ବିପୁଳ ବିଶ୍ୱର ମଧୁମୟ ଆମନ୍ତ୍ରଣ

ପ୍ର. ପ୍ରସନ୍ନ କୁମାର ସ୍ବାଇଁ

ମାଟି-ମାଆ-ମଣିଷ ପ୍ରତ୍ୟେକ ପରସ୍ପର ପରିପୂରକ-ଅନ୍ତରଙ୍ଗ ଏବଂ ସର୍ବଦା ନିବିଡ଼। ମାଆ ସହିତ ଓତପ୍ରୋତ ଜଡ଼ିତ ମାତୃଭୂମି ଓ ମାତୃଭାଷା। ସେଥିପାଇଁ କବି କଣ୍ଠରୁ ଶୁଭିଥାଏ- ‘ମାତୃଭୂମି ମାତୃଭାଷା ଉଭୟ ଜନନୀ / ସେବ ତାଙ୍କୁ ଭକ୍ତିଭରେ ଦିବସ ରଜନୀ’। ମଣିଷ ଜନ୍ମ ହୁଏ ମାତୃଗର୍ଭରୁ। ମାତୃଗର୍ଭରେ ଥାଇ ସେ ଯେଉଁ ଭାଷା ବାରମ୍ବାର ଶୁଣିଥାଏ- ଜନ୍ମ ହେବା ପରେ ମାଆ ତାକୁ ସେଇ ଭାଷାରେ ହିଁ ଶିକ୍ଷା ଦେଇଥାଏ ଓ ତାହା ହିଁ ତା’ର ମାତୃଭାଷା। ଶିଶୁଟିଏ ଜନ୍ମ ହେବା କ୍ଷଣି ସେ ଯେଉଁ ମାଟିରେ ପାଦ ଥାପିଥାଏ- ମାଆର ସଯତ୍ନ ପଣତକାନି ବ୍ୟତୀତ ଯେଉଁ ମାଟିର ପାଣି ପବନରେ ସେ ତା’ର ଭାବନା ଓ ଚିନ୍ତନକୁ ଦୃଢ଼ କରିଥାଏ- ତାହା ହେଉଛି ତା’ର ମାତୃଭୂମି। ଯେଉଁଥିପାଇଁ ଗୋପବନ୍ଧୁ ଯଥାର୍ଥରେ କହିଥିଲେ- ସେ ବଙ୍ଗଳାର ହୁଅନ୍ତୁ ବା ପଞ୍ଜାବର ହୁଅନ୍ତୁ, ମାଲାବାରର ହୁଅନ୍ତୁ ବା ମାନ୍ଦ୍ରାଜର ହୁଅନ୍ତୁ, ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ, ଆର୍ଯ୍ୟ ହୁଅନ୍ତୁ ବା ଆଦିମ ଅଧିବାସୀ ହୁଅନ୍ତୁ- ଯେ ଉତ୍କଳ ବା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସ୍ବତ୍ୱ ବା ସ୍ବାର୍ଥ ମିଳାଇ ଦେଇଛନ୍ତି- ଓଡ଼ିଶା ତାଙ୍କର ଓ ସେ ଓଡ଼ିଶାର।
ଆଜି ଆମେ ସଭିଏଁ ଆମ ଓଡ଼ିଶାରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ମହାସମାରୋହରେ ପାଳନ ଅବସରରେ ଆମ ମନକୁ ଏହିସବୁ ବିଷୟ ସ୍ବତଃ ଆସିଯାଏ। ଆମ ପବିତ୍ର ଭୂମି ଓଡ଼ିଶା। ଆମର ଜାତି ଓଡ଼ିଆ ଏବଂ ଭାଷା ମଧ୍ୟ ଓଡ଼ିଆ। ଆଉ ଆମ ଠାକୁର ସମଗ୍ର ବିଶ୍ୱର ଦେବତା- ବଡ଼ଠାକୁର ଶ୍ରୀଜଗନ୍ନାଥ। ଆମର ଭାଷା ଓଡ଼ିଆର ସୃଷ୍ଟି କେଉଁ ପ୍ରାଚୀନ କାଳରୁ। ଏହା ଆମ ଜାତି ଓ ସଂସ୍କୃତିର ଜୀବନନାଟିକା। ପାଣିନୀଙ୍କ ବ୍ୟାକରଣ ଅଷ୍ଟାଧ୍ୟାୟୀଠାରୁ ଆରମ୍ଭକରି ବହୁ ପ୍ରାଚୀନ ଶିଳାଲେଖ, ପାଲି, ପ୍ରାକୃତ, ଅପଭ୍ରଂଶ ଚର୍ଯ୍ୟାଗୀତିକା, ସାରଳା ମହାଭାରତ, ଭାଗବତ, ରାମାୟଣ, ବୈଦେହୀଶ ବିଳାସ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ, ଛ’ମାଣ ଆଠଗୁଣ୍ଠ, ମାଟିର ମଣିଷ, ମାଟିମଟାଳ, ଶ୍ରୀରାଧା, ମଗ୍ନମାଟି ମଧ୍ୟ ଦେଇ ଓଡ଼ିଆ ଭାଷାରେ ଯେଉଁ ରୂପ ଓ ଭାବଗତ ପରିବର୍ତ୍ତନ ଘଟିଛି- ତାହାରି ମଧ୍ୟରେ ଛପି ରହିଛି ଆମ ନିଜର ମାଟି-ମାଆ ଆଉ ଏହି ମାଆ ମାଟି ସହିତ ସମ୍ପୃକ୍ତ ହୋଇଛି ପ୍ରତ୍ୟେକ ଓଡ଼ିଆର ରୂପ ବିଭବ। ସର୍ବଭାରତୀୟ ସ୍ତରରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଆମ ଭାଷା ପାଇଁ ଆମେ ଗର୍ବିତ ଓ ଗୌରବାନ୍ବିତ। ଆମ ଭାଷା ଭାରତୀୟ ସମ୍ବିଧାନ ଦ୍ୱାରା ସ୍ବୀକୃତ ହୋଇ ଭାରତରେ ଏକ ମର୍ଯ୍ୟାଦାଜନକ ସ୍ଥାନ ଲାଭ କରିଥିବା ବେଳେ ୨୦୧୪ ମସିହାରେ ଏହାର ପ୍ରମାଣଯୋଗ୍ୟ ପ୍ରାଚୀନତା ଓ ଏହି ଭାଷାରେ ଉପଲବ୍ଧ ମୌଳିକ ସାହିତ୍ୟ ପାଇଁ ଏହା ଭାରତୀୟ ଷଷ୍ଠ ଭାଷା ଏବଂ ଆର୍ଯ୍ୟ ଭାଷା ପରିବାରର ପ୍ରଥମ ଭାଷା ଭାବରେ ଭାରତ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି। ଏହି ଭାଷାର ପ୍ରାଚୀନତାକୁ ଲକ୍ଷ୍ୟକରି ଭାରତର ବିଶିଷ୍ଟ ଶାସ୍ତ୍ରବିତ୍‌ ଡ. ସୁନୀତି କୁମାର ଚାଟାର୍ଜୀ କହିଛନ୍ତି- ‘ବଙ୍ଗଳା ଭାଷାଠାରୁ ଓଡ଼ିଆ ଭାଷା ପ୍ରାଚୀନ ଓ ଏହି ଭାଷା ସର୍ବଦା ଜ୍ୟେଷ୍ଠ ଭଗିନୀର ଆସନରେ ଆସୀନ। ଓଡ଼ିଆ ଭାଷା ସହିତ ଓତପ୍ରୋତ ସମ୍ପୃକ୍ତ ଓଡ଼ିଆ ଆଞ୍ଚଳିକ ଭାଷା ଓ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ବ୍ୟବହୃତ ଅନେକ କଥିତ ଭାଷା। ଓଡ଼ିଶାରେ ପ୍ରଚଳିତ ଆଞ୍ଚଳିକ ଭାଷା ସହିତ ଆଦିବାସୀଙ୍କ ଦ୍ୱାରା ବ୍ୟବହୃତ ଭାଷା ଦ୍ୱାରା ହିଁ ଓଡ଼ିଆ ଭାଷା କେଉଁ ପ୍ରାଚୀନ କାଳରୁ ନିଜର ଏକ ବଳିଷ୍ଠ ଓ ସମୃଦ୍ଧ ପରମ୍ପରା ସୃଷ୍ଟି