ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ ପଚାରିଲେ, ମୁଁ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖେ ନାହିଁ। ପଥର, ମାଟି, କାଠ, ଧାତୁକୁ ମୁଁ ପୂଜା କରେ ନାହିଁ। ଏଥିପାଇଁ କ’ଣ ପରଜନ୍ମରେ ମୋର ଅଧୋଗତି ହେବ। ହଠାତ୍‌ ସ୍ବାମିଜୀଙ୍କ ଦୃଷ୍ଟିରେ ପଡ଼ିଲା କାନ୍ଥରେ ଟଙ୍ଗା ହୋଇଥିବା ମହାରାଜାଙ୍କର ଏକ ଫଟୋଚିତ୍ର। ସ୍ବାମିଜୀ ତାକୁ କାନ୍ଥରୁ ନେଇଆସି ଏହା କାହାର ଫଟୋଚିତ୍ର ବୋଲି ପଚାରନ୍ତେ ଦଓ୍ବୋନ କହିଲେ, ତାହା ହେଉଛି ମହାରାଜାଙ୍କ ଫଟୋଚିତ୍ର। ବିବେକାନନ୍ଦ ଦଓ୍ବୋନଙ୍କୁ ସେହି ଫଟୋଚିତ୍ର ଉପରେ ଛେପ ପକାଇବାକୁ କହନ୍ତେ, ଦଓ୍ବୋନ ଭୟରେ ଥରିଉଠି କହିଲେ, ସ୍ବାମିଜୀ ଏହା କିପରି ସମ୍ଭବ? ଏହା ହେଉଛି ମହାରାଜାଙ୍କ ଫଟୋଚିତ୍ର। ସ୍ବାମିଜୀ କହିଲେ, ଏହି ଫଟୋଚିତ୍ରରେ ମହାରାଜାଙ୍କ ଶାରୀରିକ ଅସ୍ତିତ୍ୱ ନାହିଁ। ଏହା ଖଣ୍ଡେ କାଗଜ ମାତ୍ର। ତଥାପି ଆପଣ ଏହା ଉପରେ ଛେପ ପକାଇବାକୁ ସାହସ କରୁନାହାନ୍ତି, କାରଣ ଏହି ଫଟୋଚିତ୍ର ଭିତରେ ଆପଣ ମହାରାଜାଙ୍କ ଅସ୍ତିତ୍ୱକୁ ଅନୁଭବ କରୁଛନ୍ତି। ମଙ୍ଗଲ ସିଂହଙ୍କୁ ଲକ୍ଷ୍ୟ କରି ସ୍ବାମିଜୀ କହିଲେ, ମହାରାଜ! ଠିକ୍‌ ସେପରି କାଠ, ପଥର, ମାଟି, ଧାତୁ ନିର୍ମିତ ମୂର୍ତ୍ତି ମଧ୍ୟରେ ଭକ୍ତମାନେ ସେମାନଙ୍କ ଈଶ୍ୱରଙ୍କୁ ଅନୁଭବ କରନ୍ତି। ସେମାନେ ମୂର୍ତ୍ତିକୁ ପୂଜା କରନ୍ତି ନାହିଁ। ମୂର୍ତ୍ତି ଭିତରେ ଅନୁଭବ କରୁଥିବା ଈଶ୍ୱରଙ୍କୁ ପୂଜା କରନ୍ତି। ଏହି ଉତ୍ତର ମହାରାଜାଙ୍କ ଆଖି ଖୋଲିଦେଇଥିଲା। ବିବେକାନନ୍ଦ ମନ୍ଦିର, ଗିର୍ଜା, ଧର୍ମଶାସ୍ତ୍ର ବର୍ଣ୍ଣିତ ବିଭିନ୍ନ ପ୍ରତୀକ ଓ ଉପାସନାର ଉପଚାରଗୁଡ଼ିକୁ ଧର୍ମ ଚାଟଶାଳୀର ଶିଶୁ ଶ୍ରେଣୀ ବୋଲି କହୁଥିଲେ। ଆଧ୍ୟାତ୍ମିକ ଶିଶୁଟିଏ ସେଠାରୁ ତା’ର ପାଠ ଆରମ୍ଭ କରେ, ମାତ୍ର ସେହି ଶ୍ରେଣୀରେ ସେ ଜୀବନଯାକ ପଡି ରହେନାହିଁ। ଆଗକୁ ସେ ଅଧିକ ମେଧାଶକ୍ତି ଘଟାଏ। ଅଧିକ ପଢ଼େ ଓ ପରିପକ୍ୱତା ହାସଲ କରେ। ତା’ର ଉତ୍ତରଣ ଘଟେ। ଚେତନାର ବିକାଶ ହୁଏ। ଆମେ ଯେତେବେଳେ ଚାରାଟିଏ ଲଗାଉ, ପ୍ରଥମେ ତାକୁ ରକ୍ଷା କରିବା ପାଇଁ ତା’ର ଚାରିପଟେ ବାଡ଼ ଘେରାଇଦେଉ, କାଳେ ଗୋରୁ ଖାଇଦେବେ! ମାତ୍ର ଗଛଟି ବଡ଼ ହୋଇଗଲା ପରେ ସେହି ବାଡ଼କୁ ଉଠାଇଦେଉ। ଗଛଟି ସାନ ଥିବା ବେଳେ ଯେଉଁ ବାଡ଼ର ଆବଶ୍ୟକତା ଥିଲା, ବଡ଼ ହେବା ପରେ ତା’ର ଆଉ ଆବଶ୍ୟକତା ରହେ ନାହିଁ। ଆଧ୍ୟାତ୍ମିକ ଜୀବନ ମଧ୍ୟ ଠିକ୍‌ ସେହିପରି। ପ୍ରଥମ ଅବସ୍ଥାରେ ପ୍ରତୀକ ଓ ବିଭିନ୍ନ ଉପଚାର ରହିପାରେ, କାରଣ ତାହା ଆଧ୍ୟାତ୍ମିକତା ରୂପକ ଚାରାଗଛଟିକୁ ବଢ଼ିବାରେ ସାହାଯ୍ୟ କରିବ। ମାତ୍ର ବିବେକାନନ୍ଦଙ୍କ ଭାଷାରେ ଏହି ପ୍ରତୀକଗୁଡ଼ିକୁ, ବିଧିଗୁଡ଼ିକୁ ଓ ବାହ୍ୟ ରୂପଗୁଡ଼ିକୁ ଚିରକାଳ ଅନୁସରଣ କରିବାକୁ ହେବ ବୋଲି ଯଦି କୌଣସି ବ୍ୟକ୍ତି କହୁଥାଏ, ତେବେ ମୁଁ କହିବି ସେ ସମ୍ପୂର୍ଣ୍ଣ ଭୁଲ କହୁଛି। ମାତ୍ର ଏହିସବୁ ପ୍ରତୀକ ଓ ଉପାସନା ବିଧି ଆତ୍ମାର ଅଭିବୃଦ୍ଧି ନିମନ୍ତେ ସହାୟକ ହୁଅନ୍ତି। ଆତ୍ମାର ନିମ୍ନତର ଓ ଅବିକଶିତ ଅବସ୍ଥା ସମୟରେ ତାକୁ ସାହାଯ୍ୟ କରନ୍ତି ବୋଲି ଯଦି କିଏ କହେ, ତେବେ ସେ ଠିକ୍‌ କଥା କହୁଛି ବୋଲି ଅବଶ୍ୟ ସ୍ବୀକାର କରିବି। ମନ୍ଦିର, ମସ୍‌ଜିଦ, ଗିର୍ଜା ଆଦିକୁ ଯାଇ ସେଠି ଉପାସନା କରିବାକୁ ସ୍ବାମିଜୀ ଆଧ୍ୟାତ୍ମିକ ଜୀବନର ଶିଶୁ ଶ୍ରେଣୀ ବୋଲି କହି ସେଠାରେ ଚିରକାଳ ପଡ଼ି ନ ରହି ଉତ୍ତରିତ ହେବା ପାଇଁ ଆହ୍ବାନ ଦେଉଥିଲେ। ତାଙ୍କରି ଭାଷାରେ କୌଣସି ମନ୍ଦିରରେ ଜନ୍ମ ହେବା ଏକ ଉତ୍ତମ କଥା, ମାତ୍ର ଯେଉଁ ବ୍ୟକ୍ତି ମରିବା ବେଳେ ମଧ୍ୟ ମନ୍ଦିର ବା ଗୀର୍ଜାଟି ଭିତରେ ବନ୍ଦୀ ହୋଇ ରହିଯାଇଛି, ତେବେ ତାହାକୁ ତା’ର ଦୁର୍ଭାଗ୍ୟ ବୋଲି କୁହାଯିବ। ଅନ୍ୟ ଏକ ଅବସରରେ ସେ କହିଛନ୍ତି, ଯଦି ଜଣେ ଅଳ୍ପ ବୟସ୍କ ମଣିଷ ମନ୍ଦିର ଯାଉନାହିଁ, ତେବେ ତାହା ଅବଶ୍ୟ ଅନୁଚିତ କଥା ଏବଂ ଯଦି ଜଣେ ପ୍ରାପ୍ତବୟସ୍କ ବଡ଼ ମଣିଷ ମଧ୍ୟ ସେହି ମନ୍ଦିର ସହିତ ଆପଣାର ଧର୍ମ ଜୀବନକୁ ବାନ୍ଧି ରଖିଛି ତାହା ମଧ୍ୟ ସମାନ ଭାବରେ ଏକ ଅନୁଚିତ କଥା।
ଯାବତୀୟ ପ୍ରତୀକ ଉପାସନା ସମ୍ପର୍କରେ ସ୍ବାମିଜୀ ସତର୍କ କରି କହୁଥିଲେ, ପ୍ରତୀକମାନଙ୍କର ଉପାସନା କଲାବେଳେ ଯଦି ଆମେ ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି ଭାବିବା ତେବେ ଆମେ ଭୁଲ କରିବା। କୌଣସି ମୂର୍ତ୍ତିକୁ କିମ୍ବା ମୃତ ବ୍ୟକ୍ତିମାନଙ୍କର ପ୍ରେତ ଓ ଆତ୍ମାମାନଙ୍କୁ ପୂଜାକରି ଯଦି କେହି ତଦ୍ଦ୍ବାରା ମୁକ୍ତି ମିଳିବ ବୋଲି ଭାବୁଥିବ, ତେବେ ସେ ଭୁଲ କରୁଛି ବୋଲି କୁହାଯିବ। ଯଦି ଆମେ ମୂର୍ତ୍ତିଟିକୁ ଭୁଲିଯାଇପାରୁଥିବା ଏବଂ ତା’ ଭିତରେ ଭଗବାନଙ୍କୁ ହିଁ ଦେଖୁଥିବା, ତେବେ ଆମେ ହୁଏତ ଯେ କୌଣସି ପଦାର୍ଥକୁ ପୂଜା କରିପାରିବା। ଆମେ ଭଗବାନ ରୂପେ ଅବଶ୍ୟ ଏକ ଛବିର ପୂଜା କରିବା ସିନା, ମାତ୍ର ଛବିଟିକୁ ଭଗବାନ ବୋଲି ଭାବିବା ନାହିଁ। ମୂର୍ତ୍ତିଟି ଭିତରେ ରହିଥିବା ଭଗବାନ ଉପଲବ୍ଧିରେ କୌଣସି ଦୋଷ ନାହିଁ। କୌଣସି ବିପଦ ନାହିଁ। ମାତ୍ର ଭଗବାନ-ମୂର୍ତ୍ତି, ସେଇଟା କେବଳ ପ୍ରତୀକ ମାତ୍ର। ବେଳେବେଳେ ସ୍ବାମିଜୀ ମୂର୍ତ୍ତିପୂଜାର ନକାରାତ୍ମକ ଦିଗକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏକଦା ସେ କହିଥିଲେ ଘଣ୍ଟା ବାଜୁଛି, ଚଅଁର ପକା ହେଉଛି। ଭଗବାନଙ୍କ ପାଇଁ ଭାତଥାଳି ନେଇ ତାଙ୍କ ଆଗରେ ରଖି ଦିଆଯାଉଛି। ସେହି ଉପଚାରରେ ଦଶ ମିନିଟ୍‌ କି ଅଧଘଣ୍ଟାଏ ଚାଲିଯାଉଛି। ଏସବୁକୁ ତାଙ୍କ କାର୍ଯ୍ୟ ବୋଲି କଦାପି କୁହାଯିବ ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚକରି କାଶୀ ବା ବୃନ୍ଦାବନର ଠାକୁର ମନ୍ଦିରରେ କବାଟ ଖୋଲୁଛି ଆଉ ପଡ଼ିଯାଉଛି। ପୁଣି କୁହାଯାଉଛି, ବର୍ତ୍ତମାନ ଠାକୁର ଲୁଗା ବଦଳାଉଛନ୍ତି, ବର୍ତ୍ତମାନ ଠାକୁର ଭାତ ଖାଉଛନ୍ତି ବା ବର୍ତ୍ତମାନ ଠାକୁର ସନ୍ତାନହୀନ ଆଣ୍ଠୁକୁଡ଼ୀଙ୍କ ସନ୍ତାନଗୁଡ଼ିକୁ ନିଜ ହାତରେ ତିଆରି କରୁଛନ୍ତି। ତେବେ ଜିଅନ୍ତା ଠାକୁର ଅନ୍ନ ବିନା, ବିଦ୍ୟା ବିନା ମରିବାରେ ଲାଗିଛି। ବିବେକାନନ୍ଦ କହୁଥିଲେ ଧନୀ ଲୋକମାନେ ଇତର ପ୍ରାଣୀମାନଙ୍କ ପାଇଁ ଡାକ୍ତରଖାନା ତିଆରି କରୁଛନ୍ତି ଅଥଚ ମଣିଷ ମରୁଥାଉ, ସେଥିରେ ତାଙ୍କର କିଛି ଯାଉ ନାହିଁ କି ଆସୁନାହିଁ। ସେ ବାରମ୍ବାର କହୁଥିଲେ ମଣିଷ ହେଉଛି ପରମେଶ୍ୱରଙ୍କର ସର୍ବୋଚ୍ଚ ପୂଜାସ୍ଥଳୀ ଓ ମନୁଷ୍ୟ ମଧ୍ୟଦେଇ ତାଙ୍କର ପୂଜା କରିବା ହେଉଛି ସର୍ବୋଚ୍ଚ ଓ ସର୍ବୋତ୍ତମ ପୂଜା। ଯୁଗ ଯୁଗ ଧରି ଧର୍ମ କେବଳ କିଛି ନିର୍ବାଚିତ ଲୋକମାନଙ୍କ ହାତରେ ଥିଲା। କିଛି ପୁରୋହିତ ଗୋଷ୍ଠୀ ଧର୍ମକୁ ନିଜର ସମ୍ପତ୍ତିରେ ପରିଣତ କରି ରଖିଥିଲେ। ସେଥିପାଇଁ ତାହା ମନ୍ଦିର, ଗିର୍ଜା, ଶାସ୍ତ୍ର, ଉପଚାର ଓ ପ୍ରତୀକ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା। ଈଶ୍ୱର ବାହି୍ୟକତା ମଧ୍ୟରେ ବନ୍ଦୀ ହୋଇ ରହିଥିଲେ। ଆମେ ଯେତେବେଳେ ସେଗୁଡ଼ିକୁ ପରିହାର କରି ଆଧ୍ୟାତ୍ମିକ ତଥା ବୈଶ୍ୱିକ ଧର୍ମ ଭାବନା ପାଖରେ ପହଞ୍ଚିବା, ସେତେବେଳେ ଧର୍ମ ଯଥାର୍ଥ ଓ ଜୀବନ୍ତ ହେବ। ସେତେବେଳେ ତାହା ଆମ ସ୍ବଭାବର ଏକ ଅଂଶ ହୋଇ ରହିବ।
ସ୍ବାମିଜୀ କହୁଥିଲେ ଧର୍ମ ଶାସ୍ତ୍ରରେ ନାହିଁ, ସୂତ୍ର କିମ୍ବା ସିଦ୍ଧାନ୍ତଗୁଡ଼ିକରେ ନାହିଁ, ଅନ୍ଧ ଭାବରେ ବିଶ୍ୱାସ କରାଯାଉଥିବା କେତୋଟି କାହାଣୀ ଅଥବା ବିଧାନରେ ନାହିଁ। ବୁଦ୍ଧିର ସାହାଯ୍ୟରେ ଏଇଟା ବା ସେଇଟାକୁ ପ୍ରମାଣ କରି ଥୋଇଦେବାକୁ ମଧ୍ୟ ଧର୍ମ ବୋଲି କୁହାଯିବ ନାହିଁ। ଧର୍ମ ହେଉଛି being and becoming- କିଛି ହେବା ଏବଂ ସେହି ହେବା ପଥରେ ନିୟତ ଅଗ୍ରସର ହେଉଥିବା। ସ୍ବାମିଜୀଙ୍କ ଦୃଷ୍ଟିରେ ଯଥାର୍ଥ ଧର୍ମ ପୁରାଣ କଳ୍ପନାର ଅନେକ ଊର୍ଦ୍ଧ୍ୱରେ। ପ୍ରକୃତ ଧର୍ମ କାଳ୍ପନିକ ପୁରାଣଗୁଡିକୁ ଆଶ୍ରୟ କରି ରହିପାରିବ ନାହିଁ। ପ୍ରତ୍ୟେକ ଧର୍ମର ନିଜସ୍ବ ଶାସ୍ତ୍ର ରହିଛି ଏବଂ ଗୋଟିଏ ଧର୍ମର ଶାସ୍ତ୍ର ସହ ଅନ୍ୟ ଧର୍ମର ଶାସ୍ତ୍ରରେ ଅନେକ ସାମଞ୍ଜସ୍ୟ ରହିଛି। ତାହାକୁ ବୁଝିପାରୁ ନ ଥିବାରୁ ଧର୍ମକୁ ନେଇ କଳହ ଓ ଦ୍ୱନ୍ଦ୍ୱ ଲାଗିରହିଛି। ଏଣୁ ସେ କହୁଥିଲେ, ତୁମେମାନେ କାହିଁକି ବୃଥା ନିଜ ଭିତରେ କଳହ କରୁଛ ଓ ଲଢିବାରେ ଲାଗୁଛ। ଯେଉଁ ଭଗବାନଙ୍କୁ ତୁମେମାନେ ପ୍ରଚାର କରିବାକୁ ଇଚ୍ଛା କରୁଛ, ସେହି ଭଗବାନଙ୍କୁ ନିଜେ ଦେଖିଛ କି ଏବଂ ଯଦି ଦେଖିନାହଁ, ତେବେ ତୁମମାନଙ୍କର ଯାବତୀୟ ପ୍ରଚାର କରିବା ବୃଥା। ତେବେ କହିବାକୁ ହେବ ଯେ ତୁମେମାନେ ଯାହା କହୁଛ ତାହାକୁ ନିଜେ ଆଦୌ ସାଧ୍ୟ କରିନାହଁ। ପ୍ରତ୍ୟେକ ଧର୍ମରେ ଭଗବାନଙ୍କୁ ପ୍ରଚଣ୍ଡ ଶକ୍ତିଶାଳୀ, ପାପପୁଣ୍ୟର ବିଚାରକ ଓ ପାପୀର ଦଣ୍ଡଦାତା ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ମଣିଷ ଭଗବାନଙ୍କୁ ଭୟ କରିଛି ଓ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତୀକର ପରିକଳ୍ପନା କରିଛି ଏବଂ ଉପାସନା କରିଛି। ମାତ୍ର ବିବେକାନନ୍ଦ କହୁଥିଲେ, ଭଗବାନଙ୍କୁ ଯଥାର୍ଥରେ ଲୋଡୁଥିବା ମଣିଷ ତାଙ୍କୁ କେବେ ଭୟ କରେ ନାହିଁ। ସେ ପରମ, ଅନନ୍ତ, ନିତ୍ୟ ଶୁଦ୍ଧ ଓ ନିତ୍ୟମୁକ୍ତ। ସେ ମଣିଷକୁ ଦଣ୍ଡ ବିଧାନ କରିବା ପାଇଁ ସିଂହାସନରେ ବସି ନାହାନ୍ତି। ସେ ସର୍ବଦା ଦୟାଶୀଳ ଓ ପ୍ରେମମୟ। ଭଗବାନଙ୍କୁ ଏହିପରି ଭାବରେ ଚିନ୍ତା କଲେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଉ ପ୍ରତୀକ ଓ ଉପାସନାର ଆବଶ୍ୟକତା ପଡ଼ିବ ନାହିଁ। କାତର ହୋଇ ସ୍ତୋତ୍ର ଓ ଭଜନ ଗାଇବାକୁ ହେବ ନାହିଁ। ଭଗବାନ ଏହି ସଂସାରରେ ନାହାନ୍ତି, ସେ ସ୍ବର୍ଗରେ ଅଛନ୍ତି- ଏହି ବିଶ୍ୱାସ ତୁଟିଯିବ ଓ ସବୁ ମଣିଷ ଭିତରେ ଭଗବାନଙ୍କୁ ଉପଲବ୍ଧି କରିହେବ। ସେହି ସମୟରେ ଭାରତରେ ସ୍ବାମୀ ଦୟାନନ୍ଦ ସରସ୍ବତୀ ପ୍ରତୀକ ଉପାସନାକୁ ସମ୍ପୂର୍ଣ୍ଣ ବିରୋଧ କରି ହଜାର ହଜାର ବର୍ଷ ଧରି ମୂର୍ତ୍ତି ପୂଜା କରୁଥିବା ଭାରତୀୟମାନଙ୍କୁ କ୍ଷୁବ୍ଧ କରିଥିଲେ। ମାତ୍ର ବିବେକାନନ୍ଦ ପ୍ରତୀକ ପୂଜାକୁ ସମ୍ପୂର୍ଣ୍ଣ ବିରୋଧ ନ କରି ଆଧ୍ୟାତ୍ମିକ ଜୀବନର ପ୍ରାରମ୍ଭିକ ସ୍ତର ଭାବରେ ଗ୍ରହଣ କରିନେଲେ ଓ କ୍ରମେ ସେଥିରୁ ଉତ୍ତରିତ ହୋଇ ‘ଯତ୍ର ଜୀବ ତତ୍ର ଶିବ’ ଉପଲବ୍ଧି କରିବା ପାଇଁ ଆହ୍ବାନ ଦେଲେ। ମାତ୍ର ବିଡମ୍ବନାର ବିଷୟ ଯେ ଆଜି ପ୍ରତୀକ ପୂଜା ଈଶ୍ୱର ଉପଲବ୍ଧିର ପ୍ରାରମ୍ଭିକ ସ୍ତର ଭାବରେ ଗୃହୀତ ନ ହୋଇ ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଭାବରେ ଗୃହୀତ ହୋଇଛି ଓ ମନୋରଞ୍ଜନର ମାଧ୍ୟମ ହୋଇଯାଇଛି।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼,
ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?