ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା

ଡ. ସନ୍ତୋଷ କୁମାର ମହାପାତ୍ର

 

 

ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହୁଏ। ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ସଫଳତା କିମ୍ବା ମନୋଭାବରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ବିଶେଷ ଭାବେ ମହିଳାମାନେ ପୁରୁଷଙ୍କ ତୁଳନାରେ ଲିଙ୍ଗଗତ ଅସମାନତା ଓ ଲିଙ୍ଗଗତ ଭେଦଭାବର ବେଶି ଶିକାର ହୋଇଥାନ୍ତି। ୨୦୦୬ରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ମଞ୍ଚର ଗ୍ଲୋବାଲ ଜେଣ୍ଡର ଗ୍ୟାପ୍‌ ଇଣ୍ଡେକ୍ସ ବା ବିଶ୍ୱ ଲିଙ୍ଗ ପାର୍ଥକ୍ୟ ସୂଚକାଙ୍କରେ ଲିଙ୍ଗଜନିତ ବୈଷମ୍ୟ ଜଣାପଡ଼ିଥାଏ। ବିଶ୍ୱ ଅର୍ଥନୈତିକ ମଞ୍ଚର ୧୮ତମ ଗ୍ଲୋବାଲ ଜେଣ୍ଡର ଗ୍ୟାପ୍‌ ଇଣ୍ଡେକ୍ସ ୨୦୨୪ ଜୁନ୍‌ ୧୨ରେ ପ୍ରକାଶିତ ହୋଇଛି। ବିଶ୍ବରେ ୨୦୨୩ର ବିଶ୍ୱ ଲିଙ୍ଗଗତ ପ୍ରଭେଦ ସୂଚକାଙ୍କ ଅନୁସାରେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମକକ୍ଷ ହେବା ପାଇଁ ୧୩୧ ବର୍ଷ ଲାଗିବ ବୋଲି କୁହାଯାଉଥିଲାବେଳେ ୨୦୨୪ରେ ୧୩୪ବର୍ଷ ଲାଗିବ ବୋଲି କୁହାଯାଇଛି। ଅର୍ଥାତ୍‌ ୨୧୫୮ମସିହାରେ ଲିଙ୍ଗଗତ ପ୍ରଭେଦ ଦୂର ହୋଇପାରିବ।
ବିଶ୍ବରେ ସାମଗ୍ରିକ ଭାବେ ଲିଙ୍ଗଗତ ସମାନତା ୨୦୨୩ରେ ୬୮.୪%ରେ ପହଞ୍ଚିଥିଲା ବେଳେ ୨୦୨୪ରେ ଏହା ୬୮.୫% କୁ ବୃଦ୍ଧି ପାଇଛି। ଏହାର ଅର୍ଥ ଲିଙ୍ଗଗତ ପ୍ରଭେଦ ଏବେ ଆହୁରି ୩୧.୬% ଅଛି। ଏହି ଲିଙ୍ଗଗତ ପାର୍ଥକ୍ୟ ବିଶ୍ୱ ହାରାହାରିଠାରୁ ଭାରତରେ ଅଧିକ ଗମ୍ଭୀର। ୨୦୨୩ରେ ଭାରତ ୬୪.୩% ଲିଙ୍ଗଗତ ସମାନତା ହାସଲ କରିଲାବେଳେ ୨୦୨୪ରେ ଏହା ୬୪.୧%କୁ ହ୍ରାସ ପାଇଛି। ଯଦିଓ କୌଣସି ଦେଶ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲିଙ୍ଗଗତ ସମାନତା ହାସଲ କରିନାହାନ୍ତି, ଶ୍ରେଷ୍ଠ ପାଞ୍ଚ ଦେଶ ହେଲେ ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ନରୱେ, ନ୍ୟୁଜିଲାଣ୍ଡ, ସୁଇଡେନ। ଗ୍ରେଟ୍‌ବ୍ରିଟେନ ୧୪, ଡେନ୍‌ମାର୍କ ୧୫, ଦକ୍ଷିଣ ଆଫ୍ରିକା ୧୮, ଆମେରିକା ୪୩, ଇଟାଲୀ ୮୭, ଇସ୍ରାଏଲ ୯୧, ଦକ୍ଷିଣ କୋରିଆ ୯୪ ଏବଂ ବାଂଲାଦେଶ ୯୯ରେ ସ୍ଥାନ ପାଇଛି। ଆଫଗାନିସ୍ତାନ ଚଳିତ ବର୍ଷର ତଥ୍ୟରେ ସ୍ଥାନ ପାଇ ନ ଥିବାରୁ ଯୁଦ୍ଧରେ ଧସ୍ତବିଧ୍ୱସ୍ତ ସୁଦାନ ଶେଷ ସ୍ଥାନରେ ରହିଛି। ମଲାୱି, ମ୍ୟାନମାର ଏବଂ ରୁଷିଆ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ନ ଥିଲେ। ୨୦୨୩ ସୂଚକାଙ୍କରେ ୧୪୬ ଟି ଦେଶ ମଧ୍ୟରୁ ଭାରତ ୧୨୭ ସ୍ଥାନରେ ଥିଲାବେଳେ ୨୦୨୪ରେ ୧୨୯ ସ୍ଥାନକୁ ଖସି ଆସିଛି। ଅର୍ଥାତ୍‌ ଲିଙ୍ଗଗତ ପ୍ରଭେଦ ଦୂର କରିବାରେ ଏବେ ବି ୧୨୬ଟି ଦେଶ ତଳେ ଭାରତ ରହିଛି। ୨୦୦୬ରେ ଭାରତ ଯେଉଁ ସ୍ଥିତିରେ ଥିଲା ୨୦୨୪ରେ ୩୧ଟି ସ୍ଥାନ ନିମ୍ନଗାମୀ ହୋଇଛି। ଚିନ୍ତାଜନକ ବିଷୟ ହେଉଛି ୨୦୧୪ରେ ୧୪୨ଟି ଦେଶ ମଧ୍ୟରୁ ୧୧୪ ସ୍ଥାନରେ ଥିଲା। ଭାରତ ପଡୋଶୀ ଦେଶ ଯଥା ବାଂଲାଦେଶ(୯୯), ନେପାଳ (୧୧୧), ଭୁଟାନ (୧୨୪) ଏବଂ ଶ୍ରୀଲଙ୍କା (୧୨୫) ଠାରୁ ପଛରେ ରହିଛି ଏବଂ କେବଳ ପାକିସ୍ତାନ (୧୪୫ )ଠାରୁ ଉନ୍ନତ ସ୍ଥିତିରେ ରହିଛି।
ଏହା ସୂଚକାଙ୍କ ଚାରୋଟି ସବ୍‌-ଇଣ୍ଡେକ୍ସ ବା ଉପ ସୂଚକାଙ୍କ ଯଥା ମହିଳାମାନଙ୍କର ଅର୍ଥନୈତିକ ଅଂଶଗ୍ରହଣ ଏବଂ ସୁଯୋଗ ପ୍ରାପ୍ତି, ଶିକ୍ଷା ପ୍ରାପ୍ତି, ସ୍ବାସ୍ଥ୍ୟ ଏବଂ ବଞ୍ଚିବାର ସମ୍ଭାବନା, ରାଜନୈତିକ ସଶକ୍ତୀକରଣ ଉପରେ ପର୍ଯ୍ୟବସିତ। ଭାରତ ନିମ୍ନଗାମୀ ହେବାର କାରଣ ହେଉଛି ଶିକ୍ଷାପ୍ରାପ୍ତି ଏବଂ ରାଜନୈତିକ ସଶକ୍ତୀକରଣରେ ଖରାପ ପ୍ରଦର୍ଶନ କରିଛି। ଆର୍ଥିକ ଅଂଶଗ୍ରହଣ ଏବଂ ସୁଯୋଗରେ ସୂଚକାଙ୍କରେ ପୂର୍ବବର୍ଷ ପରି ୧୪୨ତମ ସ୍ଥାନରେ ଥିଲାବେଳେ ଏଥର ସେହି ସ୍ଥାନରେ ରହିଛି। ଶ୍ରମ-ଶକ୍ତିରେ ଅଂଶଗ୍ରହଣ ହାରରେ ୧୩୪ତମ ଏବଂ ସମାନ କାର୍ଯ୍ୟ ପାଇଁ ମଜୁରି ସମାନତା ଉପରେ ୧୨୦ ତମ ସ୍ଥାନ ଅଧିକାର କରିଛି, ଯାହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ରୋଜଗାରରେ ଯଥେଷ୍ଟ ପାର୍ଥକ୍ୟ ଦର୍ଶାଉଛି। ଭାରତର ଆର୍ଥିକ ସମାନତା ୩୯.୮% ପହଞ୍ଚିଛି। ଏହାର ଅର୍ଥ ମଜୁରି ତାରତମ୍ୟ ବ୍ୟାପକ। ଭାରତରେ ମହିଳାମାନେ ପୁରୁଷମାନେ ରୋଜଗାର କରୁଥିବା ପ୍ରତ୍ୟେକ ୧୦୦ଟଙ୍କା ପାଇଁ ହାରାହାରି ୩୯.୮ ଟଙ୍କା ରୋଜଗାର କରନ୍ତି। ଏହା ଦର୍ଶାଏ ଯେ ଭାରତରେ ମହିଳାମାନେ କେତେ ଅବହେଳିତ ଓ ବଞ୍ଚିତ। ଶିକ୍ଷାପ୍ରାପ୍ତି ଦୃଷ୍ଟିରୁ ଭାରତ ପୂର୍ବବର୍ଷ ୨୬ତମ ସ୍ଥାନରେ ଥିଲାବେଳେ ୨୦୨୪ ସୂଚକାଙ୍କରେ ୧୧୨ ସ୍ଥାନକୁ ଖସିଆସିଛି। ଏହାର ମୁଖ୍ୟ କାରଣ ହେଉଛି ସାକ୍ଷରତା ହାର ଦୃଷ୍ଟିରୁ ପୁରୁଷଙ୍କଠାରୁ ମହିଳାଙ୍କ କ୍ଷେତ୍ରରେ ଏହା ୧୭.୨% କମ୍‌। ପ୍ରାଥମିକ ଶିକ୍ଷା ନାମଲେଖାରେ ୮୯ ତମ ସ୍ଥାନରେ ଥିବାବେଳେ ଉଚ୍ଚଶିକ୍ଷା ନାମଲେଖାରେ ୧୦୫ ତମ, ସାକ୍ଷରତା ହାରରେ ୧୨୪ ତମ ସ୍ଥାନରେ ରହିଛି।
ରାଜନୈତିକ ସଶକ୍ତୀକରଣରେ ଭାରତ ୨୦୨୩ ସୂଚକାଙ୍କରେ ୫୯ତମ ସ୍ଥାନରେ ଥିଲାବେଳେ ଏବର୍ଷ ୬୫ ଅଙ୍କକୁ ଖସି ଆସିଛି। ସଂସଦରେ ବିଶ୍ବରେ ମହିଳାଙ୍କ ପ୍ରତିନିଧିତ୍ ୨୭.୬% ହୋଇଥିଲାବେଳେ ଭାରତରେ ମହିଳାଙ୍କ ପ୍ରତିନିଧିତ୍ ମାତ୍ର ୧୭.୨% ଏବଂ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ପଦରେ ମାତ୍ର ୬.୯% ଥିବାରୁ ଭାରତର ସ୍ଥିତିରେ ଅବନତି ଘଟିଛି। ଏହା ଆହୁରି ନିମ୍ନଗାମୀ ହେବ, କାରଣ ଗତ ଲୋକ ସଭାରେ ମହିଳାଙ୍କ ପ୍ରତିନିଧିତ୍ ୧୪.୪% ଥିଲାବେଳେ ୨୦୨୪ରେ ୧୩.୬%କୁ ହ୍ରାସ ପାଇଛି। ଏହା ଅତ୍ୟନ୍ତ ଚିନ୍ତାର କାରଣ ଯେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ। ସେହିପରି ମହିଳାମାନଙ୍କ ସ୍ବାସ୍ଥ୍ୟ ଏବଂ ବଞ୍ଚବାର ସମ୍ଭାବନା କ୍ଷେତ୍ରରେ ଭାରତ ୧୪୨ ସ୍ଥାନରେ ଅଛି।
ଭାରତରେ ମହିଳାଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୪୮%ରୁ ଅଧିକ, କିନ୍ତୁ ଶ୍ରମଶକ୍ତିରେ ଅଂଶଗ୍ରହଣ ମାତ୍ର ୨୪% ଓ ଜିଡିପିକୁ ଅବଦାନ ମାତ୍ର ୧୭%। ମହିଳାମାନେ ମଜୁରି ମିଳୁ ନ ଥିବା ଘରୋଇ କାର୍ଯ୍ୟ ପ୍ରାୟ ୮୦% କରନ୍ତି, ଏଣୁ ଜିଡିପିରେ ଅବଦାନ କମ୍‌ ରହୁଛି। ଯଦି ପୁରୁଷଙ୍କ ପରି ମହିଳାଙ୍କୁ ସମାନ ସୁବିଧା ସୁଯୋଗ ଓ ସୁବିଧା ମିଳେ, ତେବେ ଜିଡିପି ଅଧିକ ବୃଦ୍ଧିପାଇବ। ଏଣୁ ଲିଙ୍ଗଗତ ସମାନତା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏଣୁ ଲିଙ୍ଗଗତ ସମାନତା ପରେ ବା ଲିଙ୍ଗଭିତ୍ତିକ ଇକ୍ୱିଟି ଉପରେ ପ୍ରାଧାନ୍ୟ ଦିଆଯାଇଛି। ଲିଙ୍ଗଗତ ସମାନତା ଅର୍ଥ ଲିଙ୍ଗ ବା ଜେଣ୍ଡରକୁ ଭିତ୍ତିକରି କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନ କରି ସମାନ ସୁଯୋଗ, ସୁବିଧା ଉଭୟ ପୁରୁଷ ମହିଳାଙ୍କୁ ଯୋଗାଇ ଦେବା। କିନ୍ତୁ ସବୁ ମହିଳା ସମାନ ସ୍ଥିତିରେ ନାହାନ୍ତି। କିଛି ମହିଳା ପ୍ରାଚୁର୍ଯ୍ୟ, ଉନ୍ନତ ତଥା ସାଧୀନ ଜୀବନ ବିତେଇଲା ବେଳେ ଅନେକେ ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଦୁଃଖମୟ ଜୀବନ ବିତାଉଛନ୍ତି। ଏଣୁ ସବୁ ମହିଳାଙ୍କୁ ସମାନ ସୁବିଧା, ସୁଯୋଗ ନ ଦେଇ ଯିଏ ଅଧିକ ଦୁର୍ବଳ, ନିଷ୍ପେଷିତ, ଅବହେଳିତ ତାଙ୍କୁ ଅନ୍ୟମାନଙ୍କ ସହିତ ସମକକ୍ଷ ହେବାପାଇଁ ଅଧିକ ସୁବିଧା, ସୁଯୋଗ ଓ ରିହାତି ଯୋଗାଇଦେବା ଆବଶ୍ୟକ, ଯାହାକୁ ଲିଙ୍ଗଭିତ୍ତିକ ମୌଳିକ ନ୍ୟାୟ ବା ଇକ୍ୱିଟି କୁହାଯାଏ। ଏଥିପାଇଁ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକ। ସମ୍ପ୍ରତି କେରଳ ସରକାରଙ୍କ ନୂତନ ପଦକ୍ଷେପ ସ୍ବରୂପ ସ୍କୁଲ ପାଠ୍ୟପୁସ୍ତକରେ ଲିଙ୍ଗ ନିରପେକ୍ଷ ତଥ୍ୟ ଉପସ୍ଥାପନ କରାଯାଉଛି। ଅର୍ଥାତ୍‌ ଆଗରୁ ଜଣେ ମହିଳା ରୋଷେଇ କରିବାର ଦେଖିବାକୁ ମିଳୁଥିଲା ଏବଂ ଏବେ ଉଭୟ ମହିଳା କିମ୍ବା ପୁରୁଷଙ୍କୁ ଦେଖିବାକୁ ମିଳିବ। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସେମାନଙ୍କର ଉଦ୍ୟମର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ମନରେ ଲିଙ୍ଗ ନିରପେକ୍ଷତାର ବାର୍ତ୍ତା ପ୍ରଚାର କରିବା।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