କରିଛି। ଖାରବେଳଙ୍କ ହାତୀଗୁମ୍ଫା, ଅଶୋକଙ୍କ ଜଉଗଡ଼, ପୁରୀ ମନ୍ଦିରରେ ଥିବା ଜୟବିଜୟ ଶିଳାଲେଖରୁ ଆରମ୍ଭକରି ଉରଜାମ ଶିଳାଲେଖ ଏବଂ ଆମ ମଠ ମନ୍ଦିରର ଗମ୍ଭୀରା ଅବା ପୁଷ୍କରିଣୀରେ ଥିବା ପ୍ରସ୍ତର ଗାତ୍ରରେ କେତେ ଯେ ଶିଳାଲେଖ ଓ ଭାଷ୍ୟ ଆଜି ବି ଅନାବିଷ୍କୃତ ଅବସ୍ଥାରେ ରହିଛି- ଯାହାର ମୂକସାକ୍ଷୀ କେବଳ ଅଲିଖିତ ସମୟ। ଆମର ଜାତୀୟ ସମ୍ପଦ ପ୍ରାଚୀନ ତାଳପତ୍ର ପୋଥିରେ ରହିଥିବା ଚିତ୍ର ବିଦ୍ୟା, ଜ୍ୟୋତିର୍ବିଦ୍ୟାଠାରୁ ଆରମ୍ଭକରି ଶବ୍ଦକୋଷ, ପୁରାଣ, କାବ୍ୟ-କବିତା, ଆୟୁର୍ବେଦ, ଟୀକା-ଟିପ୍ପଣୀ ପର୍ଯ୍ୟନ୍ତ ଭାଷା-ସାହିତ୍ୟ-ସଂସ୍କୃତି ଯେତିକି ଆବିଷ୍କୃତ ତତୋଽଧିକ ଅନାବିଷ୍କୃତ। ଆମ ଲୋକସାହିତ୍ୟ, ଲୋକ ପରମ୍ପରା କେତେ ପ୍ରାଚୀନ ଓ କେତେ ସମୃଦ୍ଧ – ତାହା ଅନୁଭବୀ ହିଁ ଜାଣେ। ସାରଳା ଦାସଙ୍କ ମହାଭାରତ ଓଡ଼ିଆ ଜାତିର ଜୀବନବେଦ। ଏହା ସହିତ ସମ୍ପୃକ୍ତ ରହିଛି ଆମ ଜାତିର ପ୍ରଥା-ପରମ୍ପରା-ଜୀବନଶୈଳୀ, ପୁଣି ସମ୍ପୃକ୍ତ ରହିଛି ଓଡ଼ିଶାର ପର୍ବପର୍ବାଣି-ରୀତିନୀତି; ଓଡ଼ିଆର ଅନ୍ତରାତ୍ମା-ତାହାର ଜୀବନ ଓ ଜୀବିକା। ଆମ ଭାଗବତ ଆମ ଭାଷାର ପ୍ରାଚୀନ ଅସ୍ତିତ୍ୱ ଓ ଅସ୍ମିତାର ବାହକ।
ଓଡ଼ିଆ ଭାଷା ପରି ଓଡ଼ିଶାର ଐତିହ୍ୟ ମଧ୍ୟ ଖୁବ୍‌ ପ୍ରାଚୀନ। ଓଡ଼ିଶା ବିଭିନ୍ନ କାଳରେ ଉଡ଼୍ର, କଳିଙ୍ଗ, ଉତ୍କଳ ପରି ବିଭିନ୍ନ ନାମରେ ନାମିତ – ସମଗ୍ର ବିଶ୍ୱରେ ନିଜର ଉତ୍କର୍ଷ କଳା-ଭାସ୍କର୍ଯ୍ୟ ନିମନ୍ତେ ସୁପ୍ରସିଦ୍ଧ ଏହି ଦେଶ- ଉତ୍କଳ। ଚଣ୍ଡାଶୋକଙ୍କୁ ଧର୍ମାଶୋକ ଭାବେ ପରିବର୍ତ୍ତନ କରିଥିଲେ ଏଇ ମାଟି ଓ ଏହାର ସୁପୁରୁଷମାନେ। ମହାମେଘବାହନ ଖାରବେଳ କଳିଙ୍ଗର ହୃତଗୌରବ ଫେରାଇ ଆଣି ଏହାର ସ୍ବାତନ୍ତ୍ର୍ୟ ଉଦ୍‌ଘୋଷଣା କରିଥିଲେ। ଏହି ଭୂମିରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କ କିମ୍ବା ପୁରୀ ଜଗନ୍ନାଥଙ୍କ ପାଇଁ ଆଜି ଓଡ଼ିଶା ବିଶ୍ୱବିଦିତ। ଜଗତର ନାଥ ଜଗନ୍ନାଥ ଷୋଳ କଳା- ସବୁ ଅବତାରରେ ଏକ ସଶ୍ରଦ୍ଧ ଉଚ୍ଚାରଣ। ବୁଦ୍ଧଙ୍କ ଠାରୁ ଆରମ୍ଭକରି ଯିଶୁଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ – ସବୁ ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ମଣିଷ ତାଙ୍କର ଅତୀବ ପ୍ରିୟ। ସେ ଭାବର ଠାକୁର- ସେହି ଜଗନ୍ନାଥ କେବଳ ଆମର ରାଷ୍ଟ୍ରଦେବତା ନୁହନ୍ତି- ସେ ପୁଣି ଆମ୍ଭ ରାଷ୍ଟ୍ରର ଅପ୍ରତିଦ୍ୱନ୍ଦ୍ୱୀ ନେତା। ତାଙ୍କୁ ସ୍ମରଣ କରି ଆମର ପର୍ବପର୍ବାଣି-ଯାନିଯାତ୍ରା-ଖଡ଼ିଛୁଆଁ, ବିବାହ ବ୍ରତ ଆଉ ଘରର ଶୁଭ ଦିଆ। ଆମ ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ସ୍ଥାପତ୍ୟ- ସର୍ବତ୍ର ଜଗନ୍ନାଥମୟ- ସର୍ବତ୍ର ଓଡ଼ିଆତ୍ୱର ସ୍ପର୍ଶ। ପୁଣି ସମ୍ବଲପୁରୀ ବସ୍ତ୍ର ଓଡ଼ିଆ ଅସ୍ମିତା ଓ ଜାତୀୟତାର ବାହକ।
ସୁତରାଂ ଆଜି ଓଡ଼ିଆ ଆମର କେବଳ ଶ୍ରେଣୀକକ୍ଷରେ ସାଧାରଣ ପାଠ୍ୟ ଭାଷା ହୋଇ ରହିନାହିଁ। ଏହା ଆମ ଜାତିର ଆତ୍ମା, ଜାତିର ଅସ୍ତିତ୍ୱ, ଅସ୍ମିତା ଓ ସଂସ୍କୃତିର ଭିିତ୍ତି। ଏହା ହୋଇଛି ଆମ ଜାତିର ଜାତୀୟ ସମ୍ପତ୍ତି। ତାହାର ଭବିଷ୍ୟତ ଉଜ୍ଜ୍ୱଳ ଓ ସମ୍ଭାବନାମୟ। ଆମ ଐତିହ୍ୟ, କୀର୍ତ୍ତିରାଜି, ପରମ୍ପରା, ଦେବଦେବୀ, ଚାଲିଚଳଣି, ଆମର ବିଚାରଧାରା, ସ୍ବପ୍ନ ଓ ସଂକଳ୍ପ ସହିତ ଆମ ଭାଷାର ସମ୍ପର୍କ ନିବିଡ଼। ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ମହାକୁମ୍ଭ ଓ ଘୋଷଯାତ୍ରା ଅବସରରେ ସମଗ୍ର ଓଡ଼ିଆ ଜାତି ଏକ ପ୍ରାଣ ଓ ଏକ ସ୍ବରରେ ମଧୁସୂଦନ ରାଓଙ୍କ ସହିତ ସ୍ବର ମିଳାଇ କହିବା ଉଚିତ- ଶୁଣ ମା’ ଶୁଣ ମା’ ବାରେ ଡେରିଣ ଶ୍ରବଣ / ବିପୁଳ ବିଶ୍ୱର ମଧୁମୟ ଆମନ୍ତ୍ରଣ।
ଜୟ ଓଡ଼ିଶା – ଜୟ ଓଡ଼ିଆ
କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ: ୯୪୩୭୫୧୫୬୪୦


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri