସ୍ରା ପୋଛିବା ସମୟରୁ ହିଁ ନାତିନାତୁଣୀମାନେ ସେ ହାତକୁ ଚିହ୍ନି ଦେଇଥାଆନ୍ତି।
ବୁଢୀମା’ର ହାତ ଧରି ଟୁକୁ ଟୁକୁ କରି ଚାଲି ଶିଖନ୍ତି ନାତିନାତୁଣୀ। ପୁଣି ବୁଢ଼ୀମା’ ହାତରେ ତା’ କାଖକୁ ଉଠିଗଲେ ଜହ୍ନରେ ପହଞ୍ଚତ୍ଲା ପରି ଲାଗେ। ଅନ୍ୟକୁ ମାତ୍‌ ଦେଇ କଳେବଳେକୌଶଳେ ବୁଢୀମା’ ହାତ ଦେଇ ତା’ କାଖକୁ ଉଠିଗଲା ପରେ ଆପଣାଛାଏଁ ଅନ୍ୟମାନଙ୍କ ଆଖିରେ ଈର୍ଷାର ଲକ୍ଷେ ପଦ୍ମଫୁଲ ଏକାଥରେ ଫୁଟିଯାଏ। ବୁଢୀମା’ ବି ବେଳେ ବେଳେ ନାଚାର ହୋଇ ଏକା ସମୟରେ ସମବୟସ୍କ ନାତିନାତୁଣୀଙ୍କୁ କାଖରେ କିଛି ସମୟଧରି ରଖିବାକୁ ଚେଷ୍ଟା କରେ। କିଛି ସମୟ ପରେ ବୟସର ତାଡନାରେ ହାତ ଜବାବ ଦେଇଦିଏ, ବୁଢୀମା’ ପାରେନି। ନିଜ କାଖକୁ ଟେକି ନେଇ ଆମକୁ ସ୍ବର୍ଗସୁଖ ଦେଉଥିବା ବୁଢୀମା’ର ସେ ସମୟରେ ନିଜର ଅନୁଭୂତି କ’ଣ ହେଉଥିବ ତାହା ସେ ନିଜେ ହିଁ ଜାଣିଥିବ।
ପୁଣି ଖରାଦିନ ଛୁଟିରେ ଗାଁକୁ ନାତିନାତୁଣୀ ବୁଲିଗଲେ ବୁଢ଼ୀମାର ହାତକୁ ବିରାମ ନ ଥାଏ। ଘର ଓଳାଇବାଠାରୁ ଆରମ୍ଭକରି ମୁଢ଼ି ଭାଜିବାଯାଏ ବୁଢ଼ୀମା’ର ହାତ ଚାଲୁଥାଏ ଗୋଟିଏ ରୋବଟ୍‌ ପରି। ଏ ଘରୁ ସେ ଘର ବୁଲିବା ଭିତରେ ସେ ପାଲଟି ଯାଉଥାଏ ଦେବୀଟିଏ। ତା’ ହାତ କେତେବେଳେ ବଟୁଆ ଖୋଲି ପାନ ଭାଙ୍ଗୁଥାଏ ତ ଆଉ କେତେବେଳେ କାଚ, ଲୁହା କିମ୍ବା ମୁନିଆ ଜିନିଷକୁ ଖୋଜି ନାତିନାତୁଣୀଙ୍କ ହାତ ପାହାନ୍ତାରୁ ଦୂରେଇ ରଖୁଥାଏ। ପୁଣି ଉଦୁଉଦିଆ ଖରାବେଳେ ଗରମ ଆଉ ତାତିକୁ ଖାତିର ନ କରି ଚୁଲିମୁଣ୍ଡେ ବସିପଡ଼େ ଚିନାବାଦମ, ଖଇ କିମ୍ବା ମୁଢ଼ି ଭାଜିବା ପାଇଁ।
ଖରାଦିନ ଅପରାହ୍ଣରେ ନାତିନାତୁଣୀଙ୍କୁ ଶୁଆଇବା ପାଇଁ ସେ ହାତ ଅନବରତ ବିଞ୍ଚଣା ବିଞ୍ଚି ଚାଲୁଥାଏ। ନାତିନାତୁଣୀଙ୍କ ଆଖିରେ ନିଦମାଉସୀ ଆସର ଜମାଇଲା ବେଳକୁ ତଥାପି ସେ ହାତ ଥକିଯାଇ ନ ଥାଏ। ପୁଣି ଶୋଇପଡିଥିବା ନାତିନାତୁଣୀର ଦେହ ଉପରେ ବୁଢୀମା’ର ହାତର ପରଶ ଯିଏ ପାଇଛି ସିଏ ଜାଣିଛି। ଆମ ଭିତରୁ ଅନେକେ ଏମିତି ଥିବେ ଯିଏ ସେ ପରଶ ଟିକିଏ ପାଇବା ପାଇଁ ଭେଜାଲ ଅଥଚ ଗ୍ରହଣୀୟ ଅଭିନୟଟିଏ ନିଜ ଜୀବନରେ ଥରେ ଅଧେ ନିଶ୍ଚେ କରିଥିବେ।
ସେହି ହାତ ହିଁ ବଡ଼ ସରାଗରେ ଚାଉଳରୁ ଗୋଡ଼ି ବାଛି ଅଲଗା କରେ। ବିରି ଚୂରି ପକାଏ। ଚାଉଳ ଚୂନାକୁ ଆଉଟି ପିଠା କରିପକାଏ। ସନ୍ଧ୍ୟାବେଳେ ମାଛି ଅନ୍ଧାରରେ ବିଜୁଳି ଆଲୁଅ ନ ଥିବା ରୋଷେଇଘରେ ପିଠା ଲେଉଟାଇବା ଶବ୍ଦ ଯିଏ ଶୁଣିଛି ତାକୁ ବଡ଼ ଦିନେ ବିଥ୍‌ହୋଭେନ, ମୋଜର୍ଟ ଏବଂ ୟାନିଙ୍କ ସଙ୍ଗୀତ ବି ବେସୁରା ମନେ ହେବ। ହଁ, ସେ ହାତ କେବଳ ପିଠା କରେନି ବରଂ ପିଠା ମଧ୍ୟରେ ଆମକୁ ଜୀବନର ସଙ୍ଗୀତ ଶୁଣାଏ। ଖଡ଼ିକା ଦେଇ ବୁଢ଼ୀମା’ ପିଠା ଲେଉଟେଇବା କଥା ଭାବିଲେ ଏବେ ବି ଆମ ପିଲାଦିନ ଆମ ଅଜାଣତରେ କଡ଼ ଲେଉଟାଇ ଦିଏନି କି?
ବେଳେ ବେଳେ ବୁଢୀମା’କୁ ଗାଁରୁ ସହରକୁ ଆସିବା ପାଇଁ ଡାକରା ପଡ଼େ। ସେଇ ଡାକରା ଟିକକରେ ବୁଢୀମା’ର ଖୁସି ଦେଖେ କିଏ? ହାତ ନ ପାଉଥିଲେ ବି ଶଜନା ଗଛରୁ ଛୁଇଁ ତୋଳିବାକୁ ଲାଗିପଡ଼େ। ଆକାଶରୁ ଜହ୍ନ ତୋଳିବାର ଆସ୍ପର୍ଦ୍ଧା କରିବା ପରି ପିଜୁଳି ଗଛରୁ ପିଜୁଳି ତୋଳେ। ଆଉ ସବୁବେଳେ ସେହି ହାତରେ ଛୋଟ ଛୋଟ ପୁଡିଆ ଖୁସିରେ ବାନ୍ଧି ପକାଏ। କେଉଁଥିରେ ଚାଉଳ ତ ଆଉ କେଉଁଥିରେ ବଡ଼ି। ପୁଣି କେଉଁଥିରେ କୋଳି ଆଚାର। ପୁଡିଆ ସବୁର ଓଜନରେ ବୁଢୀମା’ ଗୋଟିଏ ପଟକୁ ଢଳି ପଡୁଥିଲେ ବି ତା’ ହାତକୁ ସେମିତି ମଜଭୁତ କରି ସେ ଅଧବସ୍ତା କିମ୍ବା ବଡ଼ ବ୍ୟାଗକୁ ଜାବୁଡି ଧରିଥାଏ।
ସମୟର ପ୍ରଖର ସ୍ରୋତରେ ବୁଢ଼ୀମାର ବୟସ ବି ବହି ଚାଲିଯାଏ। କେତେବେଳୁ ବିଧାତା ତା’ ହାତରୁ କାଚ ପୋଛି ନେଇଥାଏ। ପୁଣି ଅନେକ ସମୟରେ ଚିତାକୁଟା ହାତର ମାଂସପେଶୀ ଗଳିପଡିଥାଏ । ହାତର ଶିରାପ୍ରଶିରା ମୋଟା ହୋଇ ବାହାରକୁ ଦେଖାଯାଉଥାଏ। ନାତିନାତୁଣୀମାନେ ବେଶ୍‌ ବଡ଼ ହୋଇ ସାରିଥାନ୍ତି। ବୁଢ଼ୀମା’ ବି ଜାଣି ସାରିଥାଏ ତା’ର ଜୀବନ ସରିବାକୁ ଆସୁଛି। ବୁଢ଼ୀମା’ର ଆଉ ଦେବା ପାଇଁ କିଛି ନ ଥାଏ। ଶେଷଯାଏ ସେ ହାତ ଉଠାଇ ଚାଲିଥିବା ଯାଏ ନାତିନାତୁଣୀଙ୍କୁ ଆଶୀର୍ବାଦ ହିଁ ଦେଇଚାଲିଥାଏ।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ନଖ ଓ ଦାନ୍ତ

ସୌମ୍ୟା ସାରସ୍ବତା ପଣ୍ଡା ଝିଅଟା ଏତେ ବେଳ ଯାଏ ଆସିନି! କହୁଥିଲି, ତାକୁ ଜୁଡୋ-କରାଟେ ଶିଖେଇବା। ଦରକାର ବେଳେ କାମରେ ଆସିବ। ବ୍ୟସ୍ତ ହୋଇ ସୁମତି...

ଚାଷୀ କ’ଣ ଦୟାର ପାତ୍ର

ସବ୍ୟସାଚୀ ଅମିତାଭ ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ...

ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି।...

ପ୍ରଶଂସାର ଦର

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଦୁରବସ୍ଥା ଆରମ୍ଭ ହୋଇଥିଲା। ଏହାର କେତୋଟି ମାସ ପରେ ସାମଗ୍ରୀ ଓ ସେବା...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଚଳିଆସୁଛି। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶର ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧ୍‌ରୀ ଗାଁରେ...

ବାହ୍ୟପୂଜା ଓ ଶ୍ରାଦ୍ଧ

ବରଦା ପ୍ରସନ୍ନ ଦାସ ଯେଉଁ ହିନ୍ଦୁଧର୍ମର ସନାତନ ଶାସ୍ତ୍ର ବେଦ ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ।...

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ...

ଏଇ ଭାରତରେ

ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଟ ଜିଲାରେ ଘଟିଛି...

Coronavirus Update


Archives

Model This Week

Why Dharitri