ତୋର ମୋର ଭାବ

ପାଠପଢୁଥିବା ୨ ଜଣ କିଶୋରୀ ହଠାତ୍‌ ଉଭାନ ହୋଇଗଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କଲେ। ସେମାନଙ୍କ ସନ୍ଧାନ ମିଳିଲାନାହିଁ। ଥାନାରେ ଏତଲା ଦିଆଗଲା। ୨...

ନିର୍ବାଚନ ପରେ ଦରବୃଦ୍ଧି

ପୂର୍ବରୁ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହୋଇପଡ଼ିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରେ ତୃତୀୟ ଏନ୍‌ଡିଏ ସରକାର...

ବଜେଟ ୨୦୨୪

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ସପ୍ତମ ବଜେଟ। ଏହି ବଜେଟରେ କୃଷି,...

ଏଇ ଭାରତରେ

ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର...

ପ୍ରେରଣା ଓ ପ୍ରତାରଣା

ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ...

ପର ପାଇଁ ଜିଇବାର ସୁଖ

ଆମେ ସଭିଏଁ ନିଜ ପାଇଁ ଜିଇବାରେ ଏତେ ବ୍ୟସ୍ତ ଓ ଅଭ୍ୟସ୍ତ ଯେ ଆମ ଜୀବନ ପରିସର ବାହାରେ ଅନ୍ୟ କାହା ଜୀବନର ଦୁଃଖଯନ୍ତ୍ରଣା ବୁଝିବାକୁ...

ନାମ ନୁହେଁ ମାନ

ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍‌ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍‌ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